Unknown

 

 

 

 

 

 

 

 

 

 

ପ୍ରତିଧ୍ୱନି

ଦାଶରଥି ପ୍ରସାଦ ଦାସ

 

ସୁଚତୁର ଶିଳ୍ପୀ ଦାଶରଥି ବାବୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଜଣେ କୃତୀ ଛାତ୍ର ।

 

ଭାଷାରେ ସୁନ୍ଦର ଓ ନିଖୁଣ ଛବି ଅଙ୍କାଯାଇ ପାରେ କି ନା–କିଛିଦିନ ହେଲା ସେ ତାର ପରୀକ୍ଷା ଚଳାଇଥିଲେ । କିନ୍ତୁ ତା ସଫଳ ହେଲା ଏଇ ପ୍ରଥମ ।

 

‘ପ୍ରତିଧ୍ୱନି’ ପ୍ରତ୍ୟେକଟି ଗଳ୍ପ ଯେପରି ଗଭୀର ଭାବରେ ଆଲୋଡ଼ିତ ଓ ଅଭିଭୂତ କରେ, ତାର ତୁଳନା ସମସାମୟିକ କଥା ସାହିତ୍ୟରେ ଅଛି କି ନାହିଁ ସେକଥା ଆପଣମାନଙ୍କର ବିଚାର୍ଯ୍ୟ ।

 

ପ୍ରକାଶକ

Image

 

ସୂଚୀପତ୍ର

 

୧.

ଶ୍ରୀଚନ୍ଦନ

୨.

ଉପସଂହାର

୩.

ଜୟନ୍ତୀ

୪.

ଛାୟା

୫.

ତନ୍ଦ୍ରା

୬.

ପାଞ୍ଚାଳୀ

୭.

କମ୍ରେଡ଼

୮.

ବୀମା

୯.

ତ୍ରିଭୁଜ

Image

 

ମାନନୀୟେଷୁ,

 

ଉତ୍କଳ ଶବ୍ଦର ଅର୍ଥ, କଳା ଏବଂ କଳାକାର ଯେଉଁଠି ରୀତିମତ୍‌ ଉତ୍ପୀଡ଼ିତ ହୁଏ । ଆପଣଙ୍କୁ ସାମନାରେ ରଖି ଏଇ ନୂତନ ଅର୍ଥର ସନ୍ଧାନ ପାଇଛି ବୋଲି ମୋତେ କ୍ଷମା କରନ୍ତୁ । ସ୍ୱପ୍ନ ବିଳାସୀ ବୟସଠାରୁ ନିରାପଦ ଦୂରତ୍ୱରେ ଥାଇ ସୁଦ୍ଧା ଆପଣ ଯେଉଁ ସଫଳ ସ୍ୱପ୍ନ ଦେଖୁଛନ୍ତି, ତାହା ହିଁ ମୋ ପାଇଁ ଚରମ ଆଶିର୍ବାଦ ।

ମୋର ନମସ୍କାର ଗ୍ରହଣ କରନ୍ତୁ ।

 

-ଦାଶରଥି-

କଳାଭବନ

ଶାନ୍ତିନିକେତନ, ତା ୧୫।୭।୫୮

Image

 

ଶ୍ରୀ ଚନ୍ଦନ

 

(କବି ବନ୍ଧୁ ଶ୍ରୀ ବ୍ରଜନାଥ ରଥ କରକମଳେଷୁ)

ପାହି ଆସୁଛି ରାତି । ପୂର୍ବ ଦିଗର ଦିଗ୍‌ବଳୟ ଉପରେ ଧଳାର ପ୍ରଲେପ ଲାଗି ଆସିଲାଣି । ମଳିନ ତାରା ଆଉ ଥିରି ଥିରି ଥଣ୍ଡା ପବନ । ଏପ୍ରିଲ ସକାଳଟି ବାସ୍ତବିକ୍‌ ଉପଭୋଗ୍ୟ-। ମଶୁରି ଟେକି ବାହାରକୁ ଚାହିଁଲେ କଣ୍ଡୁରି ଶ୍ରୀଚନ୍ଦନ । ଝାପ୍‌ସା ଅନ୍ଧାର ଭିତରେ ଠିକ୍‌ଭାବେ କିଛି ବାରି ହେଉ ନାହିଁ, କେବଳ ଶବ୍ଦ ଶୁଭୁଛି ଯାହା–ରିକ୍‌ସାର ଆର୍ତ୍ତ ଚିତ୍କାର ଆଉ ଟ୍ରକର ଲଗାମ ଛଡ଼ା ଦଉଡ଼ ।

‘ଆଉ ଶାନ୍ତି ନାହିଁ ଏ ଦୁନିଆରେ’ । ପରିପକ୍ୱ କଣ୍ଡୁରି ଶ୍ରୀଚନ୍ଦନ ଭାବି ଲାଗିଛନ୍ତି । ‘ନା କଣ କହୁଛ ହାରାମଣି ? ଏ ଦୁନିଆରେ ଆଉ ଶାନ୍ତି ଅଛି ? ଯେଉଁଠିକି ମଣିଷ ଆସିଲା, ସେଠି ଲାଗିଲା ଏଇ ହୋ ହୋ ଧୋ ଧୋ ଗୋଳମାଳ ।’

ଘୁଙ୍ଗୁଡ଼ି ଶୁଭୁଛି ପାଖ ବିଛଣାରୁ । ହାରାମଣିକୁ ଆଜିକାଲି ଚମତ୍କାର ନିଦ ହୁଏ ।

‘‘ହାରାମଣି, ହାରାମଣି । ଉଠୁଛ ? ଭୋର ହୋଇଗଲାଣି ପରା !’’

କଡ଼ ଲେଉଟାଇଲେ ହାରାମଣି । କାନ୍ଥ୍ରାଇଡ଼ନର ସୁଗନ୍ଧ ଖେଳିଗଲା ତାଙ୍କର ମୁକୁଳା କବରୀ ଭିତରୁ । ଆହୁରି ସେମିତି ଘନୀଭୂତ ହୋଇ ଆସିଲା ନିଦ । ଘୁଙ୍ଗୁଡ଼ିର ଘନତ୍ୱ ଆହୁରି ବୃଦ୍ଧି ପାଇବାକୁ ଲାଗିଲା ।

ସ୍ୱାସ୍ଥ୍ୟ ଥିବା ଲୋକଙ୍କର ବେଶ୍‌ ଗାଢ଼ ନିଦ ହୁଏ–ଆଉ କଣ୍ଡୁରି ଶ୍ରୀଚନ୍ଦନ ? କାହିଁ-ସ୍ୱାସ୍ଥ୍ୟ କାହିଁ ? ସାରା ରାତିଟା ସେ ଏକରକମ ଅନିଦ୍ରା କହିଲେ ଚଳେ । ନୀଳାଭ ଆଲୋକରେ ସେ କେବଳ ଲକ୍ଷ କରିଛନ୍ତି ମଶାରୀ ଭିତରେ ଥିବା ଏକ ବିରାଟକାୟ ବସ୍ତୁ–ଥରେ ଘଡ଼ ଘଡ଼୍‌ରେ ଛଅଇଞ୍ଚ ଫୁଲି ଯାଉଛି । ପୁଣି ଥରେ ସଁ ସଁ ଆବାଜ–ଛ’ଇଞ୍ଚ କମିଯାଉଛି । ହାରାମଣି ନୁହେଁ–ପ୍ରାଗ୍‌ ଐତିହାସିକ ଯୁଗର ଏକ ଜନ୍ତୁ–ମଶାରି ଭିତରେ ଆରାମରେ ନିଦେଇ ଯାଇଛି । ଆଉ ତାର ଚମଡ଼ାଟା ବେଶ୍‌ ମୁଲାଏମ ତ ? ଆଙ୍ଗୁଳିରେ ମକଚି ପରୀକ୍ଷା କରୁଥିଲେ କଣ୍ଡୁରୀ ଶ୍ରୀଚନ୍ଦନ ।

‘‘ହେ, ସିଏ କଣ ହେଉଛି, ବୁଢ଼ା ହେଲଣି ଆସି ଲାଜ ମାଡ଼ୁ ନାହିଁ ? ସେପାଖରେ ପରା ପିଲାଏ ଶୋଇଛନ୍ତି। ଯା, ଚୁପ୍‌ ଚାପ୍‌ ଶୋଇପଡ଼’’ । ହାରାମଣି ଆଦେଶ ଦେଲା ।

ସତେ ତ । ସେ ବୁଢ଼ା ହୋଇ ଯାଇଛନ୍ତି । ଦର୍ପଣ ତ କହୁଛି ସେଇ କଥା । ଆଖିର ଧାର ତଳୁ ମାଡ଼ି ଆସିଛି କେତେଗୁଡ଼ିଏ କେନାଲ । ହାଡ଼ର ଅଞ୍ଚଳଗୁଡ଼ିକ ପରିଷ୍କାର ବାରି ହୋଇ ଯାଉଛି-। ଆଖି ପଶିଗଲାଣି କେତେ ଭିତରକୁ । ଗାଲ ପ୍ରାୟ ନାହିଁ କହିଲେ ଚଳେ । ମୁଣ୍ଡ ବାଳରେ କଳା ଓ ଧଳା ଗୋଟାଏ ଅଦ୍ଭୁତ ସମନ୍ୱୟ । ‘କେଡ଼େ ବେଗେ ସୁଖର ଦିନ ସବୁ ଶେଷ ହୋଇ ଗଲାରେ ।’ ଅବଶୋଷ କରୁଥିଲେ କଣ୍ଡୁରି ଶ୍ରୀଚନ୍ଦନ ।

ଆଲମିରାର ଥାକ ଉପରେ ଥୁଆ ହୋଇଛି–ଅଶ୍ୱଗନ୍ଧା, ଶୁକ୍ର ସଂଜିବନ, ଏଲିଜ୍‌ କରିନ୍‌, କଡ଼ ଲିଭର୍‌ ଅଏଲ୍‌, ଭିଟାମିନ୍‌ ବି କମ୍‌ପ୍ଳେକ୍‌ସ । ଯୌବନକୁ କିଛିକାଳ ଭିଡ଼ି ଓଟାରି ରଖିବାର ଗୋଟାଏ ପରାଜୟୀ ସଂଗ୍ରାମ । ତଥାପି ଆଶା ଅଛି । ବିଜ୍ଞାନ ତ ଉନ୍ନତ୍ତ କରୁଛି ଦିନକୁଦିନ । ଜୀବାଣୁର ଆବିଷ୍କାର ବଢ଼ି ଚାଲିଛି । ବିଜ୍ଞାନର ଆଖି କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି । ଆଜିର କଥା କାଲିକି ମିଛ ।

ଚିଡ଼ି ଉଠୁଥିଲେ କଣ୍ଡୁରି ଶ୍ରୀଚନ୍ଦନ । ତେବେ ସତ୍ୟ ଏକା ଏଇ ବିଜ୍ଞାନ–ଏଇ ଆଖି ଆଗର ସତ୍ୟ ହାରାମଣି ବି ଏକ ମିଥ୍ୟା–ମିଥ୍ୟା ତାର ଏଇ ଚର୍ବିଳ ସ୍ୱାସ୍ଥ୍ୟ । ମିଥ୍ୟା ତାର ଏଇ ଦୁଇଶ ଚାଳିଶ ପାଉଣ୍ଡ ଓଜନ । ଆହୁରି ବି ଏକ ବିରାଟ ମିଥ୍ୟା ଯେ ଚାରୋଟି ମୃତ ଓ ସାତୋଟି ଜୀବିତ ସନ୍ତାନର ଜନନୀ ହିସାବରେ ତାର ସ୍ୱାସ୍ଥ୍ୟର ଅକ୍ଷୂର୍ଣ୍ଣତା ।

ଯେମିତି ପଚିଶ ବର୍ଷ ତଳର ଇତିହାସ ପରଦାକୁ ଟେକିଦେଇ ଚାହୁଁଥିଲେ କଣ୍ଡୁରି । ଆଗେ ହାରାମଣି ଏତେ ମୋଟା ତ ନଥିଲା । ଯେଉଁଦିନ କନ୍ୟା ଦେଖା ହେଲା, ସେଦିନ ଆହା-ହା, କି ସୁନ୍ଦର ଚାଲି ଝୁମୁରୁ ଝୁମୁରୁ ଝୁମୁରୁ ଝୁମୁରୁ...

ଫୁଟିଲା ଚନ୍ଦ୍ରଝରି । ହାବେଳୀ ଉଠିଲା ଆକାଶକୁ । କାରୁକାର୍ଯ୍ୟକରା ଆଲୁଅରେ ଘୋଡ଼ାଇ ହୋଇ ପଡ଼ିଲା ବୈଶାଖି ଆକାଶ । ‘‘ବାଃ ବଢ଼ିଆ ବର ଆସିଛି ରେ–ଆରେ କମ୍ପେଇଲା ରେ... ଆରେ ମାଇଚିଆଟାରେ, ପକା ମାଇଚିଆ । ମୋଟେ ଅନାଉ ନାହିଁ ।’’

‘‘କିଓ କାହିଁ ତମର ତାମଜାନୀ ? ସବାରୀରେ ଗୋଟାଏ କଣ ବର ଆସିଛି ? ତମେ ଆମର ଏତେବଡ଼ ମାନକୁ ତଳକୁ କରିଦେଲ–ରଖିଥା ତମ ବି. ଏ. ଡିଗ୍ରୀ ସବାରୀ ଭିତରେ । ହୋଇ ପାରିବ ନାହିଁ ଏ ବାହାଘର ।’’

 

ଝାଇଁ । ଗୋଟାଏ ଆଟମିକ୍‌ ମିଶାଇଲ, ଯେମିତି କଣ୍ଡୁରି ଶ୍ରୀଚନ୍ଦନଙ୍କ ମୁଣ୍ଡରେ ଠୋକ୍‌କର ଖାଇଗଲା । ଅଠାଇଶ ଇଞ୍ଚିଆ ଛାତି ଭିତରେ ଥିବା ତିନିଇଞ୍ଚ କଲିଜାର ଅଚାନକ ଶିହରଣକୁ ବନ୍ଦ କରିବା ପାଇଁ ପଞ୍ଜାବୀଟାକୁ ଆହୁରି ଜୋରରେ ମୁଠାଇ ଧରିଲେ ।

 

‘‘କଣ କରିବା ଭାଇ ବୁଦ୍ଧି ବତା ଏ ସମୟରେ, ସତେ କଣ ଏ ବାହାଘର ହେବ ନାହିଁ-?’’

 

‘‘ଆଃ ପାଗଳା ହେଲୁକିରେ କଣ୍ଡୁରି ! ଏସବୁ ସେମିତି ହୁଏ । ଜାଣିଚୁ, ମୁଁ ପାଞ୍ଚଟା ବାହାଘର ବରଯାତ୍ରୀ ହେଲିଣି । ତୁ ବ’ ଚୁପ୍‌ ହୋଇ । ସେ ପେଞ୍ଚ ମୁଁ ଜାଣେ’’–ଆଶ୍ୱାସନା ଦେଲା ସହପାଠୀ ବନ୍ଧୁ ଗୋବର୍ଦ୍ଧନ ।

 

ଶାଶୁ ବସିଛନ୍ତି । ଆଖିରେ ଲୁହ ଛଳଛଳ । ବିଦା ଦେବେ ଝିଅକୁ । ବିଦାୟ କାଳିନ ଉପଦେଶ ବାହାଘର ଗୀତରେ ପଲ୍ଲୀ କବିଙ୍କର ବହୁ ଭବିଷ୍ୟତବାଣୀ–ତମେ ଇନ୍ଦ୍ର ହେଲେ ଇଏ ହେବ ଶଚି, ତମେ ମେଘ ହେଲେ ଇଏ ହେବ ବିଜୁଳୀ ଆଉ ତମେ ଯଦି ସାଗର ହେବ ଇଏ ହେବ ସରିତ । ନାନାଦି ପ୍ରକାର ଛନ୍ଦାଛନ୍ଦି ଉପମା । ଦାଦି, ବାପା, ଭାଇ, ଭଉଣୀ, ମାମୁଁ ସମସ୍ତଙ୍କର ସମସ୍ତଙ୍କ ପାଇଁ ବଣ୍ଟାକୁଣ୍ଟା ହୋଇ ଆଶିର୍ବାଦ ଗିତିକା ରଚିତ । ଏମିତି ଟାଣୁଆ ଗୀତ ଯେ ହାରାମଣିକୁ କଣ୍ଡୁରିଚରଣ ତ୍ୟାଗକରିବାର ଉପାୟ ଆଉ ନାହିଁ ।

 

ପିକ୍‌ କରି ହସିଦେଲା ତନୁପାତଳୀ ଝିଅଟିଏ । କଣ୍ଡୁରିଙ୍କର ଛାତି ଭିତରଟା କଣ ହୋଇଗଲା । ନିରାଟ ଖରାଦିନରେ ମୋଟା ପଶମ କନାର ପଞ୍ଜାବୀକୁ ଛାତି ଉପରେ ଖୁବ୍‌ ଜୋର୍‌ରେ ଚିପି ଧରିଲେ ।

 

‘‘ବାପ ଗୋବର୍ଦ୍ଧନରେ, କୁଆଡ଼େ ଗଲୁ ଏ ବିପତ୍ତ ବେଳେ ? ଟିକିଏ ବିଞ୍ଚି ଦେ ମତେ, ଭାରି ଗରମ ହେଲା । କେମିତି ଏଠୁ ବେଗେ ପଳାଇବା ବାପ କହିଲୁ ?’’ କଣ୍ଡୁରି ଶ୍ରୀଚନ୍ଦନଙ୍କର କଣ୍ଠସ୍ୱର ବଡ଼ କରୁଣ ହୋଇ ଉଠୁଥିଲା ।

 

ତା’ପରେ ବିଦାବିଦି । କୃଶାଙ୍ଗୀ, ତନ୍ୱୀ, ବିଜୁଳୀ ବରଣା ହାରାମଣି ବାହୁନି କାନ୍ଦିଲା–‘‘ମତେ ଅତଳ ଦରିଆ ମଝିକୁ ଭସାଇ ଦେଲ ହୋ ବାପା !’’

 

ସମସ୍ତଙ୍କ ଭବିଷ୍ୟତବାଣୀ ଅପେକ୍ଷା ହାରାମଣିର ଭବିଷ୍ୟତବାଣୀ ଆହୁରି ସଫଳ ହେଲା । ପ୍ରଶାନ୍ତ ମହାସାଗରରେ ଭାସମାନ ସ୍ପର୍ମ ତିମିର କ୍ଷୁଦ୍ରତମ ସଂସ୍କରଣ ପରି ହାରାମଣି ଭାସିଲା ଏଇ ଟଙ୍କା ସୁନାର ଅତଳ ଦରିଆରେ । ଚମତ୍କାର ତା’ର ଦେହ ଗଠନର ଭାଗ ମାପ । ମୁଣ୍ଡଟା ଅତି ବଡ଼, ତାପରେ ଦେହଟି କ୍ରମଶଃ ସରୁ ହୋଇ ଆସିଛି । ପାଦ ଦୁଇଟି ଯୋଡ଼ି ଠିଆ ହେଲେ ଜଣାଯାଏ ଯେପରି ଦୁଇଟି ସରଳରେଖା ବିଭିନ୍ନ କୌଣସି ଦୂରତ୍ୱରୁ ଆସି ଏକ ବିନ୍ଦୁରେ ମିଳିତ ହୋଇଛନ୍ତି ।

 

‘‘ହାରାମଣି ଓ ହାରା... ।’’

 

ଗୋଲାପ ବଗିଚାରେ ଟହଲ ମାରୁଛି ବଡ଼ ପୁଅ କୈଳାସ । ଦେହରେ ଦାମିକା ସିଲ୍‌କର ଧଳା ଗାଉନ । ମୁହଁରେ ଷ୍ଟେଟ୍‌ସ୍‌ ଏକ୍‌ସ୍‌ପ୍ରେସ୍‌ । ଆଖିରେ ବ୍ୟକ୍ତିତ୍ୱ ବୃଦ୍ଧିକାରୀ ଚଷମା । ମୁହଁରେ ପୌରୁଷତାର ଛାଇ । ସ୍ୱାସ୍ଥ୍ୟ ଚମତ୍କାର । ବାପ ମା ଦୁଇଜଣଙ୍କୁ ଅସ୍ୱୀକାର କରି ତାର ସ୍ୱାସ୍ଥ୍ୟ ଗଢ଼ି ଉଠିଛି । ଆଉ ପାଚିରୀ ସେପାଖେ କିଏରେ ? -ଜଜ୍‌ ଶମ୍ଭୁନାଥଙ୍କ କନ୍ୟା ?

 

ଆହୁରି ଥରେ ନିଠେଇ ଚାହିଁଲେ କଣ୍ଡୁରି । ହଁ ସେଇତ । ବାଃ, ମନରେ ଗର୍ବ ଆସିଲା । କୈଳାସ ଆଉ କିରାନୀର ପୁଅ ନୁହେଁ । ସେ ପରିଚୟ ଦେବ ସେ ଆଭିଜାତ୍ୟ ଘରର ସନ୍ତାନ । ବାପର ବ୍ୟାଙ୍କ ବାଲାନ୍‌ସ ଚାରି ଲକ୍ଷ । ଧାନ ଜମି କୋଡ଼ିଏ ବାଟ । କଟକରେ ଚାରିଟା କୋଠା । ଆହୁରି ଅଛି ବହୁତ । କଲେରାର ବୀଜାଣୁ ଭଳି ଜ୍ୟାମିତିକ ଅନୁପାତରେ ବଢ଼ି ଚାଲିଛି ଏ ସମ୍ପତ୍ତି । ଆଲ୍ଲା ଜିସ୍‌କୋ ଦେତା ।

 

ପୁଣି ତମେ କିଏରେ ? କିରାନୀର ଦଳ ? ଅମଲା ? ସ୍ୱଳ୍ପ ବେତନ ଭୋଗୀ ? ସର୍ବହରା ? ବେଗେ ବାହାରିଯାଅ ଏ ହତା ଭିତରୁ । ସିଧା କଥାରେ କହୁଛି ବେଗେ ଚାଲିଯା । ନୋହିଲେ ଡାକିଲି ଦରଓ୍ୱାନ୍‌କୁ । ଚାନ୍ଦା ଫାନ୍ଦା ମୋଠି କିଛି ନାହିଁ ।

 

‘‘ଆଜ୍ଞା ଏଇଟା ଚାନ୍ଦା ନୁହେଁ । ଏଇଟା ସାହାଯ୍ୟ । ଏଇ ବନ୍ୟାରେ ଅଧିକାଂଶ କିରାନୀଙ୍କର ଘରଦ୍ୱାର ଭାସି ଯାଇଛି । ଆପଣ ତ ଆଜ୍ଞା ସବୁ ଜାଣନ୍ତି । ନିଜେ ସେ ଦୁଃଖ ବୁଝିଛନ୍ତି-। ଆଉ ଅଧିକା କଣ କହିବୁ ?’’

 

‘‘ବେଶ୍‌, ମୁଁ ଦୁଃଖ କଲାବେଳେ ମୋ ଥାଳରେ କେହି ଦୟାକରି ଅଧଲାଟାଏ ପକାଇ ଦେଇନି ।’’

 

‘‘ହଜୁର ଏଇଟା କଣ ଯୁକ୍ତି ?’’

 

‘‘ମୁଁ ଯୁକ୍ତି ବୁଝେନା । ଯୁକ୍ତିରେ କୌଣସି ବିଷୟ ଆଜିଯାଏ ସମାଧାନ ହୋଇନି । ବାଜେ କଥା ସେଟା । ଯେଉଁମାନେ ଦୁର୍ବଳ, ସେମାନେ ଯୁକ୍ତିର ଆଶ୍ରୟ ଲୋଡ଼ନ୍ତି । ବାହାରିଯାଅ କହୁଛି । ମୁଁ ଦୁର୍ବଳକୁ ସମର୍ଥନ କରେନା ।’’

 

ଆହୁରି ଫର୍ଚ୍ଚା ହୋଇ ଆସିଲାଣି । ହାରାମଣିର ଘୁଙ୍ଗୁଡ଼ିରେ ପିଲାମାନଙ୍କ ନିଦ ଭାଙ୍ଗିଗଲାଣି । କିନ୍ତୁ କୈଳାସ କୁଆଡ଼େ ଗଲା ? ଏତେବେଳ ଯାଏ ସେଠି ସିଏ କଣ କରୁଛି ? ଝରକା ଦେଇ ଚାହିଁଲେ କଣ୍ଡୁରି ଶ୍ରୀଚନ୍ଦନ ।

 

‘‘ଏଁ ଏକି ଦୃଶ୍ୟ–ବାଃ, ବଡ଼ ମଜାକଥା ତ ? ହାରାମଣି ଓ ହାରାମଣି, ତମେ ବେଗେ ଉଠିଲ, ଉଠ ଚଞ୍ଚଳ ହେଇ ଦେଖ, ଏଠି କଣ ହେଉଛି !

 

‘‘କଣ ?’’ ହାରାମଣି ଅତି କଷ୍ଟରେ ଉଚ୍ଚାରଣ କଲେ ।

 

‘‘ତମେ ଦେଖୁନା, ମୁଁ ଆଉ କହିବି କଣ ?’’

 

‘‘କଣ କୁହ, ମୁଁ ଆଉ ଏଇନେ ଉଠି ପାରିବି ନାହିଁ ।’’

 

‘‘ଅଞ୍ଜଳୀର ମୁଣ୍ଡରେ କୈଳାସ ଗୋଟାଏ ଗୋଲାପ ଫୁଲ ଖୋସିଦେଲା, ୟାକୁ କି ଅର୍ଥ କରାଯାଇପାରେ ?’’

 

‘‘ଓଃ, କେଡ଼େ ଖରାପ ମଣିଷ ତମେ ହେ ।’’ ହାରାମଣି ଧଡ଼କରି ଉଠି ପଡ଼ିଲେ । ‘‘ତମେ ସେଗୁଡ଼ାକ ଦେଖୁଛ କାହିଁକି ? ଏଡ଼ିକି ବେହିଆ ତମେ ଆଜିକାଲି ହେଲଣି ?’’

 

‘‘କଣ ମୋର ଭୁଲ ହୋଇଗଲା ।’’ ବାସ୍ତବିକ୍‌ କଣ୍ଡୁରି ଶ୍ରୀଚନ୍ଦନ ଆତଙ୍କିତ ହୋଇ ଉଠିଲେ । ‘‘ସେଗୁଡ଼ାକ କଣ ସତେ ଦେଖିବା କଥା ନୁହେ ?’’

 

ପ୍ରେମର ସଂଜ୍ଞା । ସେତ ସୀମାବଦ୍ଧ ଅନ୍ଧକାର ଭିତରେ କାମନାର ଗୋଟାଏ ରୁଦ୍ର ମୂର୍ତ୍ତି-। ଆଉ ଭଲ ପାଇବା, ସେ ତ କେବଳ ଉପନ୍ୟାସର ଭାଷା । ବାସ୍ତବ ଜୀବନ ସହିତ ତାର କୌଣସି ସମ୍ପର୍କ ନାହିଁ । ଆଉ କଣ, କି ଅର୍ଥ କରାଯାଇପାରେ ୟାକୁ । ଗୋଲାପ ଫୁଲକୁ ମୁଣ୍ଡରେ ଖୋସି ଦେବାଟା କଣ ପ୍ରେମର ଗୋଟାଏ ଅଂଶ । କାହିଁ ଜୀବନରେ ସେ ଅଂଶଟା ତ ତାଙ୍କର ଅଭିନୀତ ହୋଇ ନାହିଁ ? ତେବେ ଏଗୁଡ଼ାକ ସବୁ ଅଭଦ୍ରାମି, ଭଣ୍ଡାମି । ଏଗୁଡ଼ାକ ପ୍ରଶ୍ରୟ ଦେବା ମୋଟେ ଉଚିତ ନୁହେଁ ।

‘‘କିରେ କଣ କରୁଥିଲୁ ସେ ଗୋଲାପ ବଗିଚାରେ ?’’

‘‘ତମେ କିଏ ତାକୁ ସେ ପ୍ରଶ୍ନ ପଚାରିବାକୁ ।’’ ହାରାମଣି ଚିତ୍କାର କରି ଦଉଡ଼ି ଆସିଲା । ‘‘ତମର ବୁଦ୍ଧି ବିବେକ ସବୁ ଆଜିକାଲି ଲୋପ ହୋଇଗଲାଣି କି ? ଛିଃ କେଡ଼େ ଛୋଟଲୋକ ମ ତମେ–ତମର ସେ କିରାଣୀ ବୁଦ୍ଧି ଆଜିଯାଏ ଯାଇ ନି ?’’

‘‘ବାଃ କିରାନୀ ବୁଦ୍ଧିଟା କଣ ନିରସା ତମ ମତରେ ? ଜାଣିଛ, ଦେଶଟାକୁ ପରା କିରାଣୀ ଚଳାଉଛନ୍ତି । ଆଉ ତମେ କଣ ଏତେ ଶୀଘ୍ର ଭୁଲି ଯାଉଛ ଯେ ତମେ ନିଜେ ହିଁ କିରାନୀର ପତ୍ନୀ ଥିଲ ?’’

ହାରାମଣି ଅସ୍ୱୀକରୀ କରେ–‘‘ନାଃ ଦୁଃସହ ଏ କିରାନୀ ଜୀବନ । ଆଉ ବଞ୍ଚିହେବ ନାହିଁ-। ପଚାଶ ଟଙ୍କା ଦରମା, ଏଥିରେ କି ମଣିଷ ଚଳେ । ତମ ତଳେ ଯେଉଁମାନେ ଥିଲେ ସେମାନେ ବଡ଼ ହାକିମ ହେଲେଣି–ମୋଟା ଦରମା ପାଇଲେଣି ଆଉ ତମେ–ଛିଃ, ଧିକ ମୋ ଜନ୍ମକୁ-। କେଉଁ ଯୋଗରେ ତମର ମୁଁ ହାତ ଧରିଥିଲି... ।’’

ହାରାମଣି କାନ୍ଦିବାକୁ ଲାଗିଲା ।

‘‘ଦେଖ ହାରାମଣି । କାନ୍ଦିଲେ କିଛି ଲାଭ ହେବନାହିଁ । ରାଶିଯୋଗ, ନକ୍ଷତ୍ର ସବୁ ଠିକ୍‍ ଥାଇ ଆମର ବାହାଘର ହୋଇଛି । ତମ ବାପା ଆଉ ମୋ ବାପା କଣ ଏଡ଼େ ବୋକାଥିଲେ ? ପୁରୋହିତ ବି ଠିକ୍‍ ଘଣ୍ଟା ମିନିଟ ଧରି ହାତ ବାନ୍ଧି ଦେଇଥିଲେ । ଖାଲି ଗୋଟିଏ କଥା ବିଗିଡ଼ି ଗଲା-। ତମ ଭଉଣୀ ମ, –ସେଇ ଚାନ୍ଦମୁଖୀ ଭଉଣୀ ତମର... ।’’

‘‘ଓ ତମ ଆଖିଟା ଯାଇ ସିଆଡ଼େ । ଯୋଉ ପୁରୁଷତ ତମେ, ୟାଙ୍କର ରୂପକୁ ଦେଖି ଢଳି ପଡ଼ୁଥିଲା ମୋ ଭଉଣୀ ଏଡ଼ିକି ଅଲାଜୁକ ତମେ ।’’ ହାରାମଣି ବିଦ୍ରୁପ କଲା ।

ବାସ୍ତବିକ୍‌ ପଚାଶ ଟଙ୍କା ଦରମା । ମାସଯାକ ରୁଟିନ ବନ୍ଧା କାର୍ଯ୍ୟକ୍ରମ, ପନ୍ଦର ଦିନ ଡାଲମା । ତିନିଦିନ ଆଳୁ କଖାରୁ ଭଜା । ଚାରିଦିନ ଖାଲି କୁନ୍ଦୁରି ଭଜା । ସାତଦିନ ସାରୁ ବଡ଼ି ସନ୍ତୁଳା ଆଉ ଦିନେ ମାଛ । ମାଂସ କିମ୍ବା ଦୁଧର ପ୍ରଶ୍ନ ନାହିଁ ।

ଏତିକିରୁ କଣ୍ଡୁରି ଆହରଣ କରିଛନ୍ତି ଅଠାଇଶ ଇଞ୍ଚିଆ ଛାତି ଖଣ୍ଡେ ଓ ନବେ ପାଉଣ୍ଡ ଓଜନ । ବାସ୍‌ ସେତିକି । ପୁଣି ସାଢ଼େ ନ’ ରୁ ସଂଧ୍ୟା ସାଢ଼େ ପାଞ୍ଚ ଯାଏ ରିତିମତ ଗୋଟାଏ ଭାରବାହି ଜାନୁଆର ।

‘‘କଣ କରୁଛ କଣ୍ଡୁରି, ସେଟା ଟାଇପ ହେଲା ? –ଆହୁରି ନିଅ । ଏ ସାତ ବର୍ଷ ବଜେଟରେ ଗୋଟାଏ ଛୋଟ ଚିଠା କରିଦିଅ–ତମେତ ଅଳସୁଆ ହେଲ । ଆହୁରି ନିଅ ଏତକ ଡେସପାଚ ହେବ -ଇଏ ଚିପ୍‌ ସେକ୍ରେଟେରୀଙ୍କ ଡାକ, ୟାକୁ ଆଗ କର ।’’

 

କାନ୍ଦରେ ତାର ଯନ୍ତ୍ରଣା । ‘‘ଓଃ–କିଏ ତମେ ମୋ କାନ୍ଧରେ ଗୋଡ଼ ଦେଇଛ ?’’ ଚିତ୍କାର କଲା କଣ୍ଡୁରି । ‘‘କିଏ ତମେ ମୋ କାନ୍ଧରେ ଗୋଡ଼ ଦେଇଚ । ମୁଁ ସହି ପାରୁ ନାହିଁ । ଦୟାକରି ତଳକୁ ଓହ୍ଲାଇଯାଅ । ଓ, ତମେ ମୋର ବନ୍ଧୁ, ମୋର ସହ କର୍ମୀ ବିପିନ ବାବୁ ? ଏଡ଼େ ବନ୍ଧୁଥିଲେ ଶେଷକୁ ଏଇଆ କଲ ? ମୋ କାନ୍ଧରେ ଗୋଡ଼ ରଖି ମୋତେ ତଳକୁ ଚାପି ଦେଇ ତୁମର ଉପରକୁ ଉଠିବାର ଚେଷ୍ଟା ? ହଉ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।

 

ଯେମିତି ହସର ବର୍ଚ୍ଛାରେ ବିଦୀର୍ଣ୍ଣ ହୋଇଗଲା ତାର କାନ–‘ଶୁଣ କଣ୍ଡୁରି,, ଈଶ୍ୱର ସମସ୍ତଙ୍କର ମଙ୍ଗଳ କରନ୍ତି । ତାର ଆଉ ପୁନରାବୃତ୍ତି କାହିଁକି । ଏଇଟା ହେଉଛି ମଣିଷର ଆଦିମ ପ୍ରବୃତ୍ତି । ବଡ଼ ହେବା ପାଇଁ ସଂଗ୍ରାମ । କୌଣସି ଜିନିଷର ଦ୍ୱାହି ଦେଇ ୟାକୁ କେହି କେବେ ଘୋଡ଼ାଇ ରଖି ପାରି ନାହିଁ । ଆଉ ବନ୍ଧୁତ୍ୱ କଥା କହୁଛ ? ସେଇଟା ହେଉଛି ଗୋଟାଏ ଫମ୍ପା ଜିନିଷ–ଦୁର୍ବଳତାର ଗୋଟିଏ ଅଭିବ୍ୟକ୍ତି । ଖୋଲା ଦୁନିଆ ଉପରେ ସେ ନିଜର ବ୍ୟକ୍ତିତ୍ୱ ବା ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିବାରେ ହାରିଯାଏ ସେଇ କେବଳ ଖୋଜେ ବନ୍ଧୁ । ଚାରିଆଡ଼ୁ ନିରାଶ ହୋଇ ତାର ପାଖରେ ଖୋଜେ କେବଳମାତ୍ର ଟିକିଏ ସ୍ୱୀକୃତି । ସେତିକିରେ ସେ ପାଏ ଆଶ୍ୱାସନା । ସେ ଚିତ୍କାର କରେ ସମାଜ ସମାଜ ବୋଲି–ସେ ଚିତ୍କାର କରେ ସୋସାଇଟିର ଆବଶ୍ୟକତା ପାଇଁ । ଏବେ ବୁଝିଲ ବାପ କଣ୍ଡୁରି, ବନ୍ଧୁତ୍ୱର ତ୍ୟାଗ ନୁହେଁ, ପ୍ରେମ ନୁହେଁ ବା ସ୍ନେହ ନୁହେଁ । ବନ୍ଧୁତ୍ୱର ଅର୍ଥ ଗୋଟାଏ ନିରାଟ ସ୍ୱାର୍ଥର ଅଭିସନ୍ଧି । ଯେ ଯାହାକୁ ସେତିକି କଠୋର ଭାବେ ପ୍ରତାରଣା କରିପାରେ ସେମାନେ ପରସ୍ପର ସେତିକି ବନ୍ଧୁ, ସେତିକି ଆପଣାର ସେତିକି ନିକଟତର । ସରଳ ମଣିଷ କେବେ ବନ୍ଧୁତ୍ୱ ଖୋଜେନା । କହ ମୁ ଭୁଲ କହିଲି ?’’

 

‘ନା, ନା, ତମେ ଠିକ କହିଛ । କିନ୍ତୁ ଏଥର ପୁଣି କିଏ ? ଓ, ନରହରି ବାବୁ, ତମେ ବି ଶେଷରେ, ଏତେ ବଡ଼ କଥା କହୁଥିଲ ତମକୁ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ ?’’

 

ପୁଣି ଯେମିତି ସେଇ ହସର ଆବାଜ ।

 

‘କିନ୍ତୁ କହ, ଆଉ କଣ କରାଯାଇ ପାରିଥାନ୍ତା କଣ୍ଡୁରି । ମଣିଷ ଯେତେବେଳେ ଉପରକୁ ଉଠିବାକୁ ଚାହେଁ, ସେତେବେଳେ ସେ ଖୋଜିବସେ ଗୋଟାଏ ନିକଟତମ ଆଶ୍ରା, ଯାହା ଉପରେ ସେ ପାଦର ଭାର ରଖିବ । ବନ୍ଧୁମାନେ ଏଇଥିପାଇଁ ଦରକାର ପଡ଼ନ୍ତି । ସେଇଟା ହିଁ ବନ୍ଧୁତ୍ୱର ସଜ୍ଞା-। ଥା କଣ୍ଡୁରି, ଗୁଡ଼ବାଇ, ପୁଣି ବହୁବାର ଦେଖା ତ ହେବ ନିଶ୍ଚୟ ।’’

 

ଆହୁରି ଲାଗିଛି କାନ୍ଧରେ ଯନ୍ତ୍ରଣା । ଆଉ ଠିଆ ହେବାର ଶକ୍ତି ନାହିଁ । ପିମ୍ପୁଡ଼ି ପରି ଛୁଟି ଆସୁଛନ୍ତି ପଛରେ । ସମସ୍ତଙ୍କର ଆଗ୍ରହ–ଆମେ ଥରେ ଉପରକୁ ଉଠନ୍ତୁ, ଆମେ ଥରେ ତମ କାନ୍ଧରେ ପାଦର ଭାର ଦିଅନ୍ତୁ । କଣ କହୁଛ କଣ୍ଡୁରି ?

 

‘‘ଚୋର, ବଦମାସ୍‌ ।’’

 

ଦେଖୁ କଣ୍ଡୁରି, ବୃଥାରେ ରାଗ ନାହିଁ । ବଦ୍‌ମାସ୍‌ ହେବାଟା ବି କମ୍‌ ଆୟାସ ସାଧ୍ୟ ନୁହେଁ-। ସେଟା ଗୋଟାଏ ଆର୍ଟ । ସେଥିପାଇଁ ବି ଦରକାର ସାଧନା । ସବୁ ଲୋକେ ବଦ୍‌ମାସ ହୋଇ ପାରିବେ ନାହିଁ । କାରଣ ସବୁଲୋକ ବୁଦ୍ଧିମାନ ନୁହଁନ୍ତି କି ଦୂରଦର୍ଶୀ ନୁହଁନ୍ତି । ସେହି କେବଳ ବଦ୍‌ମାସ । ପୃଥିବୀରେ ବଞ୍ଚିବାର ଅଧିକାର କେବଳ ତାର । ସୁବିଧା ସବୁ ତା’ ପାଇଁ ।

 

‘‘ବେଶ୍‌ ତମକୁ ଯାହା ସୁବିଧା ଦିଶୁଛି ତା’ କରିଯା ।’’

 

‘‘ଯଦି କହୁଛ କଣ୍ଡୁରି ତେବେ ଆମେ କରୁଛୁ ।’’

 

ଦାଗ ପରେ ଦାଗ ବଢ଼ି ଚାଲିଲା–କଣ୍ଡୁରି ବଦ୍‌ମାସ୍‌ । କଣ୍ଡୁରି ଚରିତ୍ରହୀନ, କଣ୍ଡୁରୀ କାମରେ ହେଳା କରେ । କଣ୍ଡୁରି ଠକାଇବାର ପ୍ରବୃତ୍ତି । ଉପର ଅଫିସର ସନ୍ତୁଷ୍ଟ ନୁହନ୍ତି । ପୁଣି ଗୋଟାଏ ମନୋରମ ସକାଳରେ କଣ୍ଡୁରିଙ୍କର ଶେଷ ନିଷ୍ପତ୍ତି–ସରକାର ଆଉ ତୁମର ଚାକିରି ଦରକାର କରନ୍ତି ନାହିଁ ।

 

‘‘ଯାଃ, କେମିତି ଚଳିବିରେ ଭାଇ । ଆଠପ୍ରାଣୀ କୁଟୁମ୍ବ । ମୋତେ ବୁଦ୍ଧି ଦିଅ ହେ–କୁଆଡ଼େ ଗଲ ସବୁ ।’’

 

‘‘ବୋକା ଲୋକଙ୍କୁ ବୁଦ୍ଧି ଦିଆଯାଏ, ନା କେବଳ ବୁଦ୍ଧିମାନ ଲୋକଙ୍କୁ ବୁଦ୍ଧି ଦିଆଯାଏ ।’’

 

‘‘କିଏରେ ତୁ, ଗୋବର୍ଦ୍ଧନ ? ଅସଲ ବିପତ୍ତିବେଳେ ଭାଇ ତୁ ଦେଖା ଦେଇଛୁ । କଣ ପଢ଼ା ତୋର ଶେଷ ହେବ ନା ନାହିଁ ?’’

 

‘‘ନାଇ ରେ ଭାଇ, ଆସନ୍ତା ମାସରେ ମେସିଗାନ ବିଶ୍ୱବିଦ୍ୟାଳୟକୁ ଭୂଗୋଳ ପଢ଼ିବା ପାଇଁ ଯାଉଛି ।’’

 

‘‘ବାଃ, ଭୂଗୋଳ, ଚମତ୍କାର ବିଷୟଟିଏ । କିନ୍ତୁ ତୁ ତ ଗୋଟାଏ ଭୂଗୋଳ ପାଲଟି ଗଲୁଣି-। ମୁହଁଟା ତ ଠିକ୍‌ ପୃଥିବୀ ଭଳିଆ ଗୋଲ । ଓଠପାଖଟା ଟିକିଏ ଚେପ୍‌ଟା, ଦକ୍ଷିଣ ମେରୁ ବୁଝାଉଛି-। ଚେହେରା ତ ଭୂଗୋଳ, ଆଉ ପଢ଼ିବାକୁ କଣ ବାକି ରହିଲା ?’’

 

‘‘ଯାଃ, ବହୁତ ଝଡ଼ିଗଲି ଏଇ ଫ୍ଳୁରେ ପଡ଼ି ।’’

 

‘‘ଫ୍ଳୁରେ ପଡ଼ିଲୁ, ଆହା ମରିଯାଉ ଥାଏଟି, କିଛି ହୋଇ ନି ତ ତୋର ?’’

 

‘‘ନାଇଁ ରେ ଆଉ ହବ କଣ, ଯାହା ଡେରି ହୋଇଗଲା । ତୋ ଖବର କଣ କହ–ସେଇ ବାହାଘର ପରଠୁ ଆଉ ତ ଦେଖା ହୋଇ ନି ।’’

 

‘‘ମୋ କଥା କଣ ଶୁଣିବୁରେ ଭାଇ । ସେକ୍ରେଟେରିଏଟ୍‌ରୁ ଚାକିରି ଗଲା । ଏଇନେ କେନ୍ଦୁଝର ଷ୍ଟେଟ ଦେଓ୍ୟାନଙ୍କ ପେସ୍କାର । ଚଳୁଛି ଦୁଃଖେ...ସୁଖେ । ତମଭଳିଆ କଣ ଭାଗ୍ୟବାନ ମୁଁ । ଆମେରିକା ଦୂରର କଥା–କୋଣାର୍କ ଦେଖି ପାରି ନି ଆଜିଯାଏ–ଛାଡ଼–ରାଜାଘର ଚାକିରୀ–କେଉଁଥିରେ ସ୍ୱାଧୀନତା ଅଛି ?’’

 

‘‘କିଓ ଶ୍ରୀଚନ୍ଦନେ, କୁଆଡ଼େ ଥିଲ ଆଜିଯାଏ ?’’

 

‘‘ହଜୁର, ମଣିମା, ଛାମୁ, ମୁଣ୍ଡକ ରଖିଲେ ନିରୋଳାରେ କଥାଟିଏ କହନ୍ତି ।’’

 

‘‘କଣ କହ ।’’

 

‘‘ଏଇ ଯେଉଁ ଦେଓ୍ୟାନ ଆଜ୍ଞା ସେ ହଜୁର ନାଁରେ ପଲଟିକାଲ ଏଜେଣ୍ଟ ପାଖରେ ନାନା କଥା ମିଛ ସତ ଯୋଡ଼ି କହିଛି । ମୁଁ ସେଠିଥିଲି । ସବୁ ଶୁଣିଛି । ପ୍ରମାଣ ସ୍ୱରୂପ ଚିଠିର ନକଲ ନେଇ ଆସିଛି–ଦେଖନ୍ତୁ ।’’

 

‘‘ଏଁ,’’ ନିଶକୁ ମୋଡ଼ିଲେ ରାମଚନ୍ଦ୍ର ମହେନ୍ଦ୍ର ବାହାଦୂର । ‘‘ଆହେ କିଏ ଅଛ ହେ–ମୋ ବନ୍ଧୁକଟା ଆଣିଲ ।’’

 

ଗୁଳିରେ ଉଡ଼ିଗଲେ ରାଜ୍ୟର ଦେଓ୍ୟାନ ଆଉ ଭାଗ୍ୟବାନ କଣ୍ଡୁରି ଶ୍ରୀଚନ୍ଦନଙ୍କ ମୁଣ୍ଡରେ ଦେଓ୍ୟାନର ଶରପା ବନ୍ଧା ହେଲା ।

 

ପାଦର ଭାର ଦେଇ ଗୋଟିଏ ପାହାଚ ଉଠି ଆଉ ଗୋଟିଏ ପାହାଚକୁ ଗୋଡ଼ ବଢ଼ାଇଲେ ।

 

‘‘ହଜୁର ସତ୍ୟ ଓ ନ୍ୟାୟ ଯୋଗୁ ବ୍ରିଟିଶ ରାଜୁତି ରହିଛି । ଆପଣ ବିଚାର କରନ୍ତୁ–ୟେ ରାଜା ଏକା ଗୁଳିକେ ଉଡ଼ାଇଦେଲା ଦେଓ୍ୟାନଙ୍କୁ । ଏମିତି ଖାମଖିଆଲି ଲୋକ ପାଖରେ କାହା ଜୀବନ ନିରାପଦ ନୁହେଁ । ମିଛ କହୁନାହିଁ ହଜୁର । ପ୍ରମାଣ ଅଛି–ଦେଖନ୍ତୁ ଚିଠି । ରାଜା ଲେଖିଛନ୍ତି–‘ଶ୍ରୀଚନ୍ଦନ, ଆଜି ରାତିରେ ସାଙ୍ଗରେ ଦେଓ୍ୱାନଙ୍କୁ ଧରି ଶୀକାରକୁ ଆସିବ । ତମ ଅପେକ୍ଷାରେ ରହିଲୁ ।’ ହଜୁର ବିଚାର କରନ୍ତୁ ଆମେ ତ ଗଲୁ, ଭାଡ଼ି ହୋଇଥିଲା ପୂର୍ବ ପାଖରେ । ରାଜା ଓ ଦେଓ୍ୱାନ ଦୁଇଜଣଯାକ ଥିଲେ ପୂର୍ବ ପାଖରେ । ବାଘ ଆସୁଥିଲା ପଶ୍ଚିମ ପାଖରୁ । କେମିତି ଦେଓ୍ୱାନଙ୍କ ଦେହରେ ଗୁଳି ବାଜିଲା–ଗଣ୍ଠି ଏଇଠି ।

 

ସତକଥା ତ–ରାଜାଙ୍କର ହେଲା ନିର୍ବାସନ । ପୁଣି ନା’ ବାଳକ ରାଜପୁତ୍ର ସାବାଳକ ହେବା ପର୍ଯ୍ୟନ୍ତ କଣ୍ଡୁରି ଶ୍ରୀଚନ୍ଦନ ରାଜ୍ୟର ସୁପରିନ୍‌ଟେଣ୍ଡେଣ୍ଟ ରହିବେ ।

 

ବାଃ, ଭାଗ୍ୟବାନ କେ. ଶ୍ରୀଚନ୍ଦନ-ବନ୍ଧୁମାନେ ସଙ୍ଖୋଳିଲେ, କେ. ଶ୍ରୀଚନ୍ଦନ ଯାଉଛନ୍ତି, ଗର୍ଭଣୀ ଗାଇ ବାଟ ଛାଡ଼ିଲା । କେ. ଶ୍ରୀଚନ୍ଦନ କହିଲେ, ଟ୍ରେଜେରୀ ଖୋଲାହେଲା । କଣ କହିଲେ କେ. ଶ୍ରୀଚନ୍ଦନ ? ଶୁଣରେ ପିଲେ ଶୁଣ, ଆଃ କେଡ଼େ ପଣ୍ଡିତ ଲୋକ ଦେଖରେ । କେ. ଶ୍ରୀଚନ୍ଦନ ଦୁଇଟି ଡିମ୍ବ ଓ ଗୋଟିଏ କମଳା ଲେମ୍ବୁ ଖାଇଲେ । କେ. ଶ୍ରୀଚନ୍ଦନ ଅସୁସ୍ଥ, ରାଜ୍ୟସାରା ସମସ୍ତେ ବି ଅସୁସ୍ଥ ।

 

ପାହାଚ ପରେ ପାହାଚ, ଆହୁରି ବି ଅଛି ପାହାଚ ।

 

ଜମି, ଘରଦ୍ୱାର, ବ୍ୟାଙ୍କ ବାଲାନ୍‌ସ, ପୁଣି ପୁରୁଣା କାତି ଛଡ଼ାଇଲେ ନିଜ ଦେହର ହାରାମଣି ।

 

ଖରା ପଡ଼ିଗଲାଣି ।

 

‘‘କହ ହାରାମଣି, ଦୁନିଆରେ ଆଉ ଶାନ୍ତି ଅଛି ?’’

 

‘‘ଦେଖ, ସେମିତି ପ୍ରକୃତିଛଡ଼ା ହୁଅନା । କହିବ ତ କହିଦିଅ ସିଧା କଥାରେ ଯେ ତମକୁ ପୁଅ ମାଇପ ଗନ୍ଧ ଛାଡ଼ିଲେଣି । ଆଉ ଏତେ ବୁଲେଇ ବଙ୍କେଇ, ମୋ ମାଲୋ ।’’

 

‘ଆହା-ହା, ରାଗୁଛ କାହିଁକି, କିଓ କଥାଟାକୁ ଟିକିଏ ବୁଝ । ମାନେ ଏ ଗୋଳମାଳ ମୁଁ ଆଉ ସହି ପାରୁନି । ଟିକିଏ ନିଛାଟିଆ ଯାଗା ହୁଅନ୍ତା । ଗୋଳମାଳ ନ ଥାନ୍ତା, ଏତେ ମଣିଷ ନ ଥାନ୍ତେ । ଶାନ୍ତିରେ ଶେଷ ଜୀବନଟା କଟାଇ ହୁଅନ୍ତା । ଏ ଯାଗାଟା ଟିକିଏ ନିଛାଟିଆ ଥିବାରୁ ଏଠି ଘର କଲେ । ଦେଖୁଛ ତ ଏଠିକା ଗୋଳମାଳ । ଏଠା ବି ଏକ ସହର ପାଲଟି ଗଲାଣି ।

 

ସେଇକଥା ହେଲା । ଦୁଇମାସ ଭିତରେ ସହର ଉପକଣ୍ଠରେ ଘରଟିଏ ତୋଳା ସରିଲା-

 

ଅଗଷ୍ଟ ସକାଳ । ଗୋଳମାଳରେ ଶ୍ରୀଚନ୍ଦନଙ୍କ ନିଦ ଭାଙ୍ଗିଗଲା । ଝରକା ବାଟେ ବାହାରକୁ ଚାହିଁଲେ । ଚାରିଆଡ଼ ଘୋଟି ଆସିଲାଣି କଳା ବଉଦ-ବୋଧହୁଏ ବର୍ଷା ହେବ–ଚାହୁଁ ଚାହୁଁ ବର୍ଷା ବି ଆସିଗଲା ।

 

ଚମତ୍କାର କବିତା ଲେଖି ହୁଅନ୍ତା ଏତିକିବେଳେ । ହାରାମଣିକି ବିଜୁଳି କରି ଏଇ ମେଘର ଛାତି ଉପରେ ଯଦି ଭସାଇ ଦେଇ ହୁଅନ୍ତା..... ? ଖୁବ୍‌ ମୋଟା ହୋଇଗଲା ସେ ଏଇ ସମୟକୁ । ଆହା !

 

ପୁଣି ଗୋଳମାଳ । କିଏ ଗୋଳମାଳ କରୁଛି ଏ ନିଛାଟିଆ ଯାଗାରେ । ଝରକା ଖୋଲିଦେଲେ କଣ୍ଡୁରି । ପୋଟିକୋ ତଳେ ଆଶ୍ରୟ ନେଇଛନ୍ତି ପଞ୍ଝାଏ ଝିଅ ଓ ପୁଅ । ସହରକୁ ଝାଟି ବିକି ନେଉଥିଲେ । ଅଚାନକ ବର୍ଷା ଆସି ସମସ୍ତଙ୍କର ଲୁଗାକୁ ଭିଜାଇ ଦେଇଛି ।

 

ତଥାପି ହସର ଲହରୀ ଛୁଟୁଛି । ମଝିରେ ମଝିରେ କେଳା କେଳୁଣୀଙ୍କର କୋରସ ଗୀତରୁ ଖଣ୍ଡେ ଅଧେ ଆବୃତ୍ତି । ଆଖି ଠରାଠରି ପୁଣି ହସ । ହସର ବର୍ଷା ।

 

କଣ୍ଡୁରି ଶ୍ରୀଚନ୍ଦନ ବୋକାଙ୍କ ଭଳି ସେଆଡ଼ୁକୁ ଅନାଇ ରହିଥିଲେ ।

 

ତା ୨୮ । ୮ । ୫୭

ଶାନ୍ତିନିକେତନ

Image

 

ଉପସଂହାର

 

(କଣ୍ଠଶିଳ୍ପୀ ଶ୍ରୀ ଅକ୍ଷୟକୁମାର ମହାନ୍ତିଙ୍କୁ)

 

ଭୋକ କରୁଛି ।

 

ମାର୍ଚ୍ଚ ମାସର ମଧ୍ୟାହ୍ନରେ ପିଚୁ ରାସ୍ତା ଉପରେ ଅପଦାର୍ଥ ରମାକାନ୍ତକୁ ଭୋକ କରୁଛି । ସେ ଦୁଇଦିନ ହେଲା କିଛି ଖାଇ ନାହିଁ ।

 

କ୍ଷୁଧା ଅନୁଭୂତିର ପୁରାତନ ଅଭିଜ୍ଞତା ଘେନି ସେ ତା’ର ଚିରା ପକେଟ୍‌କୁ ବହୁବାର ଅଣ୍ଡାଳିଛି ଚାରୋଟି ପଇସାପାଇଁ । କିନ୍ତୁ ସେ ପାଇ ନାହିଁ–ପାଇବ ବି ନାହିଁ । ସେ ହିସାବ ରଖିଛି, ଖବରକାଗଜରେ ପଢ଼ିଛି ତା’ର ଦେଶ ନିଅଣ୍ଟିଆ ନୁହେଁ । ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ଅଛି ଦେଶରେ । କିନ୍ତୁ ଅପଦାର୍ଥ ରମାକାନ୍ତକୁ କିଛି ଦେଖାଯାଉ ନାହିଁ ।

 

ଆଗରେ ଗୋଟିଏ ହୋଟେଲ । କାଚ ଝରକା ଭିତର ଦେଇ ଭୋଜନରତ ମନୁଷ୍ୟମାନଙ୍କର କିମ୍ଭତକିମାକାର ଛାୟା ଦେଖାଯାଉଛି । ଦୁଆର ଭିତର ଦେଇ ଦେଖାଯାଉଛି ଗୋଟିଏ କୁକୁର ଲୁଚି ଲୁଚି ରନ୍ଧନଶାଳା ଭିତରକୁ ପଶୁଛି । ସେ ଚୋରି କରି ବଞ୍ଚିବାକୁ ଚାହେଁ । କିନ୍ତୁ ତାହା କରି ପାରିବ ନାହିଁ । ସେ ମନୁଷ୍ୟ–ସାମାଜିକ ଜୀବ । ଚୋରି, ବଳ-ପ୍ରୟୋଗ ମହାପାପ-

 

ଅଥଚ ସେ କଣ ମରିବ ? ବଞ୍ଚିବାକୁ ଦରକାର ଖାଦ୍ୟ, ପାନୀୟ । ତା ପରେ ବସ୍ତ୍ର, ସାହିତ୍ୟ, ସଙ୍ଗୀତ, କଳା, ବିଜ୍ଞାନ, ଦର୍ଶନ ସବୁ କିଛି । କିନ୍ତୁ ସେ କିଛି ଚାହେଁ ନାହିଁ । ତା’ର ଲୋଡ଼ା କେବଳ ଖାଦ୍ୟ ଏବଂ ଖାଦ୍ୟ ପାଇଁ ସେ ଦରକାର କରୁଛି ମାତ୍ର ଚାରୋଟି ପଇସା ।

 

ପିଚୁରାସ୍ତା ଉପରେ, ଅସହ୍ୟ ଗରମ ଭିତରେ ତା’ର ଦେଖା ହେଲା ପୁରାତନ ବନ୍ଧୁ ଜିତେନ୍‌ ସହିତ । ସାଇକେଲରେ ବ୍ରେକ୍‌ ଦେଇ ଜିତେନ୍‌ ସଙ୍ଖୋଳିବାକୁ ଆରମ୍ଭ କଲା–‘‘କିରେ ରମାକାନ୍ତ । ବହୁଦିନ ପରେ ଦେଖା । କଣ ତୋର ଖବର ଆଜିକାଲି ? କେଉଁଠି ଅଛୁ ? କଣ ସର୍ଭିସ ଖୋଜୁଛୁ ? ....ଭାଇ କହନା କହନା, ଆଜିକାଲି ସର୍ଭିସ୍‌ରେ ଯୋଉ ଅବସ୍ଥା, ବହୁତ କଷ୍ଟରେ ମୋତେ ଖଣ୍ଡେ ମିଳିଛି... ।’’

 

‘‘ତୁ ପୁଣି ଚାକିରି କଲୁ ନା କଣ ?’’

 

‘‘ଆଉ କଣ କରି ଥାଆନ୍ତି–ଆଜିକାଲି ଯେଉଁ ଅବସ୍ଥା ହେଲାଣି, କଣ ଚଳି ହୋଇଥାଆନ୍ତା ବୋଲି ତୁ ବିଶ୍ୱାସ କରୁଛୁ ? ଭାଗ୍ୟକୁ ପାଇଗଲି, କିନ୍ତୁ ବହୁତ କିଳାପୋତେଇରେ ମିଳିଲା । ହଉ, ଯାଉଛି, ପୁଣି କେବେ ଦେଖା ହେବ, ବାଇ ବାଇ ।’’

 

‘‘ଏ ଜିତେନ୍‌ ଶୁଣ ।’’

 

‘‘କଣ ?’’

 

‘‘ଚାରିଟା ପଇସା ମୋତେ ଦେଇ ପାରିବୁ ?’’

 

‘‘ଏଁ, ଏକ୍‌ସ୍‌କ୍ୟୁଜ୍‌ ମି, ମୋ ପାଖରେ ସାରା ଦିନଟାପାଇଁ ମାତ୍ର ଚାରିଟା ପଇସା ଅଛି । ତୁ ଜାଣିଛୁ ନା–ମୁଁ ଆଜିକାଲି କ୍ୟାପ୍‌ଷ୍ଟାନ୍‌ ଖାଉ ନାହିଁ–ପାନାମା ଖାଉଛି ।’’

 

ଦୁଇ ମିନିଟ୍‌ର ନାଟକ ଶେଷ ଜିତେନ୍‌ ଚାଲିଗଲା ।

 

ରମାକାନ୍ତ ପଢ଼ିଛି ପୃଥିବୀଟା ଗୋଲ । ପୂର୍ବ ଦିଗକୁ ଗଲେ ପଶ୍ଚିମରେ ଆସି ପହଞ୍ଚିବ । ଉତ୍ତର ଦିଗକୁ ଗଲେ ଦକ୍ଷିଣରେ ଆସି ପହଞ୍ଚିବ । କମଳା ଲେମ୍ବୁର ଉଦାହରଣ ଦେଇ ବୁଝାଇ ଦିଆଯାଇଛି–ଅଣ୍ଡା ଓ ପେଣ୍ଡୁର ବି ଉଦାହରଣ ଅଛି । ଠିକ୍‌ ସେମିତି ଛାତ୍ର-ନେତା ଜିତେନ୍‌ ଚାକିରୀ କରୁଛି, କାରଣ ବର୍ଷକ ତଳେ ସେ ଚାକିରୀ କରିବାକୁ ଘୃଣା କରୁଥିଲା ।

 

ଆଃ, ଚମତ୍କାର କୁକର ଛୁଆଟିଏ ଯାଉଛି । ଚେହେରାଟା ବେଶ୍‌ ଲୋଭନୀୟ ।

 

ରମାକାନ୍ତ ଗୋଡ଼ାଇଲା । ଆ, ଆ, ଆ, ଡାକିଲା ପାଖକୁ । କିନ୍ତୁ କୁକୁର ଛୁଆଟି ବି ତାକୁ ଅବିଶ୍ୱାସ କଲା । ପାଖକୁ ନ ଆସି ଦଉଡ଼ି ଯାଇ ଗୋଟାଏ ଘରେ ପଶିଗଲା । ରମାକାନ୍ତ କିନ୍ତୁ ତା’ର ପଛେ ପଛେ ଘର ଭିତରକୁ ପଶି ପାରିଲା ନାହିଁ । ସେ ଠିଆ ହେଲା ସେଇ ରାସ୍ତାରେ । ତାକୁ ଶୁଭିଲା–’ହେଇ, ଟମି ଆସିଲାଣି, ଦେ ତାକୁ ଖାଇବାକୁ ଦେ ।’

 

ଭୋକ, ପୁଶି ଭୋକ । ରମାକାନ୍ତ ପେଟରେ ଗୋଟାଏ ଗୋଲାକାର ପଦାର୍ଥ ଏ ପାଖ ସେ ପାଖ ହେଲା । ପୃଥିବୀ ଘୂରୁଛି ତାର ପେଟ ଭିତରେ । ସେ ଘୂର୍ଣ୍ଣନ ଅସମାପ୍ତ ।

 

ଶେଠ୍‌ ଦିନ୍‌ଦୟାଲ କଥା ତା’ର ମନେ ପଡ଼ୁଚି–‘‘ମୁଁ ମାନୁଛି ରମାକାନ୍ତ ବାବୁ, ତମେ ମୋର ଖୁବ୍‌ ଉପକାର କରିଛ । ମୋ ଘରେ କାମ କରିଛ, ମୋ ପିଲାଙ୍କୁ ପାଠ ପଢ଼ାଇଛ, ମୋର ରୋଷାଇ କରିଛ, ମୋତେ ସେବା ଶୁଶ୍ରୁଷା କରିଛ । କିନ୍ତୁ ବର୍ତ୍ତମାନ ସେ ସବୁ କହିବା ଆଉ କଣ ଦରକାର ? ମୁଁ ତୁମକୁ ଠିକ୍‌ ଭାବରେ ପରିଶୋଧ କରି ଦେଇଛି । ମୁଁ ଆଉ ପାରିବି ନାହିଁ, ମୋତେ କ୍ଷମା କର । ମୋ ପାଖରେ ଗୋଟାଏ ବୋଲି ପଇସା ନାହିଁ ।’’

 

ପାଗଳଙ୍କ ଭଳି ହସି ଉଠିଲା ରମାକାନ୍ତ । ଶେଠ୍‌ ଦିନ୍‌ ଦୟାଲ୍‌ ପାଖରେ ଗୋଟାଏ ବୋଲି ପଇସା ନାହିଁ ।

 

ଉତ୍ତାପ ବଢ଼ିବାରେ ଲାଗିଛି–ପୃଥିବୀର ଓ ପେଟର । ସାମନା ଓସ୍ତ ଗଛରେ ଘଣ୍ଟାର ପେଣ୍ଡୁଲମ୍‌ଭଳି ଝୁଲୁଥିବା ଗୋଟାଏ ବାଦୁଡ଼ି ମରି ଖସି ପଡ଼ିଲା । ତାକୁ ଦେଖି ଧାଇଁ ଆସିଲା ରାସ୍ତା ସେପାଖରୁ ଗୋଟାଏ ଲୋମହୀନ କୁତୀ । ସେତିକିରେ କୁତୀଟିର ଜୀବନ ଶେଷ–ଗୋଟାଏ ଟ୍ରକ୍‌ ତଳେ ଚାପା ପଡ଼ିଗଲା । ପେଟ ଫାଟିଯାଇ ଅନ୍ତବୁଜୁଳା ବାହାରି ପଡ଼ିଲା । ମୁଣ୍ଡକୁ ଛାଡ଼ି ଦେହଟା ପିଚୁ ରାସ୍ତା ସଙ୍ଗେ ସମାନ ହୋଇଗଲା ।

 

‘ଇସ୍‌...’’

 

ରମାକାନ୍ତ ଧାଇଁ ଆସିଲା । ଆଉ ଦୁଇ ତିନିଜଣ ରିକ୍‌ସାବାଲା ବି ଛୁଟି ଆସିଲେ । ତା’ର ଜୀବନ ଇତିହାସ ଆଲୋଚନା ହେଲା । ସମସ୍ତେ ଦୁଃଖ କଲେ । ତା ପରେ ରାସ୍ତା ଶୂନ୍‌ଶାନ୍‌ ହେଲା-

 

ଭୋକ ! ଏଇରକ ଆଉ ବୋଧେ ସମ୍ଭାଳି ପାରିବ ନାହିଁ ରମାକାନ୍ତ । ସେ ଅବସନ୍ନ ବୋଧ କରୁଛି । ତା’ର ଦେହଟା ହାଲୁକା ହୋଇ ଆସୁଛି । ତା’ର ଓଜନ କମି ଯାଉଛି; ବଢ଼ୁନାହିଁ । ପନ୍ଦର ଦିନ ତଳେ ମିଲିଟାରୀ ଅଫିସରେ ସେ ଓଜନ ହୋଇଥିଲା–ଶହେ ଛ’ ପାଉଣ୍ଡ ।

 

‘‘ତମର ବୟସ କେତେ ?’’

 

‘‘ବାଇଶ ବର୍ଷ ।’’

 

‘‘କିନ୍ତୁ ତୁମର ବୟସ ତୁଳନାରେ ଶହେ ଚାଳିଶ ପାଉଣ୍ଡ ଓଜନ ହେବା ଉଚିତ୍‌ ଥିଲା । ପାରିବ ନାହିଁ କାମକୁ । ତମେ ତ ରାଇଫେଲ୍‌ ଉଠାଇ ପାରିବ ନାହିଁ...।’’

 

‘‘କିନ୍ତୁ ସାର୍‌...’’

 

‘‘ମୁଁ ସବୁ ଜାଣେ, କିନ୍ତୁ କଣ କରିବି ? ଏଟା ମିଲିଟାରୀ ଅଫିସ୍‌ । ସ୍ୱାଧୀନ ଭାରତର ନୌ-ଜବାନ୍‌ ତୁମେ–ତୁମର ସ୍ୱାସ୍ଥ୍ୟ ରହିବା ଦରକାର । ମୋର ବୟସ ତିରିଶି । ମୋର ଓଜନ କେତେ ଜାଣିଛ ? ତିନିଶହ ଅଠର ପାଉଣ୍ଡ । ତମର ତିନି ଗୁଣ । ହେଇ ମୋର ଛାତିଟା ଚାଳିଶ ଇଞ୍ଚ ଚଉଡ଼ା ।’’

 

ଦେହର ପୋଷାକ ଖୋଲି ଛାତିକୁ ଦେଖାଇଲେ ମିଲିଟାରୀ ଅଫିସର । ଦେହକୁ ମୋଡ଼ି ମୋଡ଼ି କୋଡ଼ିଏଟା ଯାଗାକୁ ବାହାର କଲେ ବଳିଷ୍ଠ ମସଲ୍‌ । ତା’ପରେ ଦେଖାଇଲେ ବିଦ୍ୟା, ବୁଦ୍ଧି, ଗାରିମା । ପୁଣି ଉପଦେଶ ଦେଲେ ‘‘ଖାଦ୍ୟ ଖା, ସକାଳୁ ଗଜା ମୁଗ, ଦିପହରେ ଘିଅ, ଚାରିଟାବେଳେ ଦୁଧ ଓ ଫଳ, ରାତିରେ ମାଂସ । ଆର ବର୍ଷକୁ ଆସ ତମେ, ଦେଖିବା ତମ କଥା ।’’

 

ଚାକିରି ପାଇ ପାରିଲା ନାହିଁ ରମାକାନ୍ତ ମିଲିଟାରିରେ ।

 

ଏଥରକ ବାନ୍ତି ଲାଗୁଛି, ଆଉ ସେ ଠିଆ ହୋଇ ପାରିବ ନାହିଁ । ଗୋଟିଏ ପାନ ଦୋକାନ ଆଗରେ ପଡ଼ିଥିବା ଶୂନ୍ୟ ବେଞ୍ଚ ଉପରେ ସେ ଶୋଇ ପଡ଼ିଲା ନିଦରେ ।

 

ସ୍ୱପ୍ନରେ ଦେଖିଲା ସେଇ ଭାତଥାଳି । ଚିତ୍କାର କଲା–‘‘ମୋତେ ଖାଇବାକୁ ଦିଅ, ମୋତେ ତମେ ଖାଇବାକୁ ଦିଅ ! ମୋର କଣ ଏ ପୃଥିବୀରେ ଅଧିକାର ନାହିଁ ? ମୁଁ କଣ ନ ଖାଇ ନ ପିଇ ମରିଯିବି ? ମୁଁ ଶିଳ୍ପୀ, ମୁଁ ସଙ୍ଗୀତଜ୍ଞ, ମୁଁ କବି, ମୁଁ ଗାଳ୍ପିକ, ମୋର ଜୀବନରେ କଣ କିଛି ମୂଲ୍ୟ ନାହିଁ ?’’

 

ଗୋଟାଏ କଙ୍କାଳ ହସି ହସି ତାକୁ ବିଦ୍ରୂପ କଲା, ‘‘ପଳା ପଳା ଏଠୁ ବେଗେ । ଅଧିକାରର ପ୍ରଶ୍ନ ଉଠାଉଛୁ ? ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ତୋର ଗଚ୍ଛିତ ଅଛି ? ତୋର ମିଲ୍‌ ଅଛି-? କହ, ଦିନବେଳେ ତୁ ଚୋରି କରିପାରୁ, ଡକାୟତି କରିପାରୁ ? କହ, ନୀରବ ରହିଲୁ କାହିଁକି-? ଭାବୁଛୁ ତୋର ଗୋଟାଏ ବଡ଼ ମୂଲ୍ୟ ଅଛି ଏ ସଂସାରରେ । ଜାଣିଛୁ, ରାସ୍ତାର କୁତି ଭଳି ତୋ ଜୀବନକୁ କିଣି ନିଆ ଯାଇପାରେ ? ଠିକ୍‌ ସେଇ କୁତି ଭଳି ତୋ ଜୀବନଟାକୁ ଦେହରୁ ବାହାର କରି ଦିଆ ଯାଇପାରେ । ଅଧିକାରର ପ୍ରଶ୍ନ ଉଠା ନା, କହୁଛି ଚାଲିଯା, ଏ ଦୁନିଆ ଶିଳ୍ପୀର ନୁହେଁ–ଶିଳ୍ପପତିର । ଶିଳ୍ପୀ ବଡ଼ ନୁହେଁ–ବଡ଼ ହେଉଛି ଶିଳ୍ପପତି ।

 

ଭାଙ୍ଗିଗଲା ତା’ର ନିଦ । ପାନ ଦୋକାନୀଟା ତାକୁ ଉଠାଉଛି–‘‘ଘର କୋଉଠି ବେ ତୋର ? ବାପ ପକାଇଥିଲାଭଳି ବେଞ୍ଚ ଉପରେ ଶୋଇ ପଡ଼ିଲା । ଭାଗୋ ଭାଗୋ ।’’

 

ରମାକାନ୍ତ ଚାଲି ଆସିଲା । ଦିନ ନଇଁ ଆସିଲାଣି । ରାସ୍ତା ଉପରେ ରିକ୍‌ସା ଓ ମଟର ଗାଡ଼ିର ଭିଡ଼ ଲାଗି ଗଲାଣି । ରଙ୍ଗ ବେରଙ୍ଗର ଦାମିକା ମଣିଷ ସବୁ ରାସ୍ତାରେ ଯା ଆସ କଲେଣି ।

 

ଦି ପାହୁଣ୍ଡ ଆଗେଇଲା ରମାକାନ୍ତ ।

 

‘‘ହୋ ବାବୁ, ହୋ ବାବୁ ଶୁଣ ।’’ ପୁଲିସ ଡାକୁଛି । ନୂଆ ଆଇନ୍‌ ହୋଇଛି–ରାସ୍ତାର ଡାହାଣ କରରେ ଚାଲିବା ଦୋଷାବହ ।

 

‘‘ରାସ୍ତାରେ ଡାହାଣ କରରେ କାହିଁକି ଚାଲୁଥିଲୁ ? କହ, ନାଁ କଣ ?’’

 

‘‘ରମାକାନ୍ତ ।’’ ରମାକାନ୍ତ କଣ ?’’

 

‘‘କେବଳ ରମାକାନ୍ତ–ତମେ କଣ ମୋତେ ଚିହ୍ନି ନାହଁ ।’’

 

‘‘କାହିଁକି, ତମେ କଣ ଲାଟ ସାହେବଙ୍କ ପୁଅ କି, ତୁମକୁ ଚିହ୍ନି ରଖି ଥାଆନ୍ତି ?’’

 

‘‘ମୁଁ ଶିଳ୍ପୀ ରମାକାନ୍ତ । ଗତ ବର୍ଷ ମୁଁ ମେଡ଼ାଲ ପାଇଥିଲି, ତମ ଭଳି ଗୋଟିଏ ଦୁସ୍ଥ କନେଷ୍ଟବଳର ଛବି ଆଙ୍କି । ତମେ, ମତେ ଚିହ୍ନ ନା ?’’

 

‘‘ଆଜିକାଲି ଶଳା ମାଗିଖିଆଗୁଡ଼ାକ ବି ବେଶ୍‌ କଥା କହି ଶିଖି ଗଲେଣି । ଯା, ଯା, ଯା, ଏଠି ଆଉ ବଡ଼ ବଡ଼ କଥା କହ ନା ।’’

 

ଚାଲି ଆସିଲା ରମାକାନ୍ତ ।

 

ଭୋକ, ପୁଣି ଭୋକ କରୁଛି ।

 

ରାସ୍ତାକଡ଼ର ଗୋଟିଏ ଘର କାନ୍ଥରେ ପୋଷ୍ଟର ଲଗାଉଛନ୍ତି ଦୁଇଟି ମଣିଷ । ଜଣେ ଧରିଛି ଅଠା, ଆା ଜଣକ ପୋଷ୍ଟର ବିଡ଼ାଏ । ଚମତ୍କାର ଛବିଟିଏ ହୋଇଛି । ସିନ୍ଦ୍ରି ଓ ରାଉରକେଲା କାରଖାନା ଦେହରୁ ଟଙ୍କାଗୁଡ଼ାକ ଝରି ପଡ଼ୁଛି ଗୋଟିଏ ଚାଷୀର ଅଣ୍ଟିରେ । ଚାଷୀଟି ତାକୁ ପୋଷ୍ଟ ଅଫିସରେ ଜମା ଦେଉଛି । ପାଞ୍ଚବର୍ଷ ପରେ ସେ ଟଙ୍କାଗୁଡ଼ାକ ଦୁଇଗୁଣ ହୋଇ ଯାଉଛି । ଚାଷୀଟି ହସି ହସି ଫେରି ଆସୁଛି । ନାସନାଲ୍‌ ସେଭିଙ୍ଗ୍‌ସ୍‌ ସାର୍ଟିଫିକେଟ୍‌ । ତା ତଳକୁ ଦେଶର ମୁଖ୍ୟ ନିବେଦନ କରିଛନ୍ତି–‘‘ଆପଣମାନେ ନାସନାଲ୍‌ ସେଭିଙ୍ଗ୍‌ସ୍‌ ସାର୍ଟିଫିକେଟ୍‌ କିଣି ଏ ପଞ୍ଚବାର୍ଷିକ ଯୋଜନାକୁ ସାଫଲ୍ୟ ମଣ୍ଡିତ କରନ୍ତୁ ।’’

 

ଯାଦୁବିଦ୍ୟାର ହଟଚମଟ ଚାଲିଛି । ଦେଶର ମୁଖ୍ୟ ହୋଇଛନ୍ତି ଖେଳବାଡ଼ । ଗୋଟାଏ ଟଙ୍କା ଦୁଇ ଟଙ୍କାରେ, ପାଞ୍ଚ ଟଙ୍କାଟା ଦଶ ଟଙ୍କାରେ, ଶହେ ଟଙ୍କାଟା ଦୁଇଶ ଟଙ୍କାରେ ପରିଣତ ହୋଇଯିବ ।

 

ରିକ୍‌ସାବାଲାଟାଏ ପଛରୁ କହୁଛି, ‘‘ଆବେ ଫକିରା, କିଛି ଟଙ୍କା ଲଗାବେ, ଡବଲ ହୋଇଯିବ ।’’

 

ଫକିରା ଉତ୍ତର ଦେଲା, ‘‘ଏଇ ନେ, କଞ୍ଚା ଅଠା ଲାଗିଛି । ତାକୁ ଛଡ଼େଇ ଆଣ । ଜରୁଆ ପିଲାଟା ମୋର ତଳେ ଶୋଉଛି । କାଗଜ ଖଣ୍ଡେ ପାରି ହେଲେ ଶୋଇବ ।’’

 

ସୁଜଳା, ସୁଫଳା, ଶସ୍ୟ-ଶ୍ୟାମଳା, ପୁଣି ଧନଧାନ୍ୟଭରା ଏ ଓଡ଼ିଶା ।

 

ଭୋକ, ପେଟକୁ ଚିପି ଧରିଲା ରମାକାନ୍ତ । ଯନ୍ତ୍ରଣା ହେଉଛି ପେଟ ଭିତରେ । ଏଇ ପେଟର ଚିନ୍ତା ଯଦି ନ ଥାନ୍ତା, ତେବେ ସେ ହୋଇଥାନ୍ତା ଅଦ୍ୱିତୀୟ ଶିଳ୍ପୀ, ସଙ୍ଗୀତଜ୍ଞ, ସାହିତ୍ୟିକ । କିନ୍ତୁ ଆଜି ସେ ହୋଇଛି ଅପଦାର୍ଥ–ମଣିଷ ଜାତିର ଗୋଟାଏ ଅଦରକାରୀ ଉଚ୍ଛିଷ୍ଟ ।

 

ପଛରୁ ବାଜା ବାଜୁଛି । ବାହାଘରଟିଏ ଆସୁଛି । ଘୋଡ଼ା ଗାଡ଼ିରେ ବସି ବର ଓ କନ୍ୟା ସହର ପ୍ରଦକ୍ଷିଣ କରୁଛନ୍ତି । କ୍ଳେରିଓନେଟ୍‌ରେ ବାଜୁଛି ‘ମେରା ଦିଲ୍‌ ଏ ପୁକାରେ ଆଯା’ । ତା ପଛକୁ ଅଛନ୍ତି–ସାରାରାତି ଅନିଦ୍ରା ହୋଇଥିବା ପିତୃସ୍ଥାନୀୟ ବୟସ କେତେଜଣ । ତା’ପଛକୁ ବେକରେ ଗଜାରାହାର ଶୁଖି ଯାଇଥିବା ନିମନ୍ତ୍ରିତ ଭଦ୍ରଲୋକ । ତା’ପଛକୁ ସ୍ୱାଧୀନ ଭାରତର ନୌ ଜବାନ-କ୍ୟାମେରା ଚାଳକ । ଫଟୋ ନେଇ ପାରି ନ ଥିବାରୁ ମୁହଁରେ ବିରକ୍ତିର ପ୍ରଲେପ । ଇଆଡ଼େ ଅବଚେତନ ମନ ଭିତରେ ପୁରି ରହିଛି ଭାଗ୍ୟବାନ ବରପ୍ରତି ଇର୍ଷା । ତେଣୁ ଗାଡ଼ିବାଲା ଉପରେ ଗାଳି ଚାଲିଛି–‘‘ଶଳା କେଉଁଠିକାର ଖତରା ଘୋଡ଼ା ଦି’ଟା ନେଇ ଆସିଛି, ଜଲଦି ଚଲା ବେ... ।’’

 

ସାଙ୍ଗେ ସାଙ୍ଗେ ଉତ୍ତର ଆସିଲା–‘ବାବୁ ମୁହଁ ସମ୍ଭାଳି କଥା କହ ।’

 

‘‘କଣ ତୋ ଜମିଦାରୀରେ ଘର କିବେ ?...ଥୋପି ବାଜିବ ଯେ ।’’

 

‘‘ହାଁ ହାଁ ହାଁ’’–ବୟସ୍କମାନେ ପାଟିକଲେ ‘‘ଏ ଗୁଡ଼ାକ କଣ କରୁଛ ?’’

 

ବାଣ ଫୁଟୁଛି ଢୋ ଢୋ । ଫୁଲଝରୀ, ଚମ୍ପାଝରୀ, ଚନ୍ଦ୍ରମଲ୍ଲୀ -ସବୁ ଦିନରେ ଫୁଟୁଛି । ରାତିର ଆବଶ୍ୟକତା ନାହିଁ । ଅଭିଜାତ୍ୟର ପ୍ରଦର୍ଶନୀ କରିବାକୁ ମଣିଷ ସମୟ ବିଚାର କରିବାର ଦରକାର ନାହିଁ । ହାବେଳି ଉଠୁଛି । ଏଇଥିରୁ ରକେଟ୍‌ସିପ ତିଆରି ହେବ । ମଣିଷ ଯିବ ଚନ୍ଦ୍ରକୁ, ତା’ପରେ ମଙ୍ଗଳ ଗ୍ରହକୁ, ତା’ପରେ ଅନନ୍ତ ଆକାଶରେ ବ୍ୟାକ୍‌ଟେରିଆ ଭଳି ବିଚରଣ କରିବ । ମଣିଷ–ସେ ଫମ୍ପା ନୁହେ, ସେ ମାଷ୍ଟର ଅଫ୍‌ ଟାଇମ୍‌ ଆଣ୍ଡ୍‌ ସ୍ପେସ୍‌ ।

 

ଘୋଡ଼ା ଗାଡ଼ିର ଝରକା ଫାଙ୍କ ଦେଇ ଏ ପାଖ ସେ ପାଖ ଚୋରା ଚାହାଣି ମାରୁଛି ବର-। ପାଖରେ ବସିଛି ନାଲି ଟୁକୁ ଟୁକୁ ସାଧବ ବୋହୁ–କନିଆଁ । ବରଟି ଡରି ତା ପାଖକୁ ଘୁଞ୍ଚି ଯାଉଛି-। ତା ବାହୁରେ ହାତ ରଖି ଟିକିଏ ଚିପି ଦେଉଛି । ପ୍ରତି ଦଶମିକ ମୁହୂର୍ତ୍ତରେ ସେ ପ୍ରମାଣ କରିବାକୁ ଚାହେଁ ଯେ ‘ମୁଁ ତୁମକୁ ଭଲପାଏ । ମୋ ଜୀବନ-ରେଲଷ୍ଟେସନରେ ତୁମେ ଏକମାତ୍ର ଟ୍ରେନ । କେବଳ ତୁମକୁ ବାହା ହେବି ବୋଲି କେତେ ଉନ୍ନିଦ୍ର ରଜନୀ କଟାଇଛି ।’ ତା’ପରେ ସେ ପ୍ରମାଣ କରିବାକୁ ଚାହେଁ–‘ମୋର ପୌରୁଷ ଅଛି । ମୁଁ କାହାକୁ ଡରେ ନା ଏ ସଂସାରରେ । ଦେଖ, ମୋ ଛାତିଟା ସାଢ଼େ ଅଠତିରିଶି ଇଞ୍ଚ ଚଉଡ଼ା । ଆମେ ଦିହେଁ ଗଢ଼ିବା ସୁନାର ସଂସାର । ଆମେ ଦୁହେଁ ଗାଇବା ଜୀବନର ମଖମଲ ସଙ୍ଗୀତ । ଇସ୍‌, ସତେ ମ, ତୁମେ କେଡ଼େ ସୁନ୍ଦର, କେଡ଼େ ମୂଲ୍ୟବାନ-। ମୁଁ ଶପଥ କରୁଛି ମୁଁ କାହାରିକୁ ଭଲ ପାଇନାହିଁ ।’ ତା’ପରେ କନିଆଁ ପାଇଁ ମାତ୍ର ଛଅ ଇଞ୍ଚ ଜାଗା ରଖି ବରଟି ଆହୁରି ଘୁଞ୍ଚି ଯାଉଛି–‘କହ, ତମେ ରାଗିଛ ସତେ, ବେଦୀ ଉପରେ ତମ ହାତକୁ ଜୋରରେ ଚିପି ଧରିଥିଲି ବୋଲି । ମୋର ଜୋର କେତେ ଜାଣିଛି ତ ?’ ବର ଫୁଲି ଯାଉଛି-। ନିଶ୍ୱାସ ପ୍ରଶ୍ୱାସ ତା’ର ପ୍ରଖର ହୋଇ ଉଠୁଛି ।

 

ବାହାଘର ଚାଲିଗଲା ଦୂରକୁ ।

 

ରାସ୍ତାକଡ଼ର ଘର ଛାତ ଉପରେ ଯେଉଁ କେତେଜଣ କୁମାରୀ ବାହାଘରକୁ ନିର୍ନିମେଷ ନୟନରେ ଚାହିଁ ହତାଶାର ଦୀର୍ଘଶ୍ୱାସ ପକାଉଥିଲେ, ତାଙ୍କୁଇ ଚାହି ଅପଦାର୍ଥ ରମାକାନ୍ତ ଘଡ଼ିଏ ଠିଆ ହୋଇଗଲା ।

 

‘‘ଆବେ ଫଜଲ, ଦେଖ୍‌ ଦେଖ୍‌ ଏଇ ରସିକ ଟୋକାକୁ ଦେଖ୍‌ ।’’

 

ସେ ପାଖରୁ ଆଉ ଜଣେ ପାଟିକଲା ‘‘ହାବେ କଣ ଶୋଷି ନେଇଯିବୁ କି ବେ–ଶାଲାକୁ ଲଗା ବେ ଥାପଡ଼ ।’’

 

ତା’ପରେ ଚାରି ପାଞ୍ଚଟା ଅତର୍କିତ ଚାପଡ଼ା । ରମାକାନ୍ତ ପାଟିରୁ ରକ୍ତ ଝରି ଆସିଲା । ସେଠି ଆଉ ଛିଡ଼ା ହେବା ଉଚିତ ନୁହେଁ । ଆଗେଇଲା ରମାକାନ୍ତ । କବିତାର ଯୁଗ ସରି ଆସୁଛି ପୃଥିବୀରୁ । ବ୍ୟକ୍ତିଗତ ଖିଆଲର ସ୍ଥାନ ନାହିଁ । ପତ୍ରିକାର ପରିଚାଳକ ପସନ୍ଦ କରୁ ନାହାନ୍ତି, କାହିଁକି ବା ପସନ୍ଦ କରିବେ ସାଧାରଣ ଲୋକେ ।

 

‘‘ଦେଖନ୍ତୁ ରମାକାନ୍ତ ବାବୁ, ଏ ଯୁଗଟା କବିତାର ଯୁଗ ନୁହେଁ । ଆପଣ ଯଦି ଗଳ୍ପ ଲେଖୁଥାନ୍ତେ, ତେବେ ଗୋଟାଏ କିଛି କରି ହୁଆନ୍ତା–ମାନେ ତୁମକୁ ଇଆରି ଭିତରେ ଆଡ଼୍‌ଜଷ୍ଟ କରାଇ ଦେଇ ହୁଅନ୍ତା । ‘ହେ କବିତା ଆମି ତୁମାରେ ଦିଲାମ୍‌ ଛୁଟି, କ୍ଷିଧାର ଜ୍ୱାଲାଏ ପ୍ରୀଥିବୀ ଗଦ୍ୟମୟ’ । ବୁଝିଲେ ରମାକାନ୍ତ ବାବୁ–କବିତା ମରିବ କି ବଞ୍ଚିବ, ସେ ଏକ ସମସ୍ୟା ।’’ ତା’ ପରେ ହସି ଉଠିଲେ ପରିଚାଳକ ମହାଶୟ ।

 

‘‘ମୁଁ ବି ଗଳ୍ପ ଲେଖେଁ । କିଛି ସାଙ୍ଗରେ ଆଣିଛି, ଦେଖନ୍ତୁ ।’’

 

‘‘ଏଁ’’–ପରିଚାଳକଙ୍କ ବୁଦ୍ଧି ହଜିଗଲା–‘‘ଦେଖନ୍ତୁ ବର୍ତ୍ତମାନ ଭ୍ୟାକାନ୍‌ସି ନାହିଁ । ଆପଣ ଆଉ ଦୁଇମାସ ପରେ ଆସନ୍ତୁ ।’’

 

‘‘କିନ୍ତୁ ଆପଣ ବର୍ତ୍ତମାନ କହୁଥିଲେ... ।’’

 

ଚିଡ଼ିଗଲେ ସେ । ‘‘କଣ କହୁଥିଲି ବର୍ତ୍ତମାନ ? ଚାକିରୀଟାଏ ତମ ପାଇଁ ପକେଟରେ ରଖି ବସିଥିଲି ? ଆଜିକାଲିର ଯୁବକମାନେ ସେ କଣ ଭାବନ୍ତି ଏ ସଂସାରଟାକୁ–ସବୁବେଳେ ଯୁକ୍ତି, ଯୁକ୍ତି, ଯୁକ୍ତି । କି ହୋ ବାବୁ, ଏଥିପାଇଁ ତମେ କଣ ଆମ ସାଙ୍ଗରେ କଳି କରିବ ? ଯାଆନ୍ତୁ ଆପଣ ଯାଆନ୍ତୁ । ଏଣେ ମୋର ସମୟ ଅଳ୍ପ ।’’

 

ଭାଙ୍ଗିଯାଉଛି ତା’ର ଆଶାର କୁତବ-ମିନାର । ପୁଣି ଆଉ ଗୋଟିଏ ଇଣ୍ଟରଭ୍ୟୁରେ–

 

‘‘ଆପଣଙ୍କର କିଛି ଟେଷ୍ଟିମୋନିଆଲ୍‌ ଅଛି ?’’

 

‘‘ନାଁ ।’’

 

‘‘ଆଗରୁ କଣ କରୁଥିଲେ ?’’

 

‘‘କଲେଜରେ ପଢ଼ିବା ସମୟରେ ଆଗ୍ନେୟଗିରିର ସମ୍ପାଦକ ଥିଲି ।’’

 

‘‘ଏ’’ ଚମକି ପଡ଼ିଲେ ଅଫିସର । ଛାତି ଶିହରି ଉଠିଲା । ଏହାଙ୍କୁ ଯଦି ଚାକିରୀ ଦିଆଯାଏ, ତେବେ ସରକାରୀ କଳ ଭିତରେ ଆଗ୍ନେୟଗିରିର ଉଦ୍‌ଗୀରଣ ନ ହେବ ବୋଲି କିଏ କହିବ ? ନା, ଚାକିରୀ ଦିଆଯାଇ ପାରିବ ନାହିଁ ।

 

ଧୂଳିରେ ମିଶିଲା ତା’ର ସମସ୍ତ ଆଶା ।

 

ଭୋକ–ଅସମାପ୍ତ ଭୋକ । ବୁଦ୍ଧ ଓ ଅଶୋକ ଦେଶର ମନୁଷ୍ୟ ଶାନ୍ତି ଶିଖିଛି । ସେ ପ୍ରତିବାଦ କରିବ ନାହିଁ–ମରିବ ବି ଶାନ୍ତିରେ ।

 

ଏଇ ବୋଧେ ଯଦୁନାଥ ଆସୁଛି–ଭକ୍ତ ଯଦୁନାଥ ଚଣ୍ଡୀ ମନ୍ଦିରକୁ ଆସୁଛି ।

 

‘‘କିହୋ ଯଦୁନାଥ, କଣ ଚିହ୍ନି ପାରୁଛ ମୋତେ ?’’

 

‘‘ଆରେ, ଆପଣ ଯେ, ନମସ୍କାର । ବହୁତ ଦିନ ପରେ ଆପଣଙ୍କୁ ଦେଖିଲି ।’’

 

‘‘ଥାଉ, ତମ ଖବର କଣ କୁହ ।’’

 

‘‘ନାଇଁ, ଆଉ ଖବର କଣ ? ଏକ୍ଷଣି ତ ଇଞ୍ଜିନିଅରି ପଢ଼ୁଛି । ଆପଣ କଣ ଏମ୍‌. ଏ. ଦେଲେ ?’’

 

‘‘ସମୟ କାହିଁ ଏମ୍‌. ଏ. ଦେବାକୁ । ହଉ, କୁଆଡ଼େ ବାହାରିଲ ?’’

 

‘‘ଚଣ୍ଡୀ ମନ୍ଦିରକୁ, ପ୍ରତି ଗୁରୁବାର ଦିନ ଆସେ ।’’

 

‘‘ତମେ ତାହାହେଲେ ପାପ କରୁଛ ?’’

 

‘‘ଏଁ’’ ଚମକି ପଡ଼ିଲା ଯଦୁନାଥ, ‘‘ମୁଁ-ମୁଁ ତ ପାପ କରୁ ନାହିଁ ।’’

 

‘‘ତେବେ ମନ୍ଦିରକୁ ଯାଉଛ କାହିଁକି ? କିଛି ପାପ କରି ତା’ପରେ ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ, ସେ ତୁମକୁ କ୍ଷମା ଦେବେ । ଖାଲି ପୁଣ୍ୟ ନେଇ ଭଗବାନଙ୍କୁ ପ୍ରାର୍ଥନା କରି ସମୟ ନଷ୍ଟ କରିବାର ଲାଭ କଣ ? ଗର୍କିଙ୍କ ଉପନ୍ୟାସ ପଢ଼ିଛ ଟି ?’’

 

ଲାଜରେ ହସିଲା ଯଦୁନାଥ ।

 

‘‘ଆପଣ କବିତା ଲେଖୁଛନ୍ତି ଆଜିକାଲି ?’’

 

‘‘ତମେ ବି ତ କବିତା ଲେଖୁଛ, ମୁଁ ପଢ଼ିଛି ଯେ ।’’

 

‘‘ଏଁ, ଆପଣ ସତେ ପଢ଼ିଛନ୍ତି । କଣ ଭଲ ହେଉଛି ନା ?’’

 

‘‘ବେଶ୍‌ ହେଉଛି, ଲେଖି ଯା, ଦିନେ ଦେଶ ତମକଥା ଜାଣିବ ।’’

 

ଯଦୁନାଥ ଦୁଇ ଇଞ୍ଚ ଫୁଲିଗଲା ।

 

‘‘ବୁଝିଲ ଯଦୁନାଥ, ତମେ ଦୁଇଅଣା ପଇସା ମୋତେ ଦେଇ ପାରିବ ?’’

 

‘‘ସାର୍‌, ପଇସା ମୋଟେ ନାହିଁ ।’’

 

‘‘ତମେ ଚଣ୍ଡୀ ମନ୍ଦିରକୁ ଯାଉଛ, ଅଥଚ ତୁମ ପାଖରେ ପଇସା ନାହିଁ ?’’

 

‘‘ଅଛି ଯେ, ମାତ୍ର ଦୁଇଅଣା, କିନ୍ତୁ ସେଟା ପୁଜାରୀ ନେବ ।’’

 

ରମାକାନ୍ତ ହସିଲା । ଏଇ ଅବସରରେ ଯଦୁନାଥ ବିଦାୟ ମାଗି ଚାଲିଗଲା ।

 

ଭୋକ, ଆଉ ଠିଆ ହେବା ସମ୍ଭବ ନୁହେଁ । ଧୀରେ ଧୀରେ ଚାଲିଲା ଆଗକୁ । ସଞ୍ଜ ଝରି ଆସୁଛି । ତା’ ସଙ୍ଗେ ସଙ୍ଗେ ଝରି ପଡ଼ୁଛି ରମାକାନ୍ତ ଦେହରୁ ଜୀବନର କଣିକା । ସତେ କଣ ରମାକାନ୍ତ ମରିଯିବ–ପୁଣି କ୍ଷୁଧାରେ ?

 

ଏଇ ଘୋଡ଼ା ଗାଡ଼ିଟିଏ ଯାଉଛି । ତା’ ପଛରେ ବସିଗଲା ସେ । ଘୋଡ଼ାଗାଡ଼ି ତାକୁ ନେଇ ଯାଉଛି । କିନ୍ତୁ କୁଆଡ଼େ ସେ କହି ପାରିବ ନାହିଁ । ସେ ମଣିଷ, ସେ ଅନିଶ୍ଚିତ । ଦର୍ଶନ ଅଧ୍ୟାପକଙ୍କ କଥାଗୁଡ଼ାକ ତା’ର ମନେ ପଡ଼ୁଛି । ‘ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି ।’ ରମାକାନ୍ତର ଦେହ ବି ପଞ୍ଜରାର ସମଷ୍ଟି । ତା’ପରେ ମାଂସ, ରକ୍ତ, ମେଦ–ଇସ୍‌ କି କଦର୍ଯ୍ୟ । ଆନାଟୋମି ସାହାଯ୍ୟରେ ବୁଝାଇ ଦିଆଯାଇଛି ଦର୍ଶନ । ବାଳୁଙ୍ଗାର ବୃଦ୍ଧି ପାଇଁ ବି ଖତ ଦରକାର ।

 

ହିନ୍ଦ୍‌ ସିନେମା । ଓହ୍ଲାଇ ପଡ଼ିଲା ରମାକାନ୍ତ ।

 

ଏଇ ଯେ ନୀଳିମା ଠିଆ ହୋଇଛି ।

 

‘‘କି ନୀଳିମା, କାହାକୁ ଅପେକ୍ଷା ?’’

 

‘‘ଆରେ, ସାର୍‌ ଯେ, ନମସ୍କାର । ଆପଣ ମୋତେ ଚିହ୍ନି ପାରିଲେ ?’’

 

‘‘ଚିହ୍ନିବି ନାହିଁ କାହିଁକି ? ତମର ସେଇ ଆଖି, ସେଇ ମୁହଁ, ସେଇ ହସ, ସେହି ଚାହାଣି । କେବଳ ଆଗେ ଥିଲା କେନ୍ଦ୍ରୀଭୂତ, ଏବେ ହୋଇଛି ବ୍ୟାପକ ।’’

 

‘‘ଆରେ, ଆପଣ ଭାରି ଇଏ......’’ ଲାଜେଇ ଗଲ ନୀଳିମା ।

 

‘‘ଇଏ କଣ ! ମୁଁ ଯାହା ଦେଖୁଛି, ସେଇଆ କହୁଛି ।’’

 

‘‘ଆପଣଙ୍କୁ ମୁଁ ବହୁତ ଦିନ ପରେ ଦେଖିଲି ।’’

 

‘‘ନିଶ୍ଚୟ ଏକ୍ଷଣି ତ ମୁଁ ବଞ୍ଚିଛି, ତମେ ନିଶ୍ଚୟ ମୋତେ ଦେଖିବ । ମରିଗଲା ବାଦ୍‌ ‘ବହୁତ ଦିନ ପରେ’ ବି ତୁମେ ଦେଖିବାକୁ ପାଇବ ନାହିଁ ।’’

 

‘‘ଆରେ ସାର୍‌, ଆପଣ ଏମିତି କଣ କଥା କହୁଛନ୍ତି ? ଆପଣଙ୍କୁ ମୋର ନିମନ୍ତ୍ରଣ ରହିଲା । କାଲି ଯିବେ ଆମ ଘରକୁ । ବହୁତ ଦିନ ହେଲା ଆପଣଙ୍କର ଗୀତ ଶୁଣି ନାହିଁ ।’’

 

‘‘ଗାଇ ପାରିଲେ ତ ? ହଉ ନୀଳିମା, ବିଦାୟ ଦିଅ, ଏବେ ଯାଏଁ ।’’

 

‘‘ସାର୍‌ ଠିଆ ହୁଅନ୍ତୁ’’ ଦ୍ୱିଧାରେ କହିଲା ନୀଳିମା ‘‘ସିନେମା ଆରମ୍ଭ ହେବାକୁ ବହୁତ ଡେରି ଅଛି ।’’

 

‘‘କିନ୍ତୁ ମୋତେ ବଡ଼ କ୍ଷୁଧା ନୀଳିମା–କିଛି ଦେଇ ପାରିବ ମତେ ?’’

 

‘‘ମୋର ତ ଆପଣଙ୍କୁ ଅଦେୟ କିଛି ନାହିଁ ସାର୍‌ । ମୋର ସବୁ କିଛି ମୁଁ ଆପଣଙ୍କ ପାଦତଳେ ନିବେଦନ କରିଥିଲି । କିନ୍ତୁ ଆପଣ ତାହା ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ ବି ମୁଁ ଆଶା ରଖିଛି, ଏ କ୍ଷୁଧା ଦିନେ ନା ଦିନେ ମେଣ୍ଟିବ ।’’

 

ନୀଳିମା ଚାରି ବର୍ଷ ପଛକୁ ଫେରିଛି । ସେ କହୁଛି, ‘‘ମୋର ଅଦେୟ କିଛି ନାହିଁ’’ ସତ କଥା । ଚାଳିଶ ଟଙ୍କିଆ ଟିଉସନ ମାଷ୍ଟରକୁ ସେ ବି ଦିନେ ପଚାରିଥିଲା, ‘‘କୁହନ୍ତୁ ସାର୍‌, ଆପଣ ମୋତେ ଭଲ ପାଆନ୍ତି ?’’ ସେ ଚାହୁଁଥିଲା ପ୍ରମାଣ । ଠିକ୍‌ ଜ୍ୟାମିତିର ଉପପାଦ୍ୟ ଭଳି ପ୍ରମାଣ । ସେ ଚାହୁଁଥିଲା ପରୀକ୍ଷା–କେତେ ପରସେଣ୍ଟ ଖାଦ ଅଛି ସେ ଭଲ ପାଇବ ଭିତରେ ।

 

‘‘କୁହନ୍ତୁ ସାର୍‌, ଆପଣ ମୋତେ ଭଲ ପାଆନ୍ତି କି ନାହିଁ ?

 

‘‘ବୁଝିଲ ନୀଳିମା, ପୃଥିବୀରେ ଯୁବକ-ଯୁବତୀଙ୍କର ଭଲ ପାଇବାଟା ଏକମାତ୍ର ସମସ୍ୟା ନୁହେଁ । କିଛି ନୂଆ କଥା ତମେ କହ ଯେ ମୁଁ ଖୁସି ହେବି ।’’

 

ନୀଳିମା ଆହତ ହୋଇଛି–ତା’ପରେ ରମାକାନ୍ତ ଚାଲି ଆସିଛି ।

 

ଆଜି ସେଇ ତନ୍ୱୀ, ମଦାଳସା, ଶୁଭ୍ରାଙ୍ଗୀ, ମୀନନୟନା ନୀଳିମା–ଛିଡ଼ା ହୋଇଛି ସାମ୍ନାରେ । କାନରେ ତାର ଇଅର୍‌ରିଂ, ଦାମ ଶହେ ଟଙ୍କାରୁ କମ୍‌ ନୁହେଁ । ଘଣ୍ଟା ଓ ସୁନାକାଚ ହାରାହାରି ପାଞ୍ଚଶ, ଶାଢ଼ୀର ଦାମ ବି ଦୁଇଶ ଉପରେ । ତା’ପରେ ତା’ର ଜୀବନର ଦାମ ? କଣ ଚାଳିଶ ହଜାର ? ନା, ନା, ସେ ଅଧିକାର ତୁମକୁ ଦେଲା କିଏ ? ରମାକାନ୍ତର ଜୀବନକୁ ପିଲାଙ୍କର ଛୋଟ ଖେଳନା ଭଳି ଟଙ୍କା ଦେଇ କିଣି ନିଆ ଯାଇପାରେ–ବଜାର ଉପରେ ନିଲାମ କରାଯାଇ ପାରେ, ଶାଗ ମାଛ ମୂଲ୍ୟରେ ଆମଦାନୀ ରପ୍ତାନୀ କରାଯାଇ ପାରେ । କିନ୍ତୁ ନୀଳିମା, ଜାଣ ସେ କାହାର କନ୍ୟା ? ତାର ଜୀବନ ଅମୂଲ୍ୟ–ଟଙ୍କା ସାଙ୍ଗରେ ତୁଳନା ହେବ ନାହିଁ ।

 

‘‘ଯାଉଛି ନୀଳିମା, ଥାଅ ।’’ ରମାକାନ୍ତ ଆଗେଇଲା ।

 

ଭୋକ–ପ୍ରଚଣ୍ଡ ଭୋକ । ସତେ କଣ ରମାକାନ୍ତ ମରିଯିବ–ପୁଣି ଭୋକରେ । ନା, ନା, କଦାପି ନୁହେଁ । ସେ କୁକୁରଠାରୁ ହୀନ ନୁହେଁ । ସେ ମଣିଷ; ପୃଥିବୀରେ ସେ ବଞ୍ଚିବ । ବଞ୍ଚିବା ପ୍ରଶ୍ନ ହିଁ ପ୍ରଥମ ପ୍ରଶ୍ନ, ତାପରେ ଆଦର୍ଶ ।

 

‘‘କିରେ ରମାକାନ୍ତ’’ ସମୀର ଡାକିଲା ‘‘ତୋର ଆଜିକାଲି କଣ ଦେଖା ନାହିଁ ?’’

 

‘‘କିନ୍ତୁ ତୋ ଖବର କଣ ?’’

 

‘‘ମୁଁ କାଲି ଲଣ୍ଡନ ଯାଉଛି–ଏଫ. ଆର. ସି. ଏସ୍‌. ପାଇଁ ।’’

 

‘‘ବାଃ ବାଃ ଭାଗ୍ୟବାନ ।’’

 

ଡାକ୍ତରୀ ଛାତ୍ର ସମୀର ଛିଡ଼ା ହୋଇଛି । ଲାଲ ଟମାଟୋ ପରି ଗାଲ, କି ସ୍ୱାସ୍ଥ୍ୟବାନ ସେ-?

 

‘‘ଆରେ ତୋ ଦେହ ଏମିତି କଣ ହୋଇଛି ?’’ ସମୀର ପଚାରିଲା ।

 

‘‘ଦେଖଛୁ ତ ଆଉ କହିବି କଣ ?’’

 

‘‘ନାଇଁ ନାଇଁ ସ୍ୱାସ୍ଥ୍ୟକୁ ଭୁଲିଗଲେ ଚଳିବ ନାହିଁ । ଏ ଯୁଗରେ ଟି. ବି. ବଢ଼ି ଚାଲିଛି, କେତେବେଳେ କଣ ହେବ କିଏ କହି ପାରେ । ପ୍ରତିଦିନ ସକାଳୁ ଦି’ଟା ଡିମ୍ବ ଖା ! ତା’ପରେ ଦୁଧରେ ଆଜିକାଲି କିଛି ନାହିଁ । ଖାଲି ପାଣି । ଦୁଧ ବଦଳରେ ହରଲିକ୍‌ସ ଖାଇଲୁ ଦେଖିବୁ, ଦୁଇଟା ମାସରେ କି ସ୍ୱାସ୍ଥ୍ୟ ।’’

 

‘‘ଧନ୍ୟବାଦ, ତୋର ମାଗଣା ପ୍ରେସ୍‌କ୍ରିପସନ ପାଇଁ । ବାହାରିଛୁ କୁଆଡ଼େ ?’’

 

‘‘ସିନେମା ।’’

 

‘‘ନୀଳିମା ଅପେକ୍ଷା କରିଛି ତୋତେ ।’’

 

‘‘ଏଁ, ସତେ ନା କଣ ?’’ ପାଖକୁ ଲାଗି ଆସିଲା ସମୀର । ‘‘ତୁ ଜାଣିଛୁ ନା ରମାକାନ୍ତ, ତା ସାଙ୍ଗରେ ମୋର ମ୍ୟାରେଜ ହେଉଛି ?’’

 

‘‘ସତେ ?’’

 

‘‘ହଁ ତୁ କଣ ଜାଣିନୁ ?’’

 

‘‘ଜାଣିଛି ଯେ’’ ଗମ୍ଭୀର ହୋଇ ରମାକାନ୍ତ କହିଲା । ‘‘କିନ୍ତୁ ସେ ମୋତେ କହିଛି ଯେ ସେ ମୋତେ ହିଁ କେବଳ ବାହାହେବ ।’’

 

‘‘କିନ୍ତୁ ମୋତେ ତ କହିଛି ?’’

 

‘‘ଏତିକିରୁ ଜାଣ–ସେଟା କେଡ଼େ କଦର୍ଯ୍ୟ ଝିଅ ।’’

 

‘‘ତୁ ସତ କହୁଛୁ ?’’

 

‘‘ତୋ ପାଖରେ ମୋର ମିଛ କହିବାର ଆବଶ୍ୟକତା କଣ ? ତୁ ମୋର ଅନ୍ତରଙ୍ଗ ବନ୍ଧୁ-। ମୁଁ ତୋତେ ପ୍ରତାରିତ କରି କି ଫଳ ପାଇବି ? କିନ୍ତୁ ତୁ ନୀଳିମାକୁ ଚିହ୍ନି ନ ଥିଲୁ–ମୁଁ ଚିହ୍ନିଥିଲି-। ସେ ପ୍ରତ୍ୟେକ ଲୋକଙ୍କୁ କହିଛି–‘ମୁ ତୁମକୁ ବାହା ହେବି’ ।’’

 

ସମୀର ଫେରିଗଲା ।

 

ରମାକାନ୍ତ ଗୋଟିଏ ବିକଟାଳ ହସ ହସିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନୀଳିମା ବି ସମୀରକୁ ଅପେକ୍ଷା କରିଥିବ। ତା ପାଖକୁ ଯାଇ ତା’ଠାରୁ ପଇସା ନେଇ ସିନେମା ଟିକେଟ କରିବା ଛଳରେ ପଛବାଟେ ଖସି ପଳାଇ ଆସିଲେ ଚାରିଦିନ ଖୁସିରେ ଚଳିଯାଇ ହୁଅନ୍ତା ।

 

କିନ୍ତୁ ଭୋକ, ଆଉ ଶକ୍ତି ନାହିଁ–ନୀଳିମା ପାଖକୁ ଫେରିବାକୁ ଆଉ ଶକ୍ତି ନାହିଁ । ସେ ବଞ୍ଚିବାକୁ ଚାହେଁ । ଆଗରେ ଗୋଟିଏ ଜଳଖିଆ ଦୋକାନ ।

 

ସମସ୍ତ ଶକ୍ତି ସଞ୍ଚୟ କରି ରମାକାନ୍ତ ଦଉଡ଼ିଗଲା ଦୋକାନ ପାଖକୁ ।

 

‘‘ମୋତେ ଖାଇବାକୁ ଦିଅ ।’’

 

‘‘କେତେ ପଇସାର ?’’

 

‘‘ପଇସା ? –ପଇସା କଉଁଠୁ ଆଣିବି ?’’

 

‘‘ଚାଲିଯାଅ ।’’

 

‘‘ମୁଁ ଖାଇବା ପାଇଁ ଆସିଛି–ଚାଲିଯିବା ପାଇଁ ନୁହେଁ ।’’

 

‘‘ଏଠି ବାପ ମାଲ ଥୁଆ ହୋଇଛି ?’’

 

ସେ ଜବରଦସ୍ତି ଖାଇଲା ।

 

ମୃଥି ଉପରେ ମୃଥି ବସିଲା । ପ୍ରଚଣ୍ଡ ଗୋଳମାଳ–ପୋଲିସର ଧରପଗଡ଼ ପାଲା ।

 

ହାକିମଙ୍କ ପ୍ରଶ୍ନରେ ସେ ଉତ୍ତର ଦେଲା-

 

‘‘କିଛି ନା । ଯେଉଁ ଦେଶରେ ଚୋରଙ୍କୁ ପୋଷିବାର ବିଧାନ ଅଛି, ମାତ୍ର ସାଧୁ ନାଗରିକକୁ ଖଟି ଖାଇବାର ସୁବିଧା ମଧ୍ୟ ଦିଆଯାଏ ନାହିଁ, ସେ ଦେଶରେ କଥା କହିବା ଅରଣ୍ୟ ରୋଦନ ।’’

 

ଜେଲ ଭିତରେ କଏଦୀମାନଙ୍କ ସଙ୍ଗରେ ସେ ପେଷି ହେଉଛି ଆଇନ୍‌ ଚକିରେ । କିଏ ଚୋର–କିଏ ଡାକୁ–କିଏ ରାଜନୈତିକ ବନ୍ଦୀ–ସୀମା ଆନ୍ଦୋଳନରେ । ଏମାନେ ମରି ନାହାନ୍ତି । ସ୍ୱାଧୀନ ଦେଶ ପୋଲିସ୍‌ର ଗୁଳିରେ କେତେଜଣ ଗଡ଼ି ପଡ଼ିଲେ ଜେଲ ବାହାରେ ।

 

ଓଁ ଶାନ୍ତି । ତୁମର ମୃତ୍ୟୁରେ ଆମେ ଶାନ୍ତି ଚାହୁଁ । ତମର ମୁକ୍ତି ଆମର ଶାନ୍ତି ଏଇ ଜେଲ ଭିତରେ । ଆଉ ଜେଲ ବାହାରେ ମଧ୍ୟ ବନ୍ଧନର ଶାନ୍ତି ।

 

ଇଥର ସମୁଦ୍ରରୁ ଭାସି ଆସୁଛି ନେତାମାନଙ୍କର ଗର୍ଜନ । ଭୟସ୍‌ ଅଫ୍‌ ଆମେରିକା, ରେଡ଼ିଓ ମସ୍‌କୋ, ଅଲଇଣ୍ଡିଆ ରେଡ଼ିଓ ନିଉଦିଲ୍ଲୀ, ରେଡ଼ିଓ ପେକିଂ–‘ଆମେ ଶାକ୍ତି ଚାହୁଁ–ଆମେ ଶାନ୍ତି ଚାହୁଁ ।’

 

କିନ୍ତୁ ଦୁଇଟି ସମବେତ ସ୍ୱରର ଗମ୍ଭୀରତ୍ୱ–ଗୋଟିଏ ମେଘର, ଅନ୍ୟଟି ଅଗ୍ନେୟଗିରିର । ଗୋଟିକର ଗର୍ଜନ ଆଣେ ଶାନ୍ତି ଶୀତଳ ଜଳଧାରା ପୃଥିବୀ ବୁକୁରେ ଜୀବନର ସ୍ପନ୍ଦନ ତୋଳିବାକୁ, ଅନ୍ୟଟିର ଗର୍ଜନ ଆଣେ ଅଗ୍ନି, ଧୂଳୀ, ଧୁମ, ପାଉଁଶ ଏବଂ ଧ୍ୱଂସର ମହାତାଣ୍ଡବ ।

 

୧୫ । ୩ । ୫୭

ଶାନ୍ତିନିକେତନ

Image

 

ଜୟନ୍ତୀ

 

(ଅଧ୍ୟାପକ ଶ୍ରୀ ଖଗେଶ୍ୱର ମହାପାତ୍ରଙ୍କୁ)

 

ବେଦନା, ଆତଙ୍କ, ଆନନ୍ଦ ସବୁ ମିଶ୍ରଣରେ ଗୋଟାଏ ସମବେତ ଅର୍କେଷ୍ଟା–ଗୋଳମାଳ ପ୍ରଚୁର । ପଛଲୋକ ଆଗକୁ, ଆଗ ଲୋକ ପଛକୁ । ଝିଙ୍କା ଝିଙ୍କି ଟଣା ଟଣି ଭିଡ଼ା ଭିଡ଼ି । ମଝିରେ ମଝିରେ କରୁଣ ଚିତ୍କାର–ମରିଗଲି ଲୋ ବୋଉ । ସମସ୍ତେ ଅତିରିକ୍ତ ଭାବରେ ବ୍ୟସ୍ତ ହୋଇ ପଡ଼ିଛନ୍ତି ।

 

ଏ ସବୁକୁ ଯେମିତି ଭ୍ରୁକ୍ଷେପ କରୁନାହିଁ ସେ । ‘ଜାଣିଛ ମୁଁ କିଏ ? ମୋତେ ପୁଣି ବନ୍ଦୀ କରିବାର ଅପଚେଷ୍ଟା । ଜାଣିନ, ଶହେ ରାଣୀଙ୍କର ମୁଁ ଏକମାତ୍ର ମନ-ଚୋର । ଦୁଇ ବର୍ଗ ମାଇଲ ଅଞ୍ଚଳରେ ମୁଁ ଏକମାତ୍ର ହିଁ ସାମସନ୍‌ । ଆଚ୍ଛା ଜରୁର୍‌ ଦେଖ୍‌ ଲେଗା ।’

 

ପୁଣି ଗୋଟାଏ ଲମ୍ଫ ପ୍ରଦାନ ।

 

ଦୁଇଟା ସିନ୍‌ ଓ ଗୋଟାଏ ଉଇଙ୍ଗ୍‌ସ୍‌ ଚିରିଦେଇ ଷଣ୍ଢ ସଗର୍ବରେ ଷ୍ଟେଜ୍‌ ଉପରକୁ ଉଠି ଦର୍ଶକଙ୍କ ଆଡ଼କୁ ଅଭିନନ୍ଦନ କରିବାକୁ ସେମିତି ମୁହଁ ଦେଖାଇଲା ।

 

ଏଥରକ ଚିତ୍କାର ଖୁବ୍‌ ଜୋର । –‘ରକ୍ଷାକର ହେ ଆର୍ତ୍ତତ୍ରାଣ ବାବୁ, ରକ୍ଷାକର ହେ ନବଘନ ବାବୁ, କୋଉ ଷ୍ଟେଜ୍‌ ଭିତରେ ଯାଇ ଲୁଚିଛ ?’ ଲୋକଙ୍କର ଲହରୀ ଭାଙ୍ଗୁଛି ।

 

ଅଡ଼ିଟୋରିଅମ୍‌ ଭିତରେ ଚାରିଶହ ଲୋକ–ସମସ୍ତେ ଯେମିତି ଗୋଟାଏ ପଶୁ ଆଗରେ ହାର ମାନିଛନ୍ତି । ‘ଓହ୍ଲାଇ ଆସନ୍ତୁ ଏଥର ହେ ଗୋପାଳ ଜୀଉଙ୍କ ଅବତାର । ଜାଣିଲୁ ତମ ପରାକ୍ରମ । ଏଥରକ ଅଫିସ ଯିବା ବାଟରେ ଖଡ଼ା ଦୁଇ ପଇସାର ତମପାଇଁ କିଣିନେବି । ଏଥର ସ୍କୁଲ ଫେରନ୍ତି ବାଟରେ ତମ ଜଳଖିଆ ପାଇଁ ଖବର କାଗଜ ଦି ଚାରି ଖଣ୍ଡ ଆଣିଦେବି । କଣ କହୁଛନ୍ତି, ହେଲା ? ଓହ୍ଲାଇ ଆସନ୍ତୁ ଏଥର ।

 

‘ନେହିଁ କଭି ନେହିଁ ହୋଗା ।’ ନାକରୁ ବାହାରୁଛି ପ୍ରଖର ଗରମ ନିଶ୍ୱାସ । ଏଥରକ କିନ୍ତୁ ପୋଲ-ଭୋଲ୍‌ଟ୍‌ । ଠିକ୍‌ ଷ୍ଟେଜ୍‌ ଉପରୁ ଦର୍ଶକଙ୍କ ମଝି ।

 

ହାଁ ହାଁ, ଧର ଧର । କାହାକୁ ନାତ ମାରିଛି । କିଏ ପଡ଼ିଗଲା ।

 

‘‘ହାଲୋ, ପୋଲିସ, ପୋଲିସ–ଦେଖନ୍ତୁ ଆଜ୍ଞା, ଦଳେ ଭଞ୍ଜବିରୋଧ ଲୋକଙ୍କ କାଣ୍ଡ ଇଏ । ଷଣ୍ଢଟାକୁ ଧରିବାନ୍ଧି ଷ୍ଟେଜ୍‌ ଭିତରେ ଭର୍ତ୍ତି କରିଛନ୍ତି । ହାଓ ସିଲ୍ଲି ।’’

 

‘‘ଏଁ କଣ କହିଲେ ସାର୍‌ ?

 

‘‘ଆପଣ ଏ ପର୍ଯ୍ୟନ୍ତ ଇଂରାଜୀ ଶବ୍ଦ ବ୍ୟବହାର କରୁଛନ୍ତି ? ଓଡ଼ିଆରେ କଣ ‘ସାର୍‌’ର ପ୍ରତିଶବ୍ଦ ନାହିଁ ? ‘ଆର୍ଯ୍ୟ’ ‘ମହାଶୟ’ ‘ଗୁରୁଦେବ’ ‘ଆଜ୍ଞା’ ଏସବୁ କଣ ? ନିଜେ ଭଞ୍ଜେ ବ୍ୟବହାର କରିଛନ୍ତି । ଆପଣ ହିଁ ଜଣେ ଭଞ୍ଜ-ବିରୋଧି ଲୋକ । ଛାଡ଼ନ୍ତୁ ।’’

 

‘‘ହାଲୋ, ଆମ୍ବୁଲାନ୍‌ସ । ଶ୍ରୀମତି କୋକିଳା ଦେବୀ ବାନ୍ତି କରି ପକାଉଛନ୍ତି । ଶ୍ରୀଯୁକ୍ତ ଦାସଙ୍କ କନ୍ୟାଙ୍କ କୋଡ଼ରେ ଆଘାତ–ଅତିଶୀଘ୍ର ଚାରି ମିନିଟ୍‌ ମଧ୍ୟରେ–ଏଠି ସବୁ ଗୋଳମାଳ ହୋଇଗଲା–ଆଁ କଣ କହିଲେ–ମେକ୍‌ଅପ୍‌ ? ସରିବା ଉପରେ । ଆପଣ ଆସନ୍ତୁ ଏଥର । ଶ୍ରୀମତୀ ଅନଙ୍ଗପ୍ରଭା ଆସୁଛନ୍ତି ତ ? ବେଶ୍‌ ବେଶ୍‌ ସେ ନ ଆସିବେ ବା କେମିତି ?’’

 

ପୁଣି ଚିତ୍କାର–‘‘ସାଢ଼େ ନ’ଟା ହୋଇଗଲା ଆରମ୍ଭ କରିବେ ନାହିଁ ଆଜ୍ଞା ? ଗରମ ହେଲା ଭାରି । ଜଣା ପଡ଼ିଗଲାଣି ସବୁକଥା । ଏଥର ପଇସା ଫେରାଇ ଦେବାର ବନ୍ଦୋବସ୍ତ କରନ୍ତୁ-।’’

 

‘‘ଆଁ–କଣ କହିଲେ, ପଇସା ଫେରାଇ ଦେବୁ ? କିଆଁ ପଇସା ଫେରା ହେବ ? ଏତେ ଟିକିଏ ଧୈର୍ଯ୍ୟ ନାହିଁ ଆପଣଙ୍କର ? ଓଟାଓ୍ୱାଠାରେ ଗତବର୍ଷ ହୋଇଥିବା ଫିଲ୍‌ମ୍‌ ଫେଷ୍ଟିଭାଲ୍‌ ପାଇଁ ଲୋକେ ଚାରିଘଣ୍ଟା ଅପେକ୍ଷା କରିଥିଲେ । ଆପଣ ତ ମାତ୍ର ଦୁଇଘଣ୍ଟା ।’’

 

‘‘ବସିପଡ଼ନ୍ତୁ ମହାଶୟ । ଆପଣ କଣ ଶ୍ରୀଯୁକ୍ତ ଓଡ଼ିଶା ? କୁଣ୍ଡା ଦେଇ ପାଶ୍‌ କରିଥିଲେ ଏମ୍‌. ଏ. ? ଏତେ ଟିକିଏ ଭୂଗୋଳ ଜ୍ଞାନ ନାହିଁ ? ଓଟାଓ୍ୱାରେ କେତେଇଞ୍ଚ ବରଫ ବର୍ଷା ହୁଏ ଆଉ ଓଡ଼ିଶାରେ କେତେଇଞ୍ଚ ନିଆଁ ବର୍ଷା ହୁଏ, ସେତକ ପୁଅକୁ ପଚାରି ବୁଝିନେଇ ଏଠାକୁ ଆସିବା ଉଚିତ ଥିଲା । ଫ୍ୟାନ୍‌ ଦିଅନ୍ତୁ ବେଗେ ।’’

 

‘‘ପୁଣି ଫ୍ୟାନ୍‌ ? ହାଇରେ, ଏ ଦେଶ କଣ ହେଲା ? ଭଞ୍ଜେ କଣ ଫ୍ୟାନ୍‌ ବ୍ୟବହାର କରୁଥିଲେ ? ଆପଣଙ୍କ ସ୍ପିରିଟ୍‌ର ଅଭାବ ।

 

ପେଟ୍ରୋଲ ଅଛି, ଦିଆସିଲି ଦେଇ ଥରେ ପରୀକ୍ଷା କରିବୁ ?’’

 

ଏଇଥର ଗୋଳମାଳ କମିଲା ପରା । ନାଟକର ଆରମ୍ଭରେ ଭାଷଣ ଦେବେ ଶ୍ରୀଯୁକ୍ତ ଜେନା । ଜେନା ପୁଣି କିଏ–ତାଙ୍କୁ ଚିହ୍ନାଇ ଦେବେ ରାୟସାହେବ ସାହୁ ।

 

ଶୁଣନ୍ତୁ ଶୁଣନ୍ତୁ । ଶ୍ରୀଯୁକ୍ତ ଜେନା ଆସୁଛନ୍ତି । ଧଳା ପୋଷାକ, ଆଖିରେ ଚଷମା । ଉଚ୍ଚତା ଚାରିଫୁଟ ପାଞ୍ଚଇଞ୍ଚ ।

 

‘‘ମୋର ପ୍ରିୟ ଭାଇ ଭଉଣୀମାନେ ।’’

 

‘‘ଏଁ କଣ କହିଲ, କଣ କହିଲ–କାହିଁକି, ପ୍ରିୟ ସୁଧୀବୃନ୍ଦ କହିଥିଲେ କଣ ହୋଇ ନଥାନ୍ତା–ଖ୍ରୀଷ୍ଟାନ ଢାଞ୍ଚା । ହେଃ ।’’

 

ଚୁପ୍‌ ଚୁପ୍‌ । ଗୋଳମାଳ କରନା ସଭାରେ । ଏଗୁଡ଼ାକ ନିହାତି ମିମ୍‌ନେସ୍‌ ।

 

‘ମୋର ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛନ୍ତି ଶ୍ରୀଯୁକ୍ତ ବି. ଏମ୍‌. ଜେନା । ଜର୍ମାନୀରେ ଦର୍ଶନ ଶାସ୍ତ୍ରରେ ଡକ୍‌ଟ୍‌ରେଟ୍‌, ବିଲାତରେ ଚିକିତ୍ସା ଶାସ୍ତ୍ର-ଚ ଏଫ୍‌. ଆର. ସି. ଏସ୍‌., ପ୍ୟାରିସ୍‌ରେ ଅର୍ଥନୀତି ବିଜ୍ଞାନରେ ସର୍ବୋଚ୍ଚତମ ଡିଗ୍ରୀ ଲାଭ କରିଛନ୍ତି । ଆଜକୁ ଚାଳିଶି ବର୍ଷ ହେଲା ସେ କେବଳ ଅଧ୍ୟୟନ କରିଛନ୍ତି । ପୃଥିବୀର ତିରିଶ ଗୋଟି ଭାଷାରେ ତାଙ୍କର ଅସାଧାରଣ ବ୍ୟୁତ୍ପତ୍ତି । ବହି ଲେଖିଛନ୍ତି ପ୍ରତି ଭାଷାରେ ଖଣ୍ଡେ କି ଦୁଇଖଣ୍ଡ । ପ୍ରେଞ୍ଚ, ଇଂରେଜି ଓ ଜର୍ମାନରେ ବକ୍ତୃତା ପାଇଁ ବହୁବାର ପୁରସ୍କୃତ । ବହୁଦିନ ବିଦେଶରେ ରହିବା ଫଳରେ ସେ ଓଡ଼ିଆ ଭାଷାକୁ ଭୁଲି ଯାଇଛନ୍ତି । ତେଣୁ ସେ ଆଜି ଇଂରାଜିରେ ବକ୍ତୃତା ଦେବେ ।’’

 

‘‘ନାଇ ନାଇଁ ସେ ଚାଲିଯାନ୍ତୁ । ଆମର ବକ୍ତୃତା ଶୁଣିବା ଦରକାର ନାହିଁ । ନାଟକ ଆରମ୍ଭ ହେଉ ।’’

 

‘‘ଇଏ କୋଉଠିକା କଥା ? ଆମେ ତାଙ୍କୁ ନିମନ୍ତ୍ରଣ କରି ଆଣିଲୁ, ସେ ବକ୍ତୃତା ଦେବେ ନାହିଁ ? ବଡ଼ ଖରାପ କଥା କିନ୍ତୁ ହେବ ଇଏ । ମାତ୍ର ଅଧଘଣ୍ଟାଏ ତ କହିବେ, ଟିକିଏ ଧୈର୍ଯ୍ୟ ଧରନ୍ତୁ ଆପଣମାନେ ।’’

 

ଚାଲିଲା ବକ୍ତୃତା–ଅଧଘଣ୍ଟାଏ ଶେଷ ।

 

‘‘ହଁ ଭଞ୍ଜେ କଣ ଥିଲେ । ଏଇନେ କହିଲି ସେ କେବଳ ସାହିତ୍ୟ ରସିକ ନଥିଲେ, ସେ ଥିଲେ ଜଣେ ପୋଖତ୍‌ ବଟାନିଷ୍ଟ । ଗଛ, ପତ୍ର, ଫୁଲର ବର୍ଣ୍ଣନା ଦେଖିଲେ...’’

 

ପୁଣି ଚିତ୍କାର । ‘‘ବସିଯାନ୍ତୁ ଆଜ୍ଞା । ଭଞ୍ଜେ କେବେ ଝାଳ ଉପରେ ଗବେଷଣା କରିଥିଲେ କି ?

 

‘‘ଆଶ୍ଚର୍ଯ୍ୟ ବିଜୁଳି ମଲମ–ଯାଦୁ, କାଛୁ, କୁଣ୍ଡିଆ ଚମଦଳା’’ ବାହାରୁ ଚିତ୍କାର ଆସୁଛି । ‘ଚର୍ମରୋଗର ମୂଳ କାରଣ ହେଲା ଝାଳ । ଝାଳର ମୂଳ କାରଣ ହେଲା ଗରମ । ଯେହେତୁ ଆପଣ ଲୋମକୂପ ସବୁ ବନ୍ଦ କରି ପାରିବେ ନାହିଁ ମାତ୍ର ଦୁଇଅଣା ଦେଇ ଏଇ ଆଶ୍ଚର୍ଯ୍ୟ ବିଜୁଳି ମଲମକୁ କିଣି ମାତ୍ର ବ୍ୟବହାର କରନ୍ତୁ । ଦେଖିବେ ଆପଣ, ଏଠି ମଲମର ପ୍ରଶ୍ନନାହିଁ, କବିରାଜି, ଡାକ୍ତରୀ ବା ହୋମିଓପାଥିର ପ୍ରଶ୍ନ ନାହିଁ । କେବଳ ଇଲେକ୍‌ଟନ୍‌ ଓ ପୋଟ୍ରନ୍‌ର କାରବାର । ଥରେ ମାତ୍ର ପରୀକ୍ଷା ପ୍ରାର୍ଥନୀୟ । ବିଶେଷ କିଛି କଷ୍ଟ ନାହିଁ । କେବଳ ଟିକିଏ କୁଣ୍ଡାଇ ଦେବେ । ତା’ପରେ ଧୀରେ ଧୀରେ ମାଲିସ୍‌ । ଲୁଗା କମିଜ୍‌ରେ ଦାଗ ଲାଗିବ ନାହିଁ । ଦେଖନ୍ତୁ ନହେଲେ ଡବଲ ମୂଲ୍ୟ ଫେରସ୍ତ।’

 

‘‘ଭଞ୍ଜଙ୍କର ରସାୟନ ଶାସ୍ତ୍ର ଉପରେ ମଧ୍ୟ ଦାଖଲ ଥିଲା । ସେ ବି ଇଲେକ୍‌ଟ୍ରନ୍‌ ପୋଟ୍ରନ୍‌ କଥା ଜାଣିଥିଲେ । ଇଏ କମ୍‌ ବଡ଼ କଥା ନୁହେଁ । ମୁଁ ଆସନ୍ତା ମାସରୁ ଏ ବିଷୟରେ ଗବେଷଣା କରି ପି. ଏଚ. ଡ଼ି. କରିବି ।’’

 

ବାହାରୁ ପୁଣି ତା’ର କଣ୍ଠସ୍ୱର–‘କଟାଘା, ପୋଡ଼ାଘା, ବିଇଞ୍ଚି, ଆଶ୍ଚର୍ଯ୍ୟ ବିଜୁଳି ମଲମ । ବିଜୁଳିର ଶକ୍ତି କେତେ, ବିଜୁଳିର ବେଗ କେତେ ସେତିକି ସମୟରେ ଆପଣଙ୍କର ସବୁ ଆରୋଗ୍ୟ-।’

 

କଟା ଘା । ହୃଦୟରୁ ଖଣ୍ଡେ କାଟି ହୋଇ ଯାଇଛି । ଦରକାର ମଲମ–ଆରୋଗ୍ୟ କରିବା ପାଇଁ ମଲମ ।

 

‘‘କିଏ ଲାବଣ୍ୟବତୀ ? ବାଃ, ତାରିଫ୍‌ ନକରି ରହିପାରୁ ନାହିଁ । ଚମତ୍କାର ଦିଶୁଛନ୍ତି ସତେ । ମୋର ମନେ ହେଲା ଆପଣ ସତେ ଯେପରି କାବ୍ୟ ଭିତରୁ ବାହାରି ଆମ ପେଣ୍ଡାଲରେ ବସିଛନ୍ତି ।’’

 

‘‘ଯାଃ, ଆପଣ ଭାରି କିଏ ।’’

 

‘‘ଦେଖନ୍ତୁ, ମୁଁ ମିଛ କହୁନାହିଁ । ମୁଁ ଆଜିଯାଏ କେବେ ମିଛ କହିନାହିଁ । ବାହାରେ କି ସୁନ୍ଦର ଚନ୍ଦ୍ର । ସେଇ ଚନ୍ଦ୍ରକିରଣରୁ ମେଞ୍ଚାଏ ଯଦି ଆପଣଙ୍କ ମୁହଁ ଉପରେ ଆସି ପଡ଼ନ୍ତି, ତାହାହେଲେ ରୀତିମତ ଏଇଠି ହିଁ କାବ୍ୟର ଗୋଟାଏ ଜୀବନ୍ତ ସଂସ୍କରଣ ହୋଇ ଯାଆନ୍ତା । କଣ କହୁଛନ୍ତି–ଲାଇଟ୍‌ଟା ଅଫ୍‌ କରିଦିଏ ?’’

 

‘‘ଓଃ ଆପଣ ବଡ଼ ଅଭଦ୍ର ।’’

 

‘‘ଦେଖନ୍ତୁ ଆଜ୍ଞା, ଭଞ୍ଜଙ୍କର ଆଉ ଗୋଟିଏ ଦିଗ ମୁଁ ଛାଡ଼ି ଯାଉଛି । ସେ ଥିଲେ ଜଣେ ବିଖ୍ୟାତ ରାଜନୀତିଜ୍ଞ ।’’

 

‘‘ରାଜନୀତିଜ୍ଞ ହୋଇଥାଇ ପାରନ୍ତି କିନ୍ତୁ ପକ୍‌କା ପୁଞ୍ଜିବାଦୀ ଥିଲେ ।’’

 

କିଏ କହୁଛି ପୁଞ୍ଜିବାଦୀ ବୋଲି–ଦର୍ଶକଙ୍କ ଭିତରୁ ଚିତ୍କାର ‘‘ସେ ମୋଟେ ପୁଞ୍ଜିବାଦୀ ନ ଥିଲେ, ସେ ଥିଲେ ପକକା କମ୍ୟୁନିଷ୍ଟ । ନମ୍ବୁଦି ପଦ୍‌ କଥା ଜାଣିଚ–ଠିକ୍‌ ସେମିତି ।’’

 

‘‘ବାଜେ କଥାଗୁଡ଼ାକ କାହିଁକି କହୁଛ ? ତାଙ୍କର ବ୍ୟକ୍ତିଗତ ନୀତି ସହିତ ସୋସ୍‌ଲିଷ୍ଟମାନଙ୍କ ନୀତି ମିଳିଯାଉଛି । ସେ ସୋସ୍‌ଲିଷ୍ଟ ଥିଲେ ।’’

 

ପୁଣି ଗୋଳମାଳ ଆରମ୍ଭ । ହାଁ ହାଁ ଆପଣମାନେ ଧୈର୍ଯ୍ୟ ଧରି ବସନ୍ତୁ । ବକ୍ତାଙ୍କୁ କହିବାକୁ ଦିଅନ୍ତୁ–ସେ ମାତ୍ର ପନ୍ଦରମିନିଟ କହିବେ ।

 

ବକ୍ତା ଆମ୍ଭର କଲେ–‘‘ଭଞ୍ଜେ ସୋସ୍‌ଲିଷ୍ଟ ନଥିଲେ, କମ୍ୟୁନିଷ୍ଟ ନଥିଲେ କି କଂଗ୍ରେସି ନଥିଲେ, ସେ ଥିଲେ ଆମର ସ୍ୱାଧୀନ ପ୍ରାଥୀଙ୍କ ଭଳି । ଯେଉଁ ଆଡ଼କୁ ପବନ ଦେବ ସେ ଆଡ଼କୁ ଢଳି ଯାଉଥିଲେ । କବି ଲୋକ କିନା, ନରମ ପ୍ରାଣ ଭାରି ।’’

 

ଦୟାକରି ବସନ୍ତୁ ଏଥର ମହାଶୟ ।

 

‘‘ଏଇ କଥାଟି କହି ମୁଁ ମୋର ବକ୍ତୃତା ଶେଷ କରିବି । ଭଞ୍ଜଙ୍କର ଶରୀରତତ୍ୱ ଉପରେ ବି ଢେର ଜ୍ଞାନ ଥିଲା । ସେ ମୃଗୟା କଥା ଲେଖିଛନ୍ତି । ତା’ ଅର୍ଥ ମାଂସର ଆବଶ୍ୟକତା ବୁଝାଇ ଦେବା । ଭଞ୍ଜେ କିନ୍ତୁ ଅଣ୍ଡା କଥା ଛାଡ଼ି ଯାଇଛନ୍ତି...’’

 

‘‘ନା’ ନା’ ଛାଡ଼ିନାହାନ୍ତି, ସେବି ଲେଖିଛନ୍ତି ଶୁଣନ୍ତୁ । ସାଇଁ ସାଇଁ ଆବାଜ-’’ ଗୋଟିଏ ଲକ୍ଷଭ୍ରଷ୍ଟ, ଅନ୍ୟଟି ଠିକ୍‌ ବକ୍ତାଙ୍କ ମୁଣ୍ଡ ଉପରେ ଠୋକ୍‌କର ଖାଇ ଫାଟିଗଲା । ଲାଳଗୁଡ଼ାକ ସାରା ମୁହ ଉପରେ ବୋହି ଆସିଲା ।

 

ଏକା ଷ୍ଟେଜ ଉପରେ ନୁହେ, ଦୁର୍ଗନ୍ଧଟା ଚାରିଆଡ଼କୁ ଖେଳିଗଲା । ବକ୍ତା ବାନ୍ତି କରୁ କରୁ ରୋକି ନେଲେ ।

 

ପୁଣି ଗୋଳମାଳ । ଏଥରକ ଆଉ କହିବାକୁ ପଡ଼ିଲା ନାହିଁ । ବକ୍ତା ଆପେ ଆପେ ବିଦାୟ ନେଲେ ।

 

‘‘ଆରମ୍ଭ କରନ୍ତୁ ଏଥର ମହାଶୟ ।’’

 

‘‘କୁଆଡ଼େ ଗଲେ ଡାଇରେକ୍‌ଟର । ହେଇ ସେଠି ସିନ୍‌ ସିଲାଇ ଚାଲିଛି । ଆପଣ ଶୀଘ୍ର ସିଲାଇ ସାରନ୍ତୁ । ଆରମ୍ଭ କରିବା ।’’

 

‘‘ମୁଁ ବର୍ତ୍ତମାନ ସିନ୍‌ ନେଇଯିବି–ଆପଣଙ୍କ ଡ୍ରାମା ହେଲେ ହଉ ନହେଲେ ନାହିଁ–ମୁଁ ଏତେ ନେଇ ପାରିବି ନାହିଁ । ସିଏ ମୋଠୁ ନୂଆ ସିନ୍‌ର ଦାମ୍‌ ଆଦାୟ କରିବ ମାଲୁମ୍‌ ଅଛି ?’’

 

‘‘ବେଶ୍‌ ବେଶ୍‌ ଟଙ୍କା ଦିଆଯିବ । ସେଥିପାଇଁ ଚିନ୍ତା କାହିଁକି ?’’

 

‘‘ଦିଅନ୍ତୁ ଆଗ ଟଙ୍କା ।’’

 

‘‘କିଓ ରାଜମଲ୍ଲୀ, ତମେ ପ୍ରସ୍ତୁତ ତ ? ଆମେ ଏଥର ଆରମ୍ଭ କରିବା । ପ୍ରଥମ ଦୃଶ୍ୟ ତମର ।’’

 

‘‘ମୁଁ ଘରକୁ ଯିବି ସାର୍‌ ।’’

 

‘‘କାହିଁକି ?’’

 

‘‘ବାପାଙ୍କର କଲିକତା ଯିବା ଟାଇମ୍‌ ହୋଇଗଲା । ଚାବି ଓ ଟଙ୍କା ସବୁ ମୋ ପାଖରେ । ଟଙ୍କା ନହେଲେ ସେ ଯିବେ କେମିତି ? ଆପଣଙ୍କର ତ ଡେରି ହେଲା, ନୋହିଲା ମୁଁ ବର୍ତ୍ତମାନ କାମ ସାରି ଚାଲି ଯାଇଥାନ୍ତି । ଖାଲି ଆପଣଙ୍କ ମୁହଁକୁ ଚାହିଁ ଏତେ କଷ୍ଟ ସହିଲି ।’’ ତା’ପରେ ସୁଁ ସୁଁ କାନ୍ଦ-

 

‘‘ଆହା କାନ୍ଦୁଛ କାହିଁକି ? କେତେ ଟଙ୍କା ଦରକାର କୁହ । ମୁଁ ପିଅନ୍‌ ହାତରେ ପଠାଇ ଦେଉଛି । ବ୍ୟସ୍ତ ହୁଅନାହିଁ । ଲୁହ ପୋଛିପକା, ନୋହିଲେ ପେଟିଂ ଖରାପ ହୋଇଯିବ ।’’

 

‘‘କୁରୁବଲ୍ଲୀ, ହୋ କୁରୁବଲ୍ଲୀ ।’’

 

‘‘ଆଃ କେଡ଼େ ପାଟିରେ ଡାକୁଛନ୍ତି ? ସିଆଡ଼େ ଅଡ଼ିଟୋରିଅମ୍‌କୁ ଶୁଭିବ ।’’

 

ଚାପା ଗଳାରେ–‘‘କୁରୁବଲ୍ଲୀ ।’’

 

‘‘ସାର୍‌ ।’’

 

‘‘କଣ ହେଲା ତମର ? ଶୋଇଛ କାହିଁକି ?’’

 

‘‘ମୋ ମୁଣ୍ଡ ବୁଲାଇ ହେଉଛି ।’’

 

‘‘ବେଶ୍‌, ଟିକିଏ ଥଣ୍ଡାପାଣି ପିଇଦିଅ ।’’

 

‘‘ମୋତେ ଖାଲି ପାଣି ପିଇବାକୁ ଭାଲ ଲାଗେ ନାହିଁ ।’’

 

‘‘ସରବତ ମଗାଇବା ?’’

 

‘‘ନାଃ, ସରବତ ଭଲ ଲାଗେ ନାହିଁ ।’’

 

‘‘ଆଉ କଣ ଦରକାର, କହ ?’’

 

‘‘ଟିକିଏ ବିଅର୍‌ ।’’

 

‘‘ବେଶ୍‌ ବେଶ୍‌ ଦେଉଛି, କିନ୍ତୁ ପ୍ରସ୍ତୁତ ହୋଇଯାଅ ।’’

 

‘‘ଆହେ ବିପିନ ବାବୁ, ସେଆଡ଼େ ଦ୍ୱିତୀୟ ଦୃଶ୍ୟ ପାଇଁ ରେଡ଼ି କରନ୍ତୁ ।’’

 

ବିପିନ ବାବୁ ଡାକ ଛାଡ଼ିଲେ–‘‘ଖଞ୍ଜନାକ୍ଷୀ ଓ ଖଞ୍ଜନାକ୍ଷୀ, ତମର ହେଲା କଣ ? ଏମିତି ପଡ଼ିଛ କାହିଁକି ?’’

 

‘‘ଓଃ ସାର୍‌, ମୋ ଦେହଟା କଣ ହୋଇ ଯାଉଛି ।’’

 

‘‘କଣ ହେଉଛି ?’’

 

‘‘ଆପଣ ଟିକିଏ ଏଇଠି ବସନ୍ତୁ, ମୋ ମୁଣ୍ଡଟା ଭାରି ଜୋର ବଥାଉଛି । ମୁଁ ଆପଣଙ୍କ କୋଳରେ ମୁଣ୍ଡ ରଖି ଟିକିଏ ଶୁଏ ।’’

 

‘‘ଏଁ ମୁଣ୍ଡ ବଥାଉଛି ? ଏଓଡ଼କୋଲୋଁ ଆଣିବି ।’’

 

‘‘ନା’ ନା’ ସେ ସବୁ କିଛି ଦରକାର ନାହିଁ । ଆପଣ ଟିକିଏ ଚିପି ଦିଅନ୍ତୁ ଖାଲି, ସାଙ୍ଗେ ସାଙ୍ଗେ ଭଲ ହୋଇଯିବ ଯେ ।’’

 

‘‘ଲାବଣ୍ୟବତୀ, କୁଆଡ଼େ ଗଲ ଲାବଣ୍ୟବତୀ ।’’

 

‘‘ତାକୁ କାହିଁକି ଡାକୁଛନ୍ତି–ତାହାହେଲେ ଆପଣ ଯାନ୍ତୁ, ମୋ ମୁଣ୍ଡ ଚିପିବା ଦରକାର ନାହିଁ ।’’

 

‘‘ଆରେ କୁଆଡ଼େ ଗଲେ ସେମାନେ, ଚନ୍ଦ୍ରଭାନୁ, ଲାବଣ୍ୟବତୀ କୁଆଡ଼େ ଗଲେ, ଖୋଜ, ବେଗେ ଖୋଜ, ଏଇତ ଡ୍ରପ ଉଠିଲା । ଖୋଜ ହେ ବେଗେ ଖୋଜ, ଚନ୍ଦ୍ରଭାନୁ, ହୋ ଓ ଓ ଚନ୍ଦ୍ରଭାନୁ, ଲାବଣ୍ୟବତୀ, ଲାବଣବତୀ...ପତ୍ତା ନାହିଁ ।’’

 

‘‘ମାଫ କରିବେ ଆଜ୍ଞା । ପଇସା ଫେରାଇ ଦେବେପାଇଁ ପ୍ରସ୍ତୁତ ଅଛୁ । ଆପଣ ଜାଣିଥିବେ–ଏଇଟା ଦୈବୀ ଦୁର୍ଘଟଣା । ତେଣୁ ସମସ୍ତେ ଟିକେ ପଛରେ ଲେଖି ଦେଇଥାନ୍ତି । ଦୈବୀଦୁର୍ଘଟଣାକୁ କମ୍ପାନୀ ଦାୟି ନୁହନ୍ତି । ଆମେ ଆଜି ବୁଝୁଛୁ ଏଇଟା କେଡ଼େ ସତ କଥା ।’’

 

‘‘ଗୋପାଳିଆ କୁଆଡ଼େ ଗଲାରେ–ଘିର୍‌ର୍‌ର୍‌ ଆ ଆ, ଗୋପାଳିଆ ଆ ଆ ।’’

 

ତା ୧୩-୭-୫୭

ଶାନ୍ତିନିକେତନ

Image

 

ଛାୟା

 

(ମାନନୀୟ ଶିଖା ଚୌଧୁରୀଙ୍କ ହାତରେ)

 

ଏଇ ରୂପକୁ ଦେଖିବାକୁ ସମସ୍ତେ ଯେମିତି ଅପେକ୍ଷା କରି ବସିଥିଲେ । ଗିରିଧାରି ଜୁଳୁଜୁଳୁ କରି ଚାରିଆଡ଼କୁ ଥରେ ଅନାଇଲା । ସମସ୍ତେ ଠିଆ ହୋଇଛନ୍ତି–ସମସ୍ତଙ୍କର ଉଦ୍‌ବେଗ–କିନ୍ତୁ କାହିଁକି ? କହ ମାଣିକ ନୂଆବୋଉ, ତମେ କାହିଁକି ଆସିଛ ? ମଧୁ ଦାଦି, ବିନିତା, କହ ତମେ କାହିଁକି ଆସିଛ ?

ଏଇ ହେଲା ଗିରିଧାରୀର ଚରମ ପରିଣତି । ଦାଢ଼ି ଉଠିଛି, ମୁଣ୍ଡ ନୁଖୁରା । କାମିଜ୍‌ ସାତ ସିଆଁ–ଆଉ ଜୁଳୁଜୁଳୁ ଆଖିରେ କହିବା କହିବା ଭାବର ଚାପାଦିଆ ପ୍ରକାଶ ।

‘‘ଏବେ କହ ତୁମେ ଗିରିଧାରୀ, ତମେ ଶିକ୍ଷିତ; ମୋର ବିଶ୍ୱାସ ତମେ କେଭେ ମିଛ କହିବ ନାହିଁ । କହ ଡେରି କାହିଁକି ?’’

ଲୋକମାନଙ୍କର ଲହରୀ ଭାଙ୍ଗୁଛି । ଘୋଡ଼ାଗାଡ଼ି, ରିକ୍‌ସା, ଟାଉନବସ, ଯିବା ଆସିବା, ଧା ଦଉଡ଼ ‘‘ହଁ କଣ କହୁଛି ଗିରିଧାରୀ, ବଦ୍‌ମାସ୍‌ ପାଜି ପକ୍‌କା ଜଣେ ।’’

‘‘ଶୁଣ ଶୁଣ କଣ କହୁଛି ପରା ଗିରିଧାରୀ । ଶୁଖିଲା ଓଠରେ ଦି,ଥର ଜିଭ ବୁଲାଇ ସାରିଲାଣି । କହିବ ନିଶ୍ଚୟ, କଣ କହିବ ? କିଏ ଦେଇଛି, କାହାକୁ ଦେଇଛି, କେମିତି ନେଲା ।’’ ସମ୍ବାଦପତ୍ରମାନଙ୍କର କଚେରୀ ସମ୍ବାଦଦାତାମାନେ କଲମ ଧରିଲେଣି । ହୁଏତ ଏଇ ସଂଧ୍ୟାର ସମ୍ବାଦ ଲୋକମାନଙ୍କ ମନରେ ଅହେତୁକ ଚାଞ୍ଚଲ୍ୟ ଖେଳାଇ ଦେବ । ଆଉ ଯେତେବେଳେ–ପ୍ରହରାଜପୁର ନାଲିମାଟିରେ ସଡ଼କ ଛାଡ଼ି ଗହୀର ସିଧା–ଆହୁରି ଟିକିଏ ଆଗକୁ–ବାଉଁଶ ଶରଣ ଘେରା ପଚା ପତ୍ର ପୋଖରୀ କୂଳରେ ଅନ୍ୟମନସ୍କ ଭାବେ ବସି ଆଖିରୁ ଦି’ଟୋପା ମାତ୍ର ଲୁହର ଟୋପା ଝରି ପଡ଼ୁଥିବ–‘‘ସତେ ବିନିତା ତମେ କାନ୍ଦୁଛ ? କିନ୍ତୁ କାହିଁକି–କାହିଁକି ଏ ପ୍ରହସନ ?’’

ଗିରିଧାରୀ ହାତକୁ ମୁଠା କରି କାଠଗଡ଼ାର ରେଲିଂଗୁଡ଼ାକୁ ଟିକିଏ ହଲାଇ ଦେବାର ଅପଚେଷ୍ଟା କଲା ମାତ୍ର ।

ସାତ ହଜାର ଟଙ୍କା । କଟକ ସହର ପଡ଼ୁଛି ଉଠୁଛି । ଚୋର ଗିରିଧାରୀ–ମଧୁ ଦାଦି ସେଇକଥା କହିଲେ । ‘‘ବାପ ଗିରିଧାରୀ ଚୋରି କରିଛି, କିଛି ନାକରା କାମ କରିନା, ଭଲ କଲ । ଶ୍ରୀକୃଷ୍ଣ ତ ପୁଣି ଚୋରୀ କରିଥିଲେ । କିନ୍ତୁ କଥାଟିଏ କହିବି, କିଛି ମନେ କରିବ ନାହିଁ । ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟାଟି ଭଲ । ତମେ ନେଇ ଆସିଲ, କିନ୍ତୁ ଥୋଇ ପାରିଲ ନାହିଁ । ପଡ଼ିଲ ଏବେ ହରଡ଼ ଘଣାରେ । କିଏ ତମକୁ ରକ୍ଷା କରିବ ଏତେବେଳେ ? ଖାଲି ଭଗବାନଙ୍କୁ ଡାକ–ପାରିଲେ ଏକା ସେଇ ପାରିବେ ।’’

ଉପଦେଶ ଗୁଡ଼ାକ ସବୁ ଯେମିତି ହଜମ କରି ପକାଇଛି ସେ । କେବଳ କହିଲା ପଦୁଟିଏ କଥା । ଯାହା ତା’ର ଏକାନ୍ତ ନିଜସ୍ୱ । ‘‘ହଜୁର ଚୋରି ସମସ୍ତେ କରନ୍ତି । ତେଣୁ ମୁଁ ଚୋରି କରିଛି, ତା’ ବୋଲି ମୁଁ କୌଣସି ଅପରାଧ କରିନାହିଁ ।’’

ଏଁ କଣ କହୁଛି ସେ । ପାଗଳ ହେଲୁ କିରେ ଗିରିଧାରୀ ? ସବୁ ଲୋକେ କହୁଛନ୍ତି ଗିରିଧାରୀ ପାଗଳ ହୋଇଗଲାଣି । ଥୋଡ଼ାଏ ପାଠୁଆ ଲୋକ କହିଲେ–ନା, ନା, ଗିରିଧାରୀ ଠିକ୍‌ ଠିକ୍‌ କହୁଚି–ସେଇଟା ହେଲା ଫିଲୋସଫି ।

‘‘ସବୁ ଭୁଲ୍‌ । ମୋତେ ପାଗଳ ବୋଲି କହୁଛ ? କିନ୍ତୁ ମୁଁ ଧିର ବୁଦ୍ଧି ସ୍ଥିର ଚିତ୍ତରେ......’’

‘‘ବାସ୍‌ ବାସ୍‌, ଚୁପ୍‌ ରହ ଏଥର । ଏଇଟା ହେଲା କୋର୍ଟ । ଆଗରେ ଜଜ୍‌ ସାହେବ । କରରେ ପେସ୍କାର, ବାହାରେ ବରଗଛ, ତା’ ଉପରେ କାଉ । ବୁଝିଲୁ ଏଥର ଟିକିଏ ଚୁପ୍‌ ରହିବାକୁ ଚେଷ୍ଟାକର ।’’

 

ଦିନ ମାତ୍ର ଅଢ଼ାଇଟା । କୋର୍ଟ ଶେଷ ହେବାକୁ ଆହୁରି ଦେଢ଼ଘଣ୍ଟା ବାକି । ଝାଳରେ ବୁଡ଼ି ପଞ୍ଝାଏ ଦେଖଣାହାରି ନିରାଶ ହୋଇ ଫେରି ଗଲେଣି । ରିକ୍‌ସା ଫେରୁଛି । ଆଶ୍ଚର୍ଯ୍ୟ ସିଦ୍ଧିକରଣ କବଚ, ବୃହତ୍‌ ଟାଙ୍ଗରାଜ କେଶ ତୈଳ, ଉକୁଣିମାରୀ ଚୂର୍ଣ୍ଣ, ଅଶ୍ୱଗନ୍ଧାରିଷ୍ଟ ସାଲସା, ସମସ୍ତେ ଫେରୁଛନ୍ତି । ଫେରିବାର ପାଲା, ଗିରିଧାରୀ ବି ଫେରୁଛି, କାନ୍ଧରେ ତାର ପୈତୃକ ଛତା ।

 

ଜୟହିନ୍ଦ୍‌ ମେସ୍‌ । କଟକ ଚଣ୍ଡିଙ୍କ ସାମନା ଏଇ ବିଖ୍ୟାତ ଝାଟିମାଟି ଗଢ଼ା ଚାରୋଟି ବଖରାକୁ ପୂର୍ବରୁ କେଉଁ ମହାପୁରୁଷ ହିନ୍ଦୁ ଜାତିର ହିନ୍ଦୁ ସାମ୍ରାଜ୍ୟ ନାମରେ ପଲସ୍ତରା କରି ଚାକିରି ଅନ୍ୱେଷିମାନଙ୍କ ବସବାସ ଉପଯୋଗୀ କରିଅଛନ୍ତି, ତାଙ୍କର ଉଦ୍ଦେଶ୍ୟରେ ଗିରିଧାରୀ ଗୋଟିଏ ପ୍ରଣାମ ଜଣାଇଲା । କୌଣସି କାରଣରୁ ହେଉ ନା କାହିଁକି ଏଇ ମେସ୍‌ରେ ରହିଥିବା ପ୍ରତ୍ୟେକ ବ୍ୟକ୍ତି ବଡ଼ ବଡ଼ ଚାକିରି ପାଇଛନ୍ତି । ସେଇଟା ହେଲା ମେସ୍‌ ପାଇଁ ଚିରସ୍ଥାୟୀ ବିଜ୍ଞାପନ । ଆଉ ମେସ୍‌ର ପୁଝାରୀ ବୀର ନନା, ସମସ୍ତେ ତା’ର ହାତରୁ ଖାଇଛନ୍ତି । ସେ ସେଇକଥା କହେ ‘‘ମୋହିନୀ ବାବୁଟି; ଆଜିକାଲି ତ ବଡ଼ ହୋଇଗଲେଣି ଆଉ କିଆଁ ପଚାରିବେ–ନୋହିଲେ ବୀର ନନା ବୀର ନନା ବୋଲି ପାଣି ପିଉ ନ ଥିଲେ ।’’ ‘‘ଗିରିଧାରୀ ବାବୁ, କଥାଟିଏ କହୁଛି, ରଖିଲେ ଏକା ହେଲା । କାହିଁକି ମିଛରେ ଆଉ ଚାକିରୀ ପଛରେ ଗୋଡ଼ାଇଛନ୍ତି ? ଆଜିକାଲି ଚାକିରୀ ଅବସ୍ଥା ଯାହା ହେଲାଣି ସେଥିରେ ପୁଣି ତା’ ପଛରେ ଗୋଡ଼ାଇବା ଲାଭ କିଛି ନାହିଁ । ‘ବାଣିଜ୍ୟ ବସତି ଲକ୍ଷ୍ମୀ ତଦର୍ଦ୍ଧ କୃଷି କର୍ମେଣ ।’ ବେପାର କରି ପାରିବ ନାହି: । କାରଣ ମୂଳଧନ ନାହିଁ । କିନ୍ତୁ ଚାଷବାସ କରୁନା କାହିଁକି ?’’

 

ଇଏତ ବେଶ୍‌ ଭଲ କଥା । ୟାକୁ ତ ଆମର ମହାମୁନିମାନେ କହିଛନ୍ତି । ବହିରେ ପଢ଼ିଛି, ପଞ୍ଚବାର୍ଷିକ ପରିକଳ୍ପନାର ଏଇଟା ହେଲା ମୂଳମନ୍ତ୍ର । ବାଃ, ଭଲ କଥାଟିଏ କହିଲ ବୀର ନନା, ମୂଳାଟା ବେଶ୍‌ ଗୋଟାଏ ଫସଲ । ସବୁତ ଅଛି ଭିଟାମିନ୍‌ ବି. ଏବଂ ସି. ଫସ୍‌ଫସ୍‌ ଆଇରନ-। କିନ୍ତୁ ପେଟରେ ଟିକିଏ ବାୟୁ ଦୋଷ ବୃଦ୍ଧି କରେ । କିନ୍ତୁ ଦେହକୁ ହିତ ।

 

ମୂଳା କିଆରୀ ହସିଲା ପୈତୃକ ଜମି ମାତ୍ର ଦୁଇଗୁଣ୍ଠ ଉପରେ କଅଁଳ ପତ୍ର ବୁଢ଼ା ହେଲା-। ଅନ୍ୟ ଚାଷୀମାନେ ମୂଳା ଖୋଜି ବିକ୍ରୀ କଲେ । କିନ୍ତୁ ଗିରିଧାରୀ ତିନୋଟି କଥା ମନେ ପଡ଼ିଲା ଠିକ୍‌ ଏତିକି ବେଳେ–ଧୈର୍ଯ୍ୟ, ଅପେକ୍ଷା, ଉପବାସ । ବହୁତ ଦିନ ତଳେ ବହିରେ ପଢ଼ିଥିଲା ସେ, ପୋଥିବିଦ୍ୟାଟା ଠିକ୍‌ କାମରେ ଲାଗିବ ଏତିକିବେଳେ । ଗିରିଧାରୀ ଧୈର୍ଯ୍ୟରେ ଅପେକ୍ଷା କଲା । ମୂଳା ଗଛରେ ଫୁଲ ଫୁଟିଲା–ଫଳ ଫଳିଲା, ପାଚି ମଞ୍ଜି ଝରିଲା । ଗିରିଧାରୀ ଅପେକ୍ଷା କରିଛି, ମୂଳା ବଡ଼ ହେବ, କିଏ ଜାଣେ ହୁଏତ ଚାରିପୁଟ ଲମ୍ବା ହୋଇପାରେ । କଟକ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଗିରିଧାରୀ ମହାନ୍ତି । ପ୍ରଦର୍ଶନୀରେ ପ୍ରାଇଜ, ଲାଟଙ୍କ ସହିତ କର ମର୍ଦ୍ଦନ-ଗିରିଧାରୀ ନର୍ସରୀର ଦେଶ ବିଦେଶରେ ଖ୍ୟାତି–ଆହୁରି ଆହୁରି କେତେକଣ ।

 

ଚନ୍ଦ୍ର ଉଠୁଛି । ତାର କଳ୍ପିତ ଚନ୍ଦ୍ର । ଆଉ ମଧୁ ଦାଦି ! ପକ୍‌କା ବୁଦ୍ଦୁ, ବୁଢ଼ା ହେଲେ ସେ ମୁଣ୍ଡ ଭ୍ରମ ହୁଏ ଏଟା ଠିକ୍‌ କଥା । ଗିରିଧାରୀକୁ ପୁଣି ଶିକ୍ଷା । ବାଡ଼ି ବାଇଗଣ ପୋଥି ବାଇଗଣ ସମାନ ନୁହେଁ । ତେବେ ଗିରିଧାରୀ ଡିଗ୍ରୀଟା ଗୋଟାଏ ଫାଙ୍କି ।

 

‘‘ବାପ ଗିରିଧାରୀ, ଜଣା ପଡ଼ି ଗଲାଣି ସବୁକଥା । ଦ୍ୱାପର ଯୁଗରେ ତମେ ଯେ ଗିରି ଗୋବର୍ଦ୍ଧନକୁ ଟେକି ଧରିଥିଲ ସେଇଟା । ମୁଁ ଦିବ୍ୟ ଦୃଷ୍ଟିରେ ଦେଖି ପାରୁଛି । ଏବେ କଟକ ଯାଅ ଟିଉସନ କରି କୋଉଠି ରହିବା ଖାଇବା ବ୍ୟବସ୍ଥା କର ଆଉ ଚାକିରୀ ଖୋଜ । ସେଇଟା ହେଲା ଅସଲ । କେମିତି ବଞ୍ଚିବେ ତମର ମା, ସେଇ କଥା ଟିକିଏ ମୁଣ୍ଡରେ ପୁରାଅ ।’’

ଗିରିଧାରୀ କ୍ଳାନ୍ତ । ଲିପ୍‌ଟ୍‌ର ବ୍ୟବସ୍ଥା ନାହିଁ । ପାହାଚ ପରେ ପାହାଚ ସେ ଉଠୁଛି । ଆଗରେ କିଶୋରୀ ଛାତ୍ରୀ ମାନମୟୀ ବାଟ କଢ଼ାଉଛି । ‘ଆସନ୍ତୁ ସାର, ଆମର ଆସନ୍ତା ମାସଠାରୁ ଲିଫଟ୍‌ର ବ୍ୟବସ୍ଥା ହୋଇଯିବ । କେବଳ ଏଇମାସଟା ଯାହା କଷ୍ଟ । ମାସଟା ମାତ୍ର ତିରିଶ ଦିନ । ସେଥିରୁ ଅଧେ ଯିବ ଶୋଇବାରେ । ବାକି ଅଧକରୁ ଅଧେ ଖାଇବା ପିଇବାରେ ଆର ଅଧକ ଯିବ ଶୋଷ ନଥାଇ ପାଣି ଗ୍ଲାସେ ପିଇବାରେ କିମ୍ବା କେହି ନ ଥାଇ କେବଳ ଅପେକ୍ଷା କରିବା ବାହାନାରେ । ଏଇତ ହେଲା ଜୀବନ । ଏଇତ ହେଲା ଦର୍ଶନ ।

ନବମ ଶ୍ରେଣୀରେ ଛାତ୍ରୀ ମାନମୟୀ । ନିପୃଣ ତାର ଅଙ୍ଗୁଳି, ନିପୃଣ ତାର ପାଦର କ୍ଷିପ୍ରତା । ସୁମିଷ୍ଟ ତାର କଣ୍ଠର ଝଙ୍କାର ସେ ଗାୟିକା, ସେ ନର୍ତ୍ତକୀ, ସେ ବୀଣା-ବାଦିନୀ । ରାଷ୍ଟ୍ର ତାର ପ୍ରଶଂସା କରେ ଜିନିଅସ, ଟାଲେଣ୍ଟ ।

ଆଉ ଗିରିଧାରୀ ? ଚେଷ୍ଟାକଲା ଅବଶ୍ୟ ଥରେ ଦି’ଥର ପୂର୍ବ ଦିନ ଗୁଡ଼ିକୁ ସ୍ମରଣ କରି । ମାଇନର ସ୍କୁଲରେ ଥରେ ପ୍ରାଇଜ ପାଇଥିଲା ଦୁଇ ଡଜନ ଲକ୍‌ସ ସାବୁନ, କିନ୍ତୁ ଆଜି ଗଳାରୁ ବାହାରୁଛି ସେଁ ସେଁ ଆବାଜ–ଭୋକ ଦମନକାରୀ କୋହିନୁର ବିଡ଼ିର ଆତ୍ମପ୍ରକାଶ ।

‘‘ଆସନ୍ତୁ ସାର’’ ମାନମୟୀ ଡାକୁଛି ‘‘ଥକି ଗଲେକି ? ଏଇ ମାସକ ମାତ୍ର । ଏଡ଼େ ଚଞ୍ଚଳ ଥକିଗଲେ କ’ଣ ଚଳିବ ? ଜୀବନଟା ବହୁତ ଲମ୍ବା ଯେ–ଉପଭୋଗ କରିବାକୁ ବହୁତ ଅଛି । ଦେଖନ୍ତୁ ଇଏ ହେଉଛି ସ୍ୱର୍ଗ ଲୋକ–ଏଠି ଚିର ବସନ୍ତ । ସବୁ ବିଦେଶରେ ଆମଦାନୀ ଫୁଲଗଛ ମତେ ଏଇ କାଲିଫର୍ଣ୍ଣିଆନ୍‌ ପସି ଭାରି ଭଲ ଲାଗେ–ଆପଣ ସାର କୋଉ ଫୁଲକୁ ଭଲ ପାଆନ୍ତି-?’’

ଜୀବନକୁ ପୁଣି ନୂଆ ଭାବରେ ମାପିବାକୁ ଚେଷ୍ଟା କଲା ଗିରିଧାରୀ । ତେବେ କବି କଳ୍ପନା ମିଛ ନୁହେଁ । ‘ମରିବାକୁ ଚାହେଁ ନାହିଁ ସୁନ୍ଦର ଭୂବନେ’ ଏତ ନିରାଟ ସତକଥା । ସେଇ ମାର୍ବଲର ପାଲିଶ କରା ଚଟାଣ ଉପରେ କ୍ରମକ୍ଷୟଷ୍ଣୁ ଅନୁର୍ବର ଗାଲକୁ ଦିଥର ଘଷିବାର ଇଚ୍ଛାକଲା ଗିରିଧାରୀ ।

ଡାକୁଛି ପୁଣି ମାନମୟୀ ‘‘ଆସନ୍ତୁ ସାର, କଣ ଭାବୁଛନ୍ତି । ହାଲିଆ ହୋଇ ପଡ଼ିଲେ କି-? ଦେଖନ୍ତୁ ଏଇଟା ହେଲା ପିତୃଲୋକ । ଗନ୍ଧର୍ବ ମାନଙ୍କର ବାସସ୍ଥଳୀ । ଆଗରେ ଯିଏ ବସିଛି, ସିଏ ମୋ ବଡ଼ ଭଉଣୀ–ଜାଣିନାହାନ୍ତି ତାକୁ ? ଦେଶର ସର୍ବଶ୍ରେଷ୍ଠ ଗାୟୀକା, ଅଭିନେତ୍ରୀ । ତା ଆଗରେ ଯେଉଁମାନେ ବସିଛନ୍ତି ସେମାନେ ହେଲେ ଓସ୍ତାଦ୍‌। ଏଇଟା ହେଲା ଟାଲେଣ୍ଟ ଫ୍ୟାକ୍‌ଟେରୀ ।’’

ପାହାଚ ପରେ ପାହାଚ । ମାନମୟୀ ସ୍ୱସ୍ତି ଆଖିରେ କହିଲା ‘‘ଏଇଟା ମୋ ନିଜର କୋଠରୀ ।’’

ଗିରୀଧାରୀ ସ୍ତବଧ୍‌–ପାଞ୍ଚମହଲା । ୟାକୁ ଦେବଲୋକ ବୋଲି ଧରି ନିଆଯାଇ ପାରେ । ଉପରେ ନିଲାଭ ନିଅନ ଆଲୁଅ । ବହିର ପ୍ରକାଣ୍ଡ ପ୍ରକାଣ୍ଡ ଆଲମାରୀ, ବଡ଼ ବଡ଼ ବିଦୁଷକ, ପଣ୍ଡିତ ଯେମିତି ଆତ୍ମଗୋପନ କରିଛନ୍ତି ସେଇ ଭିତରେ ।

ଆଉ ତଳେ–ଝରକା ବାଟେ ଚାହିଁଲା ସେ ତଳକୁ । ଛୋଟ ଛୋଟ ଜୀବ ଗୁଡ଼ିଏ ଧାଁ ଦଉଡ଼ କରୁଛନ୍ତି ରାସ୍ତାରେ । କଳା କଳା ମୁଣ୍ଡଟି ମାନ । ବର୍ଷା କାଳରେ ଶରଣାର୍ଥୀ ପିମ୍ପୁଡ଼ିମାନଙ୍କ ଶୋଭାଯାତ୍ରା ବୋଲି ମନେ ହୁଏ । ଚିରିଧାରୀକୁ ବେଶ୍‌ ମଜା ଲାଗିଲା । ଯଦି ୟାଙ୍କ ସାଙ୍ଗରେ ଏମିତି ଖେଳି ହୁଅନ୍ତା ଆଉ ଖେଳ ଶେଷରେ ବୁଢ଼ା ଆଙ୍ଗୁଠି ଓ ବିଷି ଆଙ୍ଗୁଠି ମଝିରେ ରଖି ହାଲୁକା ଭାବରେ ଦଳି ମାରି ଦେଇ ହୁଅନ୍ତା... । ସତେ କେଡ଼େ ଛୋଟ ଠିକ୍‌ ପିମ୍ପୁଡ଼ି ଭଳିଆ । ଆଉ ତମେ ଜାଣିନ ମୋର ଅବସ୍ଥିତ, ମୋର ଆୟତନ । ମୋ ନା’ ଗିରିଧାରୀ ମହାନ୍ତି । ମନେ ଥିବ ନିଶ୍ଚୟ ମୁଁ ଜୟ ହିନ୍ଦ୍‌ ମେସରେ ରହୁଥିଲି । ବହୁ ଦିନର କଥା-ମୁଁ ଆଉ ତାକୁ ମନେ କରିବାକୁ ପ୍ରସ୍ତୁତ ନୁହଁ । ତମେ କ୍ଷୁଦ୍ରକାୟ, ମୁଁ ବିରାଟ । ତୁମ ସହିତ ମୋର ତୁଳନା ଅସମ୍ଭବ ।

‘‘ମାନମୟୀ ।’’

‘‘ସାର ।’’

‘‘ମୁଁ ଆଉ ତଳକୁ ଯିବାକୁ ଚାହେଁ ନାହିଁ ।’’

‘‘ଭଲକଥା । ମୁଁ ତ ସେଇକଥା କହୁଥିଲି । ଆପଣଙ୍କର ରହିବା ବ୍ୟବସ୍ଥା ଏଇଠି ହୋଇଛି । ଆପଣ ଆଉ ଯିବା ଦରକାର ନାହିଁ । ତା’ ଛଡ଼ା ଆପଣ ଏଠି ରହିଲେ ମୋର ପଢ଼ା ପଢ଼ି ଭଲ ହେବ ।

‘‘ଆରେ କଣ କହୁଛ ମାନମୟୀ, ତମର ଆଉ କି ପଢ଼ା ବାକି ଅଛି ମୁଁ ଦେଖି ପାରୁନାହିଁ-।’’

 

‘‘ଅଛି ସାର୍‌ ବହୁତ ପଢ଼ିବି ମୁଁ । ଖାଲି ଦରକାର ସାହାଯ୍ୟ ଓ ପ୍ରତିଶ୍ରୁତି, କଣ କହୁଛନ୍ତି ।’’

 

ଏ କଣ କୁହନ୍ତି ସେ ସତରେ । ମୁହଁରେ ଗୋଲାପି ଆଭା ମଳିନ ପଡ଼ି ଆସୁଛି । ତେରେଛା ଚାହାଣୀ, ମାପ କରା ହସ । କଣ, କି ଅର୍ଥ ଏହାର । କେହିତ ଲେଖିଥିବାର ମନେ ପଡ଼ୁନି । ଇଲିଅଟ ଏଜେରା ପାଉଣ୍ଡ, କି ଓମରଖାୟାମ, ସମସ୍ତେ ତ ଜିଭ ଅଗରେ । କାଳିଦାସ କି କୃଷ୍ଣ ବେହେରା ସମସ୍ତଙ୍କର ତ ଗୋଟିଏ କଥା, କଟା ଛଟା ଗୋଟିଏ ମାତ୍ର ସତ୍ୟ । ନାରୀ ପାଖରେ ପୁରୁଷର ନିବେଦନ କିମ୍ବା ପୁରୁଷ ପାଖରେ ନାରୀର ନିବେଦନ । ମୁଁ ତୁମକୁ ଭଲପାଏ କିମ୍ବା ମୁଁ ତୁମକୁ ନେଇ ସଂସାର କରିବି ।

 

କିନ୍ତୁ କିଏ ଲେଖିଛନ୍ତି ଏଇ ମେହଗାନି କାଠର ଟେବୁଲ ଏଇ ନୀଳ ନିଅନ ଆଲୋକ । ପାଞ୍ଚ ମହଲା ଉପର କୋଠରୀ । ଆଉ ଗିରିଧାରୀର ପାଦ ଉପରେ ମାନମୟୀ ଗୋଡ଼ ବୃଦ୍ଧାଙ୍ଗୁଳୀର କ୍ରମ ବର୍ଦ୍ଧିଷ୍ଣୁ ଓ କ୍ରମ କ୍ଷୟଷ୍ଣୁ ଚାପ ।

 

ସାମନା ଦର୍ପଣରେ ଗିରିଧାରୀ ମୁହଁର ପ୍ରତିବିମ୍ବ ପଡ଼ିଛି । ଯେମିତି ସେ ନିଜକୁ ଦେଖୁଛି ପ୍ରଥମ କରି । କହରା କହରା ନିଶ, ଯାହାର ବଢ଼ିବାର କିମ୍ବା କଳା ହେବାର ପ୍ରତିଶ୍ରୁତି ନାହିଁ । ଗାଲଳ କପାଳ, ଛାତିରୁ ବାହାରୁଛି ଟୋପି ଟୋପି ଝାଳ । ଆଉ ଛାତିରେ ଦପ୍‌ ଦପ୍‌ ଆବାଜ । ତା’ର ଶରୀରରେ ଏକ ଅଦ୍ଭୁତ ଭୌତିକ ପ୍ରତିକ୍ରିୟା ।

 

‘‘କାହିଁକି ମୋତେ ଏ ବିଷମ ସମସ୍ୟାରେ ପକାଇଲ ମଧୁ ଦାଦି ? ମୁଁ ତମର କି ଦୋଷ କରିଥିଲି ? ମୁଁ ତ ମୂଳା ଚାଷ କରୁଥିଲି । ମୋତେ କାହିଁକି ତମେ ଏ ଦୁର୍ବୁଦ୍ଧି ଦେଲ ?’’ ଗିରିଧାରୀ ବ୍ୟସ୍ତ ହୋଇ ପଡ଼ିଲା ।

 

ଶବ୍ଦ ଆସୁଛି–ତାର ଛାତିରୁ । ସେ ଶବ୍ଦର ସଙ୍କେତ ବୁଝିବାକୁ ସେ ଅକ୍ଷମ ।

 

କେମିତି ବି ପାରନ୍ତା–କେହିତ ଲେଖି ନାହାନ୍ତି କି ଅର୍ଥ ଏହାର ହୋଇପାରେ ? ବହି ପରେ ବହି ପଢ଼ିଛି–ମୁଖସ୍ଥ କରିଛି । ଆଖି ଆଉ ଅକ୍ଷର, ଅକ୍ଷର ଆଡ଼ ଆଖି । ବାସ୍‌ ସେତିକି । ଦୁନିଆ ସହିତ ଗିରିଧାରୀର କିଛି ସମ୍ବନ୍ଧ ନାହିଁ । ଲାଜ ମାଡ଼େ ତାକୁ ଇଆଡ଼େ ସିଆଡ଼େ ଚାହିଁବାକୁ ।

 

କଲେଜ ସାଥିମାନେ ଥଟ୍ଟା କରନ୍ତି । ‘‘ବହିର ଗୋବର୍ଦ୍ଧନକୁ ଟେକୁଛନ୍ତି ଗିରିଧାରୀ ।’’

 

ସ୍ୱତନ୍ତ୍ର ଜଗତ । ଗୋଡ଼ରୁ କମ୍ପନ । ଛାତିରୁ ଦପ୍‌ ଦପ୍‌ ଶବ୍ଦ । ମୁହଁରୁ ଝାଳ । ସମ୍ଭାଳି ପାରିବ ନାହିଁ ଗିରିଧାରୀ ଆଉ । ସ୍ଫୁଟାନିକ୍‌ ଘୁରି ଲାଗିଛି । ପାଦରୁ ପେଟ, ପେଟରୁ ଛାତି, ଛାତିରୁ ମୁଣ୍ଡ, ମୁଣ୍ଡରୁ ପିଠି, ପିଠିରୁ ଗୋଡ଼। ଆଉ ସମ୍ଭଳା ପଡ଼ିବ ନାହିଁ । ଝାଳରେ ଜୁଡ଼ୁ ବୁଡ଼ୁ ଗିରିଧାରୀକୁ ଏଇରକ ବାନ୍ତି ଲାଗିଲା । ବଡ଼ କଷ୍ଟରେ ବଡ଼ କରୁଣ ସ୍ୱରରେ ମାନମୟୀକୁ କହିଲା–‘‘ମାନମୟୀ ମୋ ମୁଣ୍ଡ ଭାରି ବୁଲାଉଛି, ବଡ଼ ଆଶ୍ୱସ୍ତି ଲାଗୁଛି, ମୁଁ ଆଉ ପଢ଼ାଇ ପାରିବି ନାହିଁ ।’’

 

‘‘ମୋ କୋଳରେ ମୁଣ୍ଡ ରଖି ଶୁଅନ୍ତୁ, ଟିକିଏ ଚିପିଦିଏ ।’’

 

‘‘ନା’ ନା’, ମୋତେ ଆଜିକି ଛୁଟି ଦିଅ, ମୁଁ ଚୁପ୍‌ଚାପ୍‌ ଶୋଇପଡ଼େ ।’’

 

ମାନମୟୀ କବାଟ ଆଉଜାଇ ନେଲା ଓ ଆଲୁଅ ଲିଭାଇ ଦେଲା ଅନ୍ଧାର ।

 

ଏ ଅନ୍ଧାର ଭିତରେ କିଛି ଦେଖିପାରୁ ନାହିଁ । କିନ୍ତୁ ଦିନେ ତ ଆଲୁଅ ଆସିବ । ଏ ଅନ୍ଧାରର ବୁକୁଚିରି ଦିନେ ହସିବ ରକ୍ତର ତପନ । ଲେନିନ୍‌ଙ୍କ ବାଣୀ ଉପରେ ଗିରିଧାରୀର ଆମା ଅଛି । ବହିରେ ପଢ଼ିଛି, ସେଟା କଣ ମିଛ ହୋଇପାରେ ?

 

କିନ୍ତୁ ଏଇମାତ୍ର ଅର୍ଦ୍ଧ ଶତାବ୍ଦୀ ଶେଷ ହୋଇଗଲା । ଉଣେଇଶି ଶହ ପଚାଶ । କମଳା ରଙ୍ଗର ଗୋଟିଏ କିରାସିନି ବତୀ ତଳେ ବସି ପଚା ମାଛ ମୁଲାଉଛି ବାଲ୍ୟବନ୍ଧୁ କହ୍ନାଇଚରଣ ।

 

‘‘କିନ୍ତୁ ଲେନିନ୍‌ କହିଲେ...

 

‘‘ବୁଝିଲୁ ଗିରିଧାରୀ–ଲେନିନ୍‌ ମିଛ କହିନାହାନ୍ତି । ସେ କହିଛନ୍ତି ତାଙ୍କରି ପାଇଁ । ଆଉ ମୁଁ କହୁଛି, ଶୁଣିବୁ ଟିକିଏ, ସମୟ ଅଛି ତ ? ମୁଁ କହୁଛି ସେଟା ମୋ ପାଇଁ । ଏଇ ଦା ହାତୁଡ଼ି, ଚକ୍ର ଲଙ୍ଗଳ, କିମ୍ବା ଯୋଡ଼ି ବଳଦ ଏଗୁଡ଼ାକ ମସ୍ତବଡ଼ ଫାଙ୍କି । ଗଣ ନାଁରେ ଗଣକୁ ପ୍ରତାରଣା କରିବାର ଗୋଟାଏ ଜବରଦସ୍ତ ଷ୍ଟାମ୍ପ । ଆମ କୁଡ଼ିଆକୁ କେଭେ ଆସିବ ନାହିଁ ବିଜୁଳିବତୀ, ଆମେ କେଭେ ପାଇବା ନାହିଁ ମୁଠାଏ ପେଟପୁରା ଭାତ । ଆମ ପାଇଁ ଥୁଆ ଅର୍ଦ୍ଧ ଭୋଜନ, ଆଉ ସକାଳୁଠୁ ସଞ୍ଜଯାଏ କଠିନ ପରିଶ୍ରମ । ଏଇ ହେଲା ସଂସାର । ଆଉ ଟିକିଏ ଉପର ସ୍ତରକୁ ଯିବାକୁ ଇଚ୍ଛା କଲେ ତମର ଥିବା ଦରକାର ମୁନିଆ ବିଷବୋଳା ଅସ୍ତ୍ର–ଯାହା ସାହାଯ୍ୟରେ, ଦରକାର ପଡ଼ିଲେ ଟିକିଏ କେଞ୍ଚି ଦେଇ ପାରିବ, ଆଉ ଗଣ ନାଁରେ ସ୍ୱାର୍ଥ ସିଦ୍ଧିର ଗୋଟାଏ ବଳିଷ୍ଠ ମୂଳଭିତ୍ତି ପକାଇବାର ତଥାକଥିତ ମୁଣ୍ଡ ଯାହା ସାହାଯ୍ୟରେ କେଞ୍ଚିବା ପାଇଁ ଗୋଟିଏ ନିରାପଦ ସମୟ ବାଛି ପାରିବ ।’’

 

‘‘ଚାହୁଛୁ ସାଧୁ ଆଉ ସଚ୍ଚୋଟ ଜୀବନ । ବେଶ୍‌ ଭଲ ଜାଗାଟିଏ ମୁଁ ଜାଣିଛି, ଯିବୁ ମୋ ସାଙ୍ଗରେ । ମୁଁ ବାହାରିଛି ।’’

 

‘‘କେଉଁଠି ?’’

 

‘‘ହିମାଳୟ । ଆମ ହେତୁବାଦ ଭୁଗୋଳ ପାଠର ସେଇ ହିମାଳୟ । ପ୍ରଥମେ ତରାଇ ବା ଚିରହରିତ ବନ, ତା’ପରେ ଫର୍ଣ୍ଣ, ତା’ପରେ ଗୁଳ୍ପ ଓ ତା’ପରେ ବରଫ–ସେଇ ହିମାଳୟକୁ ମୁଁ ଯାଉଛି । ଆମର ଅଶୋକ ଓ ବୁଦ୍ଧ ଦେଖାଇଛନ୍ତି ସେ ବାଟ । ଚାରିହଜାର ବର୍ଗମାଇଲ ଅଞ୍ଚଳ । ରହିବାକୁ ପ୍ରଶସ୍ତ ଜାଗା । କୌଣସି ପ୍ରକାର ଟାକ୍‌ସ ନାହିଁ । ଖାଣ୍ଟି ଭାରତୀୟ ଭଳି ଗୋଟାଏ ନିର୍ବୋଧ ଓ ନିରିହ ମରଣକୁ ବରଣ କରିବା ଅପେକ୍ଷା ମୁଁ ଭଗବତ୍‌ ଆରାଧନା କରିବାକୁ ଢେର ପସନ୍ଦ କରେ ।’’

 

‘‘ଠିକ୍‌ କଥା କହିଛୁ ତୁ କହ୍ନାଇ । କିନ୍ତୁ ମୁଁ ବାନ୍ଧି ହୋ ଗଲିଣି ଯେ । ତୋ କଥା ରଖି ପାରୁନି । କହ ଯିବି କେମିତି ? ‘ଗ୍ରୋମୋର୍‌ଫୁଡ଼’ରେ କ୍ୟାସ୍‌ କ୍ଳର୍କ । ଜୀବନଟା ମୋର ବନ୍ଧା । ଘରେ ମୋର ମା, ଆଉ ଅବିବାହିତା ଭଉଣୀ । ସେମାନେ ତ ପୁଣି ମୋର ଜୀବନ ସହିତ ଛନ୍ଦା । ଭଉଣୀଟିର ତ ପୁଣି ବାହା ହେବା ଦରକାର ।’’

 

‘‘ତମେ ତ ନିଶ୍ଚୟ କିଛି ଟଙ୍କା ସେଥିପାଇଁ ଖର୍ଚ୍ଚ କରିଛ ?’’ -ଜଜ୍‌ ପଚାରିଲେ ।

 

‘‘ହଁ, ଦୁଇହଜାର ଟଙ୍କା ମାତ୍ର ।’’

 

‘‘ଆଉ ତମ ନିଜ ବାହାଘର ପାଇଁ ?’’

 

‘‘ବାଜା ବାଜୁଛି । ମଧଦାଦି ଖାଲି ତାରିଫ୍‌ କରୁଛନ୍ତି । ‘‘ବୁଝିଲୁ ଗିରିଧାରୀ, ତୋ ବାପ ବଞ୍ଚିଥାଏ–ସେ ସମୟରେ ତ ଜମିଦାରୀ ଉଠି ନଥିଲା । ଏମିତି ହୋଇଥିଲା ବଡ଼ ବଡ଼ ମାଛ ମୁଣ୍ଡର ଝୋଳ । ତୋରି ଏକୋଇଶାକୁ ମ ? –ବେଶ୍‌ ବେଶ୍‌, ବାପର ନାଁ ରଖିଲୁ ଏକା-’’

 

ଅନ୍ଧାର କୋଠରୀ ଭିତରେ ଦୀପ ମିଞ୍ଜିମିଞ୍ଜି । ମଧୁଶଯ୍ୟାର ରାତ୍ରି । ଗିରିଧାରୀର ଗୋଡ଼ ଥରୁଛି । ଦେହସାରା ଝାଳରେ ଜୁଡ଼ୁ ବୁଡ଼ୁ । ଖାଲି ସେ କ୍ଷୀଣ ଦୀପାଲୋକରେ ଦେଖି ପାରୁଛି ଜଣେ କେହି ବସିଛି । ତାର ହାତଗୋଡ଼ର ଚାଳନା ନାହିଁ । ଖାଲି ନିର୍ବାକ ନିଷ୍ପନ୍ଦ । ସତେ ଅବା ଗୋଟିଏ ପଥର ଦେହରେ ମଣିଷର ଗୋଟାଏ ବାହ୍ୟ ସୀମାରେଖା ।

 

ଏ ବି ଗୋଟାଏ ସମସ୍ୟା । ଏ ସମସ୍ୟାର ମିମାଂସା କେମିତି କରିବାକୁ ହୁଏ କୌଣସି ବହିରେ ଲେଖା ନାହିଁ। ବୁଦ୍ଧିଟା ଠିକ୍‌ ଭାବେ ମୁଣ୍ଡରେ ପଶୁନି ।

 

‘‘ନୁଆବୋଉ, ଓ ନୂଆବୋଉ, କବାଟ ପିଟାଇ ଦିଅ ଭାରି ଗରମ ହେଲା ମୁଁ ବାହାରକୁ ଯାଏ ।’’

 

ବାହାରୁ ଖାଲି ହସ ଶୁଭୁଛି ।

 

କଣ କେହି ଶୁଣିବେ ନାହିଁ ? କିନ୍ତୁ ମଧୁ ଦାଦି ତ ନିଶ୍ଚୟ ବାହାର ପିଣ୍ଡାରେ ଶୋଇଥିବେ–ତାଙ୍କୁ ଡକାଯାଉ ।

 

‘‘ମଧୁଦାଦି ହୋ ମଧୁଦାଦି ।’’

 

ଶୋର ଶବ୍ଦ କିଛି ନାହିଁ ।

 

ଏଥରକ ସାହସ ଧୈର୍ଯ୍ୟ ଏକାଠି କରି ଡାକିଲା ‘‘ଆପଣ ଆସନ୍ତୁ ରାତି ବେଶୀ ହେଲାଣି, ଶୋଇଯାନ୍ତୁ, ନୋହିଲେ ଦେହ ଖରାପ ହେବ ।’’

 

ବିନିତା ଏଥର ମୁହଁ ଖୋଲିଲା । ‘‘ମତେ ଆପଣ ‘ଆପଣ’ ବୋଲି କାହିଁକି ଡାକୁଛନ୍ତି ?’’

 

‘‘କଣ ବୋଲି ଡାକିବି, ଯେ କୌଣସି ଅଜ୍ଞାତ କୁଳଶୀଳ ମନୁଷ୍ୟକୁ ‘ଆପଣ’ ବୋଲି ଡାକିବା ବିଧେୟ । ବହିରେ ସେକଥା ଲେଖା ଅଛି ।’’

 

‘‘ଏଁ କଣ କହିଲ, ଅଜ୍ଞାତକୂଳଶୀଳ-ଜାଣିନ ମୋ ବାପାଙ୍କୁ, ଜାଣିନ ଆମର ବୁନିଆଦି । ଦେଖିନ ଆମ ଗାଁ, ମତେ ଅନ୍ତୁଡ଼ିଶାଳରେ ତଣ୍ଟିଚିପି କିଆଁ ନମାରି ଦେଲ ହୋ ବାପା–’’

 

ବିନିତାର କାନ୍ଦଣାରେ ଗାଁ ସାରା ଚାଞ୍ଚଲ୍ୟ ।

 

‘‘ବେଶ୍‌ ତା’ପରେ–’’

 

‘‘ଏଇତ ଶେଷ ହେଲା ଚାରିହଜାର । ବାକି ତିନିହଜାର ଟଙ୍କା ସୁଧ ବାବଦକୁ । କାବୁଲିବାଲା କିନା, ସୁଧ ଟିକିଏ ବେଶି ।’’

 

‘‘ତମେ ସରକାରୀ କର୍ମଚାରୀ ହୋଇ ଚୋରି କରିଛି–ତମେ ଅପରାଧି ।’’

 

‘‘ହଜୁର୍‌ ମୁଁ ଅପରାଧ କରିନି । କହିଲି ପରା ଚୋରି ସମସ୍ତେ କରନ୍ତି । ମଣିଷର ଆଦିମ ପ୍ରବୃତ୍ତ ହେଲା ଚୋରି କରିବା । ମଣିଷ ସବୁ ସମୟରେ ଚୋରି କରି ଆସିଛି । କିନ୍ତୁ ସମୟ ଅନୁପାତରେ ପ୍ରତିଶବ୍ଦ ଗୁଡ଼ାକ ବଦଳି ଯାଇଛି । ଚୋରି, ହତ୍ୟା, ଲୁଣ୍ଠନ, ସବୁ ମହାପାପ, ବହିରେ ଲେଖାଅଛି, ଆଇନ୍‌ରେ ଘୋଷିତ ହେଉଛି । କିନ୍ତୁ ବାସ୍ତବ ଜୀବନରେ ସେଗୁଡ଼ାକ ଅତି ଦରକାରୀ ଜିନିଷ । ମଣିଷକୁ ହତ୍ୟାକରି ଶାନ୍ତିପାଇଁ ନୋବେଲ ପ୍ରାଇଜ୍‌ କିମ୍ୱା ଅର୍ଡର ଅଫ୍‌ ଲେନିନ୍‌ ମିଳୁଛି । କଳାବଜାର କରି ବିଶିଷ୍ଟ ଜନ-ସେବକର ଉପାଧି ମିଳୁଛି । ଖାଲି ଦରକାର ଟିକିଏ କଟିବ ଚାଲ୍‌–‘ହେ ମୋର ନିରାପରାଧ ଅନ୍ଧ ମେଷ ଶାବକ ଗଣ, ମୁଁ ଯାହା କରୁଛି ସବୁ ଗଣର ମହାନ୍‌ ସ୍ୱାର୍ଥ ପାଇଁ ।’ ଆଉ ତା’ପଛରେ ବଛା ବଛା ପଣ୍ଡିତମାନଙ୍କର କେତୋଟି କାଟ୍‌ଛାଣ୍ଟ ବାକ୍ୟ ଯୋଡ଼ିବାର ଭଣ୍ଡାମି । ଗଣ ନାଁରେ ସ୍ୱାର୍ଥ ସିଦ୍ଧିର ଅଭିସନ୍ଧି ପ୍ରତ୍ୟେକ ଲୋକ ତାଙ୍କର ଅବଚେତନରେ ଇଚ୍ଛା କରନ୍ତି ଓ ଆଶା କରନ୍ତି । ହଜୁର, ଏଇ ଅଭାବଟି ମୋର ଅଛି ।’’

 

ସାତବର୍ଷ ସଶ୍ରମ କାରାଦଣ୍ଡ ।

 

ବରଗଛ ମୂଳେ ଜେଲଭ୍ୟାନ୍‌ ଥୁଆ ହୋଇଛି । ସାତବର୍ଷ ଗୋଟାଏ ଯୁଗ ପରା । ଏଇ କଣ ଗିରିଧାରୀର ଶେଷ କାହାଣୀ ? ଆଉ କଣ ଫେରିବ ନାହିଁ ସେ ?

 

‘‘ଟିକିଏ ଗେଲ କରିବ ନାହିଁ ତମ ପୁଅକୁ ।’’

 

ବିନିତା ଦଉଡ଼ିଆସି ବଢ଼ାଇ ଦେଲା ଟିକି ପୁଅକୁ । ଛୋଟ ପିଲାଟି ଗିରିଧାରୀର ଭୟଙ୍କର ରୂପ ଦେଖି କାନ୍ଦି ଉଠିଲା ।

 

‘‘ବୁଝିଲ ବିନିତା–’’

 

‘‘କଣ’’

 

‘‘ଗୋଟିଏ କଥା କରି ପାରିବ ।’’

 

‘‘କଣ କହ ।’’

 

‘‘ଗୋଟିଏ ରାତିରେ ତମ ହାତ ଦେଇ ଏଇ ପିଲାଟି ବେକରେ ଅଳ୍ପ ସମୟ ଚାପି ଧରିବ-।’’

 

ପାଗଳ ହୋଇ ଗଲାଣି ଗିରିଧାରୀ ।

 

କିଏ କହୁଛି ପାଗଳ ବୋଲି । ନା’ ସେ କେବେ ପାଗଳ ହୋଇ ନାହାନ୍ତି ।

 

ଆଖିରୁ ଝରୁଛି ଲୁହ ଗିରିଧାରୀର । ଦୁଇଟୋପା ଭୂଇଁରେ ପଡ଼ିଗଲାଣି । ଆଉ ଦୁଇଟୋପା ପଡ଼ିବା ପ୍ରାୟ । ବିନିତା ଚାହିଁଛି, ବୁଝିଛି ସେ ଲୁହର ଭାଷା । ଗିରିଧାରୀର ଲୁହ ଯେମିତି ଗୋଟାଏ ସ୍ୱତନ୍ତ୍ର ଭଷାର ଉଜ୍ଜଳ ରୂପ ଧରି କହୁଛି, ଖୁନି ହୁଅ, ଚୋର ହୁଅ, ଡାକୁ ହୁଅ, ବଦ୍‌ମାସ ହୁଅ, କିନ୍ତୁ ଦରିଦ୍ର ହୁଅନା ।

 

ତା ୧୧-୧୧-୫୭

ଶାନ୍ତିନିକେତନ

Image

 

ତନ୍ଦ୍ରା

 

(ବନ୍ଧୁ ଶ୍ରୀ ପାଣିଗ୍ରାହୀଙ୍କୁ)

 

ଶେଷ ସାକ୍ଷୀଟି ଶପଥ ନେଲା–‘ମୁଁ ଈଶ୍ୱରଙ୍କ ନାମରେ ଶପଥ ନେଇ କହୁଛି ଯେ ଯାହା କହିବି ସତ କହିବି ।’ ତା’ପରେ କାଠଗଡ଼ା ଉପରକୁ ଉଠି ବିଚାରପତିଙ୍କୁ ପ୍ରଣାମ କରି ବିନୀତ ଭଙ୍ଗୀରେ ଠିଆ ହୋଇ ପ୍ରଶ୍ନକୁ ଅପେକ୍ଷା କଲା ।

 

ବିଚାରପତି କାଗଜର ଫାଇଲ ଉପରୁ ମୁଣ୍ଡ ତୋଳି ସାକ୍ଷୀଟିକୁ ପଚାରିଲେ ‘‘ତୁମେ ଏ ଆସାମୀକୁ ଜାଣ ?’’

 

‘‘ହଁ ହଜୁର !’’

 

‘‘ତୁମର ତା’ର କିଛି ସମ୍ପର୍କ ଅଛି ?’’

 

‘‘ନା, ସମ୍ପର୍କ କିଛିନାହିଁ ସାମାଜିକ ଭାବେ । କିନ୍ତୁ ବନ୍ଧୁ ଭାବରେ ଗତ ଦଶବର୍ଷ ହେଲା ତା’ର ମୋର ଚଳି ଆସିଛୁ ।’’

 

‘‘ଏଇ ଦଶବର୍ଷ ତମ ଜୀବନ କେମିତି ଭାବରେ କଟାଇଛ ?’’

 

‘ହଜୁର’ ସାକ୍ଷୀଟି ଆରମ୍ଭ କଲା ‘‘ଦଶବର୍ଷ ତଳେ ଯେତେବେଳେ ଏଇ ସହରକୁ ପ୍ରଥମ କରି ପେଟ ପୋଷିବା ପାଇଁ ଆସେ ସେତେବେଳେ ମୋର ତା’ ସହିତ ପ୍ରଥମ ପରିଚୟ । ଦୁଇଜଣଯାକ ରେଳ ଷ୍ଟେସନ ଓଭର ବ୍ରିଜ୍‌ର ତଳ ଖୋପରେ ରହୁଥିଲୁ । ଯୁଦ୍ଧ ବଜାର ହେତୁ ଆମକୁ କିଛି କାମ ମିଳୁ ନଥିଲା । ଫଳରେ ପରିଶ୍ରମ କରି ପେଟ ପୋଷିବା ଆଶା ଛାଡ଼ିବାକୁ ପଡ଼ିଲା । କିନ୍ତୁ କେମିତି ବଞ୍ଚିବୁ ? ଦୁଇଦିନ ଉପବାସ ରହିବା ପରେ ଭିକ୍ଷା ମାଗି ଚଳିବା ପାଇଁ ମୁଁ ପ୍ରସ୍ତାବ ଦେଲି, କିନ୍ତୁ ସେ ଭିକ୍ଷା କରିବାକୁ ଘୃଣା କରୁଥିଲା ଏବଂ କୌଣସି ମତେ ମୋ ପ୍ରସ୍ତାବରେ ରାଜି ହୋଇ ନଥିଲା ।

 

‘‘ଘୃଣା କରୁଥିଲା’’ ବିଚାରପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ‘‘ତେବେ ସେ ଶେଷରେ ଭିଖ ମାଗିଲା କାହିଁକି ?’’

 

‘‘ନା ହଜୁର, ସେ କେବେ ଭିଖ ମାଗି ନାହିଁ’’ ସାକ୍ଷୀଟି ଉତ୍ତର ଦେଲା ।

 

‘‘କିନ୍ତୁ ପୋଲିଶ ରିପୋର୍ଟ ତାକୁ ଭିଖାରୀ ବୋଲି କହିଛି ।’’

 

ପୃଥୁଳକାୟ ପୋଲିଶ ଅଫିସରଟି ଚିତ୍କାର କରି ଉଠିଲେ–‘‘ଇଓର ଅନର, ପରବର୍ତ୍ତୀ ତଦନ୍ତରୁ ଆମେ ଶୁଣଅଛୁ ଯେ ସେ କେବଳ ହିଁ ଭିକାରୀ ଥିଲା । ଏହା ହୋଇପାରେ ଯେ ଭିକ ନ ମିଳିଲା ବେଳେ ଭିଖାରୀମାନେ ସାମୟିକ ପରିଶ୍ରମ କରି ପେଟ ପୋଷିଥାନ୍ତି । କିନ୍ତୁ ଆସାମୀର କାର୍ଯ୍ୟକଳାପରୁ ଜଣାଯାଏ ଯେ ଗତ ଦୁଇବର୍ଷ ଧରି ରାୟ ଚୌଧୁରୀଙ୍କ ଘରୁ ଭିକ ମାଗି ପେଟ ପୋଷି ଆସୁଛି ।’’

 

‘‘ଭୁଲି କଥା ହଜୁର, ଭୁଲ କଥା’’ ସାକ୍ଷୀଟି ତାର ପ୍ରତିବାଦ କଲା । ‘‘ମୋତେ କହିବାକୁ ଦିଅନ୍ତୁ, ତାହାହେଲେ କଥାଟା ଆପଣ ମାନେ ଠିକ୍‌ ଜାଣି ପାରିବେ ।’’

 

‘‘ବେଶ୍‌ ବେଶ୍‌ ତାହାହେଲେ କହିଯାଅ ।’’

 

ଦର୍ଶକ ଗ୍ୟାଲେରୀ ଭିତରେ ହଠାତ୍‌ ଆରମ୍ଭ ହୋଇଥିବା ଗୋଳମାଳଟି ଥଣ୍ଡା ପଡ଼ି ଆସିଲା । ସମସ୍ତେ ସାକ୍ଷୀ ଆଡ଼କୁ ମନଧ୍ୟାନ ଦେଇ ଶୁଣିବାକୁ ଲାଗିଲେ ।

 

ସାକ୍ଷୀଟି କହି ଚାଲିଲା -‘‘କ୍ରମାଗତ ଚରୋଟିଦିନ ଉପବାସରେ କଟାଇବା ପରେ ସେ ମୋତେ କହିଲା–‘ସହରରେ ଲୋକଙ୍କର ନିଶ୍ଚୟ ଜାଳେଣୀକାଠ ଦରକାର । ଆମେ ଯଦି କୌଣସିମତେ ଜାଳେଣୀ କାଠ ଆଣି ଯୋଗାଇ ଦେଇ ପାରନ୍ତେ ତାହାହେଲେ ଆମେ ସୁନ୍ଦରଭାବେ ଚଳିଯାଇ ପାରନ୍ତେ’ ।

 

ମୋ ମନକୁ କଥାଟା ସମୀଚୀନ ବୋଧ ହେଲା । କିନ୍ତୁ ଜଙ୍ଗଲଟା ଦଶ ମାଇଲ ଦୂର ଥିଲା । ଆଉ ପରିଶ୍ରମ କରି ପେଟ ପୋଷିବାକୁ ମୋର ଯଦି ଇଚ୍ଛା ନଥିଲା ତା’ର ବଳାତ୍କାରରେ ମୁଁ ତାର ସାଙ୍ଗରେ ବାଧ୍ୟ ହୋଇଗଲି । ଜଙ୍ଗଲରୁ ଗୋଟାଇ ଜାଳେଶି କାଠ ଆଣି ସହରରେ ବିକି କିଛିଦିନ ଚଳିଗଲା । ଟିକିଏ ଲାଭ ହେଲାରୁ କଟୁରୀ ଖଣ୍ଡେ କିଣି ଆହୁରି ଅଧିକ ଭାବେ ଜାଳେଣି କାଠ ଆଣି ବିକ୍ରୀ କରିବାକୁ ଲାଗିଲୁ । କିଛି କିଛି ଲାଭ ବି ହେଲା ।

 

ଏ ଭିତରେ ଦେଶ ସ୍ୱାଦୀନ ହେଲା । ସରକାରୀ ଘର, ରେଳ ଷ୍ଟେସନ ସବୁ ପରିଷ୍କାର ହେବି ବୋଲି ଆମ୍ଭମାନଙ୍କୁ ଷ୍ଟେସନରୁ ଅତି ନିର୍ମମ ଭାବେ ବିତାଡ଼ନ କରାଗଲା । ଆମକୁ ନ ଜଣାଇ ଆମର ଅନୁପସ୍ଥିତିରେ ଆମର ଲୁଗାପଟାରେ ନିଆଁ ଲଗାଇ ଦିଆଗଲା । ଆମର ଜିନିଷପତ୍ରକୁ ଫୋପାଡ଼ି ଦିଆଗଲା । ପୁଣି ଥରେ ଷ୍ଟେସନକୁ ଆସିଲେ ଆମକୁ ଗୁଳି କରି ଦିଆଯିବ ବୋଲି ଧମକ ଦିଆଗଲା ।

 

ସେଦିନଠାରୁ ଆମେ ଷ୍ଟେସନ ଛାଡ଼ିଲୁ । କିଛିଦିନ ୟା ପିଣ୍ଡା ତା’ ଓଳି ହୋଇ କଟାଇ ଦେଲୁ । କିନ୍ତୁ କେଉଁଠି ରହିବୁ କିଛି ଠିକ୍‌ କରି ପାରିଲୁ ନାହିଁ, ପ୍ରାୟ ମାସେ ଖଣ୍ଡେ ଏଇପରି କଟାଇବା ପରେ ଶେଷକୁ ନଦୀକୂଳର ସେଇ ଆମ୍ୱତୋଟା ମଝିରେ ତାଳପତ୍ରର କୁଡ଼ିଆଟିଏ ତିଆରି କରି ତା’ ଭିତରେ ରହିଲୁ ।

 

ଆମ୍ଭମାନଙ୍କର ବୟସ ସେତେବେଳକୁ ପ୍ରାୟ ପଚାଶ ପାଖାପାଖି । ଦେହରୁ ଜୋର ଖସି ଯାଇଥିଲେ ସୁଦ୍ଧା ଅବସ୍ଥା ଚାପରେ ପଡ଼ି ଆମେ ପରିଶ୍ରମ କରିବାକୁ ବାଧ୍ୟ ହେଉଥିଲୁ ।

 

ଆମ କୁଡ଼ିଆ ଠାରୁ ଅଳ୍ପ ଦୂରରେ ରାୟ ଚୌଧୁରୀଙ୍କର ଘର । ସେତେବେଳକୁ ତାଙ୍କ ପୁରୁଣା ଘର ପାଖରେ ବର୍ତ୍ତମାନର କୋଠା ଘରଟି ତୋଳା ହେଉଥାଏ । ଅସଂଖ୍ୟ ମଜୁରୀଆ, କୁଲି, ମିସ୍ତ୍ରୀ ଲାଗିଥାନ୍ତି । ଆମେ ବି କାଠହଣା ବ୍ୟବସାୟ ଛାଡ଼ି ସେଥିରେ ମଜୁରୀ ଲାଗିବାକୁ ଗଲୁ ।

 

ହଜୁର, ଆଉ ବର୍ତ୍ତମାନ କହିବା ଅନାବଶ୍ୟକ, କାରଣ ଆମେ ସେଇଦିନ ଠାରୁ ରାୟ ଚୌଧୂରୀଙ୍କର କାମ କରି କଟାଇ ଦେଇଛୁ । ତାଙ୍କର କାରଖାନା ଘର, ଭଡ଼ାଘର ପ୍ରଭୃତି ପରେ ପରେ ତୋଳା ହେବାକୁ ଲାଗିଲା । ଏ ପର୍ଯ୍ୟନ୍ତ ପ୍ରାୟ ତାଙ୍କର ଘର ତୋଳା ଲାଗି ରହିଛି । ଆମେ ସେଦିନଠାରୁ ଏ ପର୍ଯ୍ୟନ୍ତ ତାଙ୍କର କାମ କବି ଆସିଛୁ ।

 

ତେବେ ଆଉ ଗୋଟିଏ କଥା ମୁଁ କହିଲେ ଭଲ ହେବ ତାକୁ ରାୟ ଚୌଧୁରୀ ଭାରି ଭଲ ପାଉଥିଲେ । କାହିଁକି ଭଲ ପାଉଥିଲେ, ମୁଁ କେବେ ତାଙ୍କୁ ପଚାରି ନାହିଁ । କାରଣ ମୁଁ ଜାଣେ ସେ କେବେ ହେଲେ କୌଣସି କଥା କହିବ ନାହିଁ । ଏପରିକି ହଜୁର ବିଶ୍ୱାସ କରିବେ ନାହିଁ ଯେ ମୁଁ ତାର ନାମ ପର୍ଯ୍ୟନ୍ତ ଜାଣେ ନାହିଁ । ଘର ଦ୍ୱାର ତ ଦୂରର କଥା ।

ଦୁଇଜଣଯାକ କାମ କରୁଥିବାବେଳେ ରାୟ ଚୌଧୁରୀ ତାକୁ ଡାକି ନେଇ ପିଣ୍ଡାରେ ବସି ତା’ ସହିତ ଆଳାପ କରନ୍ତି । ମଜୁରୀ ଦେଲାବେଳେ ତାକୁ ବେଶି ମଜୁରୀ ଦେବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକାଇ ରଖନ୍ତି । ବହୁତ ସମୟରେ ବି ତା’ ସାଙ୍ଗରେ ନଦୀକୂଳେ ବୁଲନ୍ତି । ମୁଁ ଭାବି ନେଇଥିଲି ଯେ ବୟସର ସମାନତା ହେତୁ ଅନେକ ସମୟରେ ଲୋକମାନଙ୍କର ବନ୍ଧୁତ୍ୱ ହୋଇଥାଏ-। ଏ କ୍ଷେତ୍ରରେ ତାହା ହିଁ ହୋଇଛି ।

ଦିନକର ଘଟଣା । ପୂର୍ବରୁ ପାଞ୍ଚଦିନ ଧରି ଖୁବ ଝଡ଼ ବର୍ଷା ଲାଗି ରହିଥିଲା । ଆମ କୁଡ଼ିଆର ଟିଣ ଓ ତାଳ ବରଡ଼ା ଛପର ଫାଙ୍କ ଦେଇ ରୀତିମତ ପାଣି ଝରି କୁଡ଼ିଆ ତଳକୁ ଓଦା କରି ପକାଇଥିଲା । ଫଳରେ ଆମେ ଶୋଇ ପାରୁ ନ ଥିଲୁ । ମଜୁରୀ ଧନରୁ ସାହା ସଞ୍ଚୟ କରି ରଖିଥିଲୁ, ତା ବି ସେଇ ପାଞ୍ଚଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ସେତିକିବେଳକୁ ତାକୁ ତାର ପୁରୁଣା ଶ୍ୱାସ ରୋଗଟି ମାଡ଼ିବସି ତାକୁ ଶଯ୍ୟାଶାୟୀ କରି ଦେଲା ।

ହଜୁର, ମୋର ସେତେବେଳେ ଅନ୍ୟ କୌଣସି ଉପାୟ ନ ଥିଲା । କାରଣ ଝଡ଼ବର୍ଷା ହେତୁ ସହରର କୌଣସି ଯାଗାରେ କାମ ମିଳୁ ନଥିଲା । ଶେଷକୁ ବାଧ୍ୟ ହୋଇ ମୁଁ ରାୟଚୌଧୁରୀଙ୍କ ଘରକୁ କିଛି ଭିକ୍ଷା ମାଗିବା ପାଇଁ ଗଲି । ସେ ଯେମିତି ଏ ଶ୍ୱାସ ରୋଗ କଥା ଶୁଣିଲେ ସାଙ୍ଗେ ସାଙ୍ଗେ ଘର ଭିତରକୁ ଯାଇ ଗୋଟିଏ କାଚ ଗ୍ଲାସରେ ଦୁଧ, ପାଉଁ ରୁଟି ଦୁଇଟା ଓ ଦଶଟାଟଙ୍କା ଆଣି ମୋତେ ଦେଲେ । ତାଙ୍କର ଗୋଟିଏ ପରିଚିତ ଡାକ୍ତର ପାଖକୁ ଯାଇ ବିନା ମୂଲ୍ୟରେ ଔଷଧ ଆଣିବାକୁ ମୋ ହାତରେ ଗୋଟିଏ ଚିଠି ଦେଲେ ।

ପ୍ରଥମେ ମୁଁ ଖାଇବାକୁ ଦେଇ ତା’ ପରେ ଔଷଧ ଦୋକାନକୁ ଯିବି ବୋଲି ସ୍ଥିର କରି କୁଡ଼ିଆକୁ ଚାଲି ଆସିଲ । ସେତେବେଳକୁ ସେ ସେଇ ଓଦା ମାଟିରେ ବସି ଘୁମାଉଥିଲା । ତାକୁ ଖାଇବା ପାଇଁ ଡାକିଲି । ସେ ମୋ ହାତକୁ ଅନାଇ ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା । ‘‘ଏସବୁ ଆଣିଲୁ କେଉଁଠୁ ?’’

ମୁଁ ତାକୁ ଭୁଲାଇ ଦେବା ପାଇଁ ମନସ୍ଥ କରିଥିଲି । କିନ୍ତୁ ଅତର୍କିତ ପ୍ରଶ୍ନରେ କେବଳ ସତଟା ହିଁ ବାହାରି ଥାଏ । ମୋର ଠିକ୍‌ ସେଇଆ ହେଲା । ମୁଁ ଆଉ ତାକୁ ଭୁଲାଇ ପାରିଲି ନାହିଁ । ଯେଉଁଠାରୁ ଆଣିଥିଲି ସବୁକଥା ତାକୁ କହିଲି ।

ମୋର ଆଶଙ୍କାଟା ହିଁ ଠିକ୍‌ ହେଲା । ସେ ମୋ ହାତରୁ ଚଟକରି ପାଉଁ ରୋଟିକୁ ନେଇ ବାହାରେ ଫିଙ୍ଗି ଦେଲା । ହାତରୁ ଦୁଧ ଗ୍ଲାସ ଛଡ଼ାଇ ନେଇ ମୋ ମୁଣ୍ଡକୁ ଲକ୍ଷ୍ୟ କରି ଖୁବ୍‌ ଜୋରରେ ଫୋପାଡ଼ି ଦେଲା । ଫଳରେ ଆଘାତ ପାଇ ମୋ ମୁଣ୍ଡ ଫାଟିଯାଇ ରକ୍ତ ବୋହିଲା । ହଜୁର ସେ ଦାଗଟା ଏବେ ସୁଦ୍ଧା ଅଛି ।

ସାକ୍ଷୀଟି ତାର ମୁଣ୍ଡବାଳକୁ ହାତରେ ଦୁଇଭାଗ କରି ସେ ଚିହ୍ନଟ ବିଚାରପତିଙ୍କୁ ଦେଖାଗଲା । ତାପର କହି ଚାଲିଲା ଗ୍ଲାସଟି ଫୋପାଡ଼ିଦେଇ ସେ ଆଉ ମୋ ମୁହଁକୁ ଚାହିଁ ପାରିଲା ନାହିଁ । ସେଇ ସନ୍ତସନ୍ତିଆ ଭୁଇଁରେ ଛିଣ୍ଡା ସପକୁ ଘାରିଦେଇ ମୁହଁମାଡ଼ି ଶୋଇ ପଡ଼ିଲା । ସମ୍ଭବତଃ ସେ ଅନୁତାପ କରୁଥିଲା ।

ଏଟା ଆଜକୁ ପ୍ରାୟ ଦୁଇବର୍ଷ ତଳର ଘଟଣା ହେବ । ଏଇ ଦୁଇ ବର୍ଷ ଭିତରେ ତାର ମୋର ଖୁବ୍‌ କ୍ୱଚିତ୍‌ କଥାବାର୍ତ୍ତା ହୋଇଛୁ । ସେ କଥାବାର୍ତ୍ତା ଗୁଡ଼ାକ କେବଳ ଆମର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନ୍ୟ କୌଣସି ବିଷୟ ନେଇ ମୁଁ ବି ପଚାରି ନାହିଁ, ସେ ବି କହିନାହିଁ ।

 

ସାକ୍ଷୀଟି ତାର ବକ୍ତବ୍ୟ ଶେଷ କଲାରୁ ସରକାରୀ ଓକିଲ ତାକୁ ଜୋର କରିବାକୁ ଆରମ୍ଭ କଲେ–‘‘ଆଚ୍ଛା, ତୁମକୁ ଆଉ କେବେ ସେ ମାଡ଼ ମାରିଛି କି ?’’

 

‘‘ନା ଆଜ୍ଞା ।’’

 

‘‘ଭଲକରି ମନେ ପକାଅ ।’’

 

‘‘ମୋର ଭଲଭାବେ ମନେ ଅଛି, ସେ କେବେ ମୋତେ ମାଡ଼ ମାରିନାହିଁ ।’’

 

‘‘ତେବେ ସେଦିନ ସେ ଏପରି ବ୍ୟବହାର ଦେଖାଇଲା କାହିଁକି ?’’

 

‘‘ସେ ବିଷୟରେ ମୁଁ କହି ପାରିବି ନାହିଁ ।’’

 

ଓକିଲ ଚଟ୍‌କରି ବିଚାରପତିଙ୍କ ଆଡ଼କୁ ବୁଲିପଡ଼ କହିଲେ ‘‘ଇଓର ଅନର, ଏ ସାକ୍ଷୀଟି ନିଶ୍ଚୟ ମିଛ କହୁଛି । କାରଣ ପୂର୍ବରୁ ଏପରି ଭାବରେ ବନ୍ଧୁତା ଥିଲେ କୌଣସି ବ୍ୟକ୍ତି ହଠାତ୍‌ ଏତେ ନିର୍ମମ ହୋଇ ପାରିବ ନାହିଁ ।’’

 

ପୋଲିସ ଅଫିସର ବି ବେଞ୍ଚରୁ ଉଠିପଡ଼ି କହିଲେ– ‘‘ହଜୁର ସେମାନେ ନିଶା ଆଦି ଖାଉଥିବାର ଆମେ ପ୍ରମାଣ ପାଇଛୁଁ । ତେଣୁ ସେ କହିବାର ଯଥେଷ୍ଟ ସମ୍ଭାବନା ଅଛି ।’’

 

ବିଚାରପତି ଟିକିଏ ସମର୍ଥନ ସୂଚକ ହସ ହସି ପକାଇଲେ ।

 

କାଠଗଡ଼ା ଭିତରେ ମୁହଁକୁ ତଳକୁ ପୋତି ସାକ୍ଷୀଟି ଠିଆ ହୋଇଥିଲା । ଆଉ ଉତ୍ତର ଦେବାକୁ ଚେଷ୍ଟା କଲା ନାହିଁ । ସେ ତାର ବିଶ୍ରାମର ଆଦେଶକୁ ଅପେକ୍ଷା କରୁଥିଲା ।

 

ବିଚାରପତି ଦୀର୍ଘ ଦଶ ମିନିଟ୍‌ ଧରି କାଗଜପତ୍ର ଲେଉଟାଇ ଲେଉଟାଇ ଶେଷକୁ ସାକ୍ଷୀକୁ ଛୁଟି ଦେଲେ । ତାପରେ ଆସାମୀ ଆଡ଼କୁ ମୁହଁ ବୁଲାଇ ପୁଣି ମୁଣ୍ଡ ତଳକୁ ପୋତି ଭାବିବାକୁ ଲାଗିଲେ ।

 

ଆସାମୀର ଚେହେରାରୁ ଜଣାଯାଉଥିଲା ଯେ ଯେପରି ତାର ଭୟ ଭ୍ରାନ୍ତି କିଛି ନାହିଁ । ତାର ଲମ୍ୱା ଓ ଦରପାଚିଲା ବାଳଗୁଡ଼ାକ କାନଯାଏ ଲମ୍ୱି ଆସିଥିଲା । ବାର୍ଦ୍ଧକ୍ୟର ଚାପହେତୁ ଆଖି ଦୁଇଟି ପ୍ରାୟ କୋରଡ଼ ହୋଇ ଯାଇଥିଲା । ଦୁଇଟି ଗାଲର ହନୁ ହାଡ଼ ବାହାରି ବଡ଼ କର୍କଶ ଦେଖା ଯାଉଥିଲା । ତାର ସମୁଦାୟ ଦେହର ଗଠନରୁ ଜଣା ଯାଉଥିଲା ଯେ ଯୌବନରେ ତାର ପ୍ରଚୁର ସ୍ୱାସ୍ଥ୍ୟ ଥିଲା ।

 

ସେଇ ନିସ୍ତବ୍‌ଧ ହଲରେ ସାମୟିକ ଭାବେ ଦର୍ଶକମାନଙ୍କର ଆଲୋଚନା ଖୁବ୍‌ ସ୍ପଷ୍ଟ ହୋଇ ଉଠୁଥିଲା । ଗ୍ୟାଲେରିରେ ଥିବା ଦର୍ଶକମାନେ କମାଣ ଚାଳକ ସୈନିକଙ୍କ ପରି ସେମାନଙ୍କ ଦୃଷ୍ଟିକୁ ଆସାମୀ ଦେହରେ ସ୍ଥିର କରିଥିଲେ ।

 

ବିଚାରପତି ଆରମ୍ଭ କଲେ–‘‘ରାୟଚୌଧୁରିଙ୍କର ହତ୍ୟା ଅପରାଧରେ ତୁମକୁ ଦୋଷୀ ସାବ୍ୟସ୍ତ କରା ଯାଇଛି । ତୁମେ ଉତ୍ତର ଦିଅ, ଦୋଷୀ କି ନା ?’’

 

‘‘ମୁଁ ଦୋଷୀ ନୁହେଁ’’ ଆସାମୀଟି କହିଲା ।

 

‘‘କିନ୍ତୁ ତୁମେ ଯେ ତାଙ୍କୁ ହତ୍ୟା କରିଛ ।’’

 

‘‘କରି ଥାଇ ପାରେ । କିନ୍ତୁ ମଣିଷକୁ ହତ୍ୟାକରିବା ସବୁ ସମୟରେ ଅପରାଧ ନୁହେଁ ।’’

 

‘‘ଠିକ୍‌ କରି କହ ତମେ ହତ୍ୟା କରିଛି କି ନାହିଁ ?’’

 

‘‘ହଁ ମୁଁ କରିଛି ।’’

 

‘‘କିପରି କଲ ?’’

 

‘‘ତାଙ୍କ ଶ୍ୱାସ ରୁଦ୍ଧ କରି ।’’

 

‘‘କିନ୍ତୁ ତାଙ୍କ ଦେହରେ ଛୁରୀ ମାଡ଼ର ଦାଗ ଥିଲା ?’’

 

ଛୁରୀର ବି ସାହାଯ୍ୟ ନେଇ ଥିଲି ।’’

 

କିଛି ସମୟ ଧରି ହଲ୍‍ଟି ପୁଣି ନିସ୍ତବ୍‌ଧ ହୋଇ ଉଠିଲା । ବିଚାରପତିଙ୍କ ମୁଣ୍ଡ ଉପରେ ଟୋପା ଝାଳ ଦେଖାଦେଲା । ଆସାମୀଟା କିନ୍ତୁ ସେଇପରି ସ୍ଥିର ଭାବରେ ଠିଆ ହୋଇ ପ୍ରଶ୍ନକୁ ଅପେକ୍ଷା କରୁଥିଲା ।

 

‘‘ଏବେ ତୁମେ କହ କେମିତି ହତ୍ୟା କଲ ?’’

 

ଆସାମୀ କିଛି ସମୟ ନୀରବ ରହିଲା ।

 

ପୁଣି ପ୍ରଶ୍ନ ହେଲା–‘‘କହି କେମିତି ହତ୍ୟା କରିଛ ରାୟ ଚୌଧୁରୀଙ୍କ ?’’

 

‘‘ମୁଁ ସ୍ୱୀକାର କରୁଛି ଯେ ମୁଁ ହତ୍ୟା କରିଛି । କିନ୍ତୁ ବର୍ଣ୍ଣନା କରିବାର ଆବଶ୍ୟକତା କଣ ମୁଁ ଜାଣି ପାରୁନାହିଁ ।’’

 

‘‘କିନ୍ତୁ ଆଇନ ଅନୁଯାୟୀ ତୁମକୁ କହିବାକୁ ହେବ ।’’

 

ସରକାରୀ ଓକିଲ ବି କହିଲେ–‘‘ଆଇନ ଅନୁଯାୟୀ ବିଚାର ପତିଙ୍କ ଆଦେଶ ମାନିବା ତୁମର ଉଚିତ୍‌ ।’’

 

ଆସାମୀଟି ଟିକିଏ ତାତ୍ସଲ୍ୟମିଶା ହସ ହସି ପକାଇଲା । ତାପରେ ଧୀର ସ୍ୱରରେ ଆରମ୍ଭ କଲା । ‘‘ରାୟଚୌଧୁରୀଙ୍କୁ ହତ୍ୟା କରିବାପାଇଁ ମୁଁ ପ୍ରାୟ ଚାରିଥର ଚେଷ୍ଟା କରିଥିଲି । ପ୍ରଥମଥର ଯେତେବେଳେ ସେ ତାଙ୍କ ବୈଠକଖାନାରେ ବସି ଘୁମାଉଥିଲେ, ସେତେବେଳେ ମୁଁ ଧୀରେ ଧୀରେ ଯାଇଁ ତାଙ୍କ ତଣ୍ଟି ପାଖକୁ ହାତ ନେଲି । ଠିକ୍‌ ସେତିକିବେଳକୁ ତାଙ୍କ ନିଦ ଚଟ୍‌କରି ଭାଙ୍ଗିଗଲା । ସେ ମୋତେ ଗୋଟାଏ ଭୟାର୍ତ୍ତ ଦୃଷ୍ଟିରେ ଚାହିଁ ରହିଲେ । ମୋର ବି ସ୍ୱାଭାବିକ ଗୋଟାଏ ଦୁର୍ବଳତା ଆସିଲା । ଘଟଣାଟାକୁ ବୁଲାଇ ଦେଇ କହିଲି ଯେ ମଶା ଗୁଡ଼ାକ ମୁହଁ ଯାକ ବସି କାମୁଡ଼ିଛନ୍ତି; ଘରେ ଯାଆନ୍ତୁ ଶୋଇବେ । ସେ ହସି ହସି କହିଲେ ‘‘ଭାବିଥିଲି ତମେ ମୋର ତଣ୍ଟି ଚିପି ଦେବା ପାଇଁ ହାତ ଆଣୁଛ । ମୁଁ ଟିକିଏ ହସି ଦେଇ ଘଟଣାଟାକୁ ହାଲୁକା କରି ଦେଲି ।

 

ତା’ପରେ ଦ୍ୱିତୀୟ ଥର ଦିନେ ମୁଁ ତାଙ୍କର ଗୋଡ଼ ଘସି ଦେଉଥିଲି । ସେତେବେଳେ ତଣ୍ଟି ପାଖକୁ ସୋରରେ ଚିପିବା ପାଇଁ ଆରମ୍ଭ କରେ, ସେତେବେଳେ ମୋତେ ଜଣାଗଲା ଯେ ସେ ଘରକୁ ଜଣେ କିଏ ପଶିଆସୁଛି । କିନ୍ତୁ ପ୍ରକୃତରେ କେହି ଆସୁନ ଥିଲେ । ସେଟା କେବଳ ମୋର ଦୁର୍ବଳତା ଥିଲା । ସେଥିର ମୁଁ ବିରତ ହେଲି ।

 

ତୃତୀୟ ଥର ଚେଷ୍ଟାକଲି ତା’ର ଠିକ୍‍ ମାସକ ପରେ । ସେତେବେଳେ ଆମେ ନଦୀ ବାଲିରେ ବୁଲୁଥିଲୁ । ଜହ୍ନ ସେତେବେଳକୁ ବୁଡ଼ି ଯାଇଥିଲା । ମୁଁ ମୋର ଛୁରୀଟାକୁ ଧୀରେ ଧୀରେ ଅଣ୍ଟାରୁ ବାହାର କଲି । ସେତେବେଳେ ସେ ମୋ ଆଗକୁ ଆସି ଚାଲିବାକୁ ଲାଗିଲେ । ଠିକ୍‍ ସେତିକିବେଳକୁ ମୁଁ ଛୁରୀଟାକୁ ଭୁଷି ଦେବାକୁ ଉଦ୍ୟତ ହେଉଛି, ଏଇ ସମୟରେ ସେ ସମ୍ଭବ ଗୋଟାଏ ପଥର ଝୁଣ୍ଟି ବାଲିରେ ପଡ଼ିଯାଇ ଚିତ୍କାର କଲେ । ମୁଁ ଛୁରୀଟାକୁ ଅଣ୍ଟା ଭିତରେ ଲୁଚାଇ ଦେଇ ତାଙ୍କୁ ବାଲିରୁ ଉଠାଇଲା ବେଳକୁ ଦୁଇ ତିନି ଜଣ ଲୋକ ଆସି ପହଞ୍ଚିଲେଣି । ତାଙ୍କୁ ଧରା ଧରି କରି ଘରକୁ ନେଇ ଆସିଲୁ । ସେଥର ହତ୍ୟା କରିବା ସମ୍ଭବ ହେଲା ନାହିଁ ।

 

ଏ ଘଟଣାର ପ୍ରାୟ ଦୁଇମାସ ପରେ ମୋତେ ପୁଣିଥରେ ସୁଯୋଗ ମିଳିଲା । ଆମେ ଦୁଇଜଣଯାକ ସେଦିନ ନଦୀର ପଠା ଉପରେ ବୁଲୁଥିଲୁ । ପଠାଟି ସାଧାରଣତଃ ପ୍ରାୟ ନିର୍ଜନ ଥାଏ-। ତେଣୁ ମୁଁ ଭାବି ନେଲି ସେ କାର୍ଯ୍ୟଟି ସମ୍ପୂର୍ଣ୍ଣ କରିବାର ଏହା ହିଁ ଉପଯୁକ୍ତ ସ୍ଥାନ । ଛୁରୀଟି ତାହାର କରି ତାଙ୍କ ପିଠିରେ ଭୁଷିଦେଲି । ସେ ଚିତ୍କାରକର ତଳେ ବସି ପଡ଼ିଲେ । ମୁଁ ଛୁରୀଟା ଦରି କିଛି ସମୟ ଠିଆ ହୋଇଗଲି । ଶୁଣିଲି ସେ ବିକଳ ହୋଇ କହୁଛନ୍ତି ତୋତେ ଦୟା ଦେଖାଇବାର ଏଇ ପ୍ରତିଦାନ ଦେଲୁ ?’ ତା’ ପରେ ଭଗବାନଙ୍କୁ ପ୍ରାର୍ଥନା କଲେ ।

 

ମୋର ରକ୍ତ ହଠାତ୍‌ ଗରମ ହୋଇ ଉଠିଲା । ମୋ ହାତରେ ତାଙ୍କ ଜୀବନ ଥିଲା ଅଥଚ ସେ ମୋତେ ପ୍ରାର୍ଥନା ନ କରି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ମୁଁ ଆଉ ଅପେକ୍ଷା ନ କରି ତାଙ୍କ ପେଟରେ ଛୁରୀଟା ଭୁଷି ଦେଲି । ଛୁରୀର ଦାଢ଼ ନ ଥିବାରୁ ବିଶେଷ ଶରୀରିକ ଶକ୍ତି ଦରକାର କରୁଥିଲା ।

 

ପେଟରେ ଭୁଷି ସାରିବା ପରେ ସେ ଚିତ୍କାର କରିବାକୁ ଆମ୍ଭେ କଲେ । ମୁଁ ପେଟରୁ ଛୁରୀଟା କାଢ଼ି ଆଣି ତାଙ୍କ ଉପରେ ଝାମ୍ପି ପଡ଼ିଲି । ତା ପରେ ଛୁରୀଟାକୁ ତାଙ୍କର ହୃତ୍‌ପିଣ୍ଡ ପାଖରେ ପୁଣି ଥରେ ଭୁଷିଦେଲି ।

 

ଛୁରୀଟି ପ୍ରାୟ ଦୁଇଇଞ୍ଚ ଗଳି ଗଲା । କିନ୍ତୁ ସେତିକିରେ ତାଙ୍କ ପ୍ରାଣ ବହାରି ଗଲା ନାହିଁ-। ସେ ଛାଟି ପିଟି ହୋଇ ଚିତ୍କାର କରିବାକୁ ଆରମ୍ଭ କଲେ । ମୁଁ ତାଙ୍କ ପାଟିରେ ଗାମୁଛାଟା ପୁରାଇ ଦେଇ ଶ୍ୱାସରୁଦ୍ଧ କରିବାକୁ ତାଙ୍କ ତଣ୍ଟିକୁ ଚିପି ଧରିଲି । କିଛି ସମୟପରେ ତାଙ୍କର ଚିତ୍କାର ବନ୍ଦ ହୋଇଗଲା । କିନ୍ତୁ ସେ ଛାଟିପିଟି ହେଉଥିଲେ । ମୁଁ ତାଙ୍କ ବେକଟା ଧୀରେ ଧୀରେ ମୋଡ଼ିବା ଆରମ୍ଭ କଲି । ଦୁଇତିନି ଘେରା ମୋଡ଼ ସାରିବା ପରେ ତାଙ୍କର ଦେହ ସ୍ପନ୍ଦନ ଶୂନ୍ୟ ହୋଇଗଲା । ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ମୋ ଦେହରେ ରକ୍ତଛିଟା ସବୁ ଲାଗିଥିଲା । ମୁଁ ତାକୁ ସବୁ ପରିଷ୍କାର କରିବା ପାଇଁ ଗାଧୋଇ ପଡ଼ିବାକୁ ଠିକ୍‌କଲି । ଶବଟାକୁ ମଧ୍ୟ ନଦୀ ପାଣିରେ ବୁଡ଼ାଇ ଦେବାକୁ ତାଙ୍କ ଗୋଡ଼ ପାଖରୁ ଘୋଷାରି ଘୋଷାରି ଚାଲିବାକୁ ଲାଗିଲି । ବାଟରେ ଏଇ ପୋଲିସ ଅଫିସର ଜଣକ ମୋତେ ଦେଖିଲେ । ତାପରେ ଯାହାହେଲା ଆପଣ ଜାଣନ୍ତି ।’’

 

ସମସ୍ତ ହଲ୍‌ଟିରେ ଅତଙ୍କର ଛାୟା ଖେଳି ଯାଇଥିଲା । ପ୍ରତ୍ୟେକ ଦର୍ଶକ ଯେପରି ଜଡ଼ ହୋଇ ଯାଇଥିଲେ । କେବଳ ଫ୍ୟାନ୍‌ ଘୂରିବାର ଶବ୍ଦ ଛଡ଼ା ଆଉ କିଛି ଶୁଣା ଯାଉ ନ ଥିଲା ।

 

‘‘ରାୟଚୌଧୁରୀ ତୁମପ୍ରତି କିଛି ଖରାପ ବ୍ୟବହାର କରିଥିଲେ ?’’ ବିଚାରପତି ପଚାରିଲେ ।

 

‘‘ନା ।’’

 

‘‘ତେବେ ହତ୍ୟା କରିବାର କାରଣ କଣ ରହିଲା ? ବିଶେଷ କରି ସେ ତୁମକୁ ଦୟା ଦେଖାଇ ଆସିଛି, ତାକୁ ତୁମେ ହତ୍ୟାକଲ କାହିଁକି ?’’

 

‘‘ଠିକ୍‌ ସେଇ କଥା ହଜୁର ଠିକ୍‌ ସେଇକଥା ।’’ ଆସାମୀଟି ପ୍ରାୟ ଚିତ୍କାର କରି କହିଲା । ‘‘ତାଙ୍କର ଏଇ ଅଜାଚିତ ଦୟାରୁ ମୁଁ ସବୁବେଳେ ଉଦ୍ଧାର ପାଇବାକୁ ଚାହୁଁଥିଲି । ମୁଁ ଯେତେବେଳେ ପ୍ରଥମ ଥର ତାଙ୍କ ଘରେ ମଜୁରୀ ଲାଗିବା ପାଇଁ ଯାଏ, ସେତେବେଳେ ମୋର ଅବସ୍ଥା ପ୍ରାୟ ଭଲ ଥିଲା । ଅର୍ଥାତ୍‌ ତାଙ୍କ ନଜରକୁ ମୁଁ ଆସି ନଥିଲି । କିନ୍ତୁ ହଠାତ୍‌ ସେ କାହିଁକି ମୋତେ ଦୟା ଦେଖାଇବାକୁ ଆରମ୍ଭ କଲେ ।

 

ମୁଁ ରୁଗ୍‌ଣ ଥିଲି । ଅନ୍ୟମାନଙ୍କ ତୁଳନାରେ ମୁଁ ଯଥେଷ୍ଟ କାମ କମ୍‌ କରୁଥିଲି । ତେଣୁ ମୋର ମଜୁରୀଟା କମ୍‌ ହେବା ଉଚିତ ଥିଲା । କିନ୍ତୁ ମୁଁ ଲକ୍ଷକଲି ଯେ ଶେଷରେ ମୋତେ ଅଟକାଇ ରଖି ମଜୁରୀ ଦେଉଥିଲେ ଏବଂ ଏହି ମଜୁରୀଟା ଅନ୍ୟମାନଙ୍କ ମଜୁରୀ ତୁଳନାରେ ଦୁଇଗୁଣ ଥିଲା । ମୁଁ ଯେତିକି ଆଶ୍ଚର୍ଯ୍ୟ ହେଉଥିଲି, ସେତିକି ଦୁଃଖିତ ମଧ୍ୟ ହେଉଥିଲି । କ୍ରମେ ଏଗୁଡ଼ାକ ମୋତେ ନିତାନ୍ତ ଅସହ୍ୟ ବୋଧ ହେଲା । ମୁଁ ପ୍ରତିବାଦ କରିବାକୁ ଆରମ୍ଭ କଲି । ଅଧିକା ଦେଉଥିବା ମଜୁରୀକୁ ତାଙ୍କୁ ଫେରାଇ ଦେବାକୁ ଆରମ୍ଭ କଲି । କିନ୍ତୁ ସେ ମୋତେ ବାଧ୍ୟକରି ଅଧିକା ମଜୂରି ଦେଉ ଥିଲେ । କେମିତି ମୁଁ କହି ପାରିବି ନାହିଁ ଆଜ୍ଞା ମୋର ତାଙ୍କପ୍ରତି ଘୃଣା ଜନ୍ମିଲା । ମୁଁ ଆଉ ତାଙ୍କୁ ଚାହିଁବାକୁ ଇଚ୍ଛା କଲିନାହିଁ । ସହରର ଅନ୍ୟ ଜାଗାରେ କାମ କଲି । କିନ୍ତୁ ସେ ଖୋଜି ଖୋଜି ମୋତେ ତାଙ୍କର ପାଖକୁ ଫେରାଇ ଆଣିଲେ ।

 

ଏ ହେଉଛି ଦୁଇ ବର୍ଷ ତଳର ଘଟଣା । ସେହିଦିନଠାରୁ ମୁଁ ତାଙ୍କ ଘରେ ରହି ଆସିଛି କହିଲେ ଚଳେ ।

 

ଦିନକର କଥା । ରାୟଚୌଧୁରୀ ତାଙ୍କ ଶଳାଙ୍କ ସହିତ ବୈଠକଖାନାରେ ବସି କଥାବାର୍ତ୍ତା ହେଉଥିଲେ । ମୋର ନା’ଟା ଥରେ ଦି’ଥର ସେଠି ପଡ଼ିବାରୁ ସ୍ୱଭାବତଃ ମୁଁ କବାଟ କଣରେ ଛପି ରହି ସବୁ ଶୁଣିଲି । ତାଙ୍କର ଶଳା କହିଲେ ‘କାହିଁକି ସେ ଲୋକଟା ପିଛା ଅଯଥା ପଇସାଗୁଡ଼ା ସାରୁଛନ୍ତି ?’ ରାୟଚୌଧୁରୀ ଉତ୍ତର ଦେଲେ ‘ସେ କଥା କହନାହିଁ ତୁମେ । ଦୟା ଦେଖାଇବା କଣ ଖରାପ ? ସେ ଭାରି ଗରିବ, ବୁଢ଼ା ବି ହୋଇଗଲାଣି, ଏ ସମୟରେ ଲୋକଙ୍କୁ ସାହାଯ୍ୟ କରିବା କ’ଣ ଉଚିତ ନୁହେଁ ?’

 

ମୁଁ ହଠାତ୍‌ ଉତ୍ତେଜିତ ହୋଇ ପଡ଼ିଲି । ଭାବୁଥିଲି ସେଇଠି ଯାଇ ତଣ୍ଟି ଚିପି ମାରି ଦେବାକୁ । ପଇସା ଅଛିବୋଲି ଲୋକଟା ଦୟା, କ୍ଷମା, କୃତଜ୍ଞତାରେ ବେଶ୍‌ ବ୍ୟବସାୟ ଚଳାଇଛି । କିନ୍ତୁ ମୁଁ କାହିଁକି ସେ ଦୟାର ପାତ୍ର ହେବି ? ମୁଁ କାହିଁକି ଜଣକ ପ୍ରତି କୃତଜ୍ଞ ରହିବି ? ମୋର ଧନ ନାହିଁ–ତେଣୁ ମୋର ବଞ୍ଚିବା ଅର୍ଥ କଣ ରାୟଚୌଧୁରୀଙ୍କର ଦୟା ? ମୁଁ ବଞ୍ଚିବି କଣ ତାଙ୍କର କ୍ଷମା ପାଇବାକୁ ? ମୋର ଆଶା, ମୋର ଆକାଂକ୍ଷା, ମୋର ଜୀବନର ଗତି ସବୁ କଣ କୃତଜ୍ଞତା ପାଖରେ ସୀମାବଦ୍ଧ ?

 

ହଜୁର, ସେଦିନଠାରୁ ମୁଁ ତାଙ୍କୁ ହତ୍ୟା କରିବାପାଇଁ ବାଟ ଖୋଜି ବୁଲିଲି । ଶେଷରେ ହତ୍ୟା କଲି ।’’

 

କିଛିକ୍ଷଣ ଚୁପ୍‌ଚାପ । ବିଚାରପତିଙ୍କ ମୁଣ୍ଡ ଭିତରେ ସତେ ଅବା ଗୋଟାଏ ଝଡ଼ ଆରମ୍ଭ ହେଉଥିଲା । ପଚାରିଲେ -‘‘ତୁମର ସ୍ତ୍ରୀ ପିଲାପିଲି କେହି ଅଛନ୍ତି ?’’

 

‘‘ଥିଲେ, କିନ୍ତୁ ବର୍ତ୍ତମାନ ନାହାନ୍ତି ।’’

 

‘‘କୁଆଡ଼େ ଗଲେ ସେମାନେ ?’’

 

‘‘କହି ପାରିବି ନାହିଁ ।’’

 

‘‘ତୁମେ ବୋଧହୁଏ ଜୀବନରେ କାହାରିକୁ ସ୍ନେହ କରି ନାହଁ ?’’

 

‘‘କରିନାହିଁ କାହିଁକି ?’’

 

‘‘କାହାକୁ ?’’

 

‘‘ମୋ ଭଳି ଲୋକମାନଙ୍କୁ, ଯାହାଙ୍କର ଦୁନିଆରେ ମଣିଷ ଭଳି ବଞ୍ଚିବାର ଅଧିକାର ନାହିଁ ।’’

 

‘‘ରାୟ ଚୌଧୁରୀଙ୍କୁ ସ୍ନେହ ନକରି ତମେ କେମିତି ଘୃଣାକରି ପାରିଲ ?’’

 

‘‘ମୁଁ ତାଙ୍କୁ ଶତ୍ରୁ ବୋଲି ଭାବୁଥିଲି ।’’

 

‘‘କିନ୍ତୁ ତମେ ଏତେ ନିର୍ମମ ହୋଇ ପାରିଲ କେମିତି ?’’

 

‘‘ସମୟ ହୃଦୟରୁ ଶତ୍ରୁକୁ ଜଘନ୍ୟ, ନିର୍ମମ ଭାବରେ ଘୃଣା ନକଲେ, କେହି ତାର ପ୍ରିୟଲୋକଙ୍କୁ ସାର୍ଥକ ଭାବେ ଭଲ ପାଇ ପାରେନା ।’’

ତା-୧୦-୫୫

ବୋଧପୁର

Image

 

ପାଞ୍ଚାଳୀ

 

(ଶିଳ୍ପୀ ଶ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କୁ)

 

ଗୋଟାଏ ପୁରାତନ ପାଣ୍ଡୁଲିପି ଭଳି ମୁହଁ ତାର । ମୁକୁଳା ତା’ର କେଶ । ସବୁ ଧଳା ହୋଇଯାଇଛି ।

 

ଶୋଇଛି ମେରୁପ୍ରଭା । ନିଦ ତା’ର ଅସରନ୍ତି ।

 

ଛୋଟ କୋଠରୀଟି ତା’ର । ଗୋଟାଏ କରକୁ ତା’ର ବିଛଣା । ଅନ୍ୟ କରରେ ଚଉକି କେତେଗୁଡ଼ିଏ । କେତେଗୁଡ଼ିଏ ଦରପୋଡ଼ା ସିଗାରେଟ, ପରିଷ୍କାର ହୋଇନି । ଜଣାପଡ଼ୁଥିଲା ଗତ ରାତିରେ କେତେଗୁଡ଼ିଏ ଭଦ୍ରଲୋକଙ୍କର ବୈଠକ ସେ ଘରେ ବସିଥିଲା ।

 

ଆଉ ସେଇ ଫଟୋଟି । ସେତ ଅନେକ ଦିନର କଥା ଆଜିକା’ର ଚେହେରା ସଙ୍ଗେ କିଛି ସାମଞ୍ଜସ୍ୟ ନାହିଁ । କିଏ କହିବ ଇଏ ସେଇ ମେରୁପ୍ରଭା କିନ୍ତୁ ସେଇ ଆଖି ଯେମିତି ଫଟୋ ଭିତରୁ ଆଦେଶ ଦେଉଛି ଏଇ ନିଦ୍ରିତା ମେରୁପ୍ରଭା ଆଡ଼େ–‘‘ଉଠ୍‍ ମେରୁପ୍ରଭା, ସକାଳ ଛଅଟା ହେଲାଣି ପରା ?’’

 

ସକାଳ ଛଅଟା ହେଲାଣି । କାଚ ଝରକା ଆରପାଖରେ କୁହୁଡ଼ି । ତା’ ଆର ପାଖରୁ ବାଳସୂର୍ଯ୍ୟର କିରଣ ବିଦ୍ଧ କରୁଛି କାଚର ଝରକା । କା ଭାଁ ଗୋଟାଏ ଦି’ଟା ଟ୍ରକର ଦଉଡ଼ । ପଞ୍ଝାଏ ଚିଲ ଓ କାଉଙ୍କର ସକାଳର ସାନାଇ, ଆଉ କେତୋଟି କ୍ଷୀଣ କ୍ରନ୍ଦନର ଧାରା–ମରିଯାଇଛି ପରା ସେପ୍‌ଟିକ୍‌ ଓ୍ୟାର୍ଡ଼ର ସେଇ ପୁରୁଣା ରୋଗୀଟି । ଭୋର ହୋଇଛି ।

 

ଫ୍ଲିଟ୍‌ର ଗନ୍ଧ ଆସୁଛି ତା’ର କୋଠରୀ ଭିତରୁ । ସମ୍ଭବ ସାରା ରାତିଟା ସେ ମଶା ମାରିବାରେ ବ୍ୟସ୍ତ ଥିଲା ।

 

ଆଇନା ପାଖ ଛୋଟ ଫଟୋଟି ଉପରେ ରହିଯାଇଛି ଘନ ଫ୍ଲିଟ୍‌ର ଦାଗ । ଆଉ ଚିହ୍ନି ହେଉ ନାହିଁ ସେଇ ଚଉଦ ବର୍ଷର ବାଳକଟିକୁ । ଯାହାର ହାତରେ ଥିଲା ତୁଳୀ, ଆଖିରେ ଥିଲା ଆଗକୁ ମାଡ଼ି ଚାଲିବାର ସଙ୍କେତ, ଯାହାର ଆଶା ଥିଲା ବିରାଟ, ସେ ଚାହୁଁଥିଲା ସେ ବି ହେବ ଦିନେ ତାର ବାପ ଭଳି ।

 

ପଢ଼ି ହେଉନାହିଁ ଫଟୋର ତଳେ ଲେଖାଥିବା ତାର ଜନ୍ମର ତାରିଖ ଓ ମୃତ୍ୟୁର ତାରିଖ-

 

ମରିଯାଇଛି ସେ ଟାଇଫଏଡ଼୍‍ରେ ।

 

ସେତେବେଳେ ମେରୁପ୍ରଭା ଡାକ୍ତରାଣୀ ହୋଇ ନ ଥିଲା । ବହୁତ ଦିନ ତଳର କଥା ସେ-। ଆଜିର ସକାଳ ଥିଲା ସେଦିନ । ମେରୁପ୍ରଭା ଶୋଇଥିଲା । ଠିକ୍‌ ଏମିତି ଏମିତି କୁହୁଡ଼ ଘେରା ସକାଳର ଭିଜା ଭିଜା ଥଣ୍ଡା ପବନ ! ଆଉ ସାତସିଆଁ ଚାଦର ଖଣ୍ଡେ ଦେହରେ । କିନ୍ତୁ କାଚର ଝରକା ନୁହେଁ । ଝରକାର ଅସ୍ତିତ୍ୱ ନ ଥିଲା । ଗୋଟାଏ ବଡ଼ କଣା ଦେହରେ ଖଣ୍ଡେ ଅଖାର ଆଚ୍ଛାଦନ । ବାହାରେ ଝାଉଁ ବଣର ସାଇଁ ସାଇଁ । ତାକୁ ଭେଦ କରି ଧାଇଁ ଆସୁଛି ଶୀତଳ ପବନ ।

 

‘‘ଓଃ ଶୀତ’’–ଚିତ୍କାର କଲା ତାର ଭାଇ ନୀଳଧାର । ଦେହରେ ତାର ତାତି ।

 

ଦୁଧ ନ ଥିବା ଚା’ ସକାଳୁ ତିଆରି ସରିଛି । ଛିଣ୍ଡା ସପ ଉପରେ ବସି ପଥୁରୀରେ ଚୁମ୍ୱକ୍‌ ଦେଉଛନ୍ତି ବାପା । ପିନ୍ଧା ଭିତରେ ଖଣ୍ଡେ ଗାମୁଛା । ଦେହରେ ଖଣ୍ଡେ ପୁରୁଣା କୋଟ ସେ କି ବିକାଶୋନ୍ମୁଖୀ ପାଞ୍ଜରାକୁ ଲୁଚାଇ ପକାଉଛି ।

 

‘‘କଣ ସେ ଖାଇଲା ?’’ ପଚାରିଲେ ବାପା ।

 

‘‘ନା, କହୁଛି ବଡ଼ ଗନ୍ଧ, ଚୁକୁଣ୍ଡା ଶାଗ ମଣିଷ ଖାଆନ୍ତି ନାହିଁ । ଖାଇଲା ନାହିଁ ଫୋପାଡ଼ି ଦେଲା’–ମେରୁପ୍ରଭା ଜବାବ ଦେଲା ।

 

ଦୁଇ ଚାରିଟା ଚାପଡ଼ା ।

 

‘‘ହାଁ ହାଁ କଣ କରୁଚ ତମେ, ତମ ମୁଣ୍ଡ ଖରାପ ହେଲାଣି କି ? ଜରୁଆ ପିଲାଟାକୁ ମାରିବାକୁ ତମ ହାତ ଉଠିଲା କେମିତି ?’’ ବୋଉ ଆଖିରେ ଅଶ୍ରୁର ବନ୍ୟା ଛୁଟିଲା ।

 

ଆଉ ଚାକୁଣ୍ଡା ଶାଗ । ଦୁଇଟି ଡିମ୍ୱ ଓ ଗୋଟିଏ କମଳା ଲେମ୍ଭୁ ସଙ୍ଗେ ସମାନ । ପୁଣି ଅଧିକା ଅଛି ଆଇରନ–କଲିଜାକୁ ଦମ୍ଭ କରେ । ଅଛି ଭିଟାମିନ ସି-ହାଡ଼କୁ ଦୃଢ଼ କରେ, କ୍ଲୋରୋଫିଲ–ଦାନ୍ତ ମଜଭୁତ କରେ । ଆହୁରି ବହୁତ ଜିନିଷ ଅଛି–ଯାହା ଆବିଷ୍କାର ହୋଇନାହିଁ । ନେତାଙ୍କର ଡାକ୍ତର ପୁତ୍ର ବର୍ତ୍ତମାନ ସେ ବିଷୟରେ ଗବେଷଣାରତ । ତେଣୁ ମହାମାରୀ, ବନ୍ୟା, ଅନାବୃଷ୍ଟି ସଂକୁଳିତ ଦେଶରେ ଖାଦ୍ୟପାଇଁ ହାହାକାର କରି ଚିତ୍କାର କରୁଥିବା ମୁମୂର୍ଷୁ ମଣିଷ ପାଇ ନେତା ନୂତନ ବାଣୀରେ ଖବର କାଗଜର ପୃଷ୍ଠା ମଣ୍ଡନ କଲେ–ସବୁ ମିଛ, ମିଛ । ଗୋଟାଏ କପ୍‌ ଗରମ କଫି ପାନ ପରେ ଯେତେସବୁ ବାଜେ ଥାର୍ଡ଼କ୍ଲାସ ଖବର ଏଇ ସମ୍ୱାଦଦାତାମାନେ ଯୋଗାନ୍ତି ମୃତ୍ୟୁ କେବେ ଆସି ପାରେନା–ସେ ପର୍ଯ୍ୟନ୍ତ ଏ ଦେଶରେ ଚାକୁଣ୍ଡା ଶାଗ ଅଛି ।’’

 

ଚାକୁଣ୍ଡା–ଟାଇଫଏଡ଼୍‍ ରୋଗୀର ଖାଦ୍ୟ । ଚାକୁଣ୍ଡା ପ୍ରସୂତୀର ଖାଦ୍ୟ । ଚାକୁଣ୍ଡା ଦେଶର ଆଶା, ଦେଶର ଭରସା । ମଣିଷ ଏଥର ଉଠୁଛି ଉପରକୁ, ଗତିରେ, ବେଗରେ, ସୁଖ ସ୍ୱାଚ୍ଛନ୍ଦ୍ୟରେ ପୁଣି ଆହୁରି ଉପରକୁ–ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ରାହୁ, ଆହୁରି–ଧ୍ରୁବ, ଭାଦ୍ର, ଅରୁନ୍ଧତୀ–ଆଗକୁ ଅଛି ନିହାରୀକା । ଅସମାପ୍ତ ସେ ବିଜୟ । ବିଜୟୋନ୍ମୁଖୀ ମଣିଷ ମାଡ଼ି ଚାଲିଛି ଆଗକୁ ।

 

ଏଇଠି ପଛରୁ ଗୋଟାଏ ଝିଙ୍କା–ହାତରୁ ଖସି ପଡ଼ିଲା ତୂଳି ।

 

ମୃତ୍ୟୁ ହେଲା ଚାକୁଣ୍ଡା ଜୁସ୍‌ଖିଆ ଅନାଗତ ଭବିଷ୍ୟତର ଶିଳ୍ପୀ ନୀଳଧାରର । ମଧ୍ୟ ଜୀବନ୍ତ ଅବସ୍ଥାରେ ମୃତ୍ୟୁ ହେଲା ବାପାଙ୍କର ।

 

ଆଖି ଆଗରେ–ତୁଳି ସବୁ ଉଇ ଖାଇ ଯାଉଛନ୍ତି । କାନ୍‌ଭାସ ଗୁଡ଼ିକ ଚାଦର ଭାବେ ବ୍ୟବହୃତ ହେଉଛି । ରଙ୍ଗ ସବୁ ଜମାଟ ବାନ୍ଧିଛି । ବୋଉ ବସିଛି ତଳକୁ ମୁହଁ କରି । ଆଉ ବାପା ? ଆହା ବାପା !!!

 

ଚନ୍ଦାମୁଣ୍ଡ । ବାଳ ଆସ୍ତେ ଆସ୍ତେ ଧଳା ଧରୁଛି । କପାଳର ଦାଗ–ବୟସର ନୁହେଁ । ଗୁଡ଼ାଏ ଅକ୍ଷରରେ ଲେଖା ଯେମିତି

 

‘‘ଆପଣ ପାଶ୍‍ କରିଛନ୍ତି କେଉଁଠୁ ?’’

 

‘‘ଗଭର୍ଣ୍ଣମେଣ୍ଟ ସ୍କୁଲ ଅଫ୍‌ ଆର୍ଟ ।’’

 

‘‘ଦେଖନ୍ତୁ ଆପଣ କିଛି ମନେ କରିବେ ନାହିଁ, ମୁଁ ସତ କଥାଟା କହିଦିଏ’’–ଅଫିସର ଜଣକ କହିଲେ । ‘‘ଅବଶ୍ୟ ବ୍ୟକ୍ତି କଥାଟା କହିଦିଏ’’–ଅଫିସର ଜଣକ କହିଲେ । ‘‘ଅବଶ୍ୟ ବ୍ୟକ୍ତିଗତ ଭାବେ ମୁଁ ଛବିକୁ ପସନ୍ଦ କରେ, କିନ୍ତୁ ସରକାର ଜଣେ ଆର୍ଟିଷ୍ଟକୁ ନିଯୁକ୍ତ କରି ତାଙ୍କ ଦ୍ୱାରା ଦେଶର କି ଉପକାର ସାଧିତ କରାଇବେ ? ଆପଣ କୁହନ୍ତୁ ?’’

 

ଚାକିରୀ ହେଲା ନାହିଁ ।

 

ପୁଣି ଆଉ ଗୋଟିଏ ଦାଗ । ଏଟା ତାଙ୍କର ଚାକିରୀ ଜୀବନ । ଗୋଟିଏ ଘରୋଇ ହାଇସ୍କୁଲରେ ଅଶୀ ଟଙ୍କା ଦରମାରେ ଶିକ୍ଷକ । ଖୁବ୍ ଦୟା କରିଛନ୍ତି ସ୍କୁଲର ସେକ୍ରେଟେରୀ ଏବଂ ସେଇ ଦୟାର ସମୂଳ ସୁଧ କଡ଼ା ଗଣ୍ଡା କ୍ରାନ୍ତି କରି ହିସାବ କରି ନେଉଛନ୍ତି ‘‘କରି ପାରିବ ଶିଳ୍ପୀ ମୋର ଗୋଟାଏ ପୋଟ୍ରେଟ ? ଆଉ ଦେଖନ୍ତୁ ମୋର ସ୍ତ୍ରୀ ଏଇ ହନିସକ୍ଳ ଗଛକୁ ଖୁବ୍‌ ଭଲ ପାଆନ୍ତି, ତାଙ୍କର ପୋଟ୍ରେଟା ଯେମିତି ଅତି ଚମତ୍କାର ହୁଏ । ...ଏଇ ନୂଆ ଘର କଥା କହୁଥିଲି- ଗୋଟାଏ ବଢ଼ିଆ ଲ୍ୟାଣ୍ଡସ୍କେପ ହୋଇପାରିବ ଦେଖନ୍ତୁନା, ଆପଣଙ୍କ ମତ କଣ ? ...ବାଃ ବାଃ ବଢ଼ିଆ ଶିଳ୍ପୀ । ଆଉ ଇଏ ଆମର ମଧୂର ସମ୍ପର୍କ ହେବ–ଦେଖନ୍ତୁ ନା, ଇଆର ଗୋଟାଏ କିଛି ହୋଇ ପାରିବ କି ନାହିଁ ? ଦେଖିଛନ୍ତି ଆମର ନୂଆଘର ? ତିରିଶ ଚାଳିଶଟା ଲ୍ୟାଣ୍ଡସ୍କେପ ଦରକାର ।’’

ତଥାସ୍ତୁ ତଥାସ୍ତୁ । ତ୍ୱମେବ ମାତାବ ପିତା... ।

 

ସର୍ବଶେଷରେ ସେକ୍ରେଟେରୀଙ୍କର କନ୍ୟା କୁରୁବଲ୍ଲୀ । ସାଙ୍ଗରେ ପାଳିତ ବିରାଟ ଆଲ୍‌ସୋସିଆନ୍‌ ।

 

‘‘ସାର...ଏଇ କୁକୁର ସହିତ ମୋର ଗୋଟିଏ ଛବି ।’’

 

କୁରୁବୁଲ୍ଲୀ–ଯୁବତୀ କୁରୁବଲ୍ଲୀ । ଦେହରେ ଭାଙ୍ଗୁଛି ଯୌବନର ଉତ୍ତାଳ ତରଙ୍ଗ । ଚକ୍ଷୁରେ ହୀରକ ବିନିନ୍ଦିତ ସ୍ୱଚ୍ଛତା । ଆଉ କଣ୍ଠସ୍ୱର କି ମଧୁର ! ବିଦୁଷୀ କୁରୁବଲ୍ଲୀ । ପ୍ରଶଂସାରେ ଉଚ୍ଛୁଳ ଉଠୁଛି ମହାନଗରୀ ପ୍ରତି ପଦକ୍ଷେପରେ ଫୁଟି ଉଠୁଛି ସ୍ୱର୍ଣ୍ଣର ଶତଦଳ । ସେଇ ମୁହଁତଳୁ ଉଙ୍କି ମାରୁଛି କନ୍ୟା ମେରୁପ୍ରଭା । ପାଣ୍ଡୁର ବିବର୍ଣ୍ଣ ମୁହଁ । ଓଠରେ ରକ୍ତର ଆଭା ନାହିଁ । ଦିନେ ବି ସେ ଜର୍ଜେଟ ଶାଢ଼ୀର ସ୍ୱପ୍ନ ଦେଖିନାହିଁ ଏବଂ ମହାନଗରୀ ଗାଉଛି ତା’ର ଦୁର୍ନାମ–କଳଙ୍କିନୀ ମେରୁପ୍ରଭା, ପତିତା ମେରୁପ୍ରଭା । ରାତିସାରା ଘୂରେ ୟା ତା ସାଙ୍ଗରେ । ତାକୁ ଦେଖିଛନ୍ତି ଅମୁକ ବାବୁ । ଯେଉଁଠି ଟିଉସନ କରେ ସେ ଘର ମାଲିକଙ୍କ ସହିତ ତା’ର ପ୍ରଣୟ । ରାସ୍ତାର ଗାଡ଼ିବାଲା ତାକୁ ଦେଖି ବି ପ୍ରେମ ସଙ୍ଗୀତ ଗାଏ...‘‘ତେବେ ଦ୍ୱାରେ ଖାଡ଼ା ଏଇ ଯୋଗୀ... ।’’

 

‘‘ତୋର ମୃତ୍ୟୁ ହେଉ ମେରୁପ୍ରଭା । ବଞ୍ଚିବାରେ ସାର୍ଥକତା ନାହିଁ ତୋର ।’’ ତାଙ୍କୁ କେନ୍ଦ୍ର କରି ପୃଥିବୀଟା ଘୂରିଗଲା । ତଳେ କଚାଡ଼ି ହୋଇ ପଡ଼ିଲେ । ଏବଂ ଶେଷ ଦାଗର ଇତିହାସ କହେ ଖବର କାଗଜ । ଅମୁକ ରାଜ୍ୟର ‘ମହାମାନ୍ୟ’ ଶିଳ୍ପୀ ନିଳାଲେଖଙ୍କୁ ଅନୁରୋଧ କରିଛନ୍ତି ତାଙ୍କର ପଚିଶଖଣ୍ଡ ଛବି ସାଙ୍ଗରେ ନେବା ପାଇଁ । ଏଇଥର ବିଚାରା ଓଡ଼ିଆ ଶିଳ୍ପୀର ଭାଗ୍ୟ ଫିଟିଛି ।

 

‘‘ଆଉ କଣ ଆପଣ ଟଙ୍କା କଥା କହୁଛନ୍ତି ? ...ହେଃ...କଳାର ତାରିଫଟା କଳାର ମୂଲ୍ୟ-। ଆର୍ଟ ଫର ଆର୍ଟ ସେକ୍‌ । ସେଟା ଜୀବନ ପାଇଁ ନୁହେଁ, ଟଙ୍କା ପାଇଁ ନୁହେଁ ।’’

 

‘‘କିନ୍ତୁ ଶିଳ୍ପୀ ତ ପୁଣି ବଞ୍ଚିବା ଦରକାର ।’’

 

‘‘ଓଃ, ତେବେ ନିଅନ୍ତୁ ପଚିଶଟା ଟଙ୍କା–ପକେଟ ଖର୍ଚ୍ଚ । ଟଙ୍କା କିବା ଛାରକଥା...ଜଣେ ଓଡ଼ିଆ ଶିଳ୍ପୀ, ଯାହାର କୋଣାର୍କ ସ୍ଥାପତ୍ୟର ବଳିଷ୍ଠ ଓ ବିରାଟ ପଶ୍ଚାତ୍‌ ଭୂମିକା ଅଛି, ଏ ଦାନଟା ତାଙ୍କର ବୋଲିତ ଦିନେ ଜଗତ କହିବ ?’’

 

‘‘ପଛଆଡ଼େ କୋର୍ଣାକ ସ୍ଥାପତ୍ୟ ଥିବା ଓଡ଼ିଆ ଶିଳ୍ପୀର ଆଜିପର୍ଯ୍ୟନ୍ତ ପକେଟ୍‌ ତିଆରି ହେଇନି ମହାଶୟ ।’’ ତା’ପରେ ଆରମ୍ଭ ହେଲା ହସ ଅବିରାମ ଭାବେ ।

 

‘‘ବାପା, ବାପା, କଣ ହେଲା ତମର ।’’ ମେରୁପ୍ରଭା ଥରୁଛି ଗୋଟାପଣେ ।

 

‘‘ହାଁ ହାଁ ଏଇ ମୁଣ୍ଡଟା ଟିକିଏ ଗରମ ହୋଇଯାଇଛି । ଖରାଦିନ କିନା । ଅଳ୍ପ ଥଣ୍ଡାତେଲ ମାଲିଶ କରିଦେଲେ ସବୁ ଠିକ୍‌ ହୋଇଯିବ ।’’ ପଡ଼ୋଶୀମାନେ ପ୍ରସ୍ତାବ ଦେଲେ ।

 

ଶିଳ୍ପୀ ନିଳାଲେଖ ପାଗଳ ।

 

ଲୋଡ଼ା ପଥି, ଦରକାର ଔଷଧ । ପୁଣି ଡାକ୍ତରଙ୍କ ସାହାଯ୍ୟ । ଆହୁରି ବାକି ସେବା ଶୁଶ୍ରୁଷା ।

 

‘‘ବୋଉ କାନ୍ଦୁଛୁ କାହିଁକି–ଆଶ୍ୱାସନା ଦେଲା ମେରୁପ୍ରଭା । ‘‘ଯାହା ହବାରିତ ହୋଇଗଲାଣି-। ଏଣିକି ସହିବାକୁ ପଡ଼ିବ ସବୁ । ଏବର୍ଷ ମୁଁ ଡାକ୍ତରୀ କ୍ଲାସରେ ଆଡ଼ମିସନ୍‌ ନେଉଛି-।’’

 

‘‘ଟଙ୍କା ?’’

 

‘‘ବୃତ୍ତି ପାଉଛି କୋଡ଼ିଏ ଟଙ୍କା । ଆଉ ବାକୀ ପାଇଁ ଦୁଇଟା ଟିଉସନ କଲେ ଚଳିଯିବ ବୋଧହୁଏ । କଣ କହୁଛୁ ?’’

 

ହଟିଯାଇନି ମେରୁପ୍ରଭା । ଆଖିରେ ତାର ସେଇ ସଙ୍କେତ ମୁଁ ଆଗକୁ ମାଡ଼ିଯିବି, ମୁଁ ଆଗକୁ ମାଡ଼ିଯିବି । ମୋର ଅସ୍ତିତ୍ୱକୁ ବଜାୟ ରଖିବାକୁ ମୁଁ ଡିନୋସାର ସଙ୍ଗେ ଯୁଦ୍ଧ କରିଛି–ଯୁଦ୍ଧ କରିଛି ସମୁଦ୍ରରେ, ଯୁଦ୍ଧ କରିଛି ପବନରେ, ଯୁଦ୍ଧ କରିଛି ବିକିନୀ, ନାଭଡ଼ା, କ୍ରିଷ୍ଟମାସ୍‌, ସାଇବିରିଆରେ । ମୋ ପାଖରେ ହାରମାନିଛି ସମସ୍ତ । ସବୁରି ସଙ୍ଗେ ଯୁଦ୍ଧକରି ମୁଁ ଆଜି ମଣିଷ । ମୋର ଧର୍ମ ସଂଗ୍ରାମ, ମୋର ଅସ୍ତିତ୍ୱର ସାର୍ବଭୌମତା ।

 

ତେଜିୟାନ ଆଖିତଳୁ ଉଙ୍କି ମାରିଛି ମେରୁପ୍ରଭାର ଗୋଟାଏ ବଳିଷ୍ଠ ବ୍ୟକ୍ତିତ୍ୱ । ସେଇ ଫଟୋ ।

 

ଆଇ. ଏସ୍‌. ସି. ପରୀକ୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ଜାଣିଲା ପରେ ଯେତେବେଳେ ଫଟୋଗ୍ରାଫରମାନେ ମୁହଁ ବୁଲାଇ ନେଲେ, ସେତେବେଳେ କୁରୁବଲ୍ଲୀ ଅନୁରୋଧ କଲା ‘ତୋର ଗୋଟାଏ ଫଟୋ ଉଠାଯାଉନା ମେରୁପ୍ରଭା ?’

 

ଧନ ନେଇ ଗର୍ବ କରୁଥିବା ଲୋକଙ୍କ ପ୍ରତି ଚିରଦିନ ମେରୁପ୍ରଭା ଭିତରେ ଘୃଣା ରହିଥିଲେ ସୁଦ୍ଧା କୁରୁବଲ୍ଲୀ ପ୍ରସ୍ତାବକୁ ସେଦିନ କାହିଁକି ସେ ଏଡ଼ି ପାରିଲା ନାହିଁ । ଫଟୋ ତାର ଉଠା ହେଲା । ପୁଣି ତାର ଦାରିଦ୍ର୍ୟକୁ ବିଦ୍ରୂପ କରି କୁରୁବଲ୍ଲୀ ସୁନେଲି ପ୍ରେମରେ ବନ୍ଧାଇ ଦେଇଥିଲା ସେ ଫଟୋଟି ।

 

ବହୁତ ଦିନ ତଳର କଥା ସେ । ଇତିହାସର ଗୋଟାଏ ଛିନ୍ନ ପୃଷ୍ଠା । ଆଜିର ପଞ୍ଚଷଠି ବର୍ଷ ବୟସ୍କା ନିଦ୍ରିତା ମେରୁପ୍ରଭା ସହିତ କିଛି ସାମଞ୍ଜସ୍ୟ ନାହିଁ । କୁରୁବଲ୍ଲୀ ହଜିଛି ସମୟର ସୁଅରେ । ହଜିଛନ୍ତି ବାପା ଓ ବୋଉ–ଖବରକାଗଜରେ ଜାଗା ପୂରଣ କରା ଛୋଟ ଛୋଟ ସମ୍ୱାଦ ସବୁ । ପୁଣି ବୟସର ଛାପ ଧରି ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି କଲେଜ ସାଥି ଶେଷ କିରଣ, ଚନ୍ଦ୍ରକାନ୍ତ, ଧନ୍ୱନ୍ତରୀ ଆହୁରି ଅନେକ । ସେମାନଙ୍କଠାରୁ ଲିଭିଛି ଯୌବନର ଚଞ୍ଚଳତା–ଲିଭିଛି ଚା ଦୋକାନରେ ସେଇ ଅଡ଼୍‌ଡ଼ା ଗପ–

 

‘‘ଓ ମେରୁପ୍ରଭା କଥା କହୁଛଟି ? ଦିନେ ଅଧଲଟାଏ ଦେଇନି ଆମର ଦେଶ ଉନ୍ନୟନ ପାଣ୍ଠିକୁ ।’’ ବିଡ଼ି ଟାଣୁ ଟାଣୁ ଦେଶର ନେତା ଚନ୍ଦ୍ରକାନ୍ତ କହେ ।

 

‘‘ଛୋଟ ଲୋକର ଝିଅ ସେଟା–ଖାଲି ଟଙ୍କା ରଖିଲେ କଣ ହେବ ?’’ ହୋଟେଲ ମ୍ୟାନେଜର ଧନ୍ୱନ୍ତରୀ କହେ ।

 

ଶେଷ କିରଣ କଥାର ମୋଡ଼ ଘୂରାଇ ଆରମ୍ଭ କରେ ‘‘ଦେଖିଛନ୍ତି ମେରୁପ୍ରଭାର ପୁଅକୁ-? ବଢ଼ିଆ ଛୁଆଟେ ହୋଇଛି ।’’

 

ଅବିବାହିତା ମେରୁପ୍ରଭାର ସନ୍ତାନ ! କିଏବେ ତାର ବାପ । ଫୁସ୍‌ ଫୁସ୍‌ ଟାପ୍‌, ଭୁଟ୍‌ ଭାଟ୍‌ ସହର ଉଛୁଳୁଛି । ହେଇ ଆସୁଛି ମେରୁପ୍ରଭା ହେଇ ଯାଉଛି ଏଇବାଟେ । ୟା ସାଙ୍ଗରରେ ଚା’ ଖାଇଲା । ତାକୁ ଚାହିଁ ହସିଲା । ତାକୁ ମାଗଣାରେ ଚିକିତ୍ସା କରେ । ୟାଙ୍କ ଘରୁ ଫିସ୍‌ ନିଏ ନାହିଁ । ଓଃ ପୁଣି ଦରିଦ୍ର ଛାତ୍ରଙ୍କୁ ଟଙ୍କା ଦିଏ ହେ । ଆବେ ରାତିରେ କାମଉଛି ଦିନରେ ନ ଦବ କାହିଁକି ? ଇଏ ପୁଣି ଯାଇଥାନ୍ତେ ବିଲାତ–ବିଲାତ ହେଃ ହେଃ...

 

ମେରୁପ୍ରଭା ଦିନେ ଦେଖୁଥିଲା ବିଲାତର ସ୍ୱପ୍ନ । କିନ୍ତୁ ସେ ସ୍ୱପ୍ନ ହେଲା ଚୁରମାର ।

 

ନାଗବଲ୍ଲଭୀ ଚିଠି ଲେଖିଲା ନେପ୍ଲସରୁ-‘‘ବୁଝିଲୁ ମେରୁପ୍ରଭା–ଆମେ ଖାଲି ବହିରେ ପଢ଼ିଥିଲେ ଏ ଦେଶର ବର୍ଣ୍ଣନା । କିନ୍ତୁ ତା’ ଅପେକ୍ଷା ଏଇଟା ହଜାର ଗୁଣେ ସୁନ୍ଦର । କେମିତି ବର୍ଣ୍ଣନା କରିବି ସେ କଥା x x ମୁଁ ମନଭରି ଏଠି ଅଙ୍ଗୁର ଖାଉଛି । କି ମିଠା, ଅଃ ତୁ ଯଦି ଆସିଥାନ୍ତୁ ନା...ଅଙ୍କା ବଙ୍କା ରାସ୍ତାରେ ଘୂରୁଛି ଆମର ଟ୍ୟାକ୍‌ସି । ଗତ କାଲି ଦେଖିଥିଲୁ ପମ୍ପେଆଇ । କି କାରୁକାର୍ଯ୍ୟ ମଣିଷ ହାତ ତିଆରି କି ଅଭୁତ କାରିଗରୀ...ବିଶ୍ୱାସ କରି ହୁଏନା; କୋଣାର୍କ ପାସଙ୍ଗରେ ପଡ଼ିବ ନାହିଁ । ଏଠୁ ଯିବି ଟ୍ରେନ୍‌ରେ । ବିସ୍କେ ଉପସାଗର ଝଡ଼ ମୁଁ ସହି ପାରିବି ନାହିଁ ।

 

ସହି ପାରିବ ନାହିଁ ଏ ଝଡ଼କୁ ନାଗବଲ୍ଲଭୀ । ଝାଉଁଳି ପଡ଼ିବ ସେ ।

 

ଟିକି ଟିକି କରି ଚିଠିଟା ଛିଣ୍ଡାଇ ପକାଇଲା ମେରୁପ୍ରଭା । କାନ ଭିତରେ ଯେମିତି ସ୍ୱୟଂକ୍ରୀୟ ଯନ୍ତ୍ରଭଳି ଆବାଜ କରୁଛି ନାଗବଲ୍ଲଭୀର ଯେମିତି ସ୍ୱୟଂକ୍ରୀୟ ଯନ୍ତ୍ରଭଳି ଆବାଜ କରୁଛି ନାଗବଲ୍ଲଭୀର ବାପା ବୀରନ୍ଦ୍ର ପ୍ରତାପଙ୍କ କଥା–

‘‘ଶୁଣିଲି ମେରୁପ୍ରଭା ବୃତ୍ତି ପାଇ ବିଲାତ ଯାଉଛି ? କଣ ସତ କଥା ?’’

‘‘ହଁ, ସେଇତ ଏକା ଥିଲା ପ୍ରଥମ ଶ୍ରେଣୀର ପାଶକରା ଝିଅ ।’’

‘‘କିନ୍ତୁ ତା’ ନାମରେ ଯେଉଁ ଗୁଜ୍ଜବ ?’’

‘‘ଗୁଜବ ?’’

‘‘ହେଁ ଏଇ ସହରର ପ୍ରତ୍ୟେକ ଗଳି କନ୍ଦିରେ ତା’ ନାମରେ ଯେଉଁ ଗୁଜ୍ଜବ ଉଠେ ଏବଂ ଗୁପ୍ତ ରାଜନୈତିକ ଦଳ ସହିତ ତାର ସମ୍ପର୍କ ପ୍ରତି ସରକାର କୌଣସି ଦୃଷ୍ଟି ଦେଇ ନାହାନ୍ତି ।’’

‘‘ଓଃ ଆପଣ କଣ କହୁଛନ୍ତି ?’’

‘‘ମୁଁ କେବେ ଆଜିଯାଏ ମିଛ କହି ନାହିଁ ଡାକ୍ତର ବାବୁ । ଦେଖିଛନ୍ତି ମେରୁପ୍ରଭାର ହାତକୁ-? ଦେଖିଛନ୍ତି ତା ମୁହଁଟା କେମତି ବିବର୍ଣ୍ଣ ହୋଇଗଲାଣି ?’’

ଚକ ଘୂରିଗଲା । ତେଲିଆ ମୁଣ୍ଡରେ ତେଲ ଅଜାଡ଼ ମେରୁପ୍ରଭା ଦେଳରେ ନାଗବଲ୍ଲଭୀ ହେଲା ନିର୍ବାଚିତା । କିଏ ପଚାରିବ କାହିଁକି ? ଚୁପ୍‌ ରହ । ପ୍ରଶ୍ନ ପଚାରିବାକୁ ତମେ କିଏ ? ଜାଣିଛ ଏଟା ସରକାରୀ କଳ, ଗଣତନ୍ତ୍ରର କଳ । ପଛରେ ଘୂରୁଛି ଅଶୋକ ଚକ୍ର । ଆଉ କି ପ୍ରଶ୍ନର ଉତ୍ତର ଚାହଁ ତମେ ?

‘‘ମୋର କିଛି ପ୍ରଶ୍ନ ନାହିଁ’’ ବିଦ୍ରୂପ କଲା ମେରୁପ୍ରଭା ‘‘ଏଇ ଭଲ । ଦରମା ଦେଢ଼ଶହ । ମାଗଣାରେ ଘର । ବିଜୁଳୀବତୀ, ପଙ୍ଖା, ପାଣି କଳ । ସକାଳୁ ସଞ୍ଜେ ରୋଗୀଙ୍କ ସେବା । ତାଛଡ଼ା ସନ୍ଧ୍ୟାରେ ମହନଦୀ ପାଣିରେ ଜ୍ୟୋତ୍ସ୍ନା ବିହାର କିମ୍ୱା କାଠଯୋଡ଼ି ବାଲିରେ ଉପସଂହାର । କଣ କହୁଛନ୍ତି ସାର୍‌ ।’’

‘‘କଣ ଗୁଡ଼ାଏ କହୁଛ ତମେ, ଟିକିଏ ସଂଯତ ହୁଅ ଏଥର ।’’ ବଡ଼ ଡାକ୍ତର କହିଲେ ।

 

‘‘ମୁଁ ଚିରଦିନ ଅସଂଯତ ସାର୍‌ । ଦେଖୁ ନାହାନ୍ତି ତା’ରି ଫଳରେ ମୋର ରକ୍ତ ପଜେଟିଭ-। ହାତରେ ସିପିଲିସର ଘା... ।’’ ହସି ପକାଇଲା ମେରୁପ୍ରଭା ।

 

ବୁକୁ ଭିତରେ ତାର ଦଳି ଦେଉଥିଲା ନୈରାଶ୍ୟ । ଆଜିକୁ କୋଡ଼ିଏ ବର୍ଷ ତଳ । ଇତିହାସର ସେଇ ଧୂଆଁ ଆଜି ଶୀତ ସକାଳର କୁହୁଡ଼ି ।

 

ଶୋଇ ଯାଇଛି ମେରୁପ୍ରଭା । କୁହୁଡ଼ିର ଦୁର୍ଗକୁ ଫଟାଇ ଦେଇ କାଚ ଝରକା ଭେଦି ପଡ଼ୁଛି ସୂର୍ଯ୍ୟର ଚେନାଏ କିରଣ । ଭିଜି ଯାଇଛି ଶେଷକିରଣ ଗରମ ଶାଲ । କୁହୁଡ଼ି ପଶି ଯାଉଛି ଗରମ ଓଭର କୋଟ ଭିତର ଦେଇ । ଚଷମା ଉପରେ ଜମି ଯାଉଛି କାକର ଟୋପା ଟୋପା । ତଥାପି ଦେହରୁ ବାହାରୁଛି ବାମ୍ଫ । ଅସହ୍ୟ ତାର ଉତ୍ତାପ । ଡିସେମ୍ୱର ସକାଳର ଥଣ୍ଡାକୁ ପରାଜିତ କରି ଶେଷକିରଣର ଦେହ ଜଳି ଯାଉଛି ।

 

କାର ଝରକା ସେପାଖେ–ଗତ ରାତ୍ରିରେ ମେରୁପ୍ରଭାର ଯେମିତି ସେଇ ଜଳନ୍ତା ଆଖି ଦୁଇଟାର ଉତ୍ତାପ ଏବେ ବି ଲିଭି ନାହିଁ । କାନ୍ଥର ଅଦୃଶ୍ୟ ରନ୍ଧ୍ର ଦେଇ ଛୁଟି ଆସୁଛି ସେ ଶେଷ କିରଣକୁ ଜାଳି ଦେବାକୁ ।

 

‘‘ଓଃ ମୁଁ ଜଳିଗଲି ମେରୁପ୍ରଭା, ମୁଁ ଜଳିଗଲି– ।’’

‘‘ତମେ ଜଳିଗଲ ? ଅର୍ଥାତ୍‌...’’

‘‘ଆରେ ବାପ୍‌, ତମର ସେ ଆଖି ଦୁଇଟାରୁ ଯେମିତି ନିଆଁ ଛୁଟୁଛି ।’’

‘‘ଓଃ ଭୟ କରୁଛି ? ପୋଲିସ ବିଭାଗର ସର୍ବୋଚ୍ଚ କର୍ତ୍ତା । ହାତ ପାଖରେ ଦୁଇ ଦୁଇଟା ରିଭଲଭର । ପଛରେ ବିରାଟ ପୋଲିସ ବାହିନୀ । ପୁଣି ଭୟ କରୁଛ ଜଣେ ନାରୀକୁ ? ବେଶ୍‌ ପୁରୁଷତ ?’’

‘‘ବସିଯାଅ ମେରୁପ୍ରଭା ।’’ ଶେଷ କିରଣ ଅନୁରୋଧ କଲା ।

‘‘ଅନୁରୋଧର ଆବଶ୍ୟକତା ନାହିଁ । ମୁଁ ଆସିଛି ତୁମର ବିନା ନିମନ୍ତ୍ରଣରେ । ଆସନ ଗ୍ରହଣ କରିବି ମଧ୍ୟ ତୁମର ବିନା ଅନୁରୋଧରେ । ତୁମକୁ ଅପେକ୍ଷା କରି କରି ଯେତେବେଳେ ତମେ ନ ଆସିଲ, ମୁଁ ଆଉ କଣ କରିଥାନ୍ତି ? କ୍ଷମା କରିବ ମୋତେ ।’’

‘‘ତମେ ବେଳୁବେଳ ଭୟଙ୍କର ହୋଇଯାଉଛ ମେରୁପ୍ରଭା ।’’

‘‘ନା ନା, ମୁଁ ମୋଟେ ଭୟଙ୍କର ହେଉନି । ଦେଖ, ମୋ ହାତରୁ ସିଫିଲିସର ଘା ଭଲ ହୋଇଗଲାଣି । ଆଉ ଅନା, ମୋ ଆଖିରେ ଠିକ୍‌ ସେଇ କୋଡ଼ିଏ ବର୍ଷ ତଳର ଚାହାଣୀ । ସବୁ ସତେଜ ଅଛି । ଚାଲନା, ଗୋଟାଏ ଆଉଟିଂ କରିବା । ମେଘାସନ, ଡୁଡ଼ୁମା କିମ୍ୱା ସପ୍ତଶର୍ଯ୍ୟା । କଣ କହୁଛ ? ଯୌବନ ଦରକାର ? ମନଥିଲେ ସବୁ ଅଛି ।’’ ହସିଲା ମେରୁପ୍ରଭା ।

‘‘ମୋତେ କ୍ଷମାକର ମେରୁପ୍ରଭା । ସେଇ ପଛକଥା ମିଶିଗଲାଣି ଅତୀତରେ । ଆଉ କି ଲାଭ ମନେ ପକାଇ ।’’

‘‘କିନ୍ତୁ ସେଇ ପଛକଥା ପାଇଁ ମୋତେ ଆଜି ଆସିବାକୁ ପଡ଼ିଲା ଶେଷକିରଣ ।’’

‘‘କଣ ଟଙ୍କା ଲୋଡ଼ା ?’’

‘‘ଧନ୍ୟବାଦ । କୃତଜ୍ଞତା ଖରିଦ କରିବାକୁ ଆଉ ଟଙ୍କାର ଆବଶ୍ୟକତା ନାହିଁ । ତମେ ଭୟ କରନା ମୁଁ ତମ ପାଖରେ ଚିରଦିନ କୃତଜ୍ଞ ଅଛି । ତମର ଟଙ୍କାରେ ମୁଁ ଯାଇଛି ବିଲାତ, ତମର ଟଙ୍କାରେ ମୁଁ ଆଣିଛି ଡିଗ୍ରୀ । ଏ ସବୁକୁ ମୁଁ କଣ ଏତେ ଶୀଘ୍ର ଭୁଲିଯିବି ? କିନ୍ତୁ ଯେଉଁ ମଣିଷ ଶିଶୁକୁ ହତ୍ୟା କରିବା ପାଇଁ ତୁମେ ମୋ ପାଦତଳେ ପଚାଶ ହଜାର ଟଙ୍କା କୁଢ଼ାଇ ଦେଇ ଆସିଥିଲ, ତାକୁ ମୁଁ ହତ୍ୟା କରି ପାରିନି, ଆଜିଯାଏ ବଞ୍ଚାଇ ରଖିଛି ।’’

ଶେଷକିରଣର ମୁଣ୍ଡ ହଠାତ୍‌ ଘୂରିବାକୁ ଲାଗିଲା ।

‘‘ଆଜି ଆସିଛି ସେଇଥିପାଇଁ ତମକୁ ସ୍ୱୀକାର କରିବାକୁ ହେବ ସେ ତମର ପୁଅ ।’’

‘‘ଓଃ ସଟଅପ୍‌ ମେରୁପ୍ରଭା ! ଆଉ ମୁହଁ ଖୋଲିଲେ ଏଇ ରିଭଲଭରରେ ତମ କଲିଜାକୁ ଟିକି ଟିକି କରି ଉଡ଼ାଇ ଦେବି, କେହି ଖୋଜ୍‌ ଖବର ପାଇବେ ନାହିଁ ।

ହସି ପକାଇଲା ମେରୁପ୍ରଭା–‘‘କୋଡ଼ିଏ ବର୍ଷ ହେଲା ମଣିଷ ଦେହରେ ଅସ୍ତ୍ରୋପଚାର କରି ମୋର ଅଭିଜ୍ଞତା । ଯଥେଷ୍ଟ ହୋଇଛି । ମୁଁ ଜାଣିଛି କଲିଜା ଅଛି କେଉଁଠି । କେଉଁଠି ହାର୍ଟଟା ଆମର ଦୁକୁଦୁକୁ କରେ । କେଉଠି ଅଛି ଲାଲ ରକ୍ତର ଧମନୀ । କେଉଁଠି ଅଛି ଅନ୍ତମୁଣି । ସେ ଅଭିଜ୍ଞତାର ପରୀକ୍ଷା ଦେବାକୁ ମୁଁ ଆସିନି । ମୋର କୋଳରେ ମଥା ରଖି କୁରୁବଲ୍ଲୀ ଶେଷ ନିଶ୍ୱାସ ଛାଡ଼ିଛି । ଏଇ ଦେଖ ଫଟୋ–କେମିତି ଚୁମ୍ୱନ କରୁଛି ତାର ପୁଅକୁ । ତାର ଆଖି ଓ ତମର ମୁହଁ ଛାଇ । ଦେଖିନ ତାକୁ ତମେ ସାହିତ୍ୟକ ସମ୍ମିଳନୀରେ ପୁରସ୍କାର ପାଇଲାବେଳେ ? ଦେଖିନ ତାକୁ ତମେ ପୋଲିସର ଗୁପ୍ତ ରିପୋର୍ଟରେ । ସତ କହ ତାକୁ ଦେଖି ତମ ରକ୍ତରେ କଣ କେବେ ଜାତ ହୋଇନି ତରଙ୍ଗ ? କେବେ ତମେ ବୋଧ କରିନା ଆପଣାର ବୋଲି ?

ଘଣ୍ଟାଟିଏ ନିରବତା । ଶେଷକିରଣର ହୃଦୟରେ ଉଠୁଥିଲା ଝଡ଼ । ଧୂଆଁ ସେ ଅତୀତ । ତା ଭିତରେ କୁରୁବଲ୍ଳୀର ମୁହଁ । ପ୍ରଣୟନୀ କୁରୁବଲ୍ଲୀ, ପ୍ରେମିକା କୁରୁବଲ୍ଲୀ । ତରଳ ହୋଇ ଆସୁଥିଲା ତାର କଠିନ ହୃଦୟ ।

‘‘ମୋ ପାଇଁ ତ୍ୟାଗ କରି ପାରିବ ନାହିଁ ମେରୁପ୍ରଭା ?’’

‘‘ବେଶ୍‌ ଠିକ୍‌ ସମୟରେ ତମେ ତ୍ୟାଗର ପ୍ରଶ୍ନ ଉଠାଇଲ । ବୁଦ୍ଧିମାନ । କିନ୍ତୁ କହିପାରିବ ଶେଷକିରଣ, ମୋ ପାଖରେ ଆଉ କଣ ଅଛି ଯେ ମୁଁ ତ୍ୟାଗ କରିବି ? ଜୀବନଟା ସାରା ଠିକ୍‌ ଦୁଃଶାସନ ଭଳି ତମେ ମତେ ବିବସ୍ତ୍ର କରି ଲାଗିଛ । ଆଉ ଏ ଶେଷ ଜୀବନରେ ଚାହୁଁଛ ତ୍ୟାଗ । ହସ ଲାଗେ । ଦେହରେ ଅଛି ମୋର ମାତ୍ର କେତେ ଛଟାଙ୍କ ରକ୍ତ । ସେତକ ଚାହୁଁଛ ? ଆଉ କଣ ଏ ରକ୍ତ ମାଂସର ଦେହଟା ଚାହଁ ? କିନ୍ତୁ ଲୋକେ ହସିବେ ଯେ ?’’

ଶେଷକିରଣର ସବୁ ପ୍ରଶ୍ନ ଯେପରି ଶେଷ ହୋଇଯାଇଛି ।

‘‘କହ କି ତ୍ୟାଗ ଚାହଁ ତମେ ?’’

‘‘ନା, ମୁଁ ଚାହେଁନା କିଛି ମେରୁପ୍ରଭା । ତମେ ମୋ ଆଗରେ ଖୁବ୍‌ ବଡ଼ ହୋଇ ଯାଇଛ । ମୋତେ କ୍ଷମା କର ଖାଲି ।’’

‘‘ମୁଁ ତମର ତାରିଫ ଶୁଣିବାକୁ ଆସିନି ଶେଷକିରଣ ! ମୁଁ ଚାହେଁ ତୁମର ସ୍ୱୀକାରୋକ୍ତି । ସମୟ ଦେଲି ଆଜି ରାତିକ । ଆସିବି ମୁଁ କାଲି ସକାଳୁ ।’’

ସେ ସକାଳ ପାହିନି ଆଉ । ପ୍ରାଚୀ ସିନ୍ଦୁରା ଦେଇନି ତାର ସୁପ୍ତିର ବିଦାୟ । ଶୋଇଛି ବୃଦ୍ଧା ମେରୁପ୍ରଭା । ବୟସ ପଞ୍ଚଷଠି । ରକ୍ତ ଚାପରେ ତାର ମୃତ୍ୟୁ ଘଟିଛି । ତା’ର ଜନ୍ମର ଆଗମନୀରେ ବାଜିନି ଶୁଭଶଙ୍ଖ, ତାର ମୃତ୍ୟୁ ଘଟିଛି । ତା’ର ଜନ୍ମର ଆଗମନୀରେ ବାଜିନି ଶୁଭଶଙ୍ଖ, ତାର ଜୀବନ ପଥରେ ଶୁଣିନି କେବେ ଦେବାଳୟର ଘଣ୍ଟଧ୍ୱନୀ । ତା’ର ମୃତ୍ୟୁରେ ଝରିନି କା’ର ଆଖିରୁ ବେଦନାର ଅଶ୍ରୁ ।

ତା । ୩୦ । ୫ । ୫୭

ବୋଧପୁର

Image

 

Unknown

କମ୍ରେଡ଼

 

(ଇନ୍ଦ୍ରାଣୀର ସ୍ମୃତିରେ)

 

ଲେମ୍ୱୁ ଫାଳକ ଚିପୁଡ଼ିଦେଲେ ବଜ୍ରବାହୁ ।

 

ଏତେ ସମୟ ଧରି ସେ ସବୁ ଭୁଲି ଯାଇଥିଲେ । କାଚ ଗ୍ଲାସରେ ଖାଇବା ସୋଡ଼ା ଗୋଳାହୋଇ ରହିଛି, ପେଟର ଯନ୍ତ୍ରଣା କ୍ରମାଗତ ଭାବେ ବଢ଼ି ଚାଲିଛି । ଚାଳୁଆ ମୂଷାଙ୍କର ଅବଜ୍ଞା ସୂଚକ ଚାଲିରେ ବିଛଣା ଉପରେ ଧୂଳି ଓ କାଠ କୁଟା ଜମା ହେଉଛି । ଏ ସବୁର କିଛି ଖିଆଲ ନାହିଁ-। ଖାଲି ଭାବନା ଆଉ ଭାବନା । ଯେମିତି ଏ ସବୁରୁ କୌଣସି ଯୌଗିକ ପ୍ରକ୍ରିୟା ଦ୍ୱାରା ସେ ଅଲଗା ହୋଇ ଯାଇଥିଲେ ।

 

ବାଣ ଫୁଟିଲା । ସମବେତ ଜନତାର ତାଙ୍କ ଶ୍ରଦ୍ଧେୟ ନେତାଙ୍କ ପ୍ରତି ସମ୍ମାନ । ସେମାନେ ସବୁ ଆସୁଛନ୍ତି ।

 

ବଜ୍ରବାବୁ ଫେରି ଆସିଲେ ତାଙ୍କ ଭାବନାରାଜ୍ୟରୁ ଲେମ୍ୱୁ ଫାଳକ ଚିପୁଡ଼ା ସୋଡ଼ା ଗୋଳା ପାଣିକୁ ଢକ ଢକ କରି ପିଇ ଦେଇ ସ୍ୱସ୍ତିର ନିଶ୍ୱାସ ମାରିଲେ । ହୁଏତ ଯନ୍ତ୍ରଣାର ଟିକିଏ ଉପଶମ ହୋଇଗଲା । ବିଛଣା ଉପରେ ପଡ଼ୁଥିବା ଅଳିଆ ସବୁ କାଢ଼ି ଦେଇ କିଛି ସମୟ ପାଇଁ ସେ ଗଡ଼ି ପଡ଼ିଲେ ।

 

ସେମାନେ ତାଙ୍କୁ ନିମନ୍ତ୍ରଣ କରିଛନ୍ତି–‘‘କମ୍ରେଡ଼ ବଜ୍ରବାହୁ ଦଳ ବେହେରା ! ତମେ ଆସ, ଆମର ଏ କାର୍ଯ୍ୟରେ ସାହାଯ୍ୟ କର । ତମର ସହଯୋଗ ମିଳୁ, ହାତରେ ହାତ ମିଳାଅ, ମନରୁ ସବୁ ଗ୍ଲାନ୍ତି, ହିସାଂ, ଦ୍ୱେଷ ପୋଛି ପକାଅ । ଏ କାର୍ଯ୍ୟ ଗଣର–ଗଣ ଦେବତାର । ସହସ୍ର ସହସ୍ର ଦରିଦ୍ର ଲୋକଙ୍କର । ଆସ ତମେ । ଏ ଦୁର୍ଭିକ୍ଷ ରହିବ ନାହିଁ । ଏ ଅନାହାର, ମରୁଡ଼ି ହାହାକାର ସବୁର ପୂର୍ଣ୍ଣଚ୍ଛେଦ ହେବ । ଏ ମାଟି ହେବ ଶସ୍ୟଶ୍ୟାମଳା, ସୁଜଳା, ସୁଫଳା ।

 

ବନ୍ଦେ ମାତରଂ । ବ୍ୟାଣ୍ଡବାଜା ସହିତ ତାଳ ରଖି ସେମାନେ ଗାଉଛନ୍ତି । ଜେନାଙ୍କ ଘର ପାଖ ମୋଡ଼ଟା ବୁଲିଗଲେ ସେମାନେ ଦେଖାଯିବେ । କାର ଗୁଡ଼ାକ ସାଇଁ ସାଇଁ ଛୁଟୁଛନ୍ତି । ଦୁଇଟା ଉଡ଼ାଜାହାଜ ଆସି ଚକ୍‌କର ମାରି ଚାଲି ଗଲେଣି ।

 

ବନ୍ଦେ ମାତରଂ

ସୁଜଳାମ୍‌ ସୁଫଳାମ୍‌ ମଳୟଜ ଶୀତଳାମ୍‌

 

ଏ ପାଖରେ ଖୁବ୍‌ ଦୂରକୁ ଦେଖାଯାଉଛି–ଟାଙ୍ଗର ନାଲି ମାଟି ଉପରେ ତୋରଣ ପରେ ତୋରଣ ସଜାଯାଇଛି । ହାରାହାରି ଲକ୍ଷେ ଲୋକ ଅପେକ୍ଷା କରିଛନ୍ତି । ମଝିରେ ଗୋଟିଏ ବୃତ୍ତାକାର ଯାଗାରେ ଶାନ୍ତିନିକେତନରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଜଣେ ଶିଳ୍ପୀଙ୍କର ଚାଳିଶ ଫୁଟ ଲମ୍ୱର ଅଲ୍‍ପାନା । ମଝିରେ ଥୁଆ ହୋଇଛି ଲାଲ ରଙ୍ଗର ଟାକ୍ଟର ।

 

କାର୍ଯ୍ୟସୂଚୀର ବିବରଣୀ ଟିକି ନିକ୍‍ ଭାବେ ଦିଆ ଯାଇଛି । ସାତଟା ପଚିଶରେ ମାନ୍ୟବର ନେତାଟ୍ରାକ୍ଟର ଉପରକୁ ଉଠିବେ । ସାତଟା ଛବିଶରେ ମାନ୍ୟବର ଷ୍ଟିଅରିଂ ଚକ ଉପରେ ହାତ ପକାଇବେ । ସାତଟା ସତାଇଶରେ ଅପର ଏ ପଟକୁ ଓ ଥରେ ସେ ପଟକୁ ଚାହିଁରେ ।

 

ଅଭିଯାନ । ଭଗବାନଙ୍କ ବିରୁଦ୍ଧରେ, ପ୍ରକୃତ ବିରୁଦ୍ଧରେ ମଣିଷର ଏ ଅଭିଯାନ । ମାଇଲ ବ୍ୟାପି ବେଗୁନିଆଁର ଲାଲ ଟାଙ୍ଗର ମାଟି ଶୀତଦିନ ତାତିରେ ବି ମଣିଷର ଫୋଟକା ହୋଇଯାଏ, ଯେଉଁଠି ପୁରୁଷ ଧରି ଦେଖାଯାଇ ନାହିଁ ଭଇଁ ତ କୋଳି କିମ୍ୱା ମୁଣ୍ଡା ସାହାଡ଼ାରୁ ବୁଦାଏ । ଯେଉଁଠି ମିଳେ ନାହିଁ ମୁନ୍ଦାଏ ପାଣି, ସେଇଠିଏ ଅଭିଯାନ । ଟ୍ରାକ୍ଟରରେ ଚାଷ କରି ଅନୁର୍ବର କୁଆଁରୀ ଭୂମୀକୁ ଶସ୍ୟଶ୍ୟାମଳା କରାଇବେ । ସେଥିରେ ପାଚିବ ଧାନ, ମୃଗ, ବିରି, କୋଳଥ । ସେଠି ପୁଣି ଚରିବେ ନାନାଦି ପ୍ରକାର ଗୃହପାଳିତ ପଶୁ । ସେଠି ପୁଣି ମୁଣ୍ଡ ଟେକିବ ଗାଁ ପରେ ଗାଁ । ମାତ୍ର କେତେଟା ବର୍ଷପରେ ହସି ଉଠିବ ମରୂଭୂମି ଖଣ୍ଡକ । ଏ ପଞ୍ଚବାର୍ଷିକ ପରିକଳ୍ପନାର ପ୍ରଥମ ମୂଳଦୂଆ ।

 

ବନ୍ଦେ ମାତରଂ

 

ସୁଜଳାମ୍‌ ସୁଫଳାମ୍‌ ମଳୟଜ ଶିତଳାମ୍‌

 

ବ୍ୟାଣ୍ଡ ବାଜା ପଛକୁ ପାଇପ୍‌ର ସ୍ୱର ଶୁଣା ଯାଉଛି । ଆଉ ମିନିଟିଏ କିମ୍ୱା ଦୁଇମିନିଟ୍‌ ।

 

ବଜ୍ରବାହୁ ପେଟକୁ ଚିପିଧରି କଡ଼ ଲେଉଟାଇ ଗୋଟାଏ ହାକୁଟି ମାରିଲେ । ଏଇ କିଛି ସମୟ ବେଶ୍‌ ଶାନ୍ତିରେ ଶୁଆ ଯାଇ ପାରିବ ।

 

‘‘ଦୀନା, ବେଇ ଦୀନା, ନିମକ୍‌ ହାରାମ ସୁଅରକା ବଚା ।’’

 

ବଜ୍ରବାବୁ ଡାକୁଥିଲେ ପୁଅ ଦୀନବନ୍ଧୁକୁ । କୁଳାଙ୍ଗାର ହୋଇଗଲା । ପାଠ ଶାଠ କିଛି ପଢ଼ିଲା ନାହିଁ । ମଟର ଟାୟାର ରବରରେ ଛିଟିକିନି ତିଆରି କରି ଦିନସାରା ପକ୍ଷି ଶୀକାର କରେ । ମା ଛେଉଣ୍ଡ ପିଲଟା, କିଛି କହି ହୁଏ ନାହିଁ । ବଜ୍ରବାବୁ ଆଶଙ୍କା କରୁଥିଲେ ଏଉଠୁ ବୋଧେ ଦଳବେହେରା ବଂଶ ନିଶ୍ଚିହ୍ନ ହୋଇଗଲା । ଆଉ କିଏ ରଖିବ ନାଁ ପୈତୃକ ଅମଳର ଘର ଧୀରେ ଧୀରେ ଭୁଷଡ଼ି ପଡ଼ୁଛି । ପଥର କାନ୍ଥ ସନ୍ଧିରେ ନାଗସାପ ଛୁଆ କଲେଣି । ଚାରିପାଖରେ ପଥର ପାଚିରୀ କେତେକାଳୁ ନିଶ୍ଚିହ୍ନ ହେଲାଣି । ବାକି ଅଛି କେବଳ ତିନୋଟି ମାତ୍ର ଜୀବନ–ସେ ନିଜେ, ଦୀନବନ୍ଧୁ, ଆଉ ଚମ୍ମାଗୋରୀ । ସେତକ ବା କେତେ ସମୟ । ମଣିଷ ଜୀବନ–ଗୋଟାଏ ଆଖିର ପଲକ ମାତ୍ର । ଏ ହେଲା ପତନର ବିଭିଷିକା, ମୃତ୍ୟଠାରୁ ଆହୁରି ଭୟଙ୍କର ବଜ୍ରବାବୁ ଭୟରେ ଆଖିବୁଜି ପକାଇଲେ ।

 

କାଲି ସକାଳେ ହୁଏତ ଭାତ ଗଣ୍ଡାଏ ପାଇଁ ହାତ ପତାଇବ ତାଙ୍କର ବଂଶର ଶେଷ କୁଳ ପ୍ରଦୀପ ଦୀନବନ୍ଧୁ । ଲୋକେ କ’ଣ କହିବେ ?–ଧନଞ୍ଜୟ ଦଳବେହେରାର ବଂଶ ଶେଷରେ ହାତ ପତାଇଲ ? ଉଚ୍ଛନ୍ନ ହେଲା–ଛି, ଛି । ଧନଞ୍ଜୟ ! କି ପାପ କରିଥିଲ ତମେ ଯେ, ତମରି ଆତ୍ମା ଘାଣ୍ଟି ହେଉଛି ନର୍କରେ । ଛିଃ, ସାପ କରିବା ଆଗରୁ ଟିକିଏ ବିଷ ଖାଇ ପାରିଲେ ନାହିଁ ? ତମର ବଂଶଧରମାନଙ୍କୁ ଏମିତି ଘଣ୍ଟାଇଲ ଶେଷରେ ?

 

ପିତାମହ ଧନଞ୍ଜୟ ଦଳବେହେରା । ଗଜପତିଙ୍କର ବିଶ୍ୱସ୍ତ ସେନାପତି, ବକ୍‌ସି ଜଗବନ୍ଧୁ ବିଦ୍ୟାଧରଙ୍କର ଡାହାଣ ହାତ । ଦିନେ ହେଲେ ତମେ ନ୍ୟାୟରୁ ଟଳି ନଥିଲ । ଦିନକ ପାଇଁ ହେଲେ ଅସତ୍ୟ, ଅନାଚାରକୁ ସମର୍ଥନ କରିନା । ଆଉ ସତରେ ସେ ପାପୀ, ଯିଏ ନିମକ୍‌ହାରାମ୍‌ ସେ ବିଶ୍ୱାସଘାତକ, ଯାହାଙ୍କର କୁଟିଳ ଚକ୍ରାନ୍ତରେ ଓଡ଼ିଶା ଭୂଇଁ ହେଲା ପଦାନତ, ଓଡ଼ିଆମାନେ ହେଲେ ମେଣ୍ଡା ଆଉ କୁକୁର ସେଇ ବୀର ମହାପାତ୍ରଙ୍କ ବଂଶ–ଆଜି ତାଙ୍କର ପୁଅ ନାତିମାନେ ଓଡ଼ିଶାର ଭାଗ୍ୟ ବିଧାତା । କିଏ ମାଜିଷ୍ଟ୍ରେଟ, କିଏ ଯୋଜନା କମିଶନର, କିଏ ପୋଲିସ୍‌ ସାହେବ । ଆଉ ବଂଶର କୁଳଦୀପ ଦୀନବନ୍ଧୁ ?

 

‘‘ଦୀନା ବେଇ ଦୀନା, ଆବେ ଆଉଚୁ ନା ନାହିଁ ? ନହେଲେ ତୋ ମୁଣ୍ଡକୁ ଛତୁ କରି ଦେବି ।’’ ବଜ୍ରବାବୁ ଖିଙ୍କାରି ଉଠିଲେ ।

 

ଦୀନବନ୍ଦୁ ଛିଟିକିନିରେ ରବର ଭିଡ଼ୁ ଭିଡ଼ୁ ବିରକ୍ତିରେ କହି ଉଠିଲା–‘‘ଛତୁ କରିବୁ ନା, ଭାରି ଛତୁ କଲାବାଲା, ମୁଁ ଯିବି ନାହିଁ ଯାଃ– ।’’

 

‘‘ଦେଖୁଚ ବହପ ବାପାକୁ ଜବାବ ଦେଉଛି କୁଳାଙ୍ଗାର !’’

 

‘‘ଇଃ, ବାପା ନା ଫାପା, ମର୍‌ ମର୍‌, ସେଇ ପେଟମରାରେ ମର ।’’

 

ଦୀନବନ୍ଧୁ ପଡ଼ିଶା ଘର ପିଣ୍ଡାରୁ ଉଠି ପଳାଇଗଲା । ତାର ଛିଟିକିନି ସଜ ହୋଇ ଯାଇଛି-। ସେ ହୁଏତ ଏଇ ଜନଗହଳି ଭିତରେ ଦି ତିନିଜଣ ବିଦେଶିଙ୍କୁ ତାର ଅଭୂତ ଲକ୍ଷ୍ୟର ପତିଆରା ଦେଖାଇ ଚମତ୍କୃତ କରିଦେବାର ଇଚ୍ଛା ।

 

ପଳାଇ ଯାଉ, ଅବାଧ ପିଲାଟା ଚମ୍ପାଗୋରୀ ଘରକୁ ଚଳାଇ ପାରିଲା ନାହିଁ ।

 

ପାଖ କୋଠରୀରୁ ଉତ୍ତର ଆସିଲା । ସେ ପ୍ରସାଧନରେ ବ୍ୟସ୍ତ ଆଜିକାଲି ସେ ବହୁତ ସମୟ ବ୍ୟୟ କରେ ସେଥିରେ ।

 

କିନ୍ତୁ ଆଣେ କେଉଁଠୁ ଏ ପ୍ରସାଧନର ସାମଗ୍ରୀ ?

 

ନିଜକୁ ନିଜେ ଏ ପ୍ରଶ୍ନ ପଚାରି ବଜ୍ରବାବୁ ଆତଙ୍କିତ ହୋଇ ଉଠିଲେ ତେବେ ଚମ୍ପାଗୋରୀ ବାରାଙ୍ଗନା ?

 

ଏତିକି ମାତ୍ର ଶେଷ ସମ୍ପତ୍ତି । ବାରି ପଛପାଖ ସାତଗୁଣ୍ଠ ଜମିର ପଡ଼ିଆଟିଏ । ଚାରୋଟି କି ପାଞ୍ଚୋଟି ଗଛ ଅଛି । ସେତକ କାଲି ଭିତରେ ଯଦି ବିକ୍ରି ନହୁଏ ତେବେ କାଲିଠାରୁ ଅନାହାର । ଆଉ କିଛି ନାହିଁ । ଅନ୍ଧାର ଆଉ ମୃତ୍ୟୁ ।

 

ସେତ ପଚାଶ ବର୍ଷର ବୁଢ଼ା । ବଞ୍ଚିବା ପାଇଁ ମୋହ କମ୍‌ ଅଛି । ଆଉ ଚମ୍ପୋଗୋରୀ–ନିଜକୁ କୌଣସିମତେ ଚଳାଇ ନେବ । କିନ୍ତୁ ଦୀନବନ୍ଧୁ ? ସେ କଣ କରିବ ? କିଏ ତାକୁ ଦେବ ଆଶ୍ରୟ, କିଏ ତାକୁ ଦେବ ମୁଠାଏ ଭାତ । ଶେଷକୁ ଏଇଆ ହେଲା–

 

ତାଙ୍କର ଅଜ୍ଞାତରେ ଆଖିରୁ ଲୁହ ଝରିଲା ।

 

ନିରର୍ଥକ ରୋଦିନ । ତାଙ୍କର ଅନ୍ତରର ସବୁ ଝଡ଼ ବତାସକୁ ଚପାଇ ଦେଇ ବାଜି ଉଠିଲା ବ୍ୟାଣ୍ଡବାଜା । ସେମାନେ ଏଇ ରାସ୍ତା ଦେଇ ଅତିକ୍ରମ କରୁଛନ୍ତି । ବଜ୍ରବାହୁ ଚାହିଁଲେ । ଫୁଲହାର ଉପରେ ଫୁଲହାର ପଡ଼ିଛି ନେତାଙ୍କ ଜଳାରେ । ଆଉ ସ୍ଥାନ ନାହିଁ । ଲୋକମାନଙ୍କର ବିରାଟ ପଟୁଆର । ବ୍ୟାଣ୍ଡବାଜାର ରକ୍ତ ଉତ୍ତେଜନାକାରୀ ଶବ୍ଦ–ସବୁର ମିଶ୍ରଣରେ ଗୋଟାଏ ତୀବ୍ର ଉନ୍ମାଦ-

 

ବନ୍ଦେ ମାତରାଂ, ସୁଜଳାମ୍‌ ସୁଫଳାମ୍‌ ।

 

ଅଭିଯାନ, ମଣିଷ ସଙ୍ଗେ ମଣିଷର ଅଭିସାନ ନୁହେଁ, କି ମଣିଷ ସଙ୍ଗେ ପଶୁର ଅଭିଯାନ ନୁହେଁ–ପ୍ରକୃତି ସଙ୍ଗେ ମଣିଷର ଅଭିଯାନ । ଏଇ ମାଟି ଖଣ୍ଡକ ଉପରେ ବହୁତ କିଛି ହୋଇ ଗଲା–ଧନଞ୍ଜୟ ଦଳ ବେହେରା ଏଇ ମାଟି ଉପରେ ଛିଡ଼ା ହୋଇ ଗୋଟାଏ ହାତରେ ଧରିଥିଲେ ସ୍ୱାଧୀନ ଉତ୍କଳର ପତାକା, ଆଉ ଗୋଟାଏ ହାତରେ ଖଣ୍ଡା ।

 

ଗୋରା ପଲ୍‌ଟଣଙ୍କ ସେନାପତି ବସ୍‌କୁ ଗତ କାଲି କୌଶଳରେ ମାରିଦିଆ ଯାଇଛି । ତା ଖାଦ୍ୟରେ ବିଷ ଦିଆଯାଇ ଥିଲା । ଏଇ ହେଲା ପୂର୍ଣ୍ଣଚ୍ଛେଦ । ଗୋରାମାନଙ୍କର ଅବସାନ ହେଲା-। ସେମାନେ ଏଇଠୁ ବୋଧେ ଜାହାଜ ଧରିବେ । ଉତ୍କଳ ହିଁ ରହିଲା ଉତ୍କଳ ହୋଇ–ତାର ଗଜପତି ରହିଲେ ଗଜପତି ହୋଇ । ବାଟରେ ଘାଟରେ ଗରିଲା ଯୁଦ୍ଧ କରି ଗୋରାମାନଙ୍କୁ ନିପାତ କରା ଯାଇଛି । ଆଉ ଭୟ ନାହିଁ ।

 

‘‘ସାବବାସ ଧନଞ୍ଜୟ–ତମେ ହିଁ ପ୍ରଧାନ ସେନାପତି ହେବାର ଉପଯୁକ୍ତ । ମୁଁ ଯାଏଁ ଗଜପତିଙ୍କୁ ଏ ସମ୍ୱାଦ ଦେବି ।’’ ବକ୍‌ସି ଜଗବନ୍ଧୁ ସେଇ ରାତିରେ ଚାଲିଗଲେ ।

 

ଚାରିଆଡ଼େ ଆନନ୍ଦ ଉତ୍ସବ । ଧନଞ୍ଜୟ ଏତେଦିନ ଉଜାଗର ରହିବା ଫଳରେ ଟିକିଏ ଘୁମାଇ ପଡ଼ିଲେ । ସମସ୍ତେ ବି କ୍ଲାନ୍ତ, ଆଖିରେ ଭରା ନିଦ ।

 

କିନ୍ତୁ ଏ କଣ ହେଲା ? ଚାରିଦିଗରୁ ଛୁଟି ଆସୁଛନ୍ତି ଗୋରା ପଲ୍‍ଟଣ । କିଏ ତାଙ୍କୁ ଜଣାଇ ଦେଲା ଏ ରାସ୍ତା ? ଯେଉଁ ଯାଗାକୁ ବଣର ବାଘ ଖୋଜି ଖୋଜି ପାଇବ ନାହିଁ, ସେ ଯାଗାକୁ ଚିହ୍ନା ଲୋକ ଭଳି ମାଡ଼ି ଆସୁଛନ୍ତି ସାତ ସମୁଦଅ ତେର ନଇ ପାରିହୋଇ ଗୋରା ପଲ୍‍ଟଣ ? ଏଇଆ କଲ ଶେଷରେ ବୀର ମହାପାତ୍ରେ ? କହିଲ ନାହିଁ, ମୋର କଲିଜାଟା ଯଦି ଦରକାର ହୋଇଥାନ୍ତା, ତେବେ କାଟି ଦେଇଥାନ୍ତି ତମ ପାଇଁ । ମାତ୍ର ବିଶାଶହେ ବାଟି ନିଷ୍କର ଜମି ପାଇଁ ସବୁକଥା ସାରିଦେଲ ?

 

ଧନଞ୍ଜୟ ଖଣ୍ଡାଟା ପାଇଁ ହାତ ବଢ଼ାଇଲେ–କିନ୍ତୁ ଖଣ୍ଡା କାହିଁ ? ବୀର ମହାପାତ୍ର ?

 

ତା’ପରେ ଫାଶି । ଗୋଡ଼ ହାତ ସବୁ ବାନ୍ଧି ଦିଆଯାଇ ଖଣ୍ଡି ଖଣ୍ଡି କରି ହଣାଗଲା । ରାସ୍ତା ଉପରେ ମୁଣ୍ଡଟାକୁ ଟଙ୍ଗାଇ ଦିଆଗଲା । ଧନଞ୍ଜୟର କାହାଣୀ ଓଡ଼ିଶା ଭୁଇଁରୁ ଚିରଦିନପାଇଁ ଲିଭିଲା ।

 

ଜେଜେବାପାଙ୍କ କାହାଣୀ ବାପାଙ୍କ ମୁହଁରୁ ଶୁଣୁଶୁଣୁ ବଜ୍ରବାହୁ ଶିହରି ଉଠିଲେ ।

 

ବୀର ମହାପାତ୍ରେ ଭୋଗ କଲେ ବିଶାଶହେ ବାଟି ନିଷ୍କର ଜମି । ଆଉ ଧନଞ୍ଜୟଙ୍କ ଘରର ସବୁ କିଛି ଲୁଟ୍ କରାଗଲା । ଚାରିଆଡ଼େ ଭୟ, ଆତଙ୍କ, ଶିହରଣ । କିଏ ବଞ୍ଚିବ କିଏ ମରିବ-?

 

‘‘ସେତିକିବେଳେ ଏଇ ଜେନାଙ୍କ ବାପା ଶକ୍ତିଧର ମୋତେ ଅଣ୍ଟିରେ ପୁରାଇ ଡମ୍‌ପଡ଼ା ଜଙ୍ଗଲକୁ ନେଇ ପଳାଇ ଯାଇଥିଲେ ।’’ –ବଜ୍ରବାହୁଙ୍କ ବାପା ଦୁର୍ଯ୍ୟୋଧନ ବଳିୟାରସିଂ କହୁ କହୁ କାନ୍ଦି ପକାଉଥିଲେ । –‘‘ଏଇ ଯେଉଁ ଘର, ସେ ପୋଡ଼ା ଯାଇଥିଲା । ୟାକୁ ମୁଁ ନିଜ ହାତରେ ତିଆରି କରିଛି । ଜମି ବାଡ଼ି ଯାହା କିଛି ସବୁ ମୋ ନିଜ ହାତରେ ।

 

ଆଉ କାହିଁ ସେ ଦିନ ?’’

 

ବ୍ରଜବାବୁଙ୍କ ଘର ସାମ୍‌ନା–ଜଣେ ହାତଠାରି ଦେଖାଇ ଦେଲା ‘‘ଏଇ ଆଜ୍ଞା ଧନଞ୍ଜୟ ଦଳବେହେରାଙ୍କ ଘର ।’’

 

‘‘ଧନଞ୍ଜୟ–କୋଉ ଧନଞ୍ଜୟ ହେ ? ଯିଏ ଆମର ନିର୍ବାଚନ ପ୍ରଚାର କର୍ମୀ ଥିଲେ ?’’

 

‘‘ନାଁ, ଆଜ୍ଞା, ଖୋରଧା ପାଇକ ବିଦ୍ରୋହ କାଳର କଥା । ସେଇ ଧନଞ୍ଜୟ ଦଳବେହେରା, ବକ୍‌ସିଙ୍କ ଡାହାଣ ହାତ ଥିଲେ ।’’

 

‘‘ଓ’’–ମାନ୍ୟବର କେବଳ ସ୍ୱରଟାକୁ ଟିକିଏ ଲମ୍ବାଇ ଦେଲେ । କିନ୍ତୁ ଇତିହାସରେ ତ ସେ କଥା ଲେଖା ନାହିଁ । କାହୁଁ ଆସିଲେ ଏ ଧନଞ୍ଜୟ ?–ଗୋଟାଏ ନିର୍ବାଣ ପ୍ରାୟ ଦୀପଶିଖା । ଲିଭିବା ପୂର୍ବରୁ ଥରେ ମାତ୍ର ଜଳି ଉଠିଥିଲା–ଖୋରଧାର ପାଇକ ବିଦ୍ରୋହ । କିଏ ମନେ ରଖିଛି, କେଉଁ ସେନାପତିଙ୍କୁ ଫାଶି ଦିଆଗଲା, କିଏ ମଲେ–କିଏ ଗଲେ । ହେତୁ ନାହିଁ । ଐତିହାସିକମାନେ ତ ସବୁ ପାଶୋରି ପକାଇଛନ୍ତି ।

 

କେବଳ ମାତ୍ର ଜନଶ୍ରୁତି । ଧନଞ୍ଜୟ ବଞ୍ଚିଛନ୍ତି ଲୋକଙ୍କ ମୁହରେ, ଲୋକଙ୍କ ପ୍ରାଣରେ । ଇତିହାସ ବହିରେ ନୁହେଁ । ଧନି କୁଦ ଏବେ ବି ଅଛି–ଯେଉଁଠି ବୀର ଧନଞ୍ଜୟ ସକାଳୁ କୁସ୍ତି କରୁଥିଲେ । ଖଣ୍ଡା ଅଛି, ଢାଲ ଅଛି, ବର୍ଚ୍ଛା ଅଛି–ସବୁ ସିନ୍ଦୁର ଦେଇ ପୂଜା ହୁଏ । ନିଃସ୍ୱ ଆଭିଜାତ୍ୟର କଙ୍କାଳ ଅଛି–ଯାହାକୁ ନେଇ ବଜ୍ରବାହୁ ଗର୍ବ କରନ୍ତି–ଏଇ ମୋର ପୈତୃକ ।

 

ସକାଳୁ ଉଠି ଦୁଇ ହାତରେ ଦୁଇଟା ମୁଦ୍‌ଗର ବୁଲାଇ ବୁଲାଇ ସମସ୍ତଙ୍କୁ କୁସ୍ତି କରିବାପାଇଁ ନିମନ୍ତ୍ରଣ କରନ୍ତି ବଜ୍ରବାହୁ । ପୈତୃକ ଆଭିଜାତ୍ୟକୁ ବଞ୍ଚାଇ ରଖିବାକୁ ପଡ଼ିବ ।–ଆସ ହେ, ସେମିତି ଅଳସୁଆ ଭଳି ବସିଲ କାହିଁକି ?

 

‘‘ଯାଃ, କଣ ହେବ ଏ କୁସ୍ତିକରି ? ଦିହଟା ଟାଣୁଆ ହେବ ଖାଲି । ବଳ ବଢ଼ିପାରେ–କିନ୍ତୁ କି ପ୍ରୟୋଜନ ସେଥିରେ ? ଆଜିକାଲି ଏମିତି ଜିନିଷ ବାହାରିଲାଣି ଯେ ତୁମ ଧନୁରେ ଶର ଯୋଖୁ ଯୋଖୁ ପିସ୍ତଲର ଗୋଟାଏ ଗୁଳିରେ ଖତମ୍‌ । ଆଉ ତମେ ସାରା ଜୀବନ ମୁଦ୍‌ଗର ବୁଲେଇ, କୁସ୍ତି କରି, ଛାତିରେ ହାତିଏ ବଳ ସଞ୍ଚି–ଦେଖିଲାବେଳକୁ ଫୁସ୍‌ ।’’

 

ବଜ୍ରବାହୁ କଥାଟା ହଠାତ୍‌ ବିଶ୍ୱାସ କରି ପାରନ୍ତି ନାହିଁ । ସହଜରେ କଥାଟା ସମାଧାନ ହୋଇ ଯାଉଛି । ଦୁନିଆଟା ତାହାହେଲେ ବିଲ୍‌କୁଲ୍‌ ଓଲଟିଗଲା ?

 

‘‘ତମେ ମିଛ କହୁଛ, ଏଡ଼େ ଚଞ୍ଚଳ ଯଦି ଦୁନିଆଟା ଓଲଟି ଯିବାର ନମୁନା ତମେ ଦେଖାଇ ଦେଉଛ ? ତେବେ ଚନ୍ଦ୍ର ସୂର୍ଯ୍ୟ କାହିଁକି ଓଲଟୁ ନାହାନ୍ତି ?’’

 

‘‘ଦଳବେହେରା, ସେମିତି ବୋକାଙ୍କ ଭଳି କଥାବାର୍ତ୍ତା କରନା । ଦେହର ବଳଠୁ ଆଜିକାଲି ମୁଣ୍ଡର ବଳଟା ବେଶି ପ୍ରୟୋଜନ । ସାଧୁ ହେବାଠାରୁ ବଦମାସ୍‌ ହେବାଟା ଆଜିକାଲି ବେଶି ପ୍ରୟୋଜନ । ପ୍ରୟୋଜନ ଅନୁସାରେ ବଦଳିବାଟା ହେଲା ପ୍ରଗତିର ସଂଜ୍ଞା । ସେମିତି ହୋଇ ପାରିଲେ ତମକୁ ଦାନା କନା ମିଳିବାର ବନ୍ଦୋବସ୍ତ ହୋଇ ପାରିବ–ଯୁଗ ଓଲଟିଲା, ଜାଣିଲ ଦଳବେହେରା ?’’

 

‘‘ମିଛ’’

 

ବଜ୍ରବାହୁ ଉଠି ପଳାଇ ଆସିଲେ । ସବୁ ଜିନିଷର ପ୍ରୟୋଜନ ଅଛି । ଦେଖାଯାଉ ।

 

ହଠାତ୍‌ ଘୋଟି ଆସିଲା କଳା ବଉଦ । ମୁହୂର୍ତ୍ତକ ମଧ୍ୟରେ ବର୍ଷାର ବିନ୍ଦୁ ପଡ଼ିବାକୁ ଆରମ୍ଭ କଲା ।

 

ଜନଗହଳି ଧିରେ ଧିରେ ଭାଙ୍ଗିଗଲେ ।

 

‘‘ଏଇଟା ନିଶ୍ଚୟ ଗୋଟାଏ ଶୁଭ ସଂକେତ ଆଜ୍ଞା–ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ହେବାଟା ଖୁବ୍‌ କ୍ୱଚିତ୍ ଭାଗ୍ୟବାନ ଦେଶ ପକ୍ଷରେ ଘଟେ । ଏ ମାଟିରେ ସୁନା ଫଳିବ–ହରିବୋଲ-।’’

 

ପୁଣି ଗୋଟାଏ ଉନ୍ମାଦର ଫୁଆରା । ଭାଙ୍ଗି ଯାଉଥିବା ଲୋକ ସବୁ ଫେରି ଆସିଲେ । ମାଇକ୍ରୋଫାନ୍‌ ପୁଣି ଗର୍ଜିଲା–ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ପଡ଼ିଛି । ସମସ୍ତେ ଆସ, ଏ କାର୍ଯ୍ୟରେ ସହଯୋଗ କର, ଏ କାର୍ଯ୍ୟ ଗଣର–ଗଣ ଦେବତାର–କୌଣସି ବ୍ୟକ୍ତିବିଶେଷର ନୁହେଁ । ଉତ୍ସାହ ସହକାରେ ଆମେ ଆଗେଇବା ହେଲା ପ୍ରଗତିର ଲକ୍ଷଣ । ଉତ୍କଳ ଯଥାର୍ଥରେ ଧନଧାନ୍ୟ ଭରା ଉତ୍କଳ ।

 

ଯୁବକଟି ଏ ଛତାକୁ ତାଙ୍କ ମୁଣ୍ଡ ଉପରେ ଟେକି ଧରିଲେ ।

 

‘‘କାହିଁକି ଏ ଛତା ଟେକୁଛ ଦୟାନିଧି ? ଏତେ ଲୋକ ତ ତିନ୍ତୁଛନ୍ତି–ଆମେ କାହିଁକି ନ ତିନ୍ତିବା । ଛତାସବୁ ବନ୍ଦ କରିଦିଅ । ଡ୍ରାଇଭରୁ ଡାକ ଟ୍ରାକ୍‌ଟର ଷ୍ଟାଟ୍‌ କରୁ ।’’

 

‘‘ଠିକ୍‌ କଥା କହିଲେ ଆଜ୍ଞା, ଆସ ହେ ଆତାଉଲ୍ଲା, ଶୁଭ ଲଗ୍ନ ଗଡ଼ିଯାଉଛି । ବେଗେ ବେଗେ ଷ୍ଟାଟ୍‌ କର ।’’

 

ଭର୍‌ ର୍‌ ର୍‌ ଭଟ୍‌ ଭଟ୍‌ ଭଟ୍‌ ।

 

‘‘ଇଞ୍ଜିନ୍‌ଟା ଆଜ୍ଞା ଥଣ୍ଡା ହୋଇଗଲା । ଷ୍ଟାଟ୍‌ ହଉ ନାହିଁ ।’’

 

‘‘କେଉଁ କମ୍ପାନୀର ଟ୍ରାକ୍‌ଟର ଏଟା ? ବଡ଼ ରଦ୍ଦି ମାଲ ଯୋଗାଇଛି । ଭାରତର ଜଳବାୟୁକୁ ଖାପ ଖାଇଲା ଭଳି ନୁହେଁ । ଏ ଟ୍ରାକ୍‌ଟର ଫେରିଯାଉ, ଆମର ଲଙ୍ଗଳ ଭଲ । ଆମ ବାପା ଅଜା ତ ପୁଣି ସେଇଥିରେ ପଥରକୁ ଆବାଦ କରିଛନ୍ତି । ଆମେ କିଆଁ ନ କରିବା । ଆମର ସଭ୍ୟତା ଯନ୍ତ୍ର-ସଭ୍ୟତା ନହେଉ । କଣ କହୁଛ ଦୟାନିଧି ?’’

 

‘‘ଠିକ୍‌ କଥା କହିଲେ ଆଜ୍ଞା, ଲଙ୍ଗଳ ଆସୁ । ଆମର ଲଙ୍ଗଳ ଚାଷ ଭଲ ।’’

 

‘‘ଉଡ଼ାଜାହାଜ ଗୁଡ଼ାକ ପୁଷ୍ପବୃଷ୍ଟି ପାଇଁ ଆଉ ଆସି ପାରିବେ ନାହିଁ । ଏମିତି ତ ଝଡ଼ ହେଉଛି ।’’

 

‘‘ନ ଆସୁ, ଗାଁରେ କଣ ଆମର କେହି ମା ଭଉଣୀ ଏ କାମରେ ସାହାଯ୍ୟ କରିବେ ନାହିଁ-?’’

 

‘‘ନିଶ୍ଚୟ ଆଜ୍ଞା ।’’

 

‘‘ଏଇ ହେଉଛନ୍ତି ଶ୍ରୀମତୀ ଚମ୍ପା ଦେବୀ–କମ୍ରେଡ଼ ବଜ୍ରବାହୁଙ୍କ ସ୍ତ୍ରୀ ।’’

 

‘‘ଆଚ୍ଛା, ଖୁସି ହେଲି । ଏମିତି ଗଣତାନ୍ତ୍ରିକ ମନୋବୃତ୍ତି ନେଇ କାମ କରିବା ଉଚିତ୍‌ । ଆପଣ ଯେ ଆସିଛନ୍ତି ସେଇ ଯଥେଷ୍ଟ । ଆମେ ଆପଣଙ୍କ ମହତ୍‌ ହୃଦୟର ପରିଚୟ ପାଇଲୁ । କିନ୍ତୁ କମ୍ରେଡ଼୍ ବଜ୍ରବାହୁ କାହାନ୍ତି ?’’

 

‘‘ତାଙ୍କର ପେଟମରା ରୋଗ । ଆଜି ଟିକିଏ ବଢ଼ିଛି ।’’

 

‘‘ଓଃ’’, ଚିତ୍କାର କରୁଥିଲେ ବଜ୍ରବାହୁ । ‘‘ଦୀନା, ବେଇ ଦୀନା...କେହି କୁଆଡ଼େ ନାହାନ୍ତି-? ବର୍ଷା ମାଡ଼ରେ ଦାଣ୍ଡପାଖ ଘରର ପଥର ଖଣ୍ଡେ ଖସି ପଡ଼ିଲା । ଧୀରେ ଧୀରେ ସବୁ ଖସି ପଡ଼ିବ-। ଏଇ ତାର ସମାପ୍ତି । ଏଇ ହିଁ ମୃତ୍ୟୁର ପ୍ରଥମ ପାହାଚ ।

 

ଚମ୍ପା ତାର ବାଟକୁ ଠିକ୍‌ କରି ନେଉଛି । ସେ ରହିଲା ନାହିଁ । ଜବାବ ଦେଲା ‘‘ମୁଁ ବସିରହିଲେ କଣ ତମ ଯନ୍ତ୍ରଣାର ଉପଶମ ହେବ ? । ପତି ପରମ ଦେବତା–ନିହାତି ସାମନ୍ତବାଦୀ ଚିନ୍ତାଧାରା ।’’

 

ବଜ୍ରବାହୁ ବୃଦ୍ଧ, ବୟସ ଅଠାବନ । ଆଉ ଚମ୍ପା–ଚବିଶ କି ପଚିଶ । ମୂର୍ତ୍ତମାନ୍‌ ଯୌବନର ନମୁନା । କିଏ ଅଟକାଇବ ତା’ର ଉତ୍ତାଳ ତରଙ୍ଗକୁ ? ସେ ନାରୀ, ସେ ଯୁବତୀ, ସେ ବୁଦ୍ଧିମତୀ । ତା’ର ବି ଦେହ ଅଛି, ତାର ବି ମନ ଅଛି । ସେ ଚାହେଁ ଉପଭୋଗ । କାହିଁକି ସେ ସଢ଼ି ମରିଥାନ୍ତା ଏ ଘର କଣରେ ?

 

ବଜ୍ରବାହୁ ଚାଳିଶ ବର୍ଷରେ ବିବାହ କରିଥିଲେ ଦଶବର୍ଷର ଚମ୍ପାକୁ । ଚମ୍ପା ତାଙ୍କର ଶାଳୀ-। ପ୍ରଥମା ସ୍ତ୍ରୀ କେତକୀର ଅକାଳ ମୃତ୍ୟୁ ଘଟିଲା । ସେ ଛାଡ଼ିଗଲା ଏଇ ଦୀନବନ୍ଧୁ କୁ । କିଏ ପାଳିଥାନ୍ତା ଆଉ । ବିମାତା ହେଉପଛେ । କିଛିଦିନ ତ ଦେଖାଚାହାଁ କଲା । ଆଉ କିଏ କରିଥାନ୍ତା ଏତକ ? ଯେତେବେଳେ ଗିରଫ୍‌ ପରଓ୍ୱାନା ଘୁରିବୁଲିଲା–କିଏ କଲା ଏତକ ? ତମେ ରାଧୁ ଭାଇ । ତମେ ତ ବାଟ ଦେଖାଇଥିଲ–ତମେ ତ ଲମ୍ବା ଲମ୍ବା ବକ୍ତୃତା ଦେଇ ଆସ୍ଥା ଦେଇଥିଲ ଯେ ବିପ୍ଳବ ହିଁ ଗରିବମାନଙ୍କ ଉଦ୍ଧାରର ଏକମାତ୍ର ପନ୍ଥା । କିନ୍ତୁ କୁଆଡ଼େ ଗଲ ତମେ ଆଜି ? ସତ କଥା, ତମେ ଠିକ୍‌ କହିଛ । ତମେ ଗରିବ ନଥିଲ, ଭୋକର ଅନୁଭୂତି ତମର ନଥିଲା । ତମର ସମ୍ପତ୍ତି ଥିଲା ବହୁତ । ତମର ସମର୍ଥକ ଥିଲେ ବହୁତ । ତେଣୁ ତମର ପାଟିରୁ ବାହାରୁଥିଲା ନୂତନ ଦର୍ଶନ, ନୂତନ ଚିନ୍ତାଧାରା । ତମେ ଚାହୁଁଥିଲ ନେତୃତ୍ୱ । ତମର ପ୍ରକୃତ ସହାନୁଭୂତି ନଥିଲା ଗରିବମାନଙ୍କ ପ୍ରତି । ତମେ ପ୍ରକୃତରେ ଥିଲ ଗଧ, କିନ୍ତୁ ତମ ଉପରେ ପଡ଼ିଥିଲା ଗଧିଆର ଚମଡ଼ା ।

 

‘‘କାହିଁକି ଏ ପଟୁଆର ଆଣିଛ ବଜ୍ରବାହୁ ।’’ ମାଜିଷ୍ଟ୍ରେଟ୍‌ ପଚାରିଲେ ।

 

‘‘ମୁଁ ପଟୁଆର ଆଣି ନାହିଁ । ସମସ୍ତେ ତାଙ୍କ ନିଜ ଇଚ୍ଛାରେ ଆସିଛନ୍ତି । ସେମାନେ ଭୋକିଲା, ଭୋକର ଦାବୀ ଜଣାଇବାକୁ ଆସିଛନ୍ତି ।’’

 

‘‘ଭୋକ ? ଦେଶରେ କେଉଁଠି ତ ମରୁଡ଼ି ପଡ଼ି ନାହିଁ । ଭୋକ ଆସିଲା କୋଉଁଠୁ ? ବଡ଼ ଅଜବ ଦାବୀ ତମର ?’’

 

‘‘ମରୁଡ଼ି ପଡ଼ି ନାହିଁ ? ଦେଖିଛନ୍ତି ଆଜ୍ଞା ।’’

 

‘‘ତମେ ବାମପନ୍ଥୀ । ତମ କଥାକୁ ବିଶ୍ୱାସ କରାଯାଇ ପାରେନା ।’’

 

‘‘ପନ୍ଥା ଅନୁସାରେ ମଣିଷକୁ ଚିହ୍ନା ଯାଏ ନା ଆଜ୍ଞା । ମଣିଷକୁ ଚିହ୍ନିବାରେ ଗୋଟାଏ ସ୍ୱତନ୍ତ୍ର ମାପକାଠି ଅଛି । ସେ ମାପକାଠି ହେଉଛି ହୃଦୟର ମାପକାଠି । ହୋଇପାରେ ଏମିତି, ବଢ଼ି ସୁଅରେ ଭାସିଗଲାବେଳେ ମଣିଷ ଜୀବନ ବିକଳରେ ସାପ ଲାଙ୍ଗୁଡ଼ ଧରି ପକାଏ–ତା’ ବୋଲି ମଣିଷ ସାପ ହୋଇ ଯାଏ ନାହିଁ ତ ? ଏଇଠି ଆଜ୍ଞା ଆପଣ ଭୁଲ କରୁଛନ୍ତି ।

 

ଦେଖନ୍ତୁ, ତମର କୌଣସି ଦାବୀ ବିଶ୍ୱାସ ଯୋଗ୍ୟ ନୁହେଁ । ଆମର ରିପୋର୍ଟ ଏକଥା ନକହିଲା ପର୍ଯ୍ୟନ୍ତ ତମର କୌଣସି କଥାକୁ ଆମେ ଗ୍ରହଣ କରି ପାରିବୁ ନାହିଁ । ତମେ ସଂତ୍ରାସ ବାଦୀ, ତମେ ଭୟଙ୍କର, ତମର ଏ ପଟୁଆରକୁ ମୁଁ ବେଆଇନ୍‌ ବୋଲି ଘୋଷଣା କରୁଛି । ଶାନ୍ତିପୂର୍ଣ୍ଣ ଭାବେ ଚାଲିଯାଅ ଏଠୁ, ନହେଲେ ଗୁଳି ଚାଲିବ ।

 

‘‘ଗୁଳି ? ତେବେ ମାର ଗୁଳି ଏ ଛାତି ଉପରକୁ ।’’–ବଜ୍ରବାହୁ ଚିରାଚରିତ ପ୍ରଥା ଅନୁସାରେ କହିଲେ ।

 

‘‘ଶୁଣ ବଜ୍ରବାହୁ, ବୃଥାରେ ଲୋକଙ୍କୁ ଉତ୍ତେଜିତ କରନା । ଚାଲିଯାଅ ଏଠୁ, ମୁଁ ପୁଣିଥରେ କହୁଛି । ତମର କୌଣସି କଥା ସତ୍ୟ ବୋଲି ମୁଁ ଗ୍ରହଣ କରି ପାରୁନାହିଁ ।’’

 

‘‘କିନ୍ତୁ ସତ୍ୟ ଏକା ଆପଣ । ସତ୍ୟ ହେଉଛି ଆପଣଙ୍କର ରିପୋର୍ଟ, ସତ୍ୟ ହେଉଛି ଆପଣଙ୍କର ମାନିଫେଷ୍ଟ । ସତ୍ୟ ଆପଣଙ୍କର ବହିପଢ଼ା ଦର୍ଶନ । ଆଉ ଆଖି ଆଗରେ ଏଇ ଶହ ଶହ ଲୋକ ଆପଣଙ୍କର କଥା ପଦକେ ମିଥ୍ୟା ହୋଇଗଲେ ?’’ ବଜ୍ରବାହୁ ହଠାତ୍ ଉତ୍ତେଜିତ ହୋଇ ପଡ଼ିଲେ ।

 

ଗିରଫଦାରୀ ପରଓ୍ୱାନା । ବଜ୍ରବାହୁ ଗିରଫ ହେବେ । ଏଥରକ ଆଉ ଫାଙ୍କି ଦେବାର ଉପାୟ ନାହିଁ । ଚାରିପାଟରେ ପଥର ପାଚିରୀ ଦିଅ ଜେଲ୍‌ । ଗାରିଗାରିକିଆ ହାପ୍‌ପ୍ୟାଣ୍ଟ ପିନ୍ଧି କଏଦୀ ହୋଇ ଦିନସାରା ହାଡ଼ଭଙ୍ଗା ଖଟଣୀର ବିଭୀଷିକା । ସେମାନେ ସବୁ କୁଆଡ଼େ ଗଲେ ତେବେ ?

 

ବଜ୍ରବାହୁ ପଛକୁ ଫେରି ଚାହିଁଲେ । କେହି ନାହାନ୍ତି । ଫୋଲ୍‌ସର୍‌ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ ଫଳରେ ସବୁ ଲୋକମାନେ ଛିନ୍‌ଛତ୍ର ହୋଇ ପଳାଇ ଯାଇଛନ୍ତି । କମ୍ରେଡ଼୍‌ ରାଧାଚରଣ ବି ଯାଇ ଅଣ୍ଡର ଗ୍ରାଉଣ୍ଡରେ ।

 

ବଜ୍ରବାହୁ କାମରେ ଲଗାଇ ପାରିଲେ ନାହିଁ । ଏତେଦିନର ଶିକ୍ଷା ସବୁ ଅକାମୀ । କେମିତି ପୋଲିସ ଆଖିରୁ ଧୂଳୀ ଦେଇ ଖସି ପଳାଇ ଯିବାକୁ ହେବ, ସେ ତ ବାରମ୍ବାର ଶିକ୍ଷା କରିସାରି ଥିଲେ । କିନ୍ତୁ ହଠାତ୍‌ ଆତ୍ମସମର୍ପଣଟା.....ନାଃ ସଚ୍ଚା କମ୍ରେଡ଼୍ ନୁହଁ ।

 

ଅଜାତ୍‌ ସୂର୍ଯ୍ୟର ଜୟଶଙ୍ଖ ଫୁଙ୍କି ଫୁଙ୍କି ବଜ୍ରବାହୁ କ୍ଲାନ୍ତ । ଆକାଶରେ ଘୋଟିଛି କଳା ମେଘ । ପ୍ରଥମ ଆଷାଢ଼ ହୋଇନି, ତଥାପି ଏ ଅନ୍ଧାର । କାହିଁ ସେ ଆଲୋକ ? କାହିଁ ସେ ସୂର୍ଯ୍ୟ ?

 

ଯେମିତି ବଜ୍ରବାହୁ ପ୍ରଥମଥର ପାଇଁ ଅନୁଭବ କଲେ ଯେ ସେ ଏକାକୀ । ସାମ୍ପେନ୍‌ର ଉତ୍ତେଜନାକାରୀ ନିଶାଟା ଏଇମାତ୍ର ଛାଡ଼ି ଯାଇଛି । ଖାଲି ବାକି ରହିଯାଇଛି ପଞ୍ଜରାର ଫ୍ରେମ୍‌ ଓ କେତେ ଛଟାଙ୍କି ରକ୍ତ ଓ ମାଂସ ।

 

ଶକ୍ତିର କେବଳ ମାତ୍ର, ଯାହା ରୂପାନ୍ତର । ନୋହିଲେ ସମସ୍ତଙ୍କ ମନରେ ଜଳୁଛି ସେଇ ଏକମାତ୍ର ଇଚ୍ଛା । ଆମେ ବଞ୍ଚିଛୁ, ଆମେ ବଡ଼ ହେବୁ । ଲକ୍ଷ ଲକ୍ଷ ‘ବାଦ’ର ନୀତିକଥା, ଶହ ଶହ ମହାପୁରୁଷଙ୍କର ଅମୃତ ବାଣୀ, ହଜାର ହଜାର ପଣ୍ଡିତଙ୍କର ଅମର ସତ୍ୟ ବାକ୍ୟ, ସବୁରି ମୂଳରେ ଏଇକଥାଟି ନିଚ୍ଛନ୍ନ ।

 

ସେମାନେ ସବୁ ଚାରିପାଖରେ ଘେରି ରହୁଛନ୍ତି । ହାତଗୋଡ଼ ସବୁ ବଂଧା ସରିଛି । ବଜ୍ରବାହୁ କାବୁ । ଆଉ ହଲ୍‌ଚଲ୍‌ ହେବାର ଶକ୍ତି ନାହିଁ । ‘‘ନା କଣ କହୁଛ ବଜ୍ରବାହୁ ? ତମ ଗୋସାଇଁ ବାପା କୋଉକାଳେ ରାଜ୍ୟ ଜୟ କରିଥିଲେ । ଏଥର ଆମେ-ତମକୁ ଜୟ କରିଛୁ ।’’

 

ବଜ୍ରବାହୁ ରାଗରେ ବାହୁକୁ କାମୁଡ଼ି ପକାଇଲେ ।

 

‘‘ମୋତେ ଫିଟାଇ ଦିଅ ପ୍ରତାରଣାର ଗଣ । ମୋର ସରଳତାର ସୁଯୋଗ ନେଇ.... ।’’

 

‘‘କିନ୍ତୁ ଯିବ କୁଆଡ଼େ ବଜ୍ରବାହୁ । ଆମେ ଫିଟାଇ ଦେଲା ସଙ୍ଗେ ସଙ୍ଗେ ଆଉ ଦଳେ ଟାକି ବସିଛନ୍ତି । ସେମାନେ ତମକୁ ବାଂଧି ପକାଇବେ । ଏଇ ଜୟ କରିବା ହେଲା ମନୁଷ୍ୟତ୍ୱ । ମଣିଷ ବିଦ୍ୟାରେ, ବୁଦ୍ଧିରେ ଭଗବାନଙ୍କୁ ଜୟ କରିବାକୁ ବସିଲାଣି ସତ୍ୟ, କିନ୍ତୁ ମଣିଷକୁ ଜୟ କରିବାରେ ଯେଉଁ ଆନନ୍ଦ, ତାହା ଅନ୍ୟସବୁ କେଉଁଥିରେ ନାହିଁ । ସେଇଥିରେ ମଣିଷ କେତେକଙ୍କୁ ମୂର୍ଖ, ଅଜ୍ଞ, ଅଂଧ, ଦରିଦ୍ର କରି ରଖିଛି, କେବଳ ତାର ଏଇ ପିପାସାର ପୂର୍ଣ୍ଣଚ୍ଛେଦ କରିବାପାଇଁ । କିନ୍ତୁ ତାର ପୂର୍ଣ୍ଣଚ୍ଛେଦ ନାହିଁ–ତାହା ଅନନ୍ତ । ଏଇ ହେଲା ସୃଷ୍ଟିର ସଂଜ୍ଞା । ଏଇ ହେଲା ମନୁଷ୍ୟର ଭାଗ୍ୟ; ଏଇ ହେଲା ଜୀବନର ସ୍ରୋତ ।’’

 

ବଜ୍ରବାହୁ ମୁଣ୍ଡ ଘୁରିଗଲା ।

 

ତେବେ ଜେଲ ଯିବା ନିଶ୍ଚିତ । ତିନିବର୍ଷ କାରାଦଣ୍ଡର ଚୂଡ଼ାନ୍ତ ନିଷ୍ପତି ।

 

ଚମ୍ପାଗୋରୀ କେବଳ ଚାହିଲା । ସେ ନୂଆକରି ଜୀବନକୁ ବିଶ୍ଳେଷଣ କରି ଶିଖିଛି । ନୂଆକରି ଆଧୁନିକା ହେବାକୁ ତାଲିମ ପାଇଛି । ନୂଆ କରି ପାଇଥିବା ମନର ଛାଞ୍ଚରେ ପୃଥିବୀକୁ ନୂତନ ରୂପରେ ଢାଳିବାକୁ ଶିଖିଛି । ବଜ୍ରବାହୁ ଜେଲଗଲେ–ସେଥିପାଇଁ ଚିନ୍ତା କଣ ? କମ୍ରେଡ଼ ବିରୁପାକ୍ଷ ବାବୁ ଅଛନ୍ତି ତ ?

 

‘‘ଦିଅ, ଟୋପାଏ ଚା’ ପାଣିକର, କମ୍ରେଡ଼୍ ଚମ୍ପା–ବଜ୍ରବାହୁ ଯିବାର କଥା ଯାଇଛନ୍ତି । ସେ ତ ପୁଣି ଦିନେ ଫେରିବେ । ଆମେ ନୂଆ କରି ପାର୍ଟିକୁ ଏଥର ଗଢ଼ିବା । ପାର୍ଟି ଭିତରେ ବହୁତ ବିଶୃଙ୍ଖଳା ଏଥରକ ଦେଖା ଦେଇଛି । ତମେ ଏଥର ନେତୃତ୍ୱ ନେବ କମ୍ରେଡ଼୍ ଚମ୍ପା ।’’

‘‘ମୁଁ ? ମୁ ଯିବି କୁଆଡ଼େ, ମାଇପିଲୋକ ? ସମସ୍ତେ କ’ଣ କହିବେ ?’’

‘‘ଆଃ, ସତରେ ଯାହା କହନ୍ତି ତମେ ସେଇଆ । ଏତେଦିନ ଧରି କମ୍ରେଡ଼୍ ବଜ୍ରବାହୁ କିଛି ଶିଖାଇଲେ ନାହିଁ ? –ତମର ସେଇ ସାମନ୍ତବାଦୀ ଚିନ୍ତାଧାରା ରହିଯାଇଛି–ନାରୀ, ଅବଳା ଦୁର୍ବଳା । ଛିଃ–। ଏଇଆ କଣ ପ୍ରଗତି ?’’

ସେମାନେ ଚାଲିଲେ ମୁକ୍ତି ଆଊ ପ୍ରଗତିର ପଥରେ ।

ବଜ୍ରବାହୁ ଜେଲରୁ ଫେରିଆସି ଦେଖନ୍ତି ତ ଚମ୍ପାଗୋରୀ ତାଙ୍କ ପ୍ରତିକ୍ଷାରେ ବସିନାହିଁ । ସେ ବରଂ ବସିଲେ ଚମ୍ପାଗୋରୀର ପ୍ରତିକ୍ଷାରେ ।

ଜମାଟ ବନ୍ଧା ମେଘର ଆସ୍ତରଣରୁ ବର୍ଷା ପଡ଼ିଲା ଟପ୍‌ ଟପ୍‌ । ତାଙ୍କର ପୁରୁଣା କାନ୍ଥର ଖଣ୍ଡିଏ ପଥର ପୁଣି ଖସିପଡ଼ି ଆଉ ଏକ ନୂତନ ଝରକାର ସୃଷ୍ଟି କଲା ।

ବଜ୍ରବାହୁ ଥରେ ବଲବଲ କରି ଚାହିଁ ପୁଣି ଗ୍ଲାସରେ ସୋଡ଼ା ଗୋଳିଲେ । ଏ ପର୍ଯ୍ୟନ୍ତ ଚମ୍ପାଗୋରୀ ଫେରି ନାହିଁ । ସନ୍ଧ୍ୟା ଆସି ହେଲା ।

‘‘ସନ୍ଧ୍ୟା ଆସି ହୋଇଗଲା ଆଜ୍ଞା । ଏ ବର୍ଷା ତ ଛାଡ଼ିଲା ନାହିଁ । କରିବା କଣ ? ବଳଦଗୁଡ଼ାକ ଏ ବଜ୍ର ଶବ୍ଦରେ ହୁରୁଡ଼ି ଗଲେ । ଆମର ସବୁ ଆୟୋଜନ ମାଟି ହୋଇଗଲା ।’’

‘‘କିଓ ମାଟି ହୋଇଗଲା କଣ ? ତା’ ମାନେ କଣ ଲୋକମାନଙ୍କର ମନରୁ ଏସବୁ ପୋଛି ହୋଇଗଲା ? ଏସବୁ ଆଡ଼ମ୍ବର ନିମିତ୍ତ ମାତ୍ର । ଅସଲ ହେଉଛି ଲୋକମାନଙ୍କର ମନ । ଆଉ ଅପେକ୍ଷା କରିବାର କଣ ଅଛି ? ଏଇ ମାଟି ଉପରେ ଫୁଲ ହାରଟି ଥୋଇଦିଅ । ସେଇ ହୋଇଗଲା ।’’

‘‘ଏ ଧରଣର ଟ୍ରାକଟ୍‌ର ଆମ ଦେଶକୁ ଆଣିବା ନାହିଁ ଆଜ୍ଞା । ସବୁ ସମୟରେ ଧୋକା ଦେଉଛି । ଶେଠ୍‌ ଭୋଳାନାଥକୁ ବରାଦ ଦିଆଯାଉ ଅନ୍ୟ ଧରଣର ଟ୍ରାକ୍‌ଟର ପାଇଁ ।’’

‘‘ନିଶ୍ଚୟ ନିଶ୍ଚୟ’’

ପୁଣି ବ୍ୟାଣ୍ଡ ବାଜା ବାଜି ଉଠିଲା । ସେମାନେ ସବୁ ବିଦାୟ ସଙ୍ଗୀତ ଗାଉଛନ୍ତି ।

ଏଇ ହେଲା ସମାପ୍ତି । ବଜ୍ରବାହୁ ଚାହିଁଲେ ଝରକା ବାଟ ଦେଇ । ଆକାଶର ଘନ ବଉଦ ଭିତରୁ ଚନ୍ଦ୍ର ଆତ୍ମପ୍ରକାଶ କରିବା ପାଇଁ ପ୍ରାଣାନ୍ତକ ସଂଗ୍ରାମ କରି ଲାଗିଛି ।

ଚମ୍ପାଗୋରୀ ଏ ପର୍ଯ୍ୟନ୍ତ ଫେରି ନାହିଁ । ଅଧ ରାତିରୁ ଗଡ଼ି ଗଲାଣି । କଣ କରୁଛି ସିଏ ସେଠି ?

ପେଟରେ ଯନ୍ତ୍ରଣା । ବଜ୍ରବାହୁଙ୍କର ଉପାୟ ଆଉ କିଛି ନାହିଁ । ବାହୁରୁ ସବୁ ବଳ ତୁଟିଛି-। ଅଛି, ନିସ୍ତେଜ ଆଖିରେ ଚାହିଁବା ପାଇଁ ଟିକିଏ ମାତ୍ର ଶକ୍ତି ।

କେବଳ ସେ ଆକାଶ ଉପରେ କଳା କଳା ମେଘ ଓ ବିଜୁଳିର ଭୟାବହ ସଂଘର୍ଷ । ଏ ବସୁଧା ଫାଟି ପଡ଼ୁଛି । ଆକାଶ ବିଦୀର୍ଣ୍ଣ ହେଉଛି । ମହା ପ୍ରଳୟର ସୂଚନା ।

ଠକ୍‌ ଠକ୍ ଠକ୍ । ଦାଣ୍ଡ କବାଟରେ ଆଘାତ । ଚମ୍ପାଗୋରୀ ଡାକୁଛି । ରାତି ଆସି ଶେଷ ହେଲାଣି । ମୋର ଦେହ ହାଲିଆ ଲାଗିଲାଣି, ମୁଁ ବିଶ୍ରାମ ଚାହେଁ । ଉଠ, କବାଟ ଫିଟାଅ ବଜ୍ରବାହୁ-

ଆହୁରି ଚିତ୍କାର ଜୋର । ଉଠ ବଜ୍ରବାହୁ କବାଟ ଫିଟାଅ ।

ଗୋଟିଏ ନିସ୍ତବ୍‌ଧ ରାତିରେ ଖାଲି ଚିତ୍କାର–ଉଠ ବଜ୍ରବାହୁ କବାଟ ଫିଟାଅ ।

କେହି ଶୁଣିଲେ ନାହିଁ ।

ବଜ୍ରବାହୁ ଥରଟିଏ ମାତ୍ର ଆଖି ଖୋଲି ପୁଣି ଆଖିକି ବନ୍ଦ କଲେ । କାନରେ ବାଜୁଥିଲା କେତେଟା ଶବ୍ଦ ଅବଶ୍ୟ–କିନ୍ତୁ ତାହା କ୍ରମଶଃ କ୍ଷୀଣରୁ କ୍ଷୀଣତର ହୋଇ ଯାଉଥିଲା । ଖାଲି ଶୁଭୁଥିଲା ଏତିକି–କବାଟ ଫିଟାଅ, ବଜ୍ରବାହୁ, ହୋ କମ୍ରେଡ଼ ବଜ୍ରବାହୁ ।

ତା ୨୯-୫-୫୮

କଟକ

Image

 

ବୀମା

 

(ଶ୍ରୀମତୀ ଉଷାରାଣୀ, ଶ୍ରୀମତୀ ସରସ୍ୱତୀ କରକମଳେଷୁ)

 

ନବଘନ ବାବୁ ଚିକ୍‌କଣ କରି ଦାଢ଼ି କାଟି ପକାଇ ମୁହଁରେ ସ୍ନୋ ଘଷିଲେ । ଆଜି କିନ୍ତୁ ଚଞ୍ଚଳ କାମକୁ ବାହାରିବାକୁ ହେବ ।

 

ଦୀର୍ଘ ସାତ ବର୍ଷର ଦୁଃଖ, ଦୈନ୍ୟ, କାରୁଣ୍ୟର ଆଜି ମାତ୍ର ମୁଁ ନିର୍ବାଚନ କାମରେ ବ୍ୟସ୍ତ ରହିଲି । ତମେ ପତ୍ରିକାଟିକୁ ଚଳାଅ ।

 

ବାଃ; ୟାଠାରୁ ଆଉ ଭଲ ଖବର କିଛି ଥାଇପାରେ ? ସହକାରୀ ସମ୍ପାଦକ ସତ, କିନ୍ତୁ ସହକାରୀ ହେବାଠୁ ବଳି ଦୁଃଖ ଯେ ଅଙ୍ଗେ ଲିଭାଇଛି ସେଇ ଏକା ଜାଣେ । ସହକାରୀ ଡାଇରେକ୍‌ଟର ସିନ୍‌ ଭିଡ଼େ, ସହକାରୀ କ୍ୟାମେରାମ୍ୟାନ ଟ୍ରଲିଟାଣେ, ସହକାରୀ ଓକିଲ ନଥିପତ୍ର ବୁହେ, ଏବଂ ସହକାରୀ ସମ୍ପାଦକ ପ୍ରୁଫ୍ ଦେଖେ ।

 

ଏତେ ଦିନ ଧରି ନବଘନ ବାବୁ ଖାଲି ପ୍ରୁଫ୍ ଦେଖି ଆସିଥିଲେ । କିନ୍ତୁ ହଠାତ୍‌ ଏ ସୁଖବର–ସମ୍ପାଦକ ରାଜନୀତିରେ ଭାଗ ନେଉଛନ୍ତି ।

 

‘‘ଏଇଥର’’–ରେ ହାତରେ ହାତ ବାଡ଼େଇ ମୁହଁର ଭାବ ଭଙ୍ଗୀ ଦେଖିବାକୁ ଦର୍ପଣକୁ ଚହିଁଲେ ।

 

‘‘ଆରେ ସେ ବାଁ ପାଖ ନିଶଟା ତ ଛୋଟ ହୋଇଗଲା । ଯାଃ–ଏଗୁଡ଼ାକ ଏଠି ରହିଲେ କିଛି ହବନି । ନରିଆ–ବେ ନରିଆ, କଣ କରୁଛୁ ସେଠି, ଘଣ୍ଟାଏ ହେଲା ଖାଲି ଖଡ଼୍ ଖଡ଼୍ ଚଲାଇଛି-। କାମର ନା ନାହିଁ-

 

–ନବଘନ ବାବୁ ଚିଡ଼ି ଉଠିଲେ ।

 

ଚାକର ଟୋକା ନରହରି ଆସି ଆଗରେ ଛିଡ଼ା ହେଲା । ସେ ଦେଖୁଛି ଗୋଟାଏ ଅଦ୍ଭୁତ ପରିବର୍ତ୍ତନ । ହଠାତ୍‌ ଏଇ ଲୋକଟିର ଏମିତି କଣ ହେଲା ? ମୁଣ୍ଡ ଖରାପ ହୋଇ ଗଲାକି ?

 

‘‘କଣ ବେ ଦେଖୁଛୁ, ରୋଷେଇ ହେଲାଣି ? କାମର ନା’ ନାହିଁ, ଖାଲି ମିଛରେ ପଇସା ଗଣିବା ସାର ହେଉଛି । ହେଃ, ଯାବେ ଏଠୁ ।’’ –ନବଘନ ବ୍ଲେଡ଼୍ ଚଳାଉ ଚଳାଉ କହିଲେ–

 

‘‘ଏଇଥର ବଦମାସ୍‌କୁ ଦେଖିନେବି । ବେଟା ଅଧ୍ୟାପକ ହୋଇଛି, ଖାଇ ପିଇ ସୁସ୍ଥରେ ରହି ଗଣ୍ଡି କମାଉଛି । କାହାକୁ ଖାତିର କରେ ନାହିଁ, ବଚ୍ଚା ରହରହ, ଏଇଥର ଏକା ଥରକେ ମୂଳପୋଛ ।’’

 

ନବଘନ ବାବୁ ଉତ୍ତେଜନାରେ ବ୍ଲେଡ଼୍‌ ଧରିଥିବା ହାତକୁ ଜୋରରେ ଟାଣି ଆଣି ଅଭିନେତା ଭଳି ଛିଞ୍ଚାଡ଼ି ଦେଲେ । ବ୍ଲେଡ଼୍ ଧାରରେ ନାକ ତଳୁ ଚେନାଏ ମାଉସ ଉଠିଯାଇ ରକ୍ତ ବୋହିବାକୁ ଆରମ୍ଭ କଲା ।

 

‘‘ଆଜ୍ଞା ରକ୍ତ ବୋହିଲା । କେଡ଼େଖଣ୍ଡେ ମାଉଁସ କାଟି ହୋଇ ଯାଇଛି । ଆହା ହା ।’’ ନରିଆ କହିଲା ।

 

‘‘ଏ, କାଟି ହୋଇଛି, କୋଉଠୁ କାଟି ହେଲା ?’’

 

‘‘ଆଜ୍ଞା ନାକ ତଳୁ, କେଡ଼େଖଣ୍ଡେ କାଟି ହୋଇ ଯାଇଛି । ଫିଟିକରି ଟିକିଏ ଆଣିଦେବି-?

 

‘‘ବଦମାସ୍‌ ଟୋକା, ତୋର ଏତେ କଥାରେ କଣ ଯାଏ ଆସେ ? ରୋଷାଇ ସାରିଲୁଣି-?’’

 

‘‘ନାଇ ଆଜ୍ଞା ସରିନି ।’’

 

‘‘କାହିଁକି ସରିନି । ତୋତେ କାଲି କହିଥିଲି ମୁଁ ନଅଟା ବେଳକୁ ଖାଇକରି ଯିବି ।’’

 

‘‘ସକାଳୁ ଦୋକାନ ପିଟି ନଥିଲା ।’’

 

‘‘ଦୋକାନ ପିଟି ନଥିଲା ? କାଲି ରାତିରେ କଣ କରୁଥିଲୁ, ଜିନିଷ ସବୁ କିଣିଆଣି ରଖିଲୁ ନାହିଁ ?’’

 

‘‘ମୋ ପାଖରେ ପଇସା ନଥିଲା ।’’

 

‘‘ମୋତେ ମାଗିଲୁ ନାହିଁ ?’’

 

‘‘ଆପଣ ଫେରୁ ଫେରୁ ତ ରାତି ଏଗାର ।’’

 

ସତକଥା, ଭୁଲଟା ତାଙ୍କରି । ଅଧ୍ୟାପକ ମହାପାତ୍ରଙ୍କ ବିରୁଦ୍ଧରେ କଣ ଲେଖିବେ ସେଇ କଥା ଚିନ୍ତା କରୁକରୁ ରାତି ଏଗାରଟା ହୋଇଗଲା । ଏଣେ ପଇସା ଦେବାକୁ ଖିଆଲ ନାହିଁ । ରାଗଟା ଟିକିଏ ଥଣ୍ଡା ପଡ଼ି ଆସିଲା ।

 

‘‘ଆଚ୍ଛା ଏ ଥରଠୁ ପଇସା ମାଗି ରଖିବୁ ।’’

 

ନବଘନ ବାବୁ ଖଣ୍ଡିଆ ଉପରେ ଆଙ୍ଗୁଠିଟା ଚିପି ଧରିଲେ ।

 

ଟିକିଏ ଖଣ୍ଡିଆ ହୋଇଗଲା ସିନା, ନିଶଟା ଏଥର ଚମତ୍କାର କାଟି ହୋଇଛି । ସଂପାଦକମାନଙ୍କର ଟିକିଏ ଗାମ୍ଭିର୍ଯ୍ୟ ରହିବା ଦରକାର । ଏ ନିଶଟା ତାରି ପ୍ରତୀକ । ଅବଶ୍ୟ ଅନେକ ନିଶ ନ ଥିବା ସମ୍ପାଦକ ଅଛନ୍ତି କିନ୍ତୁ ବଡ଼ ହଇରାଣରେ ପଡ଼ନ୍ତି ସେମାନେ । କଲେଜ ପିଲାଏ ଆସି ବଡ଼ ହଟହଟା କରନ୍ତି–ଖାତିର କରନ୍ତି ନାହିଁ ।

 

ଅଧ୍ୟାପକ ମହାପାତ୍ର ନିଶ ରଖିଛି । କିନ୍ତୁ କେଉଁ ଗୁଣକୁ ? ଠିକ୍‌ ଗୋଟାଏ କଟକୀ ଗୁଣ୍ଡା ଭଳି ଦେଖଯାଏ । ପୁଚୁକା ପୁଚୁକା ଗାଲ ଏବଂ ଗୋଲ ମୁହଁ ଉପରେ ନିଶଟା ? ଛିଃ ନିଶ ରଖିବାକୁ ଚେହେରାଟା ଟିକିଏ ପତଳା ହେବା ଦରକାର । ବିଶେଷତଃ ଧାର ମୁହଁ ଉପରେ ନିଶଟା ଚମତ୍କାର ମାନେ । କିନ୍ତୁ ଅଧ୍ୟାପକ ମହାପାତ୍ର–ହେଃ–ଗୋଟାଏ ସମ୍ବଲପୁରୀ କଖାରୁ ତ । ରିତିମତ ଗୋଲ । କେମିତି ଏ ସ୍ୱାସ୍ଥ୍ୟ ସେ କମାଇଲା । ରାତିରେ କୁଆଡ଼େ ଖାଲି ଦୁଧ ପିଏ । ଚିନ୍ତା ତ ନାହିଁ । ମୁଣ୍ଡରେ ତ ମଇଁଷି ଗୋବର । ସ୍ୱାସ୍ଥ୍ୟ ନ ହେବ କାହିଁକି ? ଆସୁ ତ ଭଲା, ମାସେ ଏ ପତ୍ରିକାଟାକୁ ଚଳାଇବ-। କେମିତି ସ୍ୱାସ୍ଥ୍ୟ ସେ ରଖିବ ଦେଖିବା ।

 

ନବଘନ ବାବୁ ସିଲ୍‌କ ପଞ୍ଜାବୀ ପିନ୍ଧିସାରି ଦର୍ପଣ ଆଗରେ ଠିଆ ହୋଇ ପାଟିକୁ ଉପରକୁ ତଳକୁ କରି ମୁହଁର ବିଚିତ୍ର ଭଙ୍ଗୀମାକୁ ଲକ୍ଷ୍ୟ କରି ଲାଗିଲେ ।

 

ଏଇଥର ମହାପାତ୍ରର ମୁଣ୍ଡ ଉପରେ କାଉ ଉଡ଼ିଲା । କ୍ରମାଗତ ଚାରୋଟି ସଂଖ୍ୟାରେ ତା ବିରୁଦ୍ଧରେ ଲେଖାଯିବ । ଯେଉଁଠି ଯେତେ ଖବର ଏପରିକି ତାର ଛାତ୍ରଜୀବନର କାଣ୍ଡ କାରଖାନା ସବୁ ଟିକନିକ୍‌ କରି ଲେଖାଯିବ । କୋଉ ବାପ ପିଠିରେ ଏଥରକ ପଡ଼ିବ ଆସୁ ।

 

ନବଘନ ବାବୁ ଟେବୁଲ ଉପରେ ଧଡ଼୍ କରି ଗୋଟାଏ ବିଧା ବସାଇ ଦେଲେ ।

 

ଏତେ ଦିନ ପରେ ଭାଗ୍ୟ ରବି ଉଇଁଲା । ସହକାରୀ ସମ୍ପାଦକରୁ ହଠାତ୍‌ ସମ୍ପାଦକ ହୋଇଗଲେ । ଏ କଣ କମ୍‌ ବଡ଼ କଥା । ଅନ୍ତତଃ ନାମଜାଦା ଲେଖକମାନେ ତ ନମସ୍କାର କରିବେ-। କିଛି ନ ହେଉ ପଛକେ ଏଇ ବଦମାସ୍‌ କମ୍ପୋଜିଟରମାନେ ଆଉ ହେୟଜ୍ଞାନ କରିବେ ନାହିଁ । କେମିତି ବା କରିବେ–ଦାନାପାଣି ତ ଏଥର ହାତ ମୁଠାରେ ।

 

ନବଘନ ବାବୁ ଚିକ୍‌କଣ କରି ମୁଣ୍ଡ କୁଣ୍ଡାଇ ଲାଗିଲେ ।

 

ସାଢ଼େ ନଅଟା ହୋଇଗଲାଣି । ଡେରି ହୋଇଗଲାଣି ଖୁବ୍‌ । ଅନ୍ୟ ଦିନ ହୋଇଥିଲେ ଅବଶ୍ୟ ଚିନ୍ତା ନଥିଲା । କୋଉ ଦାୟିତ୍ୱପୂର୍ଣ୍ଣ ଚାକିରୀଏଟା–ଖାଲି ପ୍ରୁଫ୍‌ ଦେଖା ତ ? ଦିନ ଗୋଟାଏବେଳେ ଗଲେ ଚଳିବ । ସେଇଥିପାଇଁ ବିଛଣା ଛାଡ଼ୁ ଛାଡ଼ୁ ଦିନ ନଅ ।

 

କିନ୍ତୁ ଆଜି..... ?

 

‘‘ବେଇ ନରିଆ–ଖାଇବାକୁ ବାଢ଼ ।’’

 

‘‘ଟିକିଏ ଡେରି ହେବ ଆଜ୍ଞା । ପରିବା ସିଝି ନାହିଁ ।’’

 

ଆରେ ଏ ପିଲାଟା ତ ଗୋଟାଏ ମାରାତ୍ମକ ପିଲା । ଏପର୍ଯ୍ୟନ୍ତ ରୋଷାଇ ସାରିଲା ନାହି-। ଆଚ୍ଛା ଆଚ୍ଛା । ଖାଇବା ପାଇଁ ଗୋଟାଏ ସ୍ୱତନ୍ତ୍ର ସମୟର କିଛି ଆବଶ୍ୟକତା ନାହିଁ । କାମ କରୁ କରୁ ଯେତେବେଳେ ଟିକିଏ ଫୁର୍‌ସତ୍‌ ମିଳିଲା, ସେତେବେଳେ ଖାଇ ନେଇ ହେବ । ଖୁବ୍‌ ବଡ଼ ବଡ଼ ଅଫିସରମାନେ ପ୍ରାୟ ସେଇଆ କରିଥାନ୍ତି ।

 

‘‘ଆଚ୍ଛା, ଶୁଣ୍‌ ନରିଆ–ରୋଷାଇ ସରିଲେ ପ୍ରେସକୁ ମୋ ଖାଇବାଟା ନେଇଯିବୁ । ଆଜିଠୁ ସେଇଠି ଖିଆ ହେବ ।’’

 

ନବଘନବାବୁ ତରତରରେ ପୁରୁଣା ସାଇକେଲ୍‌ଟି ଧରି ପ୍ରେସ୍‍କୁ ବାହାରି ପଡ଼ିଲେ ।

 

ପ୍ରେସରେ କେହି ନାହାନ୍ତି । କାମ ବି ଆରମ୍ଭ ହୋଇନି । ପ୍ରେସ୍‌ ଘରେ ରହୁଥିବା ଜଣେ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ବାଉଁଶ ଦାନ୍ତକାଠିକୁ ଛେଚି ହାତରେ ଧରିଥିବା ଗୁଡ଼ାଖୁରେ ମଡ଼ାଇ ମଡ଼ାଇ ଦାନ୍ତ ଘଷୁଛନ୍ତି ।

 

‘‘ପଣ୍ଡିତ ମହାଶୟ ।’’

 

‘‘ଆଜ୍ଞା !’’

 

‘‘କମ୍ପୋଜିଟରମାନେ ସବୁ କାହାନ୍ତି ?’’

 

‘‘କଣ ବେଳ ହେଲାଣି ? ସେମାନେ ସବୁ ସାଢ଼େ ଏଗାରଟା ବେଳକୁ ଆସନ୍ତି ।’’

 

‘‘ସାଢ଼େ ଏଗାର ? ଏତେ ଡେରି । ଏଥରଠୁ ତା’ହେଲେ ଏ ସବୁ ଚଳିବ ନାହିଁ । ପଇସା ନେଲାବେଳକୁ ଠିକ୍‌ ଗଣି ନେଇ ଯିବେ, ଆଉ କାମ କଲାବେଳକୁ ଏତେ ଡେରି ? ଶୁଣନ୍ତୁ–ସେମାନଙ୍କୁ ସବୁ ଏଥରଠୁ କହିଦିଅନ୍ତୁ ଯେ ଦିନ ଦଶଟାବେଳକୁ ଆସି କାମ ଆରମ୍ଭ କରିବେ । ନୋହିଲେ ଯେ ଯାହାର ରାସ୍ତା ଦେଖନ୍ତୁ । ପଇସାଗୁଡ଼ାକ ଏଠି ମୋଫାତ୍‌ ପଡ଼ିନାହିଁ ।

 

ନବଘନ ବାବୁ ଅଫିସରେ ବସି ଲେଖାଲେଖି ଆରମ୍ଭ କଲେ ।

 

ମାସର ପହିଲା ଆସି ହୋଇଗଲାଣି । ପତ୍ରିକା ଏଥର ବାହାରିବେ । ଧରାବନ୍ଧା ଗ୍ରାହକ ତ ଦୁଇ ହଜାର । ବାକି ହଜାରେ ଖଣ୍ଡେ ସେମିତି ବିକ୍ରୀ ହୁଏ । ଓଡ଼ିଶାରେ ତିନିହଜାର ଲୋକ ତ ଜାଣିଯିବେ ଯେ ଏଇ ଅଧ୍ୟାପକ ମହାପାତ୍ର ଗୋଟାଏ ପକ୍‌କା ସଇତାନ । ସେତିକି ଯଥେଷ୍ଟ । ଗୋଟାଏ ଅଧ୍ୟାପକ ପକ୍ଷରେ ଆଉ କି ଜଘନ୍ୟ ଶାସ୍ତି ହୋଇପାରେ ? ଓଃ, ଇରେ ବାପ୍‌ରେ, ସେଇଟା ଚାଲେ କେମିତି ? ଠିକ୍‌ ଗୋଟାଏ ଉଦ୍ଧତ, ଗର୍ବୀଙ୍କ ଭଳି ଛାତିକୁ ଅସମ୍ଭବ ରକମର ଫୁଲାଇ ଚାଲେ । କିଓ, ସଂସାରରେ କଣ କେହି ମୋଟା ହୋଇ ନାହାନ୍ତି । ୟା ବୋଲି ଏମିତି ଚାଲିବ, ଟିକିଏ ନମ୍ର ହୋଇ ଚାଲିଲେ କଣ ହୁଅନ୍ତା ନାହିଁ ? ହଉ ବଚ୍ଚା; ହେଇ ହେଇକା ଆଉ ସପ୍ତାହେ, ଖାଲି ପତ୍ରିକାଟା ବାହାରିଲା ପର୍ଯ୍ୟନ୍ତ ।

 

ନବଘନ ବାବୁ ପୁଣି ଲେଖାରେ ମନ ଦେଲେ ।

 

ପ୍ରେସ୍‌ରେ ମେସିନ୍‌ ଚାଲିବାର ଶବ୍ଦ ଆରମ୍ଭ ହେଲାଣି । ସମସ୍ତେ ବୋଧହୁଏ କାମକୁ ଆସିଗଲେଣି । ଖୁବ୍‌ ବେଶି ହେଲେ ଦିନ ଦୁଇଟା କିମ୍ବା ତିନିଟା । ତା’ପରେ ପତ୍ରିକାଟା ବାହାରିଯିବ-। ସମସ୍ତେ ନାଁଟା ଦେଖି ଆଶ୍ଚର୍ଯ୍ୟ ହୋଇ କୁହାକୁହି ହେବେ ‘ନବବାବୁ ସମ୍ପାଦକ ହୋଇଗଲେରେ’ । ପ୍ରତ୍ୟେକ ଜାଗାକୁ ଯିବାକୁ ନିମନ୍ତ୍ରଣ କାର୍ଡ଼ । ଲୋକେ ତାଙ୍କ ସାନିଧ୍ୟ ପାଇବାକୁ ବ୍ୟାକୁଳ ହେବେ । ରାସ୍ତାଘାଟରେ ଚାଲିଗଲାବେଳେ ଅନ୍ତତଃ ନମସ୍କାରଟାଏ ମିଳିବ ତ ?

 

କିନ୍ତୁ ଅଧ୍ୟାପକ ମହାପାତ୍ରଟା ନମସ୍କାର କରେ ନାହିଁ ତାକୁ । ନକରୁ, କୋଉ ମଣିଷଟାଏ ଭଲା ସିଏ ? ଏମ୍‌. ଏ. ପାଶ୍‌ କରି ଯାଇଛି ବୋଲି ମନରେ ତାର ଭାରି ଗର୍ବ । କିଓ ବିଏ , ଏମ.ଏ କେତେ ଫରକ ? ମାତ୍ର ଦୁଇଟା ବର୍ଷ । ଏତିକିରେ ତା’ର ଗର୍ବଟା ଏତେ ବେଶି । ଧଡ଼ କରି ସଂପାଦକ ବଖରାକୁ ପଶିଯିବ । ଯେମିତି ସେ ବଖରାଟାକୁ ସେ ଲିଜ୍‌ ନେଇ ଯାଇଛି । କାହାକୁ ନମସ୍କାର ତ ନାହିଁ–ଓଲଟି ଚଉକିରେ ବସି ଟେବୁଲ ଉପରେ ଗୋଡ଼ ଦି’ଟା ଲମ୍ବାଇ ଦେବ । ଛି–ମୋଟେ ଭଦ୍ରମି ଜାଣେ ନାହିଁ । ସମ୍ପାଦକ ତ ଭୋଳାନାଥ । ଚବିଶ ଘଣ୍ଟା ଛେଳି ଭଳି ପାନ ଚୋବାଉଥିଲେ ତାଙ୍କର ସଂସାରଟା ସବୁ ଭଲ । ସେ କାହୁଁ ଜାଣିବେ ଏ ସଇତାନଟାକୁ । ଶେଷ ବେଳକୁ ରାଜନୀତିରେ ଭାଗ ନେଇଛନ୍ତି, ଭଲ କାମଟାଏ କରିଛନ୍ତି । ଏଠି ବସି ଢୁଳାଇବା ଅପେକ୍ଷା ଆସେମ୍ଲିର ପଛ ବେଞ୍ଚରେ ବସି ଥଣ୍ଡା ହାଓ୍ୱାରେ ଢୁଳାଇବା ଢେର ଭଲ ।

 

ଆସନ୍ତା କି ଏଇନେ ଅଧ୍ୟାପକ ମହାପାତ୍ର । ଦରୱାନକୁ ଡାକି ଦି’ଟା ଗଳା ଧକ୍‌କା ଦେଇ ନିକାଲି ଦିଅନ୍ତି । ଆଡ଼୍‌ଡ଼ା କରିବ ଏଠି ? ଏଇଟା ଶଶୁର ଘର ପାଇଲା । ବଦ୍‌ମାସ ।

 

ନବଘନ ବାବୁ ଚଉକିରୁ ଉଠି ଭିତରେ ନାଟକୀୟ ଭଙ୍ଗୀରେ ପଦଚାରଣା କଲେ ।

 

ଅଧ୍ୟାପକ ମହାପାତ୍ରଙ୍କ ବିରୁଦ୍ଧରେ ଲେଖାଟା ପ୍ରାୟ ଶେଷ ହେବା ଉପରେ । ଥରେ ଦି’ଥର ଭଲକରି ପଢ଼ି ଦେଇ କମ୍ପୋଜିଟରଙ୍କୁ ଦିଆଯିବା ଦରକାର । ଚେଷ୍ଟାକଲେ ଆଜି ରାତି ସୁଦ୍ଧା ପତ୍ରିକାଟା ବାହାରି ଯାଇ ପାରିବ ।

 

‘‘କଣ କହୁଛନ୍ତି ପଣ୍ଡିତ ମହାଶୟ ।’’

 

‘‘ଆଜ୍ଞା ?’’

 

‘‘ନିଅନ୍ତୁ ବେଗେ ବେଗେ କାମ ଚଳାନ୍ତୁ । ଆଜି ରାତି ସୁଦ୍ଧା ପତ୍ରିକା ବାହାରି ବଜାରକୁ ବିକ୍ରୀ ହେବା ପାଇଁ ଯିବ ।’’

 

ନବଘନ ବାବୁ ଅପିସ୍‍ ଘର ଭିତରେ ଖାଇ ବସିଲେ । ମନ ଭିତରେ ଗୋଟାଏ ଉନ୍ମାଦ-। ଯେମିତି ତାର ପ୍ରବାହ ଅଫିସ୍‌ ଘର ଭିତରେ ତାକୁ ବୁଡ଼ାଇ ସାତଟା ଝରକା ବାଟ ଦେଇ ବାହାରକୁ ବି ବହି ଚାଲିଛି । ସମସ୍ତଙ୍କ ମନରେ ଯେମିତି ବାଜି ଯାଉଛି ‘‘ଏ ଅଧ୍ୟାପକ ମହାପାତ୍ର କିଏ ?’’

 

‘‘ଚିହ୍ନିନା ତମେ ସେଇ ସମ୍ବଲପୁରୀ କଖାରୁକୁ–ଆରେ ଯିଏ ଗଳ୍ପ ଲେଖେ ମ ଆମ ପତ୍ରିକାରେ । ହଉ ବାବା ସେତିକି ତ । ସେ ସମ୍ପାଦକ ସିନା ଓଲୁ ଥିଲେ । ଏଣିକି ଚାବି ତ ମୋ ହାତରେ । କେତେ ଗଳ୍ପ ବାହାରିବ ଦେଖିବା ।’’

 

‘‘ଏଁ ଆପଣ, ଆପଣ କେବେଠୁ ହେଲେଣି ମ ?’’

 

‘‘କାହିଁକି ମୁଁ ତ ସବୁକାଳେ ଥିଲି । ଖାଲି ତାଙ୍କ ନାଁ ଟା ସିନା ସମ୍ପାଦକ ବୋଲି ବାହାରୁଥିଲା । ନୋହିଲେ କାମ ତ ମୁ କରୁଥିଲୁ । ସେଇଆ ସବୁଠି ହୁଏ, ଜଣେ ଖଟି ଖଟି ମରେ, ଏବଂ ଆଉ ଜଣେ ନାଁ ମାରି ନିଏ । ଏବେ ଅଧିକା ଏତିକି ହେଲା ମୋ ନାଁ ଟା ସମ୍ପାଦକ ବୋଲି ଛପାଯିବ । ତମେ ସବୁ ଲେଖା ଫେଖା ଦିଅ ଏଥର ଛାପିବା । କଣ କରୁଛ ତମେ ଆଜିକାଲି ?’’

 

‘‘ଏମ୍‌. ଏ. ପଢ଼ୁଛ ଆଜ୍ଞା ।’’

 

‘‘ବେଶ୍‌ ବେଶ୍‌, କିନ୍ତୁ ସେ ଅଧ୍ୟାପକ ମହାପାତ୍ରଙ୍କୁ ଚିହ୍ନି ରଖିଥା–ପକ୍‌କା ବଦମାସ ଅଛି ସେ ।’’

 

ନବଘନ ବାବୁ ଖାଇସାରି ସିଗାରେଟ ଖଣ୍ଡେ ଲଗାଇ କାନ୍ଥ ଘଡ଼ିକୁ ଚାହିଲେ । ଦୁଇଟା ବାଜି ଗଲାଣି । ଆଉ ଚାରିଘଣ୍ଟା ମାତ୍ର ସମୟ । ପତ୍ରିକାଟା ଛଅଟା ବେଳକୁ ବାହାରିବ ।

 

ସେ ବ୍ୟସ୍ତ ହୋଇ ପୁଣି ଥରେ କାନ୍ଥ ଘଡ଼ିକୁ ଚାହିଁଲେ । ପେଣ୍ଡୁଲମ୍‌ଟା ଦୋହଲିବାରେ ଲାଗିଛି । ସମୟର ଗୋଟାଏ ନିରାଶାବାଦୀ ସଙ୍କେତ । ଜୀବନଟା ସେକେଣ୍ଡ ସେକେଣ୍ଡ କରି ସାତବର୍ଷ କଟି ଯାଇଛି । ତିନିବର୍ଷ ଯାଇଛି ସମ୍ପାଦକଙ୍କ ରୋଷେଇ କରିବାରେ, ଦୁଇବର୍ଷ ଖୁଚୁରା କାମ ଅର୍ଥାତ୍‌ ପ୍ରେସ୍‌କୁ କାଗଜ ବୋହିବାରେ, ବାକି ଦୁଇବର୍ଷ ପ୍ରୁଫ୍‌ ଦେଖିବାରେ ।

 

ବରବାଦ୍‌ ହୋଇଗଲା ସାତଟା ବର୍ଷ । ନବଘନ ବାବୁ ସିଗାରେଟଟା ଫିଙ୍ଗିଦେଲେ ।

 

ସେପାଖରୁ ମେସିନ୍‌ଟା ଧଡ଼୍‌ ଧଡ଼୍‌ ଆବାଜ୍‌ କରୁଛି । ଛପା କାମ ବୋଧେ ଆରମ୍ଭ ହେଲାଣି । ଆଉ କେତେ ଡେରି ?

 

‘‘ପଣ୍ଡିତ ମହାଶୟ ।’’

 

‘‘ଆଜ୍ଞା ।’’

 

‘‘କଣ ସରିଲା ?’’

 

‘‘ହଁ, ଆପଣ ପ୍ରୁଫ୍‌ ଦେଖିବେ ତ ?

 

‘‘ନାଃ ଆପଣ ଦେଖନ୍ତୁ ।’’

 

ନବଘନ ବାବୁ ଧଡ଼୍‌ କରି ଚୌକିରେ ବସି ପଡ଼ି ଝରକା ବାଟେ ପଶ୍ଚିମ ଆକାଶକୁ ଲକ୍ଷ କରିବାକୁ ଲାଗିଲେ । ରାସ୍ତାଟା ଲମ୍ବି ଯାଇଛି ସେଇ ଆଡ଼କୁ । ରାସ୍ତା କରରେ ପାଣିର ପାଇପ୍‌ । ପାଣି ଆସି ଗଲାଣି । ଗରା ମାଠିଆ ଧରି ଧାଡ଼ି ବାନ୍ଧିଛନ୍ତି ସ୍ଥାନୀୟ ବଧୂ ଓ କୁମାରୀ ।

 

ସେ ବାହାହୋଇ ପାରିଲେ ନାହିଁ । ବାହା ହୋଇଥିଲେ ଠିକ ଏମିତି ତାଙ୍କର ପ୍ରିୟା ପାଣି ମାଠିଆ କାଖରେ ଧରି ନଈକୁ ପାଣି ଆଣିବାକୁ ଯାଉଥାନ୍ତା । ସେତେବେଳେ ହୁଏତ କବି ହେବା ପାଇଁ ଗୋଟାଏ ସଂଗ୍ରାମ କରାଯାଇ ପାରିଥାନ୍ତା ।

 

କିନ୍ତୁ ଆଜି ସେ ଚିନ୍ତା କାହିଁକି ? କେତେ ବୟସ ହେଲା ? ବୋଧେ ଅଠତିରିଶ । ହ, ଲୋକେତ ପଚାଶ ବର୍ଷରେ ବାହା ହେଉଛନ୍ତି । ସେ ପରମ୍ପରା ଢେର ଅଛି । କ’ଣ କନ୍ୟା ମିଳିଲେ ନାହିଁ ବୋଲି ବାହା ହେଲେନାହିଁ ?

 

ଚୁପ୍‌, ସେ କଥା ମିଛ । କନ୍ୟା କାହିଁକି ମିଳନ୍ତେ ନାହିଁ ? ଯାହାକୁ ଯେତେ, ଖଜବଜ । ଏମିତି ଗୋଟାଏ ଖିଆଲ ହୁଏ ଅନେକଙ୍କର, ପ୍ରାୟ ପ୍ରତ୍ୟେକ ବଡ଼ ବଡ଼ ଲୋକଙ୍କର । ଆଜି ଯଦି କହିବେ–ତେବେ କାଲି ସକାଳେ ଢୋଲ ମହୁରୀ । ଛି, କିନ୍ତୁ ବଡ଼ ଦାୟିତ୍ୱ । ବଡ଼ ନେଞ୍ଜରା । କିଏ ପାରେ ସେ କଥାକୁ ହୋ ? ନୋହିଲେ ସେ କାଠବାଲା ବୁଢ଼ୀର ଝିଅଟା ଯେମିତି ଅନାଏ.....ଇସ୍‌ । ଯଦି ଏଇନେ କହିବେ ତେବେ ଏଇନେ । କାଠବାଲୀ ? ହଉ, ସେଥିରେ କି ଯାଏ ଆସେ ? ବାର୍ଣ୍ଣାଡ଼୍‌ଶ ତ ପୁଣି ନର୍ସକୁ ବିଭାହେଲେ । –ହେଃ, ଆଉ କିଛି କାମ ନାହିଁ ଓଡ଼ିଆମାନଙ୍କର । କିଏ କେଉଁଠି ବାହାହେଲା, କେମିତିଆ ଘରେ ବାହା ହୋଇଛି–ଏଇଆ ଖୋଳ ତାଡ଼ ।

 

ଅଧ୍ୟାପକ ମହାପାତ୍ରର ପୁଞ୍ଜାଏ ପିଲା । ଯେମିତି ପିଲା ଜନ୍ମ କରିବା ଭାରି ଗୋଟାଏ ବଡ଼ କଥା । ଆଚ୍ଛା ଦେଖିବା । ଆଜି ଚାହିଁଲେ.... ।

 

ଏଁ କଣ ଗୁଡ଼ାଏ ଭାବନା ଏମିତି ଆସୁଛି । ବଡ଼ ଅସଭ୍ୟ ।

 

ନବଘନ ବାବୁ ଗୋଟାଏ ବହି ଟାଣି ଆଣି ପଢ଼ିବାକୁ ଲାଗିଲେ । ଛଅଟା ବାଜି ଗଲାଣି । ଆଉ କେତେ ଡେରି ? ଯେତେ ବାଆଁରେଇଲେ ମନଟା ବୁଝୁନି ।

 

‘‘ହଇଏ ପଣ୍ଡିତ ମହାଶୟ ।’’

 

‘‘ଆଜ୍ଞା ।’’

 

‘‘କଣ ସଇଲା ?’’

 

‘‘ହଁ ଆଜ୍ଞା ନେଉଛି ।’’

 

‘‘ବାଃ, ସରିଗଲା ତା ହେଲେ । ଡାକ ହକରକୁ । ଆଗ ସେ ଟାଉନ୍‌ ସାରା ଘୂରି ଆସୁ । ବିଶେଷ କରି ରାଣୀହାଟକୁ ସେ ଯେମିତି ଆଗ ଯାଏ ।’’

 

ନବଘନ ବାବୁ ଉତ୍ତେଜନାରେ ପତ୍ରିକାଟା ଓଲଟାଇ ଲାଗିଲେ । ତିନିଫାଳ ହେଲା ତାହାହେଲେ, ସବୁ ଠିକ୍‌ ଅଛି ? ଏ ହେ ଏଇ ନ ରୁ ଋ ଫଳା ଉଠି ଯାଇଛି । ହ, ପଢ଼ିଲା ଲୋକ ଠିକ୍‌ କରି ପଢ଼ି ପାରିବ ଯେ ।

 

ଏଇ ତୃତୀୟ ପାରାଟା ଯେତେବେଳେ ସେ ଦେଖିବ, ଯେଉଁଥିରେ ପିରାଣ୍ଡେଲୋ ଓ ଦୋସ୍ତୋଓ୍ୱସ୍କିଙ୍କ ଉଦ୍ଧୃତାଂଶମାନ ଦିଆ ଯାଇଛି, ସେତିକିବେଳେ ମନ ଘର ଧରିବ । ବିରାଡ଼ି ଆଖି ବୁଜି ଦୁଧ ପିଉଛି–ନା ? ବାବା ସମସ୍ତେ ପଢ଼ନ୍ତି । ଭାବନାହିଁ ଯେ ଦୁନିଆଟାଯାକ ସବୁ ମୁର୍ଖ । ଟିକନିକ୍‌ ଖବର ସମସ୍ତେ ରଖନ୍ତି । ସାହିତ୍ୟର ପ୍ରଗତି ସମ୍ବନ୍ଧରେ ସମସ୍ତେ ସଚେତନ । ପିରାଣ୍ଡେଲୋ ହୁଅନ୍ତୁ କି ପାର୍ଲ ଏସ୍‌ ବକ୍‌ ହୁଅନ୍ତୁ, ଯେଉଁଠି ଗୋଟାଏ ଧାଡ଼ି ହାତ ସଫେଇ କରିବ ସବୁ ଜଣା ପଡ଼ିଯିବ । ଏଇଥିରୁ ବୁଝ ନବଘନ ମିଶ୍ର ସାଙ୍ଗରେ ଯିଏ ଟକ୍‌ଟର ଦେବ, ସେ ବିଛା ମନ୍ତ୍ର ନ ଜାଣି ସାପ ଲାଗୁଡ଼ରେ ହାତ ମାଇଲା ବୋଲି ଜାଣ ।

 

ଆଃ, ବିଚରା ମହାପାତ୍ରଟି । କଣ କରୁଥିବ ସେ ଏଇନେ ? ଯେଉଁ ଛାତ୍ରମାନଙ୍କ ଆଗରେ ସେ ଛାତି ଫୁଲାଇ କାହାକୁ ଖାତିର ନ କରି ଚାଲୁଥିଲା, ସେମାନେ ତ ସମସ୍ତେ ଜାଣି ଯିବେଣି ଯେ ଅଧ୍ୟାପକ ମହାପାତ୍ରଟା ଗୋଟାଏ ଏକ ନମ୍ବର ନକଲ ନବିଶ୍‌ । ତାର ପ୍ରତ୍ୟେକ ଗଳ୍ପ ସବୁ ଇଂରେଜି ଗଳ୍ପରୁ ଚୋରି । ପାଉ ଖେଞ୍ଚେ ।

 

ପୁଣି କୃଷ୍ଣ ସାଜିଥିଲେ । ସେ କଥା ବି ଲେଖା ହୋଇଛି ଯେ । କଟକ ସହରରେ କୃଷ୍ଣ ସାଜି ଷୋଳ ଜଣ କଟକୀ ଗୋପୀକାଙ୍କ ମନ ଚୋରୀ କରିଥିଲେ । ଶ୍ରରାଧା ତ ଏଇନେ ସମାଜ ସେବିକା, ଚନ୍ଦ୍ରାବଳୀର ତ ଏଇନେ ଦେଢ଼ଡଜନ ପିଲା–ବୃନ୍ଦାବନଟା ବରବାଦ୍‌ ହୋଇଗଲା ।

 

ଘର ଭିତରକୁ ଆଉ ଯାଇ ପାରିବ ନାହିଁ ବିଚରା । ଗଲେତ ଛାଞ୍ଚୁଣିମାଡ଼ । କେଉଁଠିକି ଯିବ ଆଉ ?

 

ନବଘନ ବାବୁ ଆନନ୍ଦରେ ଟେବୁଲ ଚାରିପାଖେ ବହେ ନାଚିଗଲେ ।

 

ହକରଟା ଯାଇ କୋଉଠି ହବଣି ? ଦଶମିନିଟ୍‌ତ ଗତ ହୋଇ ଗଲାଣି । ନିଶ୍ଚୟ ମଙ୍ଗଳାବାଗ୍‌ରେ ପହଞ୍ଚି ଯିବଣି । ତାପରେ ଏକ୍‌, ଦୁଇ, ତିନ୍‌, ଚାରି, ପାଞ୍ଚ–ଏଥର ନିଶ୍ଚୟ ରାଣୀହାଟ ପୋଲିସ ଷ୍ଟାଣ୍ଡ୍‌ ପାଖରେ । ସେଠୁ ବୋଧେ ଦଶ ମିନିଟ୍‌ର ରାସ୍ତା । ବୋଧେ ପହଞ୍ଚି ନ ପହଞ୍ଚି ହେଉଥିବ ।

 

ଧର ମହାପାତ୍ର ଦାଣ୍ଡ ବାରଣ୍ଡାରେ ଠିଆ ହୋଇଛି । ପତ୍ରିକା ଖଣ୍ଡେ କିଣିଲା । ଏଁ ସେଇଟା ପୁଣି ପତ୍ରିକା କିଣିବ ? ମଖିଚୋଷଟାଏ ପରା । ନାଇ ସେ ମାଗି ଦେଖିଲା । ଆରେ ଇଏ କଣ ରେ । ଇସ୍‌, ବଜ୍ରପାତ । ତା ପରେ ତାର ସ୍ତ୍ରୀକୁ ମାଗିଲା ପାଣି ଗ୍ଲାସେ । ପାଣି ପିଇ ସାରି ରାଲେ ସାଇକେଲ ଖଣ୍ଡକ ଧରିଲା । ରାଲେ ସାଇକେଲ ? ଭାରି ଚଢ଼ିଲାବାଲା ରାଲେ ସାଇକେଲରେ । ସେଇଟା ପଚାଶ ବର୍ଷ ପୂର୍ବେ ରାଲେ ଥିଲା । ବର୍ତ୍ତମାନ ତ ନବଗୁଞ୍ଜର । ମର୍ଡ଼ଗାଡ଼ଟା ହର୍‌କୁଲେସ । ରିମ୍‌ ଗୁଡ଼ାକ ହିନ୍ଦ୍‌ । ପେଡ଼ଲଟା ଇଣ୍ଡିଆ, ଫ୍ରେମ୍‌ଟା ଡିଆର, ଖାଲି ଅଛି ହାଣ୍ଡଲଟା ରାଲେ ।

 

ଧର ସେଇଥିରେ ଚଢ଼ି ସିଏ ଆସୁଛି ତାଙ୍କୁ ଦେଖା କରିବ ବୋଲି । ମନରେ ଭାବୁଛି କଣ କରିବ ? କ୍ଷମା ମାଗିବ ? ଅନୁରୋଧ କରିବ ଆଉ ଏପରି ଲେଖିବେ ନାହିଁ ବୋଲି ? ମନେ କର ଏମିତି ଗୋଟାଏ କିଛି ସେ କହିବ ବୋଲି ଆସୁଛି । ମୁହଁ ତାର ମଳିନ ପଡ଼ି ଯାଇଛି । ଆଖି ଗୁଡ଼ାକ ଲାଲ ଲାଲ । ଯେମିତି ଅଦିନିଆ ମେଘ ଖଣ୍ଡେ ଢାଙ୍କିଛି ନିର୍ମଳ ଆକାଶ ଉପରେ ।

 

ବୋଧେ ମଙ୍ଗଳାବାଗ ଡେଇଁ ଯିବଣି । ଖୁବ୍‌ ଯୋରରେ ନିଶ୍ଚୟ ଆସୁଛି । ଆସ ବନ୍ଧୁ ଆସ ।

‘‘ପଣ୍ଡିତ ମହାଶୟ ।’’

‘‘ଆଜ୍ଞା ।’’

‘‘ଶୁଣନ୍ତୁ, ସେ ଅଧ୍ୟାପକ ମହାପାତ୍ର ଯଦି ଆସି ମତେ ଖୋଜେ, ତେବେ ତାକୁ ମନା କରି ଦେବ ଯେ ଦେଖା ହୋଇ ପାରିବ ନାହିଁ ବୋଲି । ମନେ ରହିଲା ? କେଭେ ତାକୁ ଏ ଭିତରେ ପୁରାଇବ ନାହିଁ ।’’

‘‘ଆଜ୍ଞା ହଉ ।’’

ନବଘନ ବାବୁ ଝରକାଟାକୁ ବନ୍ଦ କରି ଦେଇ ସିଗାରେଟ ଖଣ୍ଡେ ଲଗାଇଲେ । ରିକ୍‌ସା ତିନି ଚାରିଟା ଅଣନିଶ୍ୱାସିଆ ଚିତ୍କାର କରି ଛୁଟି ଯାଉଛନ୍ତି । ରାତି ସାତଟା ହେଲାଣି । ଗହଳି କମି ଆସୁଛି କିନ୍ତୁ କୁଆଡ଼େ ଗଲା ମହାପାତ୍ର । ଏତେବେଳଯାଏ ସିଏ କଣ ଆସି ନାହିଁ ? କେମିତି ଆସିବ–ଆଉ କଣ ମୁହଁ ଅଛି ? ଲୁଚି ଲୁଚି ବୋଧହୁଏ ଆସୁଛି । କାଳେ କେଉଁଠି ଧରା ପଡ଼ିଯିବ ପରା । ହଉ ହଉ ଆସୁ ବିଚାରଟି । ହଠାତ୍‌ କରି ତା ଉପରେ ଏତେ ରୁକ୍ଷ ହେବା ଉଚିତ ନୁହେଁ ।

‘‘ପଣ୍ଡିତ ମହାଶୟ ।’’

‘‘ଆଜ୍ଞା ।’’

‘‘ମହାପାତ୍ର ଆସିଥିଲା କି ?’’

‘‘ଆସିନି ତ ଆଜ୍ଞା ।’’

‘‘ଦେଖନ୍ତୁ, ଯଦି ସିଏ ଆସେ ତେବେ ତାକୁ ସେଇ ବାହାର ଘରେ ଅପେକ୍ଷା କରିବାକୁ କହି ମୋତେ ଖବର ଦେବ । ଆଗରୁ ଯାହା କହୁଥିଲି ତାକୁ ମନା କରିଦେବ ବୋଲି ତା’ କରିବ ନାହିଁ । ମନେ ରହିଲା ?’’

‘‘ହଁ ଆଜ୍ଞା ।’’

ନବଘନ ବାବୁ ଗାଲ ଉପରେ ହାତ ଘଷିଲେ । ରୂଢ଼ସବୁ ପୁଣି କଅଁଳି ଆସିଲାଣି । ଖଦଖଦଡ଼ିଆ ଲାଗୁଛି । ଆଜିକାଲିର ବେଡ଼ ଗୁଡ଼ାକ ମୋଟେ ଭଲ ନୁହେଁ । କିନ୍ତୁ ମହାପାତ୍ରଟା ଖିଅର ହେବାକୁ ଆଉ ବେଳ ପାଇ ନଥିବ । ଆହା, ବିଚରା ମନରେ ଖୁବ୍‌ କଷ୍ଟ ହୋଇଥିବ । କାନ୍ଦୁଥିବ ? ହଁ, ନ କାନ୍ଦୁଥିବ ବା କେମିତି ? କମ୍‌ ବଡ଼ କଥା ଇଏ ? ନାଇଁ ନାଇଁ, ତା’ ଉପରେ ହଠାତ୍‌ ଏମିତି ବ୍ୟବହାର ଦେଖାଇଲେ, ବିଚରାଟା ସହଜେ ତ ଦୁଃଖ ପାଇଛି, ତା’ ଉପରେ ପୁଣି ଇଏ–ବୋଝ ଉପରେ ନଳିତାବିଡ଼ା ପରି ହେବ । ସମ୍ଭାଳି ପାରିବ ନାହିଁ । ସଂପାଦକଙ୍କ ବଖରାକୁ ଧଡ଼୍ ଧଡ଼୍ ପଶି ଆସୁଥିଲା । ତାକୁ ଯଦି ମନା କରିଦିଆଯାଏ ? ବୋଧେ ସେଇଠି ତାର ହୃତ୍‌ପିଣ୍ଡ କ୍ରୀୟା ବନ୍ଦ ହୋଇଯିବ । ମଣିଷର ଏତେ ପରିମାଣର ବିଜିତ ରୂପ ଦେଖିବାକୁ ଭଲ ଲାଗେ ନାହିଁ । ନାଃ, ଯେମିତି ଆସୁଛି ସେ ଆସୁ । ତା ଇଚ୍ଛା ।

‘‘ପଣ୍ଡିତ ମହାଶୟ ।’’

‘‘ଆଜ୍ଞା ।’’

‘‘ମହାପାତ୍ର ଆସିଲେ ତାକୁ ଏଇଠିକି ପଠାଇ ଦେବେ । ମନା କରିବେ ନାହିଁ ।’’

‘‘ହଉ ।’’

ନବଘନବାବୁ ଚଉକି ଉପରେ ଅଳ୍ପ ସମୟ ଅନ୍ୟମନସ୍କ ଭାବେ ବସିଗଲେ । ରାତି ଏଗାର । କାନ୍ଥ ଘଣ୍ଟାଟା ବାଜି ଉଠି ସମୟର ସୂଚନା ଦେଇ ଦେଲା । ନବଘନବାବୁ ଚମକି କାନ୍ଥ ଘଡ଼ିକୁ ଚାହିଁଲେ । ପଛ ଘରୁ ମେସିନ୍‌ର ଧଡ଼୍ ଧଡ଼୍‌ ଆବାଜ । କର ପାଖ ପିଣ୍ଡାରୁ ପଣ୍ଡିତ ମହାଶୟଙ୍କ ଖାଉଥିବା ଚିଲମର ଗନ୍ଧ । ନବଘନବାବୁ ପୁଣି ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇଲେ-

କିନ୍ତୁ ମହାପାତ୍ରର କଣ ହେଲା ? ଏତେବେଳଯାଏ ଆସିଲା ନାହିଁ କାହିଁକି ? ଆହା । କଣ କରୁଥିବ ଏଇନେ ? ହଠାତ୍‌ କରି ଏତେ କଡ଼ା କରି ଲେଖିବା ଉଚିତ ନଥିଲା । ଯେତେହେଲେ ତ ଗୋଟାଏ ଅଧ୍ୟାପକ । କୋଉ ଅଧ୍ୟାପକ ଏଇଆ ନ କରୁଛି ? କେତେଟା ଟଙ୍କା ବା ଦରମା ପାଏ ? ସେଇଥିରେ ଚଳେ କଷ୍ଟେ ମଷ୍ଟେ । ଯଦି ତାକୁ ବାହାର କରିଦିଅନ୍ତି କଲେଜ କର୍ତ୍ତୃପକ୍ଷ ? ବିଚରାଟି ଯିବ କୁଆଡ଼େ ? ଛଅ ପ୍ରାଣୀ କୁଟୁମ୍ବ ଚଳିବ କେମିତି ? ନାଃ, ବଡ଼ ଭୁଲ ହୋଇଗଲା ।

ଅନେକ ଲୋକ ଗର୍ବ କରନ୍ତି । ଗର୍ବ କରିବାଟା ତ କିଛି ଖରାପ ଗୁଣ ନୁହେଁ । ଗର୍ବଟା ଗଭୀର ଆତ୍ମବିଶ୍ୱାସର ପ୍ରତୀକ । ପ୍ରତ୍ୟେକ ମଣିଷ ଗର୍ବ କରିବା ଉଚିତ୍‌ । ମହାପାତ୍ର କଲା ଯେ କଣ ହୋଇଗଲା ?

ଆଃ ବିଚାରାଟି ?

କିନ୍ତୁ ତାର ଗୋଟାଏ ଅଦ୍ଭୁତ ରୋଗ ଥିଲା । ଟିକିଏ ଉତେଜିତ ହୋଇ ପଡ଼ିଲେ, ତାର ମୁଣ୍ଡକୁ ରକ୍ତ ଉଠିଯାଉଥିଲା ଏବଂ ସେ ପାଗଳ ଭଳି ହୋଇ ଯାଉଥିଲା । ଯଦି ସେଇ ରୋଗରେ ସେ ଆକ୍ରାନ୍ତ ପଡ଼ିଥାଏ । ସେ ରୋଗଟା ବଡ଼ ବିପଦଜନକ ରୋଗ । ମରିଯିବାର ଭୟ ଅଛି । ସେଇଥିପାଇଁ ତାକୁ ଡାକ୍ତରମାନେ ମନା କରିଥିଲେ ହଠାତ୍‌ ଉତେଜିତ ନ ହେବାକୁ । କିନ୍ତୁ.... ।

ଖୁବ୍‌ ବଡ଼ ଭୁଲଟାଏ ହୋଇଗଲା । ଏତେବେଳ ପର୍ଯ୍ୟନ୍ତ ନ ଆସିବାର ଅର୍ଥ ନିଶ୍ଚୟ ସେ ଡାକ୍ତରଖାନାରେ । ଇମର୍‌ଜେନ୍‌ସି ଓ୍ୱାର୍ଡ଼ରେ ଭର୍ତ୍ତି ହୋଇଥିବ । ଚିକିତ୍ସା ଏଇନେ ଚାଲୁଥିବ । ସ୍ତ୍ରୀ ପିଲାମାନେ କାନ୍ଦୁଥିବେ । ଆଃ ।

ନବଘନବାବୁ ଆଉ ଅଧିକ ଭାବିପାରିଲେ ନାହିଁ । ହଠାତ୍‌ ପ୍ରେସ୍‌ ଘର ଭିତରୁ ବାହାରି ଦୌଡ଼ିବାକୁ ଆରମ୍ଭ କଲେ ।

ରାତି ବାରଟା, ନବଘନବାବୁ ରାସ୍ତାରେ ଦୌଡ଼ୁଛନ୍ତି ।

‘‘ଶୁଣନ୍ତୁ ନବଘନବାବୁ, ଖବର କଣ, ଏମିତି ଦୌଡ଼ୁଛନ୍ତି କାହିଁକି ?

‘‘ମୁଣ୍ଡ ଖରାପ ହୋଇଗଲା ?’’

ମିଛ କଥା । କିଏ କହୁଛି ମୁଣ୍ଡ ଖରାପ ବୋଲି । ଖାଲି ମହାପାତ୍ର ଯୋଗୁ.... ।

ନବଘନବାବୁ ଖୁବ୍‌ ଯୋରରେ ଦୌଡ଼ିବାକୁ ଲାଗିଲେ ଡାକ୍ତରଖାନା ଆଡ଼େ । ରାସ୍ତାରେ ସେ ବହୁବାର ଝୁଣ୍ଟି ପାଦକୁ ରକ୍ତାକ୍ତ କରି ବଡ଼ ଡାକ୍ତରଖାନାରେ କୋଠା ପାଖରେ ଯାଇ ପହଞ୍ଚିଲାବେଳକୁ ରାତି ଗୋଟାଏ । ଡାକ୍ତରଖାନାର ଝରକା ଭିତର ଦେଇ ବହି ଆସୁଛି ମେଞ୍ଚା ମେଞ୍ଚା ଆଲୁଅ ଆଉ ହସ । ଫ୍ଲାରେନ୍‌ସ ନାଇଟିଙ୍ଗେଲ କହିଛନ୍ତି–‘ପ୍ରାଣ ଖୋଲି ହସ, ସେଇ ହସରେ ତମେ ଆଣ ସାନ୍ତ୍ୱନା, ସେଇ ହସରେ ତମେ ଆଣ ମୃତ୍ୟୁର କାଳିମାରେ ଜୀବନ ଆଲୋକର ନୂତନ ଉଦ୍ଦୀପନା ।’’ ସିଷ୍ଟର ବିନୋଦିନୀ ବି ଆଉ ଧାଡ଼ିଟିଲ ତା’ ସାଙ୍ଗରେ ମିଶାଇଛନ୍ତି–ସେଇ ହସରେ ତମେ ଟାଣିଆଣ ରୋଗ ବିହୀନ ଶହ ଶହ ରୋଗୀଙ୍କୁ ।

ପୁରୁଷ କଣ୍ଠ–ଟିକିଏ ଚଢ଼ା, ତା’ପରେ ଧୀରେ ଧୀରେ ଶେଷ ଆଡ଼କୁ ମିଶିଯାଉଛି–ହିଃ ହିଃ ହିଃ ଇଃ ଇଃ ଇଃ ଇ ଇ ଇ ।

ନାରୀ କଣ୍ଠ–ପାହାଚ ପାହାଚଭଳି–ହିଃହିଃ ହିଃହିଃ ହିଃହିଃ ହିଃ ହିଃ ।

ତା’ପରେ ପୁରୁଷ କଣ୍ଠ । ସମ୍ଭବତଃ ଉତ୍ତର–ହୋଃ ହୋଃ ହୋଃ ଓଃ ଓଃ ଓଃ ଓଃ ଓ ଓ ଓ-

ନାରୀ କଣ୍ଠ–ଇଃ ଇଃ ଇଃ ଇଃ ଇ ଇ ଇ ।

ଭାଷାର ଆବଶ୍ୟକତା ନାହିଁ । ସେଇ ହସରେ ଆନନ୍ଦ ଆବେଗ, ଉଚ୍ଛ୍ୱାସ, ଅସ୍ତି, ନାସ୍ତି, ସବୁର ପ୍ରକାଶ । ନବଘନବାବୁ ଚାହିଁଲେ । ବୟସ କେତେ ହେଲାଣି ? ପ୍ରାୟ ଚାଳିଶ ପାଖାପାଖି ।

‘‘ଏଇ ସିଷ୍ଟର ବିନୋଦିନୀ ।’’ ଡାକିଲେ ନବଘନବାବୁ ।

‘‘କଣ ?’’

‘‘ଅଧ୍ୟାପକ ମହାପାତ୍ର ଏଇନେ ଇମରଜେନ୍‌ସି ଓ୍ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି, ଦେଖିଛ ?’’

‘‘କୋଉ ମହାପାତ୍ର ?’’

‘‘ଆରେ ଅଧ୍ୟାପକ ମହାପାତ୍ରକୁ ଚିହ୍ନିନା ?’’

‘‘ସିଏ ବାହା ହୋଇଛନ୍ତି ?’’

‘‘ହଁ ହଁ, ବାହା ହୋଇ ତାଙ୍କର ଚାରୋଟି ପିଲା ।

‘‘ଓରେ ବାପ୍‌ରେ । ତାହାହେଲେ ଆମେ ତାଙ୍କୁ ଚିହ୍ନୁନା ।’’

‘‘ଆଶ୍ଚର୍ଯ୍ୟ ନବଘନବାବୁ ଚିଡ଼ି ଉଠିଲେ । ‘ତା ହେଲେ ଚିହ୍ନ କାହାକୁ ? ରାତିଯାକ ଘୋଡ଼ି ଭଳି ହିଁ ହିଁ ହସ । ଅଥଚ ରୋଗୀ କିଏ ଆସିଲା କିଏ ଗଲା ତାକୁ ବି ଚିହ୍ନନା । ତମମାନଙ୍କ ନାଁରେ ଅଧ୍ୟାଏ ଅଧ୍ୟାଏ ଲେଖା ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ।’’

‘‘ଓ ମା, ପାଗଳାଟାଏ ଆସିଛି ।’’

‘‘କିଏ ହୋ, କାହାକୁ ଖୋଜୁଛ ?’’ ରାତି ଡ୍ୟୁଟିରେ ଥିବା ବେହେରା ଜଣେ ପଚାରିଲା ।

‘‘ଅଧ୍ୟାପକ ମହାପାତ୍ରକୁ ।’’

‘‘ସେମିତିଆ କୌଣସି ଲୋକ ତ ଆସିନାହାନ୍ତି ।’’

‘‘ତମେ ମିଛ କହୁଛ ।’’

‘‘ନାଇଁ ବାବୁ ମିଛ କହିବୁ କାହିଁକି ? ଆମର ଖାତା ଦେଖିଯାଆନ୍ତୁ ।’’

ତେବେ ଆସିନି ମହାପାତ୍ର ? କିନ୍ତୁ ଗଲା କୁଆଡ଼େ ? ଘରେ ଥିବ ? ନାଃ, ଅସମ୍ଭବ । ଡାକ୍ତରଖାନାକୁ ଆସିନି ଅର୍ଥ ସେ ନିଶ୍ଚୟ ମହାନଦୀ କୂଳକୁ ବୁଲିବାକୁ ଯାଇଥିଲା ଏବଂ ସେଇଠି ତାର ମୁଣ୍ଡ ଖରାପ ହୋଇ ଯାଇ ନିଶ୍ଚୟ ନଈକୁ ଡେଇଁ ପଡ଼ିଛି ।

ଆଉ କଣ ବଞ୍ଚିଥିବ । ଆନିକଟ ଦେହରୁ ଯେମିତି ଯୋରରେ ଯୋରରେ ପାଣି ପଡ଼ୁଛି, ତା ଆଗରେ ପଥରଟାଏ ପଡ଼ିଲେ ଚୂନା ହୋଇଯିବ ।

ଦୁଃଖରେ ନବଘନ ବାବୁଙ୍କ ଆଖିରୁ ଦିଟୋପା ଲୁହ ଝରିପଡ଼ିଲା ।

କାହିଁକି ଏ ଦୁର୍ବୁଦ୍ଧି ଦେଖାଗଲା ? କାହିଁକି ଏ ପ୍ରହସନ ଲାଗିଲା ।

ନବଘନବାବୁ ମହାନଦୀ କୂଳକୁ ଦୌଡ଼ିଲେ । କେହି କୁଆଡ଼େ ନାହାନ୍ତି । ରାସ୍ତା ଶୁନ୍‌ଶାନ୍‌ । ରାସ୍ତା କରର ମଳିନ କିରାସିନି ବତୀଟିମାନ ତାଙ୍କ ନିଜର ଅସ୍ତିତ୍ୱ ବଜାୟ ରଖିବାରେ ବ୍ୟସ୍ତ । ଜଣେ ଦୁଇଜଣ କେଉଟ ସମ୍ଭବତଃ ଭଉଁରି ଜାଲ ପକାଉଛନ୍ତି ।

ଆନିକଟ ଦେହରୁ ପାଣି ଖୁବ୍‌ ଜୋରରେ ପଡ଼ି ଲାଗିଛି । ଏଇଠି ଯଦି ସେ ଡେଇଁପଡ଼ିଥିବେ, ତେବେ କେହି ଚିହ୍ନ ବର୍ଣ୍ଣ ପାଇନଥିବେ ।

ଲୁହ ଅସରାକୁ ଅସରା ବହି ଲାଗିଲା ।

ସେ ବସାକୁ ଫେରିଲେ । ଟ୍ରଙ୍କ୍‌ରୁ ବାହାର କଲେ ବ୍ୟାଙ୍କର ଚେକ୍‌ ବହିଟି । ପୈତୃକ ସମ୍ପତ୍ତି ବିକି, ଚାକିରୀର ସ୍ୱଳ୍ପ ଆୟରୁ ସଞ୍ଚୟ କରି ଯେତିକି ଜମା କରିଥିଲେ ସେଇ ଦଶ ହଜାର ଟଙ୍କାକୁ ଶ୍ରୀମତୀ ମହାପାତ୍ରଙ୍କ ନାମରେ ଚେକ୍‌ କାଟିଦେଇ ଲଫାପାରେ ରଖିଲେ । ଆଉ ଖଣ୍ଡିଏ ବି ଚିଠି ଦେଲେ ।

ମାନନୀୟାଷୁ,

ଏ ପାପର ପ୍ରାୟଶ୍ଚିତ ନାହିଁ । ଆଶା କରୁଛି ମୋତେ କ୍ଷମା କରିବେ । ଇତି ।

ଆପଣଙ୍କର

ନବଘନ ମିଶ୍ର

ତା ୪ । ୭ । ୫୮

କଟକ

Image

 

ତ୍ରିଭୁଜ

 

(ବନ୍ଧୁ ପତ୍ନୀ ଶ୍ରୀମତୀ ପ୍ରତିମା ମହାନ୍ତି କରକମଳେଷୁ)

 

ସେମାନେ ସମବାୟ ସୂତ୍ରରେ ସ୍ୱପ୍ନ ଦେଖୁଥିଲେ । ଛନ୍ଦହରା ନଦୀ କୂଳରେ ନୂତନ ରୋପିତ ଗୋଟାଏ ଶାଳ ବଣ । ହୁଏତ ସେଇ ଗଛରେ ଗଣ୍ଡି ଦେହରେ ଗୋଟାଏ ବିରାଟକାୟ ଅଜଗର ଗୁଡ଼ାଇହେଉଛି । କିମ୍ବା ଗୋଟାଏ ଆକାଶି ପରୀ (ଯାହାକୁ ସେମାନେ ସିଲ୍‌ହୋଏଟ୍‌ ରୂପେ ଦେଖୁଥିଲେ), ତାର ପଣତର ଚେନାଏ । ଅଥବା ଥର୍‌ ମରୁଭୂମି ଉପରେ ଦୁଇଟି ସାମରିକ ବିମାନର ସଂଘର୍ଷ । ଏମିତି କିଛି ମନୋଜ୍ଞ ଅଥଚ ଉଦ୍‌ଭଟ୍ଟ । ଇଏ ପଚିଶ ବର୍ଷ ତଳର କାହାଣୀ ।

 

ଏହାକୁ ବର୍ତ୍ତମାନ କେହି ସ୍ୱୀକାର କରିବାକୁ ରାଜି ନୁହନ୍ତି । ପୁଣ୍ଡରୀକାକ୍ଷ ବାବୁ ମାତ୍ର ଦେଢ଼ ମାସ ହେଲା ଗଡ଼ଜାତ ଜଙ୍ଗଲରୁ କାଠ ବ୍ୟବସାୟ ଛାଡ଼ି ଫେରିଛନ୍ତି । ଟଙ୍କା ଉପାର୍ଜନ କରିବାକୁ ତାଙ୍କର ଆପାତତଃ ଇଚ୍ଛା ନାହିଁ । ବର୍ତ୍ତମାନ ପାଇଁ ସେ ଦରକାର କରନ୍ତି ଦୁଇଟି ଖଦଡ଼ ଧୋତି, ଦୁଇଟି ଚାଦର ଏବଂ କେତେ କପ୍‌ କଫି । କାମିଜ୍‌ କିମ୍ବା ପଞ୍ଜାବୀ ପିନ୍ଧିବାକୁ ତାଙ୍କର ଇଚ୍ଛା ନାହିଁ ।

 

ଏବଂ ଶ୍ରୀଯୁକ୍ତ ମାର୍ଥା ଦୁଇମାସ ତଳେ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କର ନାଁରେ ଅନେକ କିଛି ଗୁଜବ ଶୁଣାଯାଏ । ବିଶେଷତଃ ଗୋଟିଏ ଜାତିଆ ପାଗଳ ବୋଲି ସହରରେ ତାଙ୍କୁ ସମସ୍ତେ ଚିହ୍ନନ୍ତି । ଫଳରେ ରେଷ୍ଟୁରାଣ୍ଟରେ ବସି ଗୋଟାକପରେ ଗୋଟାଏ ଚାର୍‌ମିନାର ସିଗାରେଟ୍‌ ନିଃଶେଷ କଲାବେଳେ ଲୋକେ ତାଙ୍କୁ ବଲବଲ କରି ଅନାଇ ରହନ୍ତି ।

 

‘‘ଖାଉ ଖାଉ ବିଚାରାଟି’’ ଲୋକେ ତାଙ୍କୁ ଦୟା କରି କହନ୍ତି । ‘‘ବିଶେଷତଃ ଗୋଟାଏ ଲୋକର ଯେତେବେଳେ ମୁଣ୍ଡ ଖରାପ ତା’ ଛଡ଼ା ଯେତେବେଳେ ସେ ବିବାହ କରିନାହିଁ, ତା’ ପାଇଁ ଗୋଟାଏ ସ୍ୱତନ୍ତ୍ର ବିଚାର କରିବା ଆମ୍ଭମାନଙ୍କର ଉଚିତ ।’’

 

କିନ୍ତୁ ପୁଣ୍ଡରୀକାକ୍ଷ ବାବୁ ବଡ଼ ଅସହିଷ୍ଣୁ ହୋଇ ପଡ଼ନ୍ତି । ଏକେତ ଚାର୍‌ମିନାର୍‌ ଧୂଆଁଟା ଏଡ଼େ କଟୁ, ତାପରେ ସେ ବିଲ୍‌କୁଲ୍‌ ଧୁମ୍ରପାନ କରନ୍ତି ନାହିଁ । ତେଣୁ ସେ ସବୁବେଳେ ବାରଣ କରନ୍ତି ।

 

ତଥାପି ଦୁଇଜଣ ଯାକ ନିବିଡ଼ ବନ୍ଧୁ । ପିଲାଦିନରୁ ଏକା ସାଙ୍ଗରେ ପଢ଼ି ଆସିଛନ୍ତି । ଏକ ସଙ୍ଗରେ ଏମ୍‌.ଏ ପାଶ୍‌ କଲେ । ଏକ ସଙ୍ଗରେ ସ୍ୱପ୍ନ ଦେଖିଲେ ଏବଂ ଏକ ସଙ୍ଗରେ ବିଫଳ ମନୋରଥ ହେଲେ ।

 

ପଚିଶ ବର୍ଷ ତଳେ ଯେ ଶ୍ରୀଯୁକ୍ତ ମାର୍ଥା ସତେଇଶ ହଜାର ଟଙ୍କା ବ୍ୟୟରେ ଗୋଟିଏ ମୁଭି କ୍ୟାମେରା ଖରିଦ୍‌ କରି ଓଡ଼ିଶାରେ ଚଳଚିତ୍ରର ପେଣ୍ଠ କରିବେ ବୋଲି ପରିକଳ୍ପନା କରୁଥିଲେ, ସେଇ କଥାଟା ନିରଞ୍ଜନ ସେଇ ବର୍ଷଣ ମୁଖର ସନ୍ଧ୍ୟାରେ ଉଠାଇ ବେଶ୍‌ ଜମାଇ ରଖିଥିଲା । ଚାରିଘଣ୍ଟା ପୂର୍ବରୁ ଝଡ଼ ହୋଇ ବିଜୁଳି ସରବରାହ ସେଦିନ ବନ୍ଦ ହୋଇ ଯାଇଥିଲା । ପୁଣ୍ଡରୀକାକ୍ଷ ବାବୁ ଦୁଇଟା ମହମବତୀ ଜଳାଇ ସେ କୋଠରୀଟିକୁ ନାମ ମାତ୍ର ଆଲୋକିତ କରି ରଖିଥିଲେ ।

 

ବାହାରେ ବର୍ଷା ବିନ୍ଦୁର ଆର୍ତ୍ତନାଦ । କେବଳ ମଝିରେ ମଝିରେ ପୁଣ୍ଡରୀକାକ୍ଷ ବାବୁ କାଠ ଟେବୁଲ ଉପରେ ଗୋଡ଼ ଦୁଇଟା ପିଟି ସେ ନିରବଚ୍ଛିନ୍ନ ଆର୍ତ୍ତନାଦରେ ଗୋଟାଏ ଅଲଗା ଗତିଧାରା ସୂଚାଇବାକୁ ଚେଷ୍ଟା କରୁଥିଲେ ।

 

ଦଶ କପ୍‌ କଫି ଶେଷ ହୋଇଗଲା ପରେ ଶ୍ରୀଯୁକ୍ତ ମାର୍ଥା ଆଉ କଫି ଖାଇବାକୁ ମନା କରି ଗୋଟାଏ ପରେ ଗୋଟା ସିଗାରେଟ୍‌ ପିଇ ଚାଲିଲେ ।

 

କେବଳ ନିରଞ୍ଜନର ଇଚ୍ଛା ଥିଲା ଆଉ ମାତ୍ର ଦୁଇଟା କପ୍‌ କଫି ଖାଇବାକୁ । କିନ୍ତୁ ଏ ବୟୋଜ୍ୟେଷ୍ଠଙ୍କ ଚାପରେ ପଡ଼ି ସେ ବଡ଼ ହତାଶ ହୋଇଗଲା । ବିଚରା ଟୋକାଟି ନୂଆକରି କଫିର ମାଦକତାକୁ ଚାଖିବାକୁ ଆରମ୍ଭ କରିଛି ।

 

ଶ୍ରୀଯୁକ୍ତ ମାର୍ଥା ଅନୁରୋଧ କଲେ ‘‘ଆପଣ ଗୋଡ଼କୁ ଆଉ ଏପରି ଅସମ୍ମାନ ଜନକ ଭାବେ ପିଟନ୍ତୁ ନାହିଁ ପୁଣ୍ଡରୀକାକ୍ଷ ବାବୁ ।’’

 

‘‘କିନ୍ତୁ ଖୁବ୍‌ ବିନ୍ଧା ଛିଟିକା ହେଉଛି ଆଜି ।’’

 

‘‘ସେଇଟା ଦୁରାରୋଗ୍ୟ । ବିଶେଷତଃ ଅବିବାହିତମାନଙ୍କ ପାଖରେ ।’’

 

‘‘ମିଛ କଥା । ଏ ରୋଗଟା ଯେତେ ଶାରୀରିକ ନୁହେଁ ମାନସିକ ସେତେ ବେଶି । ତେଣୁ ଗତ ମାସଠାରୁ ମୁଁ ଜଣେ ହୋମିଓପାଥି ଡାକ୍ତରଙ୍କ ଚିକିତ୍ସାଧିନ ଅଛି । ସେ କହିଛନ୍ତି କେବଳ ପଲେଷ୍ଟିଲା ଦୁଇହଜାର ଖାଇଲେ ଏସବୁ ବନ୍ଦ ହୋଇଯିବ ।’’

 

‘‘ହଉ, ବନ୍ଦ ହେଉ, ଦେଖିବା ଯେ ।’’ ଶ୍ରୀଯୁକ୍ତ ମାର୍ଥା ବିଦ୍ରୂପ କଲେ ।

 

‘‘କଣ ଆରୋଗ୍ୟ ହବନି ଆପଣ କହୁଛନ୍ତି ? ଆପଣଙ୍କର ଜାଣିରଖିବା ଉଚିତ ଯେ ମୁଁ ଆପଣଙ୍କଠାରୁ ପାଞ୍ଚବର୍ଷ ବଡ଼ । ସେଇ ତୁଳନାରେ ମୋର ଅଭିଜ୍ଞତା ଆପଣଙ୍କଠାରୁ ଢେର ବେଶି-।’’

 

କିନ୍ତୁ ଶ୍ରୀଯୁକ୍ତ ମାର୍ଥା ଏକଥା ସ୍ୱୀକାର କରିବାକୁ ରାଜି ନୁହନ୍ତି । ସେ କହନ୍ତି ଯେ ବୟସର କେତେଗୁଡ଼ିଏ ଥାକ ଅଛି । ଯଥା ଅଠର, ପଚିଶ, ତିରିଶ ଓ ପଞ୍ଚାବନ । ଅଠର ଠୁଁ ପଚିଶ ଭିତରେ ଚିନ୍ତାଧାରା ସମାନ । ଏମିତି ତିରିଶ ଠାରୁ ଚାଳିଶ ଓ ଚାଳିଶ ଠାରୁ ପଞ୍ଚାବନ । ଯଦି ମାର୍ଥାଙ୍କର ବୟସ ପଇଁତିରିଶ ହୋଇଥାନ୍ତା ଏବଂ ପୁଣ୍ଡରୀକାକ୍ଷ ବାବୁଙ୍କ ବୟସ ଚାଳିଶ ହୋଇଥାନ୍ତା, ତେବେ ପୁଣ୍ଡରୀକାକ୍ଷ ବାବୁଙ୍କ କଥା ଗ୍ରହଣୀୟ ହୋଇଥାନ୍ତା । କିନ୍ତୁ ମାର୍ଥାଙ୍କର ବୟସ ଚାଳିଶ ଓ ପୁଣ୍ଡରୀକାକ୍ଷ ବାବୁଙ୍କର ବୟସ ପଇଁଚାଳିଶ । ସୁତରାଂ ମାର୍ଥା କେବଳ ଚୁପ୍‌ରହି ଏବଂ ଉଦାସ ଦୃଷ୍ଟିରେ ବାହାରକୁ ଚାହିଁ ନିଜକୁ ଅଧିକ ବିଜ୍ଞ, ପୋଖତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ ।

 

ବିଚରା ନିରଞ୍ଜନଟି ଏସବୁ କଥାରୁ କିଛି ଫାଇଦା ଉଠାଇ ପାରୁ ନଥିଲା । ଟେବୁଲ ଉପରେ ଥିବା ଗୋଟିଏ କଲମ ସାହାଯ୍ୟରେ କାଗଜ ଉପରେ ଅନବରତ ଗାରେଇ ଚାଲିଥିଲା । ନିରଞ୍ଜନର ବୟସ ମାତ୍ର ଏକୋଇଶ । ସ୍ଥାନୀୟ କଲେଜରେ ତୃତୀୟ ବାର୍ଷିକ ଛାତ୍ର । ସୌଖିନ୍‌ ସାହିତ୍ୟସେବୀ । କଥା କଥାକେ ଯୁକ୍ତି କରିବାରେ ବଡ଼ ଝୁଙ୍କ୍‌ । ବୟସ ଅନୁସାରେ ଜିଲେଟ୍‌ ବେଡ଼ରେ ଚିକ୍‌କଣ କରି ଖିଅର ହୋଇସାରିଲା ପରେ ହେଜ୍‌ଲିନ୍‌ର ମୋଟା ଆସ୍ତରଣ ଦିଏ । କାମିଜ୍‌ଟି ବେଶ୍‌ କଡ଼ା ଇସ୍ତ୍ରୀ । ଦୁଇ ତିନି ମିନିଟ୍‌ ଅନ୍ତରାୟରେ ହାତ ଘଣ୍ଟାକୁ ଚାହିଁ ଚାହିଁ ସେ ସମୟ କଟାଇବାକୁ ଚେଷ୍ଟା କରୁଥିଲା ।

 

‘‘ବୁଝିଲ ନିରଞ୍ଜନ ।’’ ଶ୍ରଯୁକ୍ତ ମାର୍ଥା କହିଲେ ।

 

‘‘କଣ କହନ୍ତୁ ।’’

 

‘‘ଜୀବନରେ ସ୍ୱପ୍ନ ଦେଖିବାଟା ବଡ଼ କଦର୍ଯ୍ୟ ଅଭ୍ୟାସ । ସେଇ ଅଭ୍ୟାସଟା ଉପରେ ମୋର ଭୟାନକ ଘୃଣା ଅଛି ।’’

 

ନିରଞ୍ଜନ ଉତ୍ତେଜନାରେ ଚଉକି ଛାଡ଼ି ଠିଆ ହୋଇ ପଡ଼ିଲା । ସେମିତି ସେ ଗୋଟିଏ ନିର୍ଭୀକ ପ୍ରତିବାଦ କରିବାକୁ ଚାହେଁ । କାରଣ ତା ମତରେ ସ୍ୱପ୍ନ ହି ବାସ୍ତବତାର ପ୍ରଥମ ପାହାଚ । ଏଇ ପାହାଚକୁ ଯେ ଛାଡ଼ି ଦେଇଛି ତାର ମୂଳଦୁଆ ବଡ଼ କଚ୍ଚା ।

 

ସେ କହିଲା ‘‘ଭୁଲ କଥା କହିଲେ ସାର୍‌ । ଉତ୍ତର ଚାଳିଶର କୌଣସି ମୀମାଂସାକୁ ଗ୍ରହଣ କରିବାକୁ ମୁଁ ରାଜି ନୁହେଁ, ତା ଛଡ଼ା କୌଣସି ବ୍ୟକ୍ତିଗତ ଘୃଣା ବିଦ୍ୱେଷ ମୋଟେ ସାଧାରଣ ପର୍ଯ୍ୟାୟରେ ପଡ଼ି ପାରେ ନା ।’’

 

ଶ୍ରୀଯୁକ୍ତ ମାର୍ଥା ମୋଟେ ନରାଗି ପଚାରିଲେ–

 

‘‘କାହିଁକି, ଉତ୍ତର ଚାଳିଶ ବିଷୟରେ ତମର ଧାରଣା କଣ ?’’

 

‘‘ପଚିଶ ଠାରୁ ତିରିଶ ଯାହା, ଚାଳିଶ ଠାରୁ ପଇଁଚାଳିଶ ସେଇଆ । ଏଇ ବୟସରେ ମଣିଷର ଗୋଟାଏ ସ୍ୱାର୍ଥ ତ୍ୟାଗର ପ୍ରବୃତ୍ତି ଉଠେ । ପଚିଶ ତିରିଶ ବୟସରେ ଯେଉଁମାନେ ସ୍ୱାର୍ଥତ୍ୟାଗ ନକରି ପାରିଥାନ୍ତି, ସେମାନେ ଚାଳିଶ ପଇଁଚାଳିଶ ବର୍ଷ ବୟସରେ ତା’ କରନ୍ତି । ଯାହା କି ଆପଣଙ୍କର ବର୍ତ୍ତମାନ ହୋଇଛି । ଆପଣ ୟା ପିଛାରେ ତା’ ପିଛାରେ ଟଙ୍କା ଉଡ଼ାଉଛନ୍ତି । ତା’ ମୂଳରେ ଆପଣଙ୍କର ଏଇ ପ୍ରବୃତ୍ତିଟା ଅଛି । କିନ୍ତୁ କୌଣସି ବିଷୟରେ ଆପଣଙ୍କଠାରୁ ମୀମାଂସା ପାଇବାକୁ ମୁଁ ପ୍ରାୟ ଦଶବର୍ଷ ଅପେକ୍ଷା କରୁଛି ।

 

ବେଶ୍‌ ମଜ୍ଜା କଥାଟିଏ । ପୁଣ୍ଡରୀକାକ୍ଷ ବାବୁ ତକିଆ ଉପରେ ଦାଢ଼ିକୁ ଘଷି ଘଷି ଗୋଟାଏ ପ୍ରକାର ଉଷ୍ମତା ଅନୁଭବ କରୁଥିଲେ ।

 

ମହମ୍‌ବତୀ ଦୁଇଟି ଶେଷ ପ୍ରାୟ । ଆଲୁଅ କମି ଆସିଲାଣି । ଚାରିଆଡ଼େ କମଳା ରଙ୍ଗର ଗୋଟାଏ ଆସ୍ତରଣ ବିଛାଡ଼ି ହୋଇ ପଡ଼ିଛି । କିନ୍ତୁ ପୁଣ୍ଡରୀକାକ୍ଷ ବାବୁ ଇଚ୍ଛା କରୁଥିଲେ ଏଇ ନିଷ୍‌ପ୍ରଭ ଆଲୋକରେ ଥରେ ମାତ୍ର ଶ୍ରୀମତୀ ମଧୁଛାୟାଙ୍କ ମୁହଁକୁ ଦେଖିବାକୁ । କାରଣ ଦିବାଲୋକରେ କିମ୍ବା ଉଜ୍ଜଳ ବିଜୁଳି ଆଲୋକ ତଳେ ସେଇ ଅଭ୍ୟସ୍ତ ମୁହଁକୁ ଦେଖିବାକୁ ଆଉ ସେ ତିଳେମାତ୍ର ଇଚ୍ଛା କରନ୍ତି ନାହିଁ ।

 

କିନ୍ତୁ ଏଇ ବର୍ଷଣ ମୁଖର ସନ୍ଧ୍ୟାରେ କୌଣସି ନାରୀକୁ ଆଶା କରିବା ବୃଥା । ତେଣୁ ସେ ନିରଞ୍ଜନକୁ ଅନୁରୋଧ କଲେ କିଛି ଗରମ ବରା ଓ ପିଆଜର ବରାଦ କରିବା ପାଇ ।

 

ନିରଞ୍ଜନ ଆଜ୍ଞାବର୍ତ୍ତତାର ସୀମା ଲଙ୍ଘନ କରିଛି । ତେଣୁ ପୁଣ୍ଡରୀକାକ୍ଷ ବାବୁଙ୍କ ପାଟିରୁ କଥା ବାହାରିବା ମାତ୍ରେ ସେ ବର୍ଷାତିଟାକୁ ଦେହରେ ଘୋଡ଼ାଇ ହୋଇ ନିକଟସ୍ଥ ବଜାରକୁ ବାହାରିଗଲା ।

 

ରିକ୍‌ସାଟିଏ ବାହାରେ ରହିବାର ଖଟ୍‌ ଖଟ୍‌ ଆଓ୍ୱାଜ୍‌ ଶୁଣାଗଲା । ଶ୍ରୀଯୁକ୍ତ ମାର୍ଥା ଓ ପୁଣ୍ଡରୀକାକ୍ଷ ବାବୁ ଦୁଆର ଆଡ଼କୁ ଅନାଇ ରହିଲେ ।

 

‘‘ନମସ୍କାର, ନମସ୍କାର ।’’

 

‘‘ଆରେ, ଆପଣଙ୍କ କଥା ମୁଁ ବର୍ତ୍ତମାନ ଚିନ୍ତା କରୁଥିଲି ।’’ ପୁଣ୍ଡରୀକାକ୍ଷ ବାବୁ କହିଲେ । ‘‘ଆପଣଙ୍କର ଦୀର୍ଘ ଜୀବନ କାମନା କରୁଛି ।’’

 

ଶ୍ରୀଯୁକ୍ତ ମାର୍ଥା କିଛି କାହାକୁ ନକହି ଦ୍ୱିଗୁଣ ବେଗରେ ସିଗାରେଟ୍‌ ଟାଣିବାକୁ ଲାଗିଲେ ।

 

ଶ୍ରୀମତୀ ମଧୁଛାୟା ଦୁଆର ବନ୍ଧ ଉପରେ ବର୍ଷାତିଟାକୁ ପକାଇ ଦେଇ ବିନା ଅନୁରୋଧରେ ଗୋଟିଏ ଚଉକୀ ଉପରେ ବସିପଡ଼ି ଆରମ୍ଭ କଲେ–

 

‘‘ଏ ଦୀର୍ଘଜୀବନ କାମନା କାହିଁକି ?

 

‘‘ଟିକିଏ ଭଲ ଲାଗେ ।’’

 

‘‘ଜାଣନ୍ତି କାଲି ମୋର ଜନ୍ମଦିନ, ମୁଁ ସେଇ ସକାଶେ ନିମନ୍ତ୍ରଣ କରିବାକୁ ଆସିଲି । ଦୁଇଜଣଯାକ ତ ଏଠି ଅଛନ୍ତି । ମୋର ନିମନ୍ତ୍ରଣ ରହିଲା । କାଲି ସକାଳୁ ଯଦି ଆପଣମାନଙ୍କର କିଛି କାମ ନଥାଏ, ତେବେ ଗୋଟାଏ ଆଉଟିଂର ବନ୍ଦୋବସ୍ତ କରିବା ।’’

 

ଶ୍ରୀଯୁକ୍ତ ମାର୍ଥା କହିଲେ–‘‘ଆପଣଙ୍କର ବୟସ କେତେ ହେଲା, ସେତକ ଯଦି ମୁଁ ଦୟାକରି ଜାଣିପାରନ୍ତି, ତେବେ ସେତିକିଟା ଶାଢ଼ୀ ଓ ବ୍ଲାଉଜ୍‌ ଆପଣଙ୍କୁ ଉପହାର ଦିଅନ୍ତି । ଆପଣଙ୍କର ମତ କଣ ?’’

 

ବୟସ ଜଣାଇ ଦେବାକୁ ଶ୍ରୀମତୀ ମଧୁଛାୟା ମୋଟେ ରାଜି ନୁହନ୍ତି । ଫଳରେ ସେ ଟିକିଏ କୃତ୍ରିମ ରାଗ ଓ ଶାସନ କଣ୍ଠରେ କହିଲେ–‘‘ଚୁପ୍‌ କରନ୍ତୁ । ଆପଣଙ୍କର ବଦ୍‌ଖର୍ଚ୍ଚ କରିବାଟା ଅସ୍ଥିମଜ୍ଜାଗତ ହୋଇଗଲାଣି । ମୁଁ ଏ ସବୁକୁ ଆଉ ପ୍ରଶୟ ଦେବାକୁ ଚାହେଁ ନାହିଁ ।’’

 

‘‘ଖୁବ୍‌ ଭଲ କଥା ।’’ ମାର୍ଥା ଚୁପ୍‌ ରହିଲେ ।

 

ପାଣ୍ଡୁରୀକାକ୍ଷ ବାବୁ ବିଛଣାରୁ ଉଠିବସି ଅନ୍ୟ ଦୁଇଟା ନୂଆ ମହମ୍‌ବତୀରେ ନିଆଁ ଧରାଇଲେ ।

 

ଏ ଭିତରେ ବର୍ଷାର ବେଗଟା ଆଉ ଟିକିଏ ବଢ଼ି ଯାଇଥିଲା । କେତେଟା ଟ୍ରକ୍‌ର ଆଓ୍ୱାଜ୍‌ ଛଡ଼ା ଆଉ ଅନ୍ୟ କିଛି ଶୁଣାଯାଉ ନଥିଲା ।

 

ଶ୍ରୀଯୁକ୍ତ ପୁଣ୍ଡରୀକାକ୍ଷ ବାବୁ ପ୍ରସ୍ତାବ ଦେଲେ ବରା ଓ ପିଆଜି ଆସିବା ପୂର୍ବରୁ ଶ୍ରୀମତୀ ମଧୁଛାୟାଙ୍କ କଣ୍ଠରୁ ଗୋଟାଏ ଖଣ୍ଡେ ଧୃପଦ୍‌ ଶୁଣାଯାଉ ।

 

‘‘କିଏ ଆଣିବାକୁ ଯାଇଛି ବରା ଓ ପିଆଜି ?’’

 

‘‘ନିରଞ୍ଜନ ।’’

 

‘‘ଓ, ମା, ନିରଞ୍ଜନ ଏଇଠି ଅଛି କି ?’’

 

‘‘ତାକୁ ଚିହ୍ନନ୍ତି କି ?’’

 

‘‘ନିଶ୍ଚୟ ଚିହ୍ନେ । ସେ ମୋ ପାଖକୁ ଅଙ୍କ ଓ ସାହିତ୍ୟ ବୁଝିବାକୁ ଯାଉଥିଲା ।’’

 

‘‘ହେଲା କଣ କିଛି ଅସାମାଜିକ ବ୍ୟବହାର.... ?’’

 

‘‘ଶ୍ରୀଯୁକ୍ତ ମାର୍ଥା ଆପଣଙ୍କୁ କିଛି କହିନାହାନ୍ତି ?’’

 

‘‘ନାଁ ତ ।’’

 

ପୁଣ୍ଡରୀକାକ୍ଷ ବାବୁ ମାର୍ଥାଙ୍କ ମୁହଁକୁ ଚାହିଁଲେ ।

 

‘‘ଶୁଣନ୍ତୁ ଶୁଣନ୍ତୁ କହୁଛି, ’’ ମଧୁଛାୟା ଆରମ୍ଭ କଲେ–‘‘ପିଲାଟା ଏଡ଼େ ସଇତାନ୍‌ ବୋଲି ମୁଁ ଜାଣି ନଥିଲି । କାଲି ମୋ ଘରେ ଶ୍ରୀଯୁକ୍ତ ମାର୍ଥା ବସିଛନ୍ତି, ସେ ଏଇ ସମୟରେ ଜିଭର କାରସାଦି ଦ୍ୱାରା ସିଗାରେଟ୍‌ ଧୂଆଁରେ ଗୋଟାଏ ପ୍ରକାଣ୍ଡ ଗୋଲାଇ କରି ମୋ ଦେହ ଚାରିପାଖେ ଘୂରାଇ ଦେଲା । ଆଉ କହୁଛି–‘‘ଆପଣ ଠିକ୍‌ ଶନି ଭଳି ଦେଖା ଯାଉଛନ୍ତି ।’’

 

‘‘ଠିକ୍‌ କହିଥିଲା ତ ।’’

 

‘‘ଏଁ ଆପଣ ବି ତା ସହିତ ଏକମତ ?’’

 

‘‘ନ ହେବାର କଣ ଅଛି ? ବୟସସୁଲଭ ଚପଳତା ନେଇ ସେ ଆପଣଙ୍କର ପ୍ରଶସ୍ତି ଗାନ କରିଛି । କ୍ଷୂର୍ଣ୍ଣ ହେବାର ଅଛି କଣ ?’’

 

‘‘ପ୍ରଶସ୍ତି ?’’

 

‘‘ନୁହେଁ ? ଶନି ହେଉଛି ସବୁଠୁ ସୁନ୍ଦର ଗ୍ରହ । ଆଉ କି ଉପମା ସେ ଦେଇଥାନ୍ତା ?’’

 

‘‘କିନ୍ତୁ ତାର ତ ଗୋଟାଏ ଖରାପ ପ୍ରଭାବ ଅଛି । ତା ଅର୍ଥ...’’

 

‘‘ଆହା, କଥାଟାକୁ ଏତେଆଡ଼େ ଘୂରାଉଛନ୍ତି କାହିଁକି ? ସେ ଗୋଟାଏ କଳାକାର ଦୃଷ୍ଟିକୋଣରୁ ବିଚାର କରିଛି । ସୌନ୍ଦର୍ଯ୍ୟଟା ଦେଖିବାପାଇଁ, ଖୋଳତାଡ଼ କରିବା ପାଇଁ ନୁହେଁ ।

 

ଏଇ ସୌନ୍ଦର୍ଯ୍ୟ ଶବ୍ଦଟା ପାଇଁ ମଧୁଛାୟାଙ୍କ ମନଟା ଉତ୍‌ଫୁଲ୍ଲ ହୋଇଗଲା । ଏ ଭିତରେ କୋଡ଼ିଏ ବର୍ଷ ହୋଇ ଗଲାଣି । ବ୍ରାହ୍ମଣ ଘର ଝିଅ ସେ । ବିଭା ହେବାର ବାସି ଦିନ ସ୍ୱାମୀ ମରିଛନ୍ତି-। ତା ପରଠାରୁ ନାନାଦି ଝଂଜା ଭିତର ଦେଇ ପାଠପଢ଼ି ଏବେ ସ୍ଥାନୀୟ କଲେଜରେ ଅଧ୍ୟାପିକା ।

 

କେହି ତାଙ୍କ ସଂଗ୍ରାମ ଆଡ଼କୁ ଆଖି ପକାଇ ନାହାନ୍ତି । କେବଳ ସମସ୍ତେ ଆଖି ପକାନ୍ତି ଦେହର ଚର୍ବିଜାତୀୟ ଅଂଶର ବୃଦ୍ଧିକୁ ଏବଂ ମୁଣ୍ଡ ଭିତରେ ଥିବା ଗୋଟିଏ ଧଳା ବାଳକୁ ।

 

ସେଇଥିପାଇଁ ସେ ମାର୍ଥାଙ୍କୁ ଅନୁରୋଧ କଲେ ତାଙ୍କୁ ଘରେ ଛାଡ଼ିଦେଇ ଆସିବାପାଇଁ । ବରା ଏବଂ ପିଆଜିକୁ ଅପେକ୍ଷା ନରଖି ସେମାନେ ରିକ୍‌ସାରେ ବସିଲେ ।

 

‘‘ଦେଖନ୍ତୁ, ଆପଣ ଯଦି ମୋତେ ବିବାହ ନକରନ୍ତି, ତେବେ ମୁଁ ବିଷ ଖାଇବି ।’’ ମଧୁଛାୟା କହିଲେ ।

 

ଶ୍ରୀଯୁକ୍ତ ମାର୍ଥା ଖାଉଥିବା ସିଗାରେଟ୍‌ଟାକୁ ଫିଙ୍ଗି ଦେଇ କହିଲେ–‘‘ମୁଁ ଏପରି ଭୟାନକ ମରଣକୁ ମୋଟେ ପସନ୍ଦ କରେ ନାହିଁ । ବିଶେଷତଃ ବିଷ ଖାଇଲେ ଲୋକ ବଡ଼ କଷ୍ଟପାଇ ଶେଷରେ ମରେ । ଅବଶ୍ୟ ପଟାସିଅମ୍‌ସାଇନାଇଡ଼୍ କଥା ଦୋଷରା । କିନ୍ତୁ ସେ ମିଳିବ କେଉଁଠୁ ? ତା ଛଡ଼ା ମୁଁ ଆପଣଙ୍କୁ ବିଷ ଖାଇବାକୁ ଦେବି ନି । ବିବାହ କଥା ଯେଉଁ କହିଲେ, ମୋର ଟିକିଏ ଗ୍ରହ ଦୋଷ ଅଛି–ଦୁଇ ବର୍ଷ ଆଠ ମାସ । ସେଇଟା କଟିଗଲେ ଯାହା ଜବାବ ଦେବି ।’’

 

‘‘କିନ୍ତୁ ଲୋକେ ଆପଣଙ୍କୁ କଣ କହୁଛନ୍ତି ?’’

 

‘‘ନେତାମାନଙ୍କ ପାଖରେ ଲୋକମାନଙ୍କ କଥାର ମୂଲ୍ୟଥାଏ, ମୋ ପାଖରେ ନୁହେଁ ।’’

 

ମଧୁଛାୟାଙ୍କର ହଠାତ୍‌ ମନେ ପଡ଼ିଲା ସେ ମନିବ୍ୟାଗଟା ପୁଣ୍ଡରୀକାକ୍ଷ ବାବୁଙ୍କ ଘରେ ଛାଡ଼ି ଆସିଛନ୍ତି । ଶ୍ରୀଯୁକ୍ତ ମାର୍ଥା ଚାଲି ଚାଲି ଘରକୁ ଯିବାକୁ ଅଧିକ ପସନ୍ଦ କରିବାରୁ ସେ ରିକ୍‌ସାକୁ ସେଇଠୁ ଫେରାଇଲେ, ପୁଣ୍ଡରୀକାକ୍ଷ ବାବୁଙ୍କ ଘରକୁ ।

 

ଶ୍ରୀଯୁକ୍ତ ମାର୍ଥା ଚାହିଁଲେ ଥରେ ପଛକୁ ଓ ଥରେ ନଈକୂଳ ଆଡ଼େ । ନଈ ସେପାରିରେ ଯେଉଁ ଦୁଇଟି ବତୀ ଜଳୁଥିଲା, ତା ଠିକ୍‌ ସେମିତି ଜଳୁଛି । ତା ଭିତରେ ଯେମିତି ନିଜର ପ୍ରତିବିମ୍ବକୁ ସେ ଦେଖି ପାରିଲେ । ଗୋଟିଏ କାରୁଣ୍ୟର ଅନ୍ୟଟି ସ୍ୱପ୍ନର । ତାର ଠିକ୍‌ ପାଖରେ ନଦୀ-ଜୀବନର ଅନନ୍ତ ପ୍ରବାହ । ଦୁଇଟିର ପ୍ରୟୋଜନ ଅଛି । ଆଜି ପର୍ଯ୍ୟନ୍ତ ତା ନହେଲେ ବଞ୍ଚିଛନ୍ତି କେମିତି ? କାରୁଣ୍ୟ ଆନନ୍ଦର ମାଦକତା ଏବଂ ସ୍ୱପ୍ନ ଆନନ୍ଦର ମାଦକତା, ଇୟାରି ଭିତରେ ବଞ୍ଚିବାଟା ହିଁ ସାର୍ଥକ ସ୍ୱପ୍ନର ଶ୍ରେଷ୍ଠ ପ୍ରମାଣ ।

 

ସେ ନିରଂଜନକୁ ଦେଖାକରିବାକୁ ପୁଣି ଫେରିଲେ ।

 

ତ୍ରିଭୁଜର ଯେଉଁ ଦୁଇଟି ବାହୁ ଏକବିନ୍ଦୁରେ ମିଳିତ ହୋଇ ଥିଲେ–ପୁଣ୍ଡରୀକାକ୍ଷ ଓ ଶ୍ରୀଯୁକ୍ତ ମାର୍ଥା, ସେମାନେ ଆଉ ଗୋଟିଏ ପାଦ ଆଗେଇଥିବାରୁ ଦୂରତ୍ୱ ସେମାନଙ୍କର ବଢ଼ିଗଲା ।

 

କିନ୍ତୁ ନିରଂଜନର ଦେଖାନାହିଁ । ମାତ୍ର କେତେଟା ମିନିଟ୍‌ ତଳେ ସେ ତାର ସମସ୍ତ ସ୍ୱପ୍ନକୁ ଚିରଦିନ ପାଇଁ ଗୋଟିଏ ବେଗବାନ୍‌ ଟ୍ରକ୍‌ ତଳେ ଚୂର୍ଣ୍ଣିଭୂତ କରି ଦେଇଛି ।

 

ତା ୯ । ୭। ୫୮

କଟକ

Image